ନୂଆଦିଲ୍ଲୀ, ୨୪ା୧୦: ଭାରତୀୟ ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ ସାଉଦି ଆରବର ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ସେଠାକୁ ନିଜର ବିମାନ ଚଳାଚଳ ବାତିଲ ଅବଧିକୁ ବୃଦ୍ଧି କରିଥିବା ଶୁକ୍ରବାର ରିୟାଦସ୍ଥିତ ଭାରତୀୟ ଦୂତାବାସ କହିଛି। ରିୟାଦ୍କୁ ଯାତାୟାତ କରୁଥିବା ଇଣ୍ଡିଗୋ ବିମାନଗୁଡ଼ିକ ୩୧ ପର୍ଯ୍ୟନ୍ତ ବାତିଲ ରହିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସେହିପରି ଜେଦ୍ଦା, ଦମ୍ମାମ ଏବଂ ମଦିନାକୁ ଯାଉଥିବା ଓ ସେଠାରୁ ଆସୁଥିବା ବିମାନଗୁଡ଼ିକ ୨୭ ପର୍ଯ୍ୟନ୍ତ ବାତିଲ ରହିବ। ସାଉଦିି ବିମାନବନ୍ଦର, ଶକ୍ତି ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରି କ୍ରମାଗତ ଭାବେ ହେଉଥିବା ଡ୍ରୋନ ଏବଂ ମିଶାଇଲ ଆକ୍ରମଣ ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୟେମେନର ଇରାନ-ସମର୍ଥିତ ହାଉତି ବିଦ୍ରୋହୀମାନେ ସାଉଦି ଉପରେ ଦୀର୍ଘ ଦିନ ହେବ ଆକ୍ରମଣ ଜାରି ରଖିଛନ୍ତି। ବୁଧବାର ଦମ୍ମାମର କିଙ୍ଗ ଫହାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇଥିଲେ। ଏହାପରେ ବିମାନ ବାତିଲ ଅବଧିକୁ ବୃଦ୍ଧି କରାଯାଇଛି। ସେହି ଦିନ ସୌଦି ଆରାମକୋର ’ଶାୟବାହ’ ତୈଳକ୍ଷେତ୍ରରେ ହୋଇଥିବା ଅନ୍ୟ ଏକ ପୃଥକ ଆକ୍ରମଣରେ ଆଉ ଜଣେ ଭାରତୀୟ ନାଗରିକ ମଧ୍ୟ ଆହତ ହୋଇଥିଲେ।

