ମୁଦ୍ରାସ୍ଫୀତି କରୁଛି ଦାସତ୍ୱ

ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ଗତ ଅଗଷ୍ଟରେ ୭ ପ୍ରତିଶତରେ ପହଞ୍ଚତ୍ଥିବା ରିପୋର୍ଟ ଏବେ ପ୍ରକାଶ ପାଇଛି। ଏହା ଜୁଲାଇରେ ୬.୭୧ ପ୍ରତିଶତ ଥିଲା। ଅର୍ଥାତ୍‌ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ଊର୍ଦ୍ଧ୍ୱଗାମୀ ହେବାର ମୂଳରେ ରହିଛି ଖାଦ୍ୟସାମଗ୍ରୀ ଦରରେ ଅତ୍ୟଧିକ ବୃଦ୍ଧି। ମୁଦ୍ରାସ୍ଫୀତିକୁ ଆୟତ୍ତ କରିବା ଲାଗି ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ରେପୋ ରେଟ୍‌ ହାରରେ ଦୁଇ ଥର ବୃଦ୍ଧି କରିସାରିଛନ୍ତି। ହେଲେ ତାହା ନିୟନ୍ତ୍ରଣ ମଧ୍ୟକୁ ଆସୁ ନ ଥିବାରୁ ଚଳିତମାସ ଶେଷ ଆଡ଼କୁ ଏହି ରେଟ୍‌ ପୁଣି ବଢ଼ିବ ବୋଲି ସୂଚନା ଦିଆଗଲାଣି। ରେପୋ ରେଟ୍‌ ବଢ଼ୁଥିବାରୁ ଗୃହ ଓ ଯାନ ସକାଶେ ଋଣ କରିଥିବା ଉପଭୋକ୍ତା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଗଲେଣି। ଉଦାହରଣ ସ୍ବରୂପ, ଘର ତିଆରି ପାଇଁ ଋଣ ନେଇଥିବା ବ୍ୟକ୍ତି ତାହାକୁ ପରିଶୋଧ କଲା ବେଳକୁ ସୁଧ ଓ ମୂଳ ଦେଇଥାଆନ୍ତି। ଏବେ ସୁଧ ପରିମାଣ ବଢ଼ିଯାଉଥିବା ବେଳେ ମୂଳ ପରିଶୋଧ ପରିମାଣ ହ୍ରାସ ପାଉଛି। ଏହାଦ୍ୱାରା ସୁଧ ଆକାରରେ ଋଣ ବୋଝ ବୃଦ୍ଧି ପାଉଛି ଏବଂ ମଧ୍ୟବିତ୍ତ ଅଧିକ ଶୋଷିତ ହେଉଛି। ଏଥିସହିତ ଖାଦ୍ୟସାମଗ୍ରୀ ଦର ଯେଭଳି ବଢ଼ିବଢ଼ି ଚାଲିଛି ତାହା ନିକଟ ଭବିଷ୍ୟତରେ ନିୟନ୍ତ୍ରଣ ମଧ୍ୟକୁ ଆସିପାରିବ ବୋଲି ମନେ ହେଉନାହିଁ। ତାହା ସହିତ ଏହିଭଳି ଅର୍ଥନୈତିକ ସମସ୍ୟାକୁ କେଉଁ ଧାର୍ମିକ ପଦକ୍ଷେପ ଦ୍ୱାରା ସମ୍ଭଳାଯାଇପାରିବ, ତାହା ମଧ୍ୟ ଆମ ଭଳି ସାଧାରଣ ନାଗରିକଙ୍କୁ କେହି ବୁଝାଇ ପାରୁନାହାନ୍ତି।
ଭାରତରେ ଲୋକେ ଆର୍ଥିକ ଅସୁବିଧା ଦେଇ ଗତି କରୁଥିବା ବେଳେ କେନ୍ଦ୍ର ସରକାର କୌଣସି ସକାରାତ୍ମକ ପଦକ୍ଷେପ ନେବା ଭଳି ଦିଶୁ ନାହିଁ। ଏହାର ଦୃଷ୍ଟାନ୍ତ ଗତ ସପ୍ତାହରେ ଦିଲ୍ଲୀଠାରେ ଦେଖିବାକୁ ମିଳିଥିଲା। ସରକାର ଖୁବ୍‌ ଜାକଜମକରେ ‘ରାଜପଥ’ର ନାମ ‘କର୍ତ୍ତବ୍ୟପଥ’ରେ ପରିଣତ କରି ବାହାବା ନେଇଛନ୍ତି। ନାମ ପରିବର୍ତ୍ତନ ବିଷୟରେ ସଫେଇ ଦିଆଯାଇ କୁହାଯାଇଛି ଯେ, ବ୍ରିଟିଶ ଅମଳର ଦାସତ୍ୱକୁ ବିଲୋପ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଇତିହାସ ଉପରେ ସାମାନ୍ୟ ଜ୍ଞାନ ଥିବା ବ୍ୟକ୍ତି ବୁଝିପାରିବେ ଯେ ବ୍ରିଟିଶ ଶାସକ ସେତେବେଳେ ନେଇଥିବା ଅନେକ ପଦକ୍ଷେପ ଭାରତକୁ ଉନ୍ନତି ପଥରେ ଆଗେଇ ନେଇଥିଲା। ରେଳପଥ, ଡାକ, ପୋଲିସ ଓ ପ୍ରଶାସନିକ ବ୍ୟବସ୍ଥା ଆଦି ଏହିଭଳି ଗୁଡ଼ାଏ କ୍ଷେତ୍ର ରହିଛି, ଯେଉଁଗୁଡ଼ିକୁ ଇଂଲିଶ ଶାସକ ପ୍ରଚଳନ କରିଥିଲେ। ଆଜିର ସ୍ଥିତିରେ କେନ୍ଦ୍ର ସରକାର ଏହି ବ୍ୟବସ୍ଥାକୁ ବଦଳାଇ ସେଗୁଡ଼ିକ ସ୍ଥାନରେ ନୂଆ ବ୍ୟବସ୍ଥା କରିବାକୁ ଚିହିଁବେ କି ବୋଲି ସାଧାରଣରେ ପ୍ରଶ୍ନ ହେବା ସ୍ବାଭାବିକ। ଅର୍ଥାତ୍‌ ଭାରତୀୟ ରେଳ, ଭାରତୀୟ ଡାକ ଏଗୁଡ଼ିକ ସବୁ ବ୍ରିଟିଶ ଯେହେତୁ ଆରମ୍ଭ କରିଥିଲେ ସେହେତୁ ବନ୍ଦ କରିଦିଆଯିବା ଉଚିତ। ନଚେତ୍‌ ସର୍ବନିମ୍ନରେ ପୋଷ୍ଟାଲ ଓ ରେଳ ଭଳି ବ୍ୟବସ୍ଥାର ନାମ ପରିବର୍ତ୍ତନ କରାଯାଉ ବୋଲି ଦାବି ହେବା ଦରକାର। ତାହା ନ ହେବା ପର୍ଯ୍ୟନ୍ତ ଭାରତୀୟମାନଙ୍କର କ୍ରିତଦାସ ମାନସିକତା ଆଜିର ସରକାରଙ୍କ ଯୁକ୍ତି ଅନୁଯାୟୀ ବଜାୟ ରହିବାର ସମ୍ଭାବନା ରହିଛି। କାରଣ ରାଜପଥ ଭଳି ଏଗୁଡ଼ିକ ମଧ୍ୟ ଦାସତ୍ୱର ପ୍ରତିନିଧିତ୍ୱ କରୁଛନ୍ତି। କୌଣସି ଶାସକ ଇତିହାସକୁ ବଦଳାଇ ନୂଆ ଇତିହାସ ଲେଖିଦେଇପାରନ୍ତି। ତାହା ତାଙ୍କ ହାତରେ ଅଛି। କିନ୍ତୁ ଯେଉଁ ମୂଳଦୁଆ ଉପରେ ଏକ ଜାତି ଦଣ୍ଡାୟମାନ, ତାହାର ଚେରକୁ ସମ୍ପୂର୍ଣ୍ଣ କାଟିଦେଲେ ପରବର୍ତ୍ତୀ ପିଢ଼ି କିଛି ସମୟ ପାଇଁ ବାଉଳା ହେବ; କିନ୍ତୁ ଯେମିତି ଔରଙ୍ଗଜେବ୍‌ଙ୍କୁ ଘୃଣା ଚକ୍ଷୁରେ ଦେଖାଯାଉଛି ସେହିଭଳି ଇତିହାସକୁ ବିକୃତ କରୁଥିବା ଶାସକଙ୍କୁ ଆଗାମୀ ପିଢ଼ି ସେହିପରି ଦେଖିବ। ଏ ବିଷୟକୁ ହେଜୁ ନ ଥିବା ନେତୃମଣ୍ଡଳୀଙ୍କ ବାସ୍ତବ ଲକ୍ଷ୍ୟ ଦେଶର ଉନ୍ନତି ଓ ଅସ୍ମିତାରେ ଥିବା ଭଳି ମନେ ହେଉନାହିଁ। କାରଣ ବିକାଶ କୌଣସି ନାମ ପରିବର୍ତ୍ତନରେ ଆସିପାରି ନ ଥାଏ। ନାମ ପରିବର୍ତ୍ତନକୁ ନେଇ ଶେକ୍ସପିୟରଙ୍କ ଦ୍ୱାରା କୁହାଯାଇଥିବା ଏକ ପ୍ରବାଦର ଓଡ଼ିଆରେ ମର୍ମାନୁବାଦ କଲେ କୁହାଯାଇପାରେ-‘ନାମରେ କ’ଣ ଅଛି? ଗୋଲାପକୁ ଯେଉଁ ନାମରେ ଉଚ୍ଚାରଣ କଲେ ମଧ୍ୟ ତାହାର ସୁଗନ୍ଧ ସେହି ଏକାଭଳି ରହିଥାଏ’। ତେଣୁ ଏକ କସ୍‌ମେଟିକ୍‌ ପରିବର୍ତ୍ତନ ଦ୍ୱାରା ଦେଶର ଲୋକଙ୍କ ସମସ୍ୟା ଦୂର ହୋଇପାରିବ ନାହିଁ। ଯେତେବେଳେ ଅସଂଖ୍ୟ ଲୋକ ଦାରିଦ୍ର୍ୟ ଓ ବେକାରି ସମସ୍ୟା ଦେଇ ଗତି କରୁଥିବେ, ସେତେବେଳେ ସେମାନଙ୍କ କାନରେ ସୁମଧୁର ଶୁଭୁଥିବା ଶବ୍ଦ ଉଚ୍ଚାରଣ କଲେ ସେମାନଙ୍କ ପେଟ ପୂରିବ ନାହିଁ। ଏଥିପାଇଁ ବାସ୍ତବବାଦୀ ନୀତି ଓ ତାହାର ଉଚିତ କାର୍ଯ୍ୟକାରିତାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri