ଭାରତର ଜୋ ହିଲ୍‌ ଭଗବତୀଚରଣ

ଓଡ଼ିଶା କମ୍ୟୁନିଷ୍ଟ୍‌ ପାର୍ଟିର ଜନ୍ମଦାତା, ସର୍ବହରାର ଭରସା-ଥାଳ ଭଗବତୀଚରଣ ପାଣିଗ୍ରାହୀଙ୍କର ଆଜି ଶୁଭ ଜନ୍ମଦିନ। ପହିଲା ଫେବୃଆରୀ ୧୯୦୮ରେ ଅବିଭକ୍ତ ପୁରୀ ଜିଲାର ବିଶ୍ୱନାଥପୁର ଗଁାରେ ତାଙ୍କ ଜନ୍ମ ଓ ୨୩ ଅକ୍ଟୋବର ୧୯୪୩ରେ ପରଲୋକ। ସ୍ବଳ୍ପାୟୁ ଭଗବତୀଙ୍କ ସହ ତୁଳନୀୟ ହେଲା ଭଳି ଗଣନେତା ଓ ଗଣ-ଲେଖକ ଓଡ଼ିଶାରେ କ୍ୱଚିତ୍‌ ଥିବେ, ଯାହାଙ୍କ ଅକାଳ ବିୟୋଗରେ ସାରା ଓଡ଼ିଶା ଝରାଇଥିବ ଆଖିରୁ ଲୁହ। ପୁଞ୍ଜିବାଦୀ ଅର୍ଥନୀତି ପଢ଼ି ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ସତ, ହେଲେ ଏହି ଅର୍ଥନୀତି ତଳେ ଛପିଥିବା ଶୋଷଣର ସଇତାନୀ ରୂପକୁ ଚିହ୍ନିନେଇ ଅବିଳମ୍ବେ ସାମ୍ୟବାଦୀ ଆଦର୍ଶ ପାଖରେ ନିଜ ଜୀବନକୁ ସଅଁପି ଦେଇଥିଲେ। ସତ୍ୟଶୀଳତା ଓ ସଚ୍ଚୋଟତାର ସେ ଥିଲେ ମୂର୍ତ୍ତିମନ୍ତ ବିଗ୍ରହ। ତାଙ୍କ ବିୟୋଗରେ ଓଡ଼ିଶା ବିଧାନ ପରିଷଦର ସଭ୍ୟ ଲକ୍ଷ୍ମୀନାରାୟଣ ସାହୁ ଲେଖିଥିଲେ- ”ସେ ମୋର କନିଷ୍ଠ ଥିଲା, ମାତ୍ର ତ୍ୟାଗରେ, ଆଦର୍ଶରେ, କର୍ମପ୍ରାଣତାରେ ଥିଲା ମୋର ଗୁରୁ। ରିଲିଫ୍‌ କାମରେ ଭଲ୍ୟୁଣ୍ଟିୟର ବେଶୀ ପଇସା ଖର୍ଚ୍ଚ କରିବ ନାହିଁ, ଏଥିପାଇଁ ତା’ ଭାବନା।“ ସର୍ବସାଧାରଣଙ୍କ ଅର୍ଥର ପଇସାଟିଏ ବି ବଦଖର୍ଚ୍ଚ ନ ହେଉ, ଏହା ସେ ଚାହୁଁଥିଲେ। ଦେଶବାସୀଙ୍କୁ ତାଙ୍କ ଦେୟର ପାହିପାହି ହିସାବ ଦେବାର ମାନସିକତା ରଖୁଥିବା ଏପରି ନେତା କାହାନ୍ତି ଆଜି?
ପୃଥିବୀର କୋଣଅନୁକୋଣରେ ଯେଉଁଠି, ଯେଉଁସବୁ ମୁକ୍ତି ଆନ୍ଦୋଳନ ସଂଗଠିତ ହେଉଥିଲା, ତା’ ଉପରେ ଭଗବତୀ ବରାବର ଆଖି ରଖୁଥିଲେ। ସତେ ଯେମିତି ମାଟିରେ ପୋତା ତାଙ୍କ ଆଖି ଯୋଡ଼ାକ, ଆଉ ଆକାଶ ଆଡ଼େ ଡେରା କାନଯୋଡ଼ାକ। ସାମ୍ୟବାଦୀ ତତ୍ତ୍ୱ ଓ ତା’ର ପ୍ରୟୋଗ ସମ୍ପର୍କରେ ସେ ଓଡ଼ିଶାର ଯୁବପିଢ଼ିକୁ ତାଲିମ ଦେଉଥିଲେ ‘ନବଯୁଗ ମଣ୍ଡଳ’ ପାଠଚକ୍ର ଗଢ଼ି। ‘ଆଧୁନିକ’ର ଏକ ସଂଖ୍ୟାରେ ଫକୀରମୋହନଙ୍କ ସୁପୁତ୍ର ମୋହିନୀମୋହନ ସେନାପତି ବିବାହପ୍ରଥା ଉପରେ ଲେଖିବାକୁ ଯାଇ ମତ ଦେଇଥିଲେ ଯେ, ବିବାହ ଯୋଗୁ ନାରୀମାନେ ସେମାନଙ୍କ ସ୍ବାଧୀନତା ହରାଇ ବସୁଛନ୍ତି। ବିବାହପ୍ରଥାର ବିଲୋପ ହିଁ ପ୍ରଗତିଶୀଳତା। ପତ୍ରିକାର ସମ୍ପାଦକ ଭାବେ ଭଗବତୀ ଲେଖାଟିକୁ ଛାପିଥିଲେ। ଏଥିସହିତ ନିଜର ପ୍ରତିବାଦ ଜଣାଇ କହିଥିଲେ- ‘ବିବାହପ୍ରଥାର ଉଚ୍ଛେଦ ନୁହେଁ, ବରଂ ଆର୍ଥିକ ପରାଧୀନତା ହିଁ ନାରୀ ସ୍ବାଧୀନତାରେ ବାଧକ।’ ଆର୍ଥିକ ପରାଧୀନତାରୁ ନାରୀର ମୁକ୍ତି ହିଁ ତା’ର ସ୍ବାଧୀନତା। ଭଗବତୀଙ୍କର ସେଦିନର ଭାବନା ଆଜି କେବଳ ଓଡ଼ିଶା ବା ଭାରତ ନୁହେଁ, ସାରା ବିଶ୍ୱରେ କିପରି ସତ୍ୟ ସାବ୍ୟସ୍ତ, ତାହା ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିବିଧ ଆର୍ଥିକ ପ୍ରାବଧାନରୁ ସୁସ୍ପଷ୍ଟ।
ଦେଶୀୟ ଭୂମିରେ ଅନ୍ତର୍ଜାତୀୟ ଚେତନାର ଭଗୀରଥ ଥିଲେ ଭଗବତୀ। ଦେଶ ଭିତର ଓ ବାହାରର ବିଭିନ୍ନ ପତ୍ରପତ୍ରିକା ଓ ପୁସ୍ତକ ପାଠକରି ବିପ୍ଳବ-ସଂରଚନା ଓ ତା’ର ପରିଚାଳନାର ତରିକା ସମ୍ପର୍କରେ ସେ ଅବଗତ ଥିଲେ ଏବଂ ସ୍ବଗଠିତ ‘ନବଯୁଗ ମଣ୍ଡଳ’ ଆଲୋଚନାଚକ୍ରରେ ତା’ର ଉପଯୋଗ କରୁଥିଲେ। ଲିଓନ ଟ୍ରଟସ୍କିଙ୍କଠାରୁ ଆରମ୍ଭ କରି ମାଓ-ସେ-ତୁଙ୍ଗ୍‌ଙ୍କ ପର୍ଯ୍ୟନ୍ତ ସାମ୍ୟବାଦର ନାନା ତତ୍ତ୍ୱକୁ ସେ ଆପଣାର ବୁଦ୍ଧି ଦେଇ ପରଖୁଥିଲେ। ଟ୍ରଟସ୍କିଙ୍କ ‘ସ୍ଥାୟୀ କ୍ରାନ୍ତି’ (Permanent Revolution) ଓ ‘ବିଶ୍ୱବ୍ୟାପୀ ବିପ୍ଳବର ସଂରଚନା’ର ଅସାରତା ସେ ଅନୁଭବ କରିଥିଲେ। ଥିଲେ ଲେଲିନ୍‌ଙ୍କ ‘ଏକଦେଶୀୟ ସମାଜବାଦ’ (Socialism in one State)ର ସମର୍ଥକ।
ରୁଷ୍‌ ଭ୍ରମଣ କରି ରବୀନ୍ଦ୍ରନାଥ ବା ନେହେରୁ କ’ଣ ଲେଖିଥିଲେ ବା ନ ଲେଖିଥିଲେ ତାହାର ହିସାବ ସେ ରଖୁଥିଲେ। ଇଟାଲୀରେ ମୁସୋଲିନ୍‌ କର୍ତ୍ତୃକ ଫାସିବାଦର ଉନ୍ମେଷ, ଆୟର୍ଲାଣ୍ଡର ସିନ୍‌ଫିନ୍‌ ଆନ୍ଦୋଳନ (୧୯୧୬), ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ନେଭିଲ୍‌ ଚ୍ୟାମ୍ବରଲେନ୍‌ ଓ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଡ୍‌ଓ୍ବାର୍ଡ ଦାଲାଦିୟର ହିଟଲର୍‌ଙ୍କ ସହ ସମ୍ପାଦନ କରିଥିବା ‘ମ୍ୟୁନିକ୍‌ ପ୍ୟାକ୍ଟ’ (ଯାହାର ଶରବ୍ୟ ହୋଇ ସ୍ବାଧୀନତା ହରାଇଥିଲା ଚେକୋସ୍ଲୋଭାକିଆ), ଜର୍ମାନୀରେ ଅଷ୍ଟ୍ରିଆର ବାଧ୍ୟତାମୂଳକ ମିଶ୍ରଣ, ଚାଇନାରେ ଆସନ୍ନ କ୍ରାନ୍ତିର ସୂଚନା (ମାଓ-ସେ-ତୁଙ୍ଗ୍‌ଙ୍କ ଆବିର୍ଭାବରେ ଯାହା ସାକାର), ଏସିଆ- ଆଫ୍ରିକାର ମୁକ୍ତି ସଂଗ୍ରାମ- ସବୁର ଖବର ଭଗବତୀଙ୍କ ନଖାଗ୍ରରେ ଥିଲା। ‘ସିନ୍‌ଫିନ୍‌’ (ଆମେ ଆମ ପାଇଁ) ଆନ୍ଦୋଳନର ନେତା ଥିଲେ ଡି. ଭାଲରା ଓ ଏହାର ଲକ୍ଷ୍ୟ ଥିଲା ଆୟର୍ଲାଣ୍ଡର ସାଂସ୍କୃତିକ ପୁନରୁତ୍ଥାନ ଓ ସ୍ବାଧୀନତା ହାସଲ। କାର୍ଲ ମାର୍କ୍ସଙ୍କ ଦୃଷ୍ଟିରେ ଭାରତ ଓ ଆୟର୍ଲାଣ୍ଡର ସମସ୍ୟା ମଧ୍ୟରେ ଥିଲା ଅପୂର୍ବ ମେଳ। ମାର୍କ୍ସ ଥିଲେ ଇହୁଦୀ ଓ ବିଶ୍ୱର ବହୁ ଇହୁଦୀ ଥିଲେ କମ୍ୟୁନିଷ୍ଟ୍‌ ମତାବଲମ୍ବୀ। ଏହା ହିଁ ହିଟଲରଙ୍କ ଗାତ୍ରଦାହ ଓ ଇହୁଦୀ ବିଦ୍ୱେଷର ପ୍ରମୁଖ ହେତୁ ଥିଲା। ଭାରତର ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଦଳେ ଅକ୍ଷଶକ୍ତି ଓ ହିଟଲରଙ୍କ ବିଜୟ ଚାହୁଁଥିଲେ- ଏ ବିଡ଼ମ୍ବନାକୁ ଭଗବତୀ ବୁଝିଥିଲେ। ଚାଇନାରେ ଅଫିମର ଚୋରା ପ୍ରସାର ପାଇଁ ଆମେରିକାର ଷଡ଼ଯନ୍ତ୍ରଠାରୁ ଆରମ୍ଭ କରି ଜାପାନୀ ସୈନ୍ୟଙ୍କ ଦ୍ୱାରା ଚାଇନାର ନିରୀହା ଝିଅମାନଙ୍କର ଗଣିକାକରଣ ଓ ଯୌନଦାସୀରେ ରୂପାନ୍ତରଣ ପର୍ଯ୍ୟନ୍ତ ସବୁର ଟିକିନିଖି ଖବର ଭଗବତୀଙ୍କ ପାଖରେ ଥିଲା। ଭିଏଟ୍‌ନାମ, ଲାଓସ୍‌ ଓ କାମ୍ବୋଡ଼ିଆରେ ଉପନିବେଶବାଦୀ ଶାସନ ବିରୋଧରେ ଜାତୀୟ ସାମ୍ମୁଖ୍ୟମାନ ଗଠନ ହୋଇ ଚାଲିଥିବା ସଂଗ୍ରାମ ବିଷୟରେ ସେ ଅବଗତ ଥିଲେ। ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜ ଜାଭା, ସୁମାତ୍ରା, ବୋର୍ନିଓ ଓ ବାଲିରେ ଚାଲିଥିବା ଡଚ୍‌ ସାମ୍ରାଜ୍ୟବାଦର ଶୋଷଣ ଭଗବତୀଙ୍କୁ ବ୍ୟଥିତ କରିଥିଲା। ଡଚ୍‌ମାନେ ବାମପନ୍ଥୀ ଆଭିମୁଖ୍ୟ ରଖିଥିବା ନେତାମାନଙ୍କୁ ଆତତାୟୀଙ୍କ ଦ୍ୱାରା ଯେ ଗୋପନରେ ହତ୍ୟା କରୁଥିଲେ, ଏକଥା ଭଗବତୀଙ୍କୁ ଅଛପା ନ ଥିଲା। ସେ ଏହି ଗୁପ୍ତ ହତ୍ୟାକୁ ନିଜ ଟିପାଖାତାରେ ‘ମଣିଷ ଶିକାର’ର ଆଖ୍ୟା ଦେଇଥିଲେ। ଫ୍ରାନ୍ସର ଉପନିବେଶବାଦୀଏଁ ଖଣି ସମୃଦ୍ଧ ଓ ଅରଣ୍ୟ ସମ୍ପଦରେ ପୂର୍ଣ୍ଣ କଙ୍ଗୋସାଗରତୀରସ୍ଥ ଅଞ୍ଚଳକୁ କବଳିତ କରି ତା’ର ଅର୍ଥନୀତି ଓ ସମ୍ବଳକୁ ଲୁଟି ଚାଲିଥିଲେ। ଭଗବତୀ ଚାରି ଆଖିରେ ସମଗ୍ର ବିଶ୍ୱର ଯେତେ ପୀଡ଼ା ଓ ପ୍ରମାଦ, ତା’ର ନଜରଦାରି କରି ସର୍ବହରା ମଣିଷର ଆଶୁ ମୁକ୍ତି ପାଇଁ ଖସଡ଼ା ପ୍ରସ୍ତୁତ କରୁଥିଲେ।
ଭଗବତୀଙ୍କ ଅନ୍ତର୍ଜାତୀୟତା ସମ୍ପର୍କରେ କହି ବସିଲେ ପୋଥି ପୂରିଯିବ। ତେବେ ଏତକ କହିହେବ ଯେ ଭଗବତୀ ଥିଲେ କାୟମନୋବାକ୍ୟରେ ବିଶ୍ୱ ସର୍ବହରାଙ୍କ ମୁକ୍ତିକାଂକ୍ଷୀ। ବିଶ୍ୱର ସବୁ ଦେଶ ତାଙ୍କ ସ୍ବବାସ। ଭାରତର ସେ Joe Hill (ବିଶ୍ୱ-ଶ୍ରମିକଙ୍କ କାଳଜୟୀ ଗୀତିକାର)। ୧୯ ନଭେମ୍ବର ୧୯୧୫ରେ ଜୋ’ଙ୍କୁ ଗୁଳିବିଦ୍ଧ କରି ଫାଶୀ ଦିଆଯାଇଥିଲା। ଠିକ୍‌ ତା’ ପୂର୍ବରୁ ସେ ଆଇଡବ୍ଲ୍ୟୁଡବ୍ଲ୍ୟୁ ନେତା ବିଲ୍‌ ହେଉଡ୍‌ଙ୍କୁ ଏକ ଟେଲିଗ୍ରାମ୍‌ରେ ଲେଖିଥିଲେ- “Don’t waste any time in mourning- ORGANISE”। ଅର୍ଥାତ୍‌ ‘ଶୋକରେ ମୁହୂର୍ତ୍ତେ ସମୟ ନଷ୍ଟ କର ନାହିଁ- ସଂଗଠନ କର’। ଫାଶୀ ପୂର୍ବଦିନ ଅର୍ଥାତ୍‌ ୧୮ ନଭେମ୍ବର ରାତିରେ ଜୋ ଲେଖିଥିଲେ ତାଙ୍କ ଜୀବନର ଶେଷ କବିତା, ଯାହାର କିୟଦଂଶ ଥିଲା ଏହିପରି- ”ଏଇ ମୋର ଶେଷ ଇଚ୍ଛା/ଦେହକୁ କରିଦିଅନ୍ତି ମୁଠାଏ ପାଉଁଶ/ ଧୀର ସମୀରଣ ତା’କୁ ଉଡ଼ାଇ ନିଅନ୍ତା/ ସେଇ ମୁମୂର୍ଷୁ ଉପବନକୁ/ ଓ ଜୀବନ୍ତ ହେଇ ଉଠନ୍ତେ ସବୁ ଝାଉଁଳା ଫୁଲ।“ ୩୬ ବର୍ଷର ଜୀବନ ଜିଇଥିଲେ ଜୋ ହିଲ୍‌ (୧୮୭୯-୧୯୧୫), ଭଗବତୀ ୩୫ବର୍ଷ। ଦୁହେଁ ଲେଖିଥିଲେ ସର୍ବହରାଙ୍କ ଜୀବନଗୀତ- ହେଉ କବିତା, ହେଉ କଥା ମାଧ୍ୟମ ତା’ର। ଅବିସ୍ମରଣୀୟ ଭଗବତୀଙ୍କୁ ଏ ଜାତିର କୋଟି କୋଟି ପ୍ରଣାମ!
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri