ଭୋଟ୍‌ ପାଇଁ ଶିଳ୍ପ

ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ଭାରତର ଅର୍ଥନୈତିକ ରାଜଧାନୀ ଭାବେ ପରିଚିତ। କିନ୍ତୁ ଏବର ସ୍ଥିତି ଦେଖିଲେ ଶିଳ୍ପଗୁଡ଼ିକୁ ଯେଭଳି ଗୁଜରାଟମୁହାଁ କରାଇ ଦିଆଗଲାଣି ଆଗକୁ ମୁମ୍ବାଇର ଗୁରୁତ୍ୱ ହ୍ରାସ ପାଇବାର ଆଶଙ୍କା ଉପୁଜିଛି। ଏକନାଥ ଶିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପରେ ବେଦାନ୍ତ ଫକ୍ସକନ୍‌ ଚିପ୍‌ ପ୍ରକଳ୍ପ ମହାରାଷ୍ଟ୍ରରୁ ଗୁଜରାଟକୁ ଚାଲିଯାଇଥିଲା। ଏବେ ଟାଟା-ଏୟାରବସ୍‌ ସି-୨୯୫ ମାଲବାହୀ ଉଡ଼ାଜାହାଜ କାରଖାନା ଗୁଜରାଟର ଭଦୋଦରାଠାରେ ପ୍ରତିଷ୍ଠା ହେବା ନେଇ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି। ଏହା ମହାରାଷ୍ଟ୍ରର ନାଗପୁରଠାରେ ସ୍ଥାପନ ହେବାର ଥିଲା। ଅନୁରୂପ ଭାବେ ପ୍ରାରମ୍ଭିକ ଅବସ୍ଥାରେ ବୃହତ୍‌ ଡ୍ରଗ୍‌ ପାର୍କ ପ୍ରୋଜେକ୍ଟ ମହାରାଷ୍ଟ୍ରର ରାଇଗଡ ଜିଲାରେ ପ୍ରତିଷ୍ଠା ହେବା ନେଇ ପ୍ରସ୍ତାବ ରହିଥିବା ବେଳେ ତାହା ଗୁଜରାଟ, ହିମାଚଳ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ସ୍ଥାପନ କରାଯିବା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମହାରାଷ୍ଟ୍ର ଶିଳ୍ପମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି, ଏହି ଯେତେଗୁଡ଼ିଏ ପ୍ରକଳ୍ପ ଗୁଜରାଟ ସ୍ଥାନାନ୍ତର ହୋଇଛି, ସେସବୁ ଶିନ୍ଦେ ସରକାର କ୍ଷମତାକୁ ଆସିବା ପୂର୍ବରୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇସାରିଥିଲେ। ଅନ୍ୟପକ୍ଷରେ ଉଦୟଙ୍କ ଏଭଳି ମନ୍ତବ୍ୟକୁ ଶିବସେନା ନେତାମାନେ ସମାଲୋଚନା କରିଛନ୍ତି। ଶିନ୍ଦେଙ୍କ ଅପାରଗତାକୁ ଲୁଚାଇବାକୁ ଯାଇ ତାଙ୍କ ଶିଳ୍ପମନ୍ତ୍ରୀ ଏଭଳି କଥା କହୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ବିଗତ କିଛିବର୍ଷ ହେବ ଭାଜପା କେନ୍ଦ୍ରରେ ଶାସନ କରୁଥିବାରୁ ଦେଶର ଯେଉଁଠାରେ ବିଧାନସଭା ନିର୍ବାଚନ ହେଉଛି ସେଠାରେ ତା’ ସରକାର ଗଢ଼ିବାକୁ ବିକଳ ହେଉଛି। ‘ଡବଲ ଇଞ୍ଜିନ୍‌ ସରକାର’ ସ୍ଲୋଗାନ ଦିଆଯାଇ କୁହାଯାଉଛି ଯେ କେନ୍ଦ୍ର ଓ ରାଜ୍ୟରେ ଭାଜପା ଶାସନ କଲେ ତାହାର ସୁଫଳ ସମ୍ପୃକ୍ତ ରାଜ୍ୟବାସୀ ପାଇପାରିବେ। ମହାରାଷ୍ଟ୍ରରୁ ସ୍ଥାନାନ୍ତର ହେଉଥିବା ଶିଳ୍ପଗୁଡ଼ିକ ମଧ୍ୟ ରାଜନୈତିକ କାରଣରୁ ଗୁଜରାଟ ଯାଇଛନ୍ତି। ଅନ୍ୟପକ୍ଷରେ ଯେଉଁଠାରେ ଭୋଟରମାନେ ଭାଜପାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ସେହି ରାଜ୍ୟ ପ୍ରତି କେନ୍ଦ୍ର ଅସହଯୋଗ କରୁଥିବା ଦେଖାଯାଉଛି। ହେଲେ ମହାରାଷ୍ଟ୍ର କ୍ଷେତ୍ରରେ ଭିନ୍ନ ଚିତ୍ର ପରିଲକ୍ଷିତ ହେଉଥିବା ଏବେ ସ୍ପଷ୍ଟ ଜଣାପଡ଼ିଛି। ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଯେଉଁ ପ୍ରକଳ୍ପଗୁଡ଼ିକ ମହାରାଷ୍ଟ୍ରରେ ସ୍ଥାପନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା, ତାହା ଧୀରେ ଧୀରେ ଗୁଜରାଟକୁ ସ୍ଥାନାନ୍ତର ହେବାରେ ଲାଗିଛି। ଏହାର କାରଣ ମଧ୍ୟ ଭଲ ଭାବେ ବୁଝିହୋଇଯାଉଛି। ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସେଠାକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କେନ୍ଦ୍ରର ଭାଜପା ସରକାର ନୂଆ ଚାଲ୍‌ ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରରେ ଯେହେତୁ ଶିବସେନାରୁ ଭାଗ ହୋଇଥିବା ଅଂଶର ନେତା ଏକନାଥ ଶିନ୍ଦେଙ୍କ ସହ ଭାଜପା ମିଳିତ ସରକାର ଗଠନ କରିଛି ଓ ସେଠାରେ ନିର୍ବାଚନ ଡେରିରେ ଅଛି; ତାହାକୁ ଅନିଶା କରି କେନ୍ଦ୍ର ସରକାର ଏହି ବୃହତ୍‌ ଶିଳ୍ପକୁ ସେଠାରୁ ଉଠାଇ ନେବା ସମ୍ପର୍କରେ ଆଲୋଚନା ହେଉଛି। ସମସ୍ତେ ଜାଣନ୍ତି ମହାରାଷ୍ଟ୍ରରେ ବ୍ୟବସାୟ ଅନୁକୂଳ ପରିବେଶ ଥିବାରୁ ସେଠାରେ ଦେଶର ବୃହତ୍‌ ଶିଳ୍ପ ସଂସ୍ଥା ସେମାନଙ୍କ ୟୁନିଟ୍‌ ସ୍ଥାପନ କରିବାକୁ ଆଗଭର ହୋଇଥାଆନ୍ତି। ତେବେ ସେହି ସୁଯୋଗ ପାଇବାକୁ ହେଲେ କେନ୍ଦ୍ର ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏଥିରୁ ବୁଝିହେଉଛି ଯେ, କେନ୍ଦ୍ରରେ ଶାସନ କରୁଥିବା ଭାଜପା ଶିଳ୍ପ ସ୍ଥାପନରେ ହସ୍ତକ୍ଷେପ କରୁଛି। ହେଲେ ତାଙ୍କ ଦଳ ଭିତରେ ମଧ୍ୟ ଅସହମତି ଥିବା ବିଷୟ ପଦାକୁ ଆସୁଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ନିର୍ବାଚନମଣ୍ଡଳୀ ନାଗପୁରରେ ଟାଟା ପ୍ରୋଜେକ୍ଟ ହେବା ଲାଗି ବହୁତ କସରତ କରିଥିଲେ। ମାତ୍ର ତାହା ଗୁଜରାଟ ସ୍ଥାନାନ୍ତର ହୋଇଥିବାରୁ ସେ ଏଭଳି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିବା ଗଣମାଧ୍ୟମରେ ଆଲୋଚନା ହେଉଛି। ତେବେ ଶିବସେନା ନେତା ଆଦିତ୍ୟ ଠାକ୍‌ରେ କହିଛନ୍ତି, ଡବଲ ଇଞ୍ଜିନ୍‌ କଥା କହୁଥିବା ଭାଜପା ମହାରାଷ୍ଟ୍ର ପ୍ରତି ବେଇମାନ କାର୍ଯ୍ୟ କରି ଗୁଜରାଟକୁ ଅଗ୍ରପ୍ରାଧାନ୍ୟ ଦେଇଛିି। ସେହିପରି ଠାକ୍‌ରେ ପରିବାର ସହ ଘନିଷ୍ଠ ଥିବା ଜଣେ ବ୍ୟକ୍ତି କହିଛନ୍ତି, ଏ ଯେଉଁ ନିଷ୍ପତ୍ତି ନିଆଗଲା ବାଲାସାହେବ ଥିଲେ ସେ ରାସ୍ତାରେ ତାଙ୍କ ବଳ ଦେଖାଇଥାଆନ୍ତେ ଓ ଗୁଜରାଟ ପ୍ରୀତି ଦେଖାଉଥିବା ବ୍ୟକ୍ତିଙ୍କୁ ବମ୍ବେରେ ରହିବାକୁ ଦେଇ ନ ଥାଆନ୍ତେ।
ବାସ୍ତବରେ ସର୍ବଦା ପ୍ରଗତି କଥା କହୁଥିବା ଭାଜପା ତା’ର ସ୍ବାର୍ଥ ସାଧନ ଲାଗି ଜୋରଜବରଦସ୍ତ ନିଷ୍ପତ୍ତି ନେଇ ଆଞ୍ଚଳିକ ବିଭେଦ ସୃଷ୍ଟି କରିଦେଉଛି। ଏମିତି ଦେଖିଲେ ଭାଜପା ଧର୍ମ, ଅସହିଷ୍ଣୁତା ଭଳି ନକାରାତ୍ମକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ଅଭିଯୋଗ ହେଉଛି। ଏବେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିକାଶ କରିବା ଓ ଭୋଟ ହାତେଇବାକୁ ଯାଇ ଅନ୍ୟ ଇଲାକା କ୍ଷତି ସହୁଥିଲେ ମଧ୍ୟ ସେଥିପ୍ରତି ଭ୍ରୂକ୍ଷେପ କରୁନାହିଁ। ଦଳର ଚିନ୍ତାଧାରା କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ପ୍ରତିଫଳିତ ହେଲେ ତାହାର କୁପରିଣତି ଦେଶକୁ ଆହୁରି ବଡ଼ କ୍ଷତିରେ ପକାଇବା ଉପରଲିଖିତ ନିଷ୍ପତ୍ତିରୁ ସ୍ପଷ୍ଟ ବୁଝାପଡ଼ିଯାଉଛି।

ଭାଜପା ଏବେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିକାଶ କରିବା ଓ ଭୋଟ ହାତେଇବାକୁ ଯାଇ ଅନ୍ୟ ଇଲାକା କ୍ଷତି ସହୁଥିଲେ ମଧ୍ୟ ସେଥିପ୍ରତି ଭ୍ରୂକ୍ଷେପ କରୁନାହିଁ। ଦଳର ଚିନ୍ତାଧାରା କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ପ୍ରତିଫଳିତ ହେଲେ ତାହାର କୁପରିଣତି ଦେଶକୁ ଆହୁରି ବଡ଼ କ୍ଷତିରେ ପକାଇବା ଉପରଲିଖିତ ନିଷ୍ପତ୍ତିରୁ ସ୍ପଷ୍ଟ ବୁଝାପଡ଼ିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri