ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ ପାଳିତ ହୋଇଯାଇଛି। ଥୁଆମୂଳ ରାମପୁର ଜେଏମ୍ଏଫ୍ସି କୋର୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କୋର୍ଟର ବିଚାରପତି ଡା. ତାରିଣୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।
ଏହି ଅବସରରେ କୋର୍ଟର କର୍ମଚାରୀ, ଓକିଲ ସଂଘର ସଦସ୍ୟ, ପୋଲିସ କର୍ମଚାରୀ, କର୍ତ୍ତବ୍ୟ ଅନୁଷ୍ଠାନର ସଦସ୍ୟ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ବିଚାରପତି ଡ. ସାହୁ ସ୍ବାଧୀନତା ସଂଗ୍ରାମର ମହାନ ଇତିହାସ ଉପରେ ଆଲୋକପାତ କରି କହିଥିଲେ। ସ୍ବାଧୀନତା କେବଳ ଆମର ଅଧିକାର ନୁହେଁ, ବରଂ ଦେଶ ପ୍ରତି ଆମର କର୍ତ୍ତବ୍ୟ ସମ୍ପାଦନ କରିବା ହିଁ ମହାପୁରୁଷଙ୍କ ବଳିଦାନ ପ୍ରତି ପ୍ରକୃତ ସମ୍ମାନ।
ସେହିପରି ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ଏବଂ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ମିଳିତ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର ବିକାଶ ଉପରେ ଗୁରୁତ୍ୱ ଦେବା ସହ ‘ସଭିଙ୍କ ସାଥିରେ ସଭିଙ୍କ ବିକାଶ’ ଏବଂ ‘ଯୁବ ଜାଗିଲେ ଦେଶ ଜାଗିବ’ ଆଭିମୁଖ୍ୟ ନେଇ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।
ବ୍ଲକସ୍ତରୀୟ ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ ଏବଂ ଭାଷଣ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଜମାଗୁଡ଼ା ଗ୍ରାମର ଅମପ୍ରିତ ନାଏକଙ୍କ ୩ ବର୍ଷର କୁନି ପୁଅ ଇଂରାଜୀରେ ସୁନ୍ଦର ଭାଷଣ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଅନ୍ୟପକ୍ଷେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଭାରପ୍ରାପ୍ତ ଅଧ୍ୟକ୍ଷ ବିଶ୍ୱନାଥ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ପତାକା ଉତ୍ତୋଳନ କରାଯିବା ସହ ଏନ୍ସିସି ଛାତ୍ରୀଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଏହା ବ୍ୟତୀତ ସ୍ଥାନୀୟ ଥାନା, ସ୍ବାସ୍ଥ୍ୟକେନ୍ଦ୍ର, ତହସିଲ କାର୍ଯ୍ୟାଳୟ, ବନ ବିଭାଗ, ଅଗ୍ନିଶମ କାର୍ଯ୍ୟାଳୟ, ରାଜନୈତିକ ଦଳର କାର୍ଯ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।

