ଆଦାନୀ ନୁହେଁ ଭାରତ

ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ଶକ୍ତିଶାଳୀ ଅଭିଯୋଗ ଆଣିବା ପରେ ଭାରତୀୟ ପୁଞ୍ଜିବଜାର ଦୋହଲିଯାଇଛି। ବିଶ୍ୱରେ ତୃତୀୟ ଧନୀ ବ୍ୟକ୍ତି ଭାବେ ପହଞ୍ଚତ୍ଥିବା ଆଦାନୀ ବହୁ ତଳକୁ ଖସିପଡ଼ିଛନ୍ତି। ସେ ଜାଣିଶୁଣି ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇ ଗତ କିଛି ବର୍ଷ ମଧ୍ୟରେ ଅପର୍ଯ୍ୟାପ୍ତ ଧନରାଶି ଠୁଳ କରିଥିଲେ। ହିଣ୍ଡେନ୍‌ବର୍ଗ ପକ୍ଷରୁ ପ୍ରକାଶିତ ଗୋଟିଏ ରିପୋର୍ଟ ତାଙ୍କ ଆର୍ଥିକ ପାହାଡ଼କୁ ଖଣ୍ଡ ଖଣ୍ଡ କରିଦେଇଛି। ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଉ ନ ଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହୁଛନ୍ତି, ଏହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିବ ନାହିଁ। ଭାରତ ଓ ଏହାର ବଜାର ଉତ୍ତମ ଭାବେ ନିୟନ୍ତ୍ରକଙ୍କ ଦ୍ୱାରା ପରିଚାଳିତ ହେଉଛି। ସୀତାରାମନଙ୍କ ବାଟବଣା ମନ୍ତବ୍ୟ ଏବେ ଭାରତର ଯେକୌଣସି ସ୍କୁଲର ପିଲା ମଧ୍ୟ ବୁଝିପାରିବେ। ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ଏବଂ ରାଜସ୍ବ ଗୋଇନ୍ଦା ମହାନିର୍ଦ୍ଦେଶାଳୟ(ଡିଆର୍‌ଆଇ) ଭଳି ସଂସ୍ଥା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ। ଏହି ସଂସ୍ଥାର କ୍ଷମତାକୁ ଦେଖିଲେ ବଜାର ଅର୍ଥନୀତିରେ ଘଟୁଥିବା କୌଣସି ଭୁଲ୍‌ କାର୍ଯ୍ୟକୁ ରୋକିବା ଅତ୍ୟନ୍ତ ସହଜ। କିନ୍ତୁ ମୋଦି ସରକାରଙ୍କ ନୀତି ଯୋଗୁ ଆଜି ଭାରତର ପ୍ରାୟ ସବୁ କେନ୍ଦ୍ରୀୟ ସଂସ୍ଥା ଏପରିକି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଭଳି ସମ୍ବିଧାନ ଦ୍ୱାରା ଗଠିତ ସଂସ୍ଥା ପଙ୍ଗୁ ହୋଇଯାଇଛନ୍ତି। ବିଶେଷକରି ବିମୁଦ୍ରୀକରଣ ପରେ ରିଜର୍ଭ ବ୍ୟାଙ୍କ ଯେଉଁଭଳି ହତାଶ ହୋଇଗଲା ତାହା ସମସ୍ତେ ଦେଖିଛନ୍ତି। ସେହି ସମୟର ଆର୍‌ବିଆଇ ଗଭର୍ନର ମୋଦିଙ୍କ ଦ୍ୱାରା ବଛା ହୋଇଥିଲେ ମଧ୍ୟ ଏତେବଡ଼ ନିଷ୍ପତ୍ତି ବିଷୟରେ କୌଣସି ସୁରାକ୍‌ ପାଇ ନ ଥିଲେ। ସମ୍ଭବତଃ ସେଥିପାଇଁ ବିମୁଦ୍ରୀକରଣ ପରେ ଉର୍ଜିତ୍‌ ପଟେଲ ନିଜ ପଦବୀରୁ ଇସ୍ତଫା ଦେଲେ ଏବଂ ତାଙ୍କ ଜାଗାରେ ଜଣେ ପୂର୍ବରୁ ସୁପରିଚିତ ବୋଲକରା ସ୍ଥାନ ପାଇଛନ୍ତି।
ସରକାର ଆଦାନୀ ଗ୍ରୁପ୍‌କୁ ଅନେକ ମାତ୍ରାରେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିବା ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି, ତାହାକୁ ଅର୍ଥମନ୍ତ୍ରୀ ଅସ୍ବୀକାର କରିଛନ୍ତି। ମନେହେଉଛି ଅର୍ଥମନ୍ତ୍ରୀ ଯେମିତି ସର୍ବଜ୍ଞାନୀ। ଏହା ଏକ ସିଦ୍ଧ କଥା ଯେ ଯେତେବେଳେ ଶାସକ ଦଳ ବିରୋଧରେ କିଛି ଅଭିଯୋଗ ଆସିଥାଏ, ତାହାକୁ ସରକାରୀ ଭାବେ ଖଣ୍ଡନ କରାଯାଏ। କିନ୍ତୁ ଭୁଲ୍‌ କାର୍ଯ୍ୟରେ ଭିତିରି ସମ୍ପର୍କ ଥିଲେ ସରକାର ଶଙ୍କାଗ୍ରସ୍ତ ହୁଅନ୍ତି। ବର୍ତ୍ତମାନର ସ୍ଥିତି ଦେଖିଲେ ମୋଦି ସରକାର ସେଭଳି ଏକ ବିପଦର ସମ୍ମୁଖୀନ ହୋଇଛନ୍ତି। କାରଣ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଅତି ସୂକ୍ଷ୍ମ ସ୍ତରରେ ତର୍ଜମା କରିବା ପରେ ଆଦାନୀ ଗ୍ରୁପ୍‌ରେ ଘଟିଥିବା ଅନିୟମିତତାକୁ ସମ୍ଭବତଃ ଚିହ୍ନଟ କରିଛି। ତାହା ନ ହୋଇ ଥିଲେ ସମ୍ପୃକ୍ତ ଗ୍ରୁପ୍‌ର ଶେୟାର ତାସଘର ଭଳି ଭୁଶୁଡ଼ି ନ ଥାଆନ୍ତା।
ନିରପେକ୍ଷ ଭାବେ ସ୍ଥିତିକୁ ଅନୁଧ୍ୟାନ କରୁଥିବା ବର୍ଗ ହୁଏତ କହିପାରନ୍ତି, ଆଦାନୀ ଗ୍ରୁପ୍‌ ଏକ ଘରୋଇ ସଂସ୍ଥା ଓ ତାହାର ପତନରେ ଦେଶ କାହିଁକି ଭୋଗିବ। ଏହାର ତତ୍‌କ୍ଷଣାତ୍‌ ଉତ୍ତର ହେଉଛି ଯେ, ସେହି ସଂସ୍ଥା ସହିତ ସରକାର ଓ ଅମଲାତାନ୍ତ୍ରିକ ସହଯୋଗ ଯୋଗୁ ତାହାର ଅଭିବୃଦ୍ଧି ଆଖିଦୃଶିଆ ହୋଇଛି। ଅବଶ୍ୟ ସେଥିପାଇଁ ଭାରତର କରଦାତା ଏବଂ ବୀମାକାରୀଙ୍କ ଅର୍ଥକୁ ହଡ଼ପ କରି ଆଦାନୀଙ୍କୁ ଧରେଇ ଦିଆଯାଇଛି। ଯଦି ଆଦାନୀଙ୍କ ଆଭ୍ୟନ୍ତରୀଣ ହିସାବ ଏବଂ ପରିଚାଳନା ବ୍ୟବସ୍ଥା ଦୃଢ଼ ଓ ସ୍ବଚ୍ଛ ହୋଇଥାଆନ୍ତା, ତେବେ ହିଣ୍ଡେନ୍‌ବର୍ଗ ତାଙ୍କ ସମ୍ପର୍କରେ କୌଣସି ରିପୋର୍ଟ ପ୍ରସ୍ତୁତ କରିପାରି ନ ଥାଆନ୍ତା। ଗୋଟେ ପଟେ କୁହାଯାଉଛି ଭାରତ ହେବ ବିଶ୍ୱଗୁରୁ ଏବଂ ତାହାର ଅର୍ଥନୀତି ଅନ୍ତର୍ଜାତୀୟ ବଜାରକୁ ପ୍ରଭାବିତ କରିବ। ଯେତେବେଳେ ଗୋଟେ ଦେଶ ବିଶ୍ୱ ବଜାର ପ୍ରତି ନଜର ପକାଇବ ସେତେବେଳେ ସେହି ଦେଶର ବ୍ୟବସାୟିକ ପଦ୍ଧତି ମଧ୍ୟ ବିଶ୍ୱ ସ୍ତରରେ ଯାଞ୍ଚ ଓ ଆଲୋଚିତ ହେବ। ଦୁଇ ହାତରେ ତାଳିବାଜେ। ଗୋଟେ ପଟେ କୁହାଯାଉଛି ଭାରତ ହେବ ସୁପରପାଓ୍ବାର ବା ସର୍ବଶକ୍ତି। ଅନ୍ୟପଟେ ଅବଶ୍ୟ ସାଧାରଣରେ ଉଲଗ୍ନ ହେଲା ବେଳେ କୁହାଯାଉଛି ଏହା ଏକ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର, ଯାହାର ଲକ୍ଷ୍ୟ ହେଉଛି ଭାରତ ବିରୋଧୀ। ସତେଯେମିତି ଆଦାନୀ ଉପରେ ଆକ୍ରମଣ ହେଲେ ଭାରତ ଉପରେ ହେଉଛି।
ଏବେ ଦେଶର ଅନେକ ଉଡ଼ାଜାହାଜ ଓ ବନ୍ଦରର ମାଲିକାନା ଆଦାନୀଙ୍କ ପାଖକୁ ଚାଲିଯିବା ସମ୍ଭବ ହୋଇ ନ ଥାଆନ୍ତା, ଯଦି ଆଶୀର୍ବାଦ ମୋଦିଙ୍କଠାରୁ ଆସି ନ ଥାଆନ୍ତା। ଭାରତରେ ଏଭଳି କୌଣସି ବୃହତ୍‌ ବ୍ୟବସାୟ ନାହିଁ, ଯିଏ ଦେଶର ପୁଞ୍ଜି ବା ପ୍ରାକୃତିକ ସମ୍ବଳ ବ୍ୟବହାର କରି ବଡ଼ ହୋଇ ନାହିଁ। ବିର୍ଲା, ଟାଟାଙ୍କଠାରୁ ଆରମ୍ଭ କରି ଆଦାନୀଙ୍କ ପର୍ଯ୍ୟନ୍ତ ସମସ୍ତେ ସରକାରଙ୍କ ନିକଟତର ହୋଇ କରଦାତାଙ୍କୁ ଓ ଦେଶକୁ ଲୁଟି ଆସୁଛନ୍ତିି। ସରକାର ହିସାବ କରି ଯେଉଁ ଘରୋଇ ସଂସ୍ଥାକୁ ଅଭୂତପୂର୍ବ ଅନୁଗ୍ରହ ପ୍ରଦର୍ଶନ କରିଥାଆନ୍ତି, ସେହି ସଂସ୍ଥା ଉପରୁ ଅଭୟବର ପାଉଥିବାରୁ ଯେଉଁଠି ପାରିଥାଏ ସେଠୁ ଫାଇଦା ଗୋଟାଇବାରେ ଲାଗିପଡ଼େ। ଆଦାନୀ ଗ୍ରୁପ୍‌ରେ ଜୀବନ ବୀମା ନିଗମ (ଏଲ୍‌ଆଇସି) ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ବିପୁଳ ଅର୍ଥ ଲାଗିଥିବା ଏବଂ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପରେ ଉଭୟ ସଂସ୍ଥା ଅନେକ ହଜାର କୋଟି ଟଙ୍କା କ୍ଷତି ସହିଥିବା ବିଷୟ କ୍ରମାଗତ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଯେହେତୁ ଉଭୟ ସଂସ୍ଥାରେ ସରକାରୀ ଭାଗୀଦାରି ରହିଛି, ସେହେତୁ ଜନସାଧାରଣଙ୍କ ଅର୍ଥ ବରବାଦ ହୋଇ ଚାଲିଛି। କେନ୍ଦ୍ର ସରକାର ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରୁ ନ ଥିବାରୁ କ୍ଷତି ବଢ଼ିଚାଲିଛି।

ଯେତେବେଳେ ଗୋଟେ ଦେଶ ବିଶ୍ୱ ବଜାର ପ୍ରତି ନଜର ପକାଇବ ସେତେବେଳେ ସେହି ଦେଶର ବ୍ୟବସାୟିକ ପଦ୍ଧତି ମଧ୍ୟ ବିଶ୍ୱ ସ୍ତରରେ ଯାଞ୍ଚ ଓ ଆଲୋଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri