ସ୍ୱାଧୀନ ପରିବର୍ତ୍ତନକାରୀ

ଅଷ୍ଟାଦଶ ଲୋକ ସଭାର ଶପଥ ଗ୍ରହଣ ସମାରୋହରେ ଯୋଗଦେବା ଲାଗି ଓଟପିଠିରେ ବସି ପାର୍ଲାମେଣ୍ଟ ଆସିଥିବା ରାଜସ୍ଥାନର ବନ୍‌ସଓ୍ବାରା ଏମ୍‌ପି ରାଜକୁମାର ରୋଆତ ଜାତୀୟ ସ୍ତରର ଦୃଷ୍ଟିଆକର୍ଷଣ କରିଛନ୍ତି। ଭାରତୀୟ ଆଦିବାସୀ ପାର୍ଟି (ବିଏପି)ର ଏକମାତ୍ର ଲୋକ ସଭା ସଦସ୍ୟ କଂଗ୍ରେସ ସମର୍ଥନରେ ଜିତିଥିଲେ ମଧ୍ୟ ‘ଇଣ୍ଡିଆ ମେଣ୍ଟ’ରେ ସାମିଲ ହେବାକୁ ମନା କରିଦେଇଛନ୍ତି। ତାଙ୍କ ମତରେ କଂଗ୍ରେସ ସହ ତାଙ୍କ ଦଳ ମିଶିଗଲେ ସେମାନଙ୍କ ଭବିଷ୍ୟତ ବିପଦରେ ପଡ଼ିଯିବ। ବିଏପି ଯେଉଁ ଲକ୍ଷ୍ୟ ନେଇ ତା’ର ଆନ୍ଦୋଳନ ଜାରି ରଖିଛି ତାହା ବାଧାପ୍ରାପ୍ତ ହେବ ଏବଂ ସେହି ପୁରୁଣା ଦୁଃଖ ଏହି ଅଞ୍ଚଳକୁ ଫେରିଆସିବ। ଅନ୍ୟତମ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି (ଭାଜପା) ଆଦିବାସୀ ସମ୍ପ୍ରଦାୟର ଆଶା ଆକାଂକ୍ଷା ପୂରଣ କରିପାରି ନ ଥିବାରୁ ବନ୍‌ସଓ୍ବାରାବାସୀ ତାହାକୁ ପ୍ରତ୍ୟାଖ୍ୟାନ କରିଥିବା ରାଜକୁମାର କହିଛନ୍ତି। ନିଜ ଦଳର ଆଦର୍ଶଗତ ପାର୍ଥକ୍ୟ ଯୋଗୁ ସେ ସ୍ବାଧୀନ ହୋଇ ରହିବାକୁ ଚାହାନ୍ତି ବୋଲି ଗଣମାଧ୍ୟମରେ କହିବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ରାଜକୁମାର ରାଜସ୍ଥାନର ଡୁଙ୍ଗରପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଭିଲ୍‌ ଆଦିବାସୀ ସମ୍ପ୍ରଦାୟର। ମୋହନଲାଲ ସୁଖଦିଆ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ କରିବା ପରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ବିଏଡ୍‌୍‌ ଡିଗ୍ରୀ ହାସଲ କରିଛନ୍ତି। ଚୌରାଶି ବିଧାନସଭା କ୍ଷେତ୍ରରୁ ଦୁଇଥର ବିଧାୟକ ହୋଇଥିବା ରାଜକୁମାର ୨୦୨୪ ଲୋକ ସଭା ନିର୍ବାଚନରେ ଜାତୀୟସ୍ତରୀୟ ରାଜନୈତିକ ଭାଗ୍ୟ ପରୀକ୍ଷା କରିବାକୁ ଯାଇ ସଫଳ ହୋଇଛନ୍ତି। ୩୧ ବର୍ଷୀୟ ଏହି ଏମ୍‌ପି ପ୍ରଥମେ ୨୦୧୮ ବିଧାନସଭା ନିର୍ବାଚନରେ ଭାରତୀୟ ଟ୍ରାଇବାଲ ପାର୍ଟି (ବିଟିପି)ରୁ ବିଜୟଲାଭ କରି ରାଜସ୍ଥାନର ସର୍ବକନିଷ୍ଠ ବିଧାୟକ ହୋଇଥିଲେ। ପୁନଶ୍ଚ ସେ ୨୦୨୩ ବିଧାନସଭା ନିର୍ବାଚନରେ ସେହି ଆସନରୁ ବିଏପି ଦଳରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ତେବେ ପ୍ରଥମ ଥର ବିଧାୟକ ଥିବା ବେଳେ ସେ ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍‌ଥାପନ କରି ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ୨୦୨୧ରୁ ୨୦୨୨ ଯାଏ ସ୍ବାୟତ୍ତଶାସନ ଓ ପଞ୍ଚାୟତିରାଜ ସଂସ୍ଥା ଲାଗି ଉଦ୍ଦିଷ୍ଟ କମିଟିର ସଦସ୍ୟ ହୋଇଥିଲେ। ସେହିପରି ୨୦୧୯ରୁ ୨୦୨୨ ଯାଏ ତଫସିଲଭୁକ୍ତ ଜନଜାତି ମଙ୍ଗଳ କମିଟିରେ ସ୍ଥାନ ପାଇଥିଲେ। ଦ୍ୱିତୀୟଥର ବିଧାୟକ ହେବା ପରେ ୨୦୨୪ରେ ତାଙ୍କୁ ଆଇନ ପ୍ରବର୍ତ୍ତନ ଓ ସାଧାରଣ ନିରାପତ୍ତା ସଂକ୍ରାନ୍ତରେ କାର୍ଯ୍ୟ କରୁଥିବା ଗୃହ କମିଟି ଏବଂ ବିଜନେସ୍‌ ଆଡ୍‌ଭାଇଜରି କମିଟି ଭଳି ଦୁଇଟି କମିଟିରେ ସଦସ୍ୟ କରାଯାଇଥିଲା। ସୌଭାଗ୍ୟକୁ ସେ ଏବେ ଲୋକ ସଭାର ସଦସ୍ୟ ହୋଇପାରିଥିବାରୁ ପାର୍ଲାମେଣ୍ଟରେ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଭାଜପାର ମହେନ୍ଦ୍ରଜିତ୍‌ ସିଂ ମାଲବ୍ୟଙ୍କୁ ସେ ୨ ଲକ୍ଷ ୪୭ହଜାର ୫୪ ଖଣ୍ଡ ଭୋଟରେ ହରାଇଛନ୍ତି। ଏମ୍‌ପି ଭାବେ ରାଜକୁମାରଙ୍କ ମନୋବଳ ଦୃଢ଼ ଥିବାରୁ ସେ ଜାତୀୟ ସ୍ତରରେ ନିଜ ଦଳର ଆଭିମୁଖ୍ୟ ପ୍ରଚାର ପ୍ରସାର କରିବାରେ ସଫଳ ହେବେ ବୋଲି କୁହାଯାଇଛି। ତାଙ୍କ ରାଜନୈତିକ କ୍ୟାରିୟର ଉନ୍ମେଷ କାଳକୁ ଦେଖିଲେ ସେ ପ୍ରଥମେ ଭିଲ୍‌ ପ୍ରଦେଶ ବିଦ୍ୟାର୍ଥୀ ମଞ୍ଚ ଗଠନ କରି ନିଜ ସମ୍ପ୍ରଦାୟ ଲୋକଙ୍କ ଅଧିକାର ପାଇଁ କାର୍ଯ୍ୟ କରିଥିଲେ। ପରେ ସେ ଭାରତୀୟ ଆଦିବାସୀ ପାର୍ଟି ଗଠନ କରି ପ୍ରତ୍ୟକ୍ଷ ରାଜନୀତିକୁ ଆସିଲେ। ତାଙ୍କ ରାଜନୈତିକ କାର୍ଯ୍ୟଶୈଳୀ ଅନ୍ୟ ରାଜନେତାଙ୍କଠାରୁ ଭିନ୍ନ। ଜାତୀୟ ରାଜନୈତିକ ଦଳଗୁଡ଼ିକ ଆଦିବାସୀଙ୍କ ଜୀବନଧାରାରେ କ୍ୱଚିତ ଉନ୍ନତି ଆଣିଛନ୍ତି ବୋଲି ରାଜକୁମାର କହିିଛନ୍ତି। ତାଙ୍କ ଭାଷାରେ ଭାଜପା କଥାରେ ଯିଏ ନ ଯାଇପାରିଲା ସେ ‘ମାଓବାଦୀ’ ଆଖ୍ୟା ପାଇଲା। ଏହିପରି ଭାବେ ଭାଜପା ଆଦିବାସୀ ଆନ୍ଦୋଳନକୁ ନିରୁତ୍ସାହିତ କରିଆସିଛି। ଆଦିବାସୀମାନେ ଯେଭଳି ସେମାନଙ୍କ ଅଧିକାର ବିଷୟରେ ସଚେତନ ହୋଇ ନ ପାରିବେ ସେଥିଲାଗି ସୂଚନା ଯୋଗାଣ ଶୈଳୀକୁ ଏହି ଜାତୀୟ ଦଳ ବନ୍ଦ କରିଦେଇ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ଅପବ୍ୟବହାର କରିଚାଲିଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସବୁଠାରୁ କୌତୂହଳର କଥା ହେଲା କଂଗ୍ରେସ ରାଜକୁମାରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ କରିଥିବା ପ୍ରୟାସ ବିଫଳ ହୋଇଛି। ଯେହେତୁ ଭାଜପା ତାଙ୍କ ବିପକ୍ଷରେ ପ୍ରାର୍ଥୀ ଦେଇଥିଲା, ସେ କଂଗ୍ରେସ ସମର୍ଥନ ପାଇବା ଲାଗି ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରିଥିଲେ। କଂଗ୍ରେସ ବିରୋଧରେ ବନ୍‌ସଓ୍ବାରାବାସୀଙ୍କ ବିରୋଧ ରହିଥିବାରୁ ଦଳ ଏହି ଆସନ ହରାଇବ ବୋଲି ରାଜକୁ୍‌ମାର ଉଲ୍ଲେଖ କରିଥିଲେ। କାରଣ ସେଠାରେ କଂଗ୍ରେସର ଅନେକ ବିଦ୍ରୋହୀ ଅଛନ୍ତି ଓ କେତେଜଣ ଭାଜପାକୁ ଚାଲିଯାଇଥିବା ସେ ଦର୍ଶାଇଥିଲେ। ତେଣୁ ସେ ନିଜେ ହିଁ ବିରୋଧୀଙ୍କୁ ପରାସ୍ତ କରିପାରିବେ ବୋଲି କହି କଂଗ୍ରେସର ସହାୟତା ମାଗିଥିଲେ। ଫଳରେ କଂଗ୍ରେସର ରାଜସ୍ଥାନ ଦାୟିତ୍ୱରେ ଥିବା ଏସ୍‌.ଏସ୍‌. ରାନ୍ଧଓ୍ବା ଏବଂ ପିସିସି ମୁଖ୍ୟ ଗୋବିନ୍ଦ ସିଂ ଦୋତ୍‌ସ୍ରା ତତ୍‌କ୍ଷଣାତ ରାଜକୁମାରଙ୍କୁ ସମର୍ଥନ କରିଥିଲେ। ଉଲ୍ଲେଖଯୋଗ୍ୟ, ଅଶୋକ ଗେହଲଟଙ୍କ ସରକାର ୨୦୨୩ରେ ଅସ୍ଥିରତା ଦେଇ ଗତି କରୁଥିବା ବେଳେ ରାଜକୁମାର କଂଗ୍ରେସକୁ ସାହାଯ୍ୟ କରିଥିଲେ। ସେହିପରି ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା ବେଳେ ବନ୍‌ସଓ୍ବାରା ବିଷୟରେ ତାଙ୍କଠାରୁ ମତ ନେଇଥିବାରୁ କଂଗ୍ରେସ ତାଙ୍କୁ ସମର୍ଥନ କରି ଋଣ ଶୁଝିପାରିଲା ବୋଲି ରାଜକୁମାର କହିଥାନ୍ତି। ଏଭଳି ସ୍ଥଳେ କଂଗ୍ରେସ ପାଇଁ ତାଙ୍କର ଦୁର୍ବଳତା ରହି ଆସିଥିଲେ ହେଁ ସେ ସ୍ବାଧୀନ ରହିବା ଦୃଢ଼ ସଂକଳ୍ପ ବୋଲି କହିଥାନ୍ତି।
ଅଷ୍ଟାଦଶ ଲୋକ ସଭାରେ ଭାଜପା କିମ୍ବା କଂଗ୍ରେସ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହାନ୍ତି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଏବଂ କଂଗ୍ରେସ ପରିଚାଳିତ ଇଣ୍ଡିଆ ମେଣ୍ଟର ସଂଖ୍ୟାବଳ ବଢ଼ାଇବା ପାଇଁ ଗୋଟିଏ ବି ଏମ୍‌ପି ସିଟ୍‌ ବହୁମୂଲ୍ୟ ରଖିଥାଏ। ନିଜ ସ୍ବାର୍ଥକୁ ଦେଖି ସରକାରରେ ଥିବା ଏନ୍‌ଡିଏକୁ ରାଜକୁମାର ସମର୍ଥନ କରିଥିଲେ ମନ୍ତ୍ରୀ ପଦ ହୁଏତ ପାଇପାରିଥାନ୍ତେ। ଅନ୍ୟପକ୍ଷରେ ବିରୋଧୀ ମେଣ୍ଟରେ ସାମିଲ ହୋଇଥିଲେ ସେଥିରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକରେ ତାଙ୍କ ପାଇଁ ଗୋଟେ ମଜଭୁତ ସିଟ୍‌ ପଡ଼ିଥାନ୍ତା। ହେଲେ କ୍ଷମତା ରାଜନୀତିଠାରୁ ଦୂରରେ ରହି ନିଜ ସମ୍ପ୍ରଦାୟ ଓ ଇଲାକା ପାଇଁ କିଛି କରିବା ଲକ୍ଷ୍ୟରେ ସେ ଏକମାତ୍ର ସ୍ବର ହୋଇ ସମସ୍ତଙ୍କ ମଧ୍ୟରେ ପ୍ରତିଧ୍ୱନିତ ହେବାକୁ ଚାହାନ୍ତି। ସେ କହନ୍ତି, ଆଦିବାସୀଙ୍କ ସମସ୍ତ ସମସ୍ୟାକୁ ସେ ସମାଧାନ କରିପାରିବେ ନାହିଁ। କିନ୍ତୁ ସେ ପୂର୍ଣ୍ଣବିଶ୍ୱାସୀ ଯେ ପୂର୍ବତନ ଏମ୍‌ପିଙ୍କଠାରୁ ନିଶ୍ଚୟ ଭଲ ପ୍ରଦର୍ଶନ କରିବେ।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri