ଟ୍ରମ୍ପ ପ୍ରଶାସନରେ ଅସମାନତା

ଗତବର୍ଷ ଜୁନ୍‌ରେ କେତେକ ଦେଶର ନାଗରିକଙ୍କ ଆମେରିକା ପ୍ରବେଶ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଟକଣା ଲଗାଇଥିଲେ। ପୁନର୍ବାର ଗତମାସରେ ସେ ଆଉ ୨୦ଟି ଦେଶର ନାଗରିକଙ୍କ ଆମେରିକା ପ୍ରବେଶକୁ ବନ୍ଦ କରିଥିଲେ । ତେବେ ଜାତୀୟ ଏବଂ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଥିବା ବିପଦ ଦୂର କରିବାପାଇଁ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଟ୍ରମ୍ପଙ୍କ କଟକଣାର ଶିକାର ହୋଇଥିବା ଦେଶଗୁଡ଼ିକର ତାଲିକାରୁ ସ୍ପଷ୍ଟ ଯେ, ତାଙ୍କ ପଦକ୍ଷେପ ହେଉଛି କେବଳ ଜାତୀୟ ରାଷ୍ଟ୍ରବାଦ ରାଜନୀତି, ଯାହାକୁ ଆତଙ୍କବାଦ ବିରୋଧୀ ପଦକ୍ଷେପ ଭାବେ ପ୍ରସ୍ତୁତ କରାଯାଇଛି। ୨୦୨୫ରେ ଆଙ୍ଗୋଲା, ଆଣ୍ଟିଗୁଆ ଓ ବାରବୁଡ଼ା, ଡୋମିନିକା, ହାଇତି, ଲାଓସ, ମାଲାଓ୍ବି, ସେନେଗାଲ, ସିରିଆ ଲିଓନ, ଟୋଙ୍ଗା, ଜାମ୍ବିଆ ଏବଂ ଜିମ୍ବାଓ୍ବେ ସମେତ ଅନେକ ଦେଶ ଉପରେ ଆମେରିକା ପ୍ରବେଶକୁ ନେଇ ଟ୍ରମ୍ପ କଟକଣା ଲଗାଇଥିଲେ। ଦେଖିବାକୁ ଗଲେ ବାସ୍ତବରେ ଏହି ଦେଶଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ସନ୍ତ୍ରାସବାଦରେ ଲିପ୍ତ ଥିବାର କୌଣସି ଇତିହାସ ନାହିଁ। କିନ୍ତୁ ଗତମାସରେ କଟକଣା ଘୋଷଣା କରାଯାଇଥିବା ୨୦ଟି ଦେଶ ମଧ୍ୟରୁ ୧୬ଟି ଦେଶ ଏବଂ ୨୦୨୫ରେ କଟକଣାର ଶିକାର ହୋଇଥିବା ୩୯ଟି ଦେଶ ମଧ୍ୟରୁ ୨୬ଟି ଦେଶ ହେଉଛନ୍ତି ଆଫ୍ରିକାର। ଟ୍ରମ୍ପଙ୍କ ବ୍ୟାପକ କାର୍ଯ୍ୟସୂଚୀରୁ ଜଣାପଡ଼ୁଛି ଯେ, ବର୍ଣ୍ଣ ବୈଷ୍ଣବ ଆମେରିକା ନୀତିକୁ ପ୍ରଭାବିତ କରୁଛି। ଏହା ହେଉଛି ୨୦୧୭ରେ ଟ୍ରମ୍ପଙ୍କ ପ୍ରଥମ ପ୍ରଶାସନରେ ଧର୍ମୀୟ ଭେଦଭାବ ଭଳି ଘଟଣା, ଯେଉଁଥିରେ ସେ ୭ଟି ମୁସଲମାନ ବହୁଳ ଦେଶର ନାଗରିକଙ୍କ ଆମେରିକା ପ୍ରବେଶ ତଥା ପୁନର୍ବାସ ଉପରେ କଟକଣା ଲଗାଇଥିଲେ।
ଆମେରିକାର ଅଧିକାରୀମାନେ କହନ୍ତି, ସେମାନଙ୍କ ନିଷ୍ପତ୍ତି ବା ଯୋଜନାରେ ସ୍କ୍ରିନିଂ, ଯାଞ୍ଚ ଓ ତଥ୍ୟ ଶେୟାରିଂରେ ଅଭାବ ପରିଲକ୍ଷିତ ହେଉଛି। ଏହାସହ କୌଣସି ଦେଶର ନାଗରିକ ଆଇନଗତ ଭାବେ ସାମୟିକ ଭିଜା ବଳରେ ଆମେରିକାକୁ ଆସି ଅନ୍ୟାୟ ଭାବେ ରହିଯାଉଛନ୍ତି । କିନ୍ତୁ ସାବଧାନ ପୂର୍ବକୁ ତ୍ରୁଟିଶନ୍ୟ ଭାବେ ଏହାକୁ ସମାଧାନ କରିବା ପରିବର୍ତ୍ତେ କେତେକ ଅଜବ ଯୁକ୍ତି ଉପସ୍ଥାପନ କରାଯାଉଛି। ଉଦାହରଣ ସ୍ବରୂପ, ଆମେରିକୀୟ ପ୍ରବାସନ ପରିଷଦ ଯୁକ୍ତି ଦର୍ଶାଉଛି, ଅଣ-ଅପ୍ରବାସୀ ଭିଜା (ଯେଉଁମାନେ ଅସ୍ଥାୟୀ ଭିଜାରେ ଆସି ତାହା ପୂରଣ ହେବା ପରେ ରହିଯାଆନ୍ତି) ପ୍ରତିଶତକୁ ଦର୍ଶାଇ ପ୍ରବାସନ ଭିଜା ଉପରେ ଟ୍ରମ୍ପ ପ୍ରଶାସନ ପ୍ରତିବନ୍ଧକ ଲଗାଇଛି। ତେବେ ଟ୍ରମ୍ପଙ୍କ ଟାରିଫ ଭଳି ଏହିସବୁ ମାନଦଣ୍ଡକୁ ବିଶେଷକରି ବାଛି ବାଛି କେତେକ ଦେଶ ଉପରେ ଲାଗୁ କରାଯାଇଛି। ଏହାସହ କେତେକ ଦେଶ ଯଥା ଇଜିପ୍ଟ ଓ କୁଏଟ୍‌ର ଲୋକେ ଅଧିକ ସଂଖ୍ୟାରେ ଭିଜା ଅବଧି ପୂରଣ ହେବା ପରେ ଆମେରିକାରେ ରହୁଥିଲେ ମଧ୍ୟ ସେମାନେ କୌଣସି କଟକଣାର ସମ୍ମୁଖୀନ ହେଉନାହାନ୍ତି। ଏପରି କି ଦୀର୍ଘ ସମୟ ଧରି ବିଶ୍ୱସ୍ତରରେ ଜିହାଦବାଦ ସହ ଜଡ଼ିତ ଥିବା ପାକିସ୍ତାନ ଓ କତାର ଭଳି ଦେଶକୁ କଟକଣାମୁକ୍ତ ରଖାଯାଇଛି। ଅନ୍ୟପକ୍ଷରେ ସାଉଦି ଆରବ ମଧ୍ୟ ଏଯାବତ୍‌ ଏହା ଟ୍ରମ୍ପଙ୍କ ଆକ୍ରୋଶର ଶିକାର ହୋଇନାହିଁ।
ଏଭଳି ସୁବିଧା ପାଉଥିବା ଦେଶଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ ବିପଜ୍ଜନକ। କିନ୍ତୁ ସେମାନେ ଆମେରିକା ପାଇଁ ଉପଯୋଗୀ ହୋଇଛନ୍ତି। ଇଜିପ୍ଟ ଓ ଇରାକ ଭଳି ଦେଶଗୁଡ଼ିକୁ ରଣନୀତିକ ଦୃଷ୍ଟିରୁ ଅପରିହାର୍ଯ୍ୟ ବୋଲି ବିଚାର କରାଯାଉଛି। ସାଉଦି ଆରବ କେବଳ ଆମେରିକାର ପ୍ରତିରକ୍ଷା ଅଂଶୀଦାର ନୁହେଁ, ବରଂ ଏହା କତାର ଭଳି ଆମେରିକାରେ ଏକ ପ୍ରମୁଖ ନିବେଶକ ହୋଇଛି ଏବଂ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ କୁଶନରଙ୍କ ଫାର୍ମରେ ନିବେଶ କରିଛି। ପାକିସ୍ତାନ ଓ୍ବାଲର୍‌ଡ ଲିବରିଟି ଫାଇନାନ୍ସିଆଲ ସହ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିଛି। ଏହା ହେଉଛି ଏକ କ୍ରିପ୍ଟୋକରେନ୍ସି କମ୍ପାନୀ, ଯେଉଁଥିରେ ଟ୍ରମ୍ପଙ୍କ ପରିବାରର ପ୍ରମୁଖ ଅଂଶଧନ ରହିଛି। ଟ୍ରମ୍ପ ପ୍ରଶାସନ ଅନେକ ଦେଶ ଉପରେ କଟକଣାକୁ କଠୋର କରିଥିବାବେଳେ ତୁର୍କମେନିସ୍ତାନ ଉପରେ ପୂର୍ବରୁ ଥିବା ଅଣ-ଅପ୍ରବାସୀ ଭିଜା କଟକଣା ଉଠାଇ ନେଇଥିଲା। ଏହା ସ୍ପଷ୍ଟ ଯେ, ଏହି ଦେଶ ଆମେରିକା ସହ ଶକ୍ତି ଓ ଗୁରୁତ୍ୱପୂର୍ଣ୍ଣ ଖଣିଜଦ୍ରବ୍ୟ ଉପରେ ସହଯୋଗ କରିବାକୁ ଏବଂ ଆମେରିକୀୟ କମ୍ପାନୀଗୁଡ଼ିକୁ ଅଧିକ ସୁଯୋଗ ଦେବାକୁ ରାଜି ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଏଥିରୁ ସ୍ପଷ୍ଟ ଶିକ୍ଷା ମିଳେ ଯେ, ଟ୍ରମ୍ପ ପ୍ରଶାସନର ଯେଉଁ ଦେଶଗୁଡ଼ିକ ସହିତ ଘନିଷ୍ଠତା ରହିଛି କିମ୍ବା ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ ଲାଭଜନକ ବ୍ୟବସାୟିକ ସମ୍ପର୍କ ଅଛି, ସେମାନଙ୍କୁ ଶୁଭ ଦୃଷ୍ଟିରେ ଦେଖାଯାଉଛି। ଆମେରିକାର ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟକ୍ତିଗତ ସ୍ବାର୍ଥ ମଧ୍ୟରେ କୌଣସି ସୀମା ନାହିଁ, ଯେଉଁଥିପାଇଁ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି।
ଆମେରିକାର ସୁରକ୍ଷା ପ୍ରତି ବିପଦର କୌଣସି ଇତିହାସ ନ ଥିବା ଦେଶ ବ୍ରୁକିନାଫାସୋର ଜଣେ ନାଗରିକଙ୍କୁ ଆମେରିକାରେ ପ୍ରବେଶ ପାଇଁ ବାରଣ କରାଯାଇଛି। କିନ୍ତୁ ଇସ୍‌ଲାମିକ ହିଂସା ଓ ଆମେରିକା ବିରୋଧୀ ଉଗ୍ରବାଦ ଆକ୍ରାନ୍ତ ଜଣେ ବାଂଲାଦେଶୀ ନାଗରିକ ପ୍ରତି ଏଭଳି କଟକଣା ନାହିଁ। ଏହି ପ୍ରକାର ଅସଙ୍ଗତି ବା ଅସମାନତା ଆମେରିକାର କୂଟନୀତି ଓ ଆତଙ୍କବାଦ ବିରୋଧୀ ପଦକ୍ଷେପର ଗୁରୁତ୍ୱକୁ ହ୍ରାସ କରୁଛି। ଯଦି ଟ୍ରମ୍ପ ପ୍ରକୃତରେ ଆମେରିକାକୁ ରକ୍ଷା କରିବାକୁ ଚାହଁୁଥିଲେ ସେ ଗୁରୁତ୍ୱପୂର୍ଣ୍ଣ ଗୋଇନ୍ଦା ଓ ସୁସଙ୍ଗତ ମାନଦଣ୍ଡ ବା ନିୟମକୁ ଆଧାର କରି ଏକ ରଣନୀତି ପ୍ରସ୍ତୁତ କରିପାରି ଥାଆନ୍ତେ। ଏହା ସହ ସେ ଆମେରିକାର ସହଯୋଗୀ ଓ ଶତ୍ରୁମାନଙ୍କୁ ସମାନ ଭାବେ ସାମ୍ନା କରିବା ପାଇଁ ତତ୍ପରତା ପ୍ରଦର୍ଶନ କରିଥାଆନ୍ତେ। ଦୁର୍ଭଗ୍ୟବଶତଃ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କିତ କଥା ପଛରେ ତାଙ୍କର ନିଜସ୍ବ ସ୍ବାର୍ଥ ନିହିତ ଥିବା ପ୍ରମାଣ କରିଛନ୍ତି। ତେବେ ଜାତୀୟ ସୁରକ୍ଷା କଥା କିଭଳି ଆକ୍ରମଣାତ୍ମକ କୂଟନୀତି ଓ ବ୍ୟକ୍ତିଗତ ଲାଭ ପାଇଁ ଉପଯୋଗ କରାଯାଇପାରେ ତାହାର ଏକ ଉଦାହରଣ ହେଉଛି ଏବକାର ଯାତ୍ରା ସମ୍ବନ୍ଧିତ କଟକଣା। ବାସ୍ତବରେ ‘ଆମେରିକା ପ୍ରଥମ’ ବିଚାରଧାରାରୁ ଏହା ସ୍ବାଭାବିକ ଭାବେ ସୃଷ୍ଟି ହୋଇଥିଲା। ସବୁବେଳେ ଏହି ଧାରଣାର ଉଦ୍ଦେଶ୍ୟ ଥିଲା ଅନ୍ତଃରାଷ୍ଟ୍ରୀୟ କାର୍ଯ୍ୟରେ ଏକ ନେଣଦେଣ ଦୃଷ୍ଟିକୋଣକୁ ଯୁକ୍ତିଯୁକ୍ତ ସାବ୍ୟସ୍ତ କରିବା। କିନ୍ତୁ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ ସମୟରେ ଏହା ନିରାଶବାଦର ଉଚ୍ଚସ୍ତରରେ ପହଞ୍ଚିଯାଇଛି। ଆମେରିକାର ସୁରକ୍ଷା ସ୍ଥିତି ଯାହା ବି ହେଉ, ଏବେ ଯେଉଁମାନେ ଟମ୍ପଙ୍କୁ ପର୍ଯ୍ୟାପ୍ତ ଲାଭ ଦେବାରେ ବିଫଳ ହେଉଛନ୍ତି ସେମାନେ ଦଣ୍ଡିତ ହେଉଛନ୍ତି ଏବଂ ଯେଉଁମାନେ ତାଙ୍କ ପାଇଁ ଉପକାରୀ ପ୍ର୍ରମାଣିତ ହେଉଛନ୍ତି ସେମାନେ ଦଣ୍ଡରୁ ମୁକ୍ତ ହେଉଛନ୍ତି।

ବ୍ରହ୍ମ ଚେଲାନି
ପ୍ରାଧ୍ୟାପକ, ଏମରିଟସ ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ୍‌,
ସେଣ୍ଟର୍‌ ଫର୍‌ ପଲିସି ରିସର୍ଚ୍ଚ (ନୂଆଦିଲ୍ଲୀ)


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଯିବା ସ୍ବପ୍ନ ହୋଇଯିବ ଚୁର୍‌ମାର୍‌! ଭାରତକୁ ଚେତାବନୀ ଦେଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧: ଭାରତରେ ଥିବା ଆମେରିକୀୟ ଦୂତାବାସ ଆମେରିକା ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କୁ ବଡ଼ ଚେତାବନୀ ଜାରି କରିଛି। ଏହି ଚେତାବନୀ ବିଶେଷ ଭାବରେ B1/B2...

ମାନପତ୍ର

ସୁନ୍ଦର ନଁାଟିଏ ମାନପତ୍ର। ପତ୍ର ବା ଲେଖାର ଉପଯୁକ୍ତ ମାନ ସମ୍ମାନ ଥାଏ ବୋଲି ତା’ ନଁା ମାନପତ୍ର। ତେଣୁ ମାନପତ୍ର ସବୁବେଳେ ମାନଯୁକ୍ତ ରହିବା...

ଗରିବ କଲ୍ୟାଣ ପାଇଁ ମୋଦୀଜୀଙ୍କ ଭିବି ଜି-ରାମ୍‌-ଜି

ନିକଟ ଅତୀତରେ ଆମ ସଂସଦରେ ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) ଭିବି ଜି-ରାମ୍‌-ଜି ଆଇନ ପାରିତ ହୋଇଛି। ଦେଶରେ ମୁଖ୍ୟ...

ସଡ଼କ ଯାତ୍ରା ଓ ମାନସିକ ବିକୃତି

ସଡ଼କ ଦୁର୍ଘଟଣା ଓ ସଡ଼କରେ ଯାତ୍ରା ନେଇ ଗାଡ଼ି ଚାଳକଙ୍କଠାରୁ ପଦଚାଳକଙ୍କ ପର୍ଯ୍ୟନ୍ତ ସଚେତନତାର ବାର୍ତ୍ତା ଦେବା ପାଇଁ ପ୍ରତିବର୍ଷ ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।...

ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ

ଆଜକୁ ୨୦୦୦ରୁ ଅଧିକ ବର୍ଷ ପୂର୍ୱେ ରାଜଦରବାରରେ ଅମଲାତନ୍ତ୍ର ଭାବେ କାର୍ଯ୍ୟ କରୁଥିବା ବ୍ରାହ୍ମଣଙ୍କ ବୃତ୍ତିକୁ ନିଶ୍ଚିତ କରାଯାଇଥିଲା। ରାଜାଙ୍କ ଢାଞ୍ଚା, ତାଙ୍କ ଶାସନ ଏବଂ...

ଆମେରିକାର ଭେନେଜୁଏଲା ଆକ୍ରମଣ

ଆମେରିକା ୩ ଜାନୁଆରୀ ୨୦୨୬ରେ ଭେନେଜୁଏଲା ଉପରେ ସଂଘଟିତ ଆକ୍ରମଣ କରିଛି। ସ୍ଥାନୀୟ ସମୟ ଅନୁସାରେ ମଧ୍ୟରାତ୍ରି ପ୍ରାୟ ୨ଘଟିକା ସମୟରେ ଭେନେଜୁଏଲାର ରାଜଧାନୀ କାରାକାସ୍‌...

ପ୍ରମୁଖ ଲେଖନୀରୁ ନାରୀସ୍ବର

ସାହିତ୍ୟ ଆକାଶର ପ୍ରାଜ୍ଞ, ବିଜ୍ଞ, ବିଶେଷଜ୍ଞଗଣ- ଉଇଲିଅମ ସେକ୍ସପିଆର, ଲିଓ ଟଲଷ୍ଟୟ, ଅରନେଷ୍ଟ ହେମିଙ୍ଗ୍‌ୱେ କିମ୍‌ୱା, ଭାରତୀୟ ଆଦର୍ଶ ଚେତନ ଭଗତ ପ୍ରମୁଖଙ୍କ ଲେଖାରେ ମହିଳା...

୧୦୫ ଘାଟ

ଭାରତରେ ଗତ କିଛି ବର୍ଷ ହେବ ସୃଷ୍ଟି କରାଯାଇଥିବା ସାମାଜିକ, ଅର୍ଥନୈତିକ, ଧାର୍ମିକ ଓ ରାଜନୈତିକ ବିଭାଜନ ବିଷୟରେ ୬ ଜାନୁଆରୀ ଏହି ସ୍ତମ୍ଭରେ ‘ଶିକ୍ଷିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri