ଅନ୍ଧବିଶ୍ୱାସ ଅନ୍ତରାଳେ

ରଶ୍ମି ରଞ୍ଜନ ରାଉତ

ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ମଣିଷର ମନ ଯେତେବେଳେ ଦୁର୍ବଳ ହୋଇଯାଏ ସେତେବେଳେ ସେ ତା’ର ଲକ୍ଷ୍ୟ ସାଧନ ପାଇଁ କାହାର ନା କାହାର ସାହାରା ନେଇଥାଏ। ପ୍ରତିକୂଳ ପରିସ୍ଥିତିରେ କୁଟା ଖଣ୍ଡକୁ ଆଶ୍ରା କଲାପରି ପରିଶେଷରେ ସେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୁଏ। ପ୍ରତିଦିନ ସରକାରୀ ଓ ବେସରକାରୀ ସ୍ତରରେ ନାନା ସଚେତନତା ତଥା ବିଜ୍ଞାନର ଦ୍ରୁତ ପ୍ରଗତି ସତ୍ତ୍ୱେ ବି ଅନ୍ଧବିଶ୍ୱାସରୁ ମୁକୁଳି ପାରିନୁ ଆମେ। ଆମ ସାମାଜିକ ଚଳଣି ସହିତ ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସ ଆମର ଦୈନନ୍ଦିନ ଜୀବନକୁ ବେଢ଼େଇ ରଖିଛି। ଦିନକୁ ଦିନ ଶିକ୍ଷା, ସଂସ୍କାର ଓ ବିଜ୍ଞାନର ବ୍ୟାପକତାରେ ଆମେ ଏଥିରୁ ମୁକୁଳିବାକୁ ଚେଷ୍ଟା କରୁଛୁ, ତଥାପି ବିଶ୍ୱାସରେ ବଞ୍ଚୁଥିବା ମଣିଷ ପ୍ରତିମୁହୂର୍ତ୍ତରେ କେଉଁଠି ନା କେଉଁଠି ଅନ୍ଧବିଶ୍ୱାସକୁ ହାବୁଡୁଛି। ଏହାର ଫଳସ୍ବରୂପ ଯେଉଁ ଅନର୍ଥଟି ଘଟୁଛି ତାହା ଅତ୍ୟନ୍ତ ଚିନ୍ତାଜନକ।
ଦୈନିକ ଆମ ସମାଜରେ ଅନ୍ଧବିଶ୍ୱାସଜନିତ ଅନେକ ଘଟଣା ଘଟୁଥିଲେ ହେଁ ଅଧିକାଂଶ ଘଟଣା ଗୋଷ୍ଠୀଗତ ଆଢୁଆଳର ବାହାରକୁ ଆସିପାରୁ ନ ଥିବା ସ୍ଥଳେ ସାମାନ୍ୟ କିଛି ଘଟଣା ଲୋକଲୋଚନକୁ ଆସୁଛି। ବଳିଠୁ ଆରମ୍ଭକରି ଡାହାଣୀ ସନ୍ଦେହ, ଗୁଣିଗାରେଡ଼ି, ଝଡ଼ାଫୁଙ୍କା, ଚେଙ୍କ, ଗୁଣିଆମାନଙ୍କ ଦ୍ୱାରା ଭୂତପ୍ରେତ ଛଡ଼େଇବା, ଖଟିଆ ବୁଲେଇବା ଇତ୍ୟାଦି ସାମାଜିକ ବ୍ୟାଧି ଭାବେ ଆମ ସମାଜରେ ମୁଣ୍ଡ ଟେକିଛି, ଯାହା ମଣିଷର ପ୍ରଭୂତ କ୍ଷତି ଘଟାଉଛି। ନିକଟରେ ରାଜ୍ୟରେ ଅନ୍ଧବିଶ୍ୱାସ ସମ୍ବନ୍ଧୀୟ ଦୁଇଟି ଘଟଣା ଏପରି ଥିଲା, ପ୍ରଥମଟି ଜଳେଶ୍ୱର ଅଞ୍ଚଳର ଜଣେ ମହିଳା ରାଇବଣିଆ ଥାନା ଅଞ୍ଚଳରେ ବିବାହ କରିଥିଲେ। ଦାମ୍ପତ୍ୟରେ କଳହ ଲାଗିରହିବାରୁ ଏଥିରେ ସୁଧାର ଆଣିବା ପାଇଁ ବୋହୂକୁ ଗୁଣିଆ ହାତରେ ଟେକିଦେଇଥିଲେ ଶାଶୁ। ଏହାର ସୁଯୋଗ ନେଇ ଶାଶୁଙ୍କ ସହମତିରେ ଗୁଣିଆ ଜଣକ ଉକ୍ତ ମହିଳାଙ୍କୁ ଦୀର୍ଘ ୮୦ ଦିନ ଧରି ବଳାତ୍କାର କରିବା ସହିତ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ ବୋହୂ। କୌଶଳକ୍ରମେ ମହିଳା ଜଣକ ସେଠାରୁ ଖସିଆସି ଜଳେଶ୍ୱର ଥାନାର ଦ୍ୱାରସ୍ଥ ହୋଇଥିଲେ। ସେହିପରି ଦ୍ୱିତୀୟ ଘଟଣାଟି ମଧ୍ୟ ବେଶ୍‌ ଚକିତକର। ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଜଳସୁଆଁ ଗାଁରେ ମୋବାଇଲ ଚୋରକୁ ଧରିବାକୁ ଗ୍ରାମରେ ବୁଲିଲା ବେଞ୍ଚ। ଗୁଣିଆ ଯୁଆଡ଼େ ଚାହିଁଲା ସିଆଡେ ଟାଣି ନେଲା ବେଞ୍ଚ। ଯାହା ଘର ପାରିଲେ ତାହା ଘରେ ପଶିଲେ। ନିରୀହ ଲୋକଙ୍କୁ ଚୋର ବୋଲି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରାଇଲା ବେଞ୍ଚ। ଏହା ବାଦ୍‌ ଗତବର୍ଷ ଏହିପରି ଅନ୍ଧବିଶ୍ୱାସର ଭୟଙ୍କର କୁପରିଣତି ଦେଖିବାକୁ ମିଳିଥିଲା ଗଞ୍ଜାମ ଚମାଖଣ୍ଡିରେ। ଗୁଣିଗାରେଡ଼ି ସନ୍ଦେହରେ ତିନି ତିନି ଜଣଙ୍କୁ ଗାଁ ଲୋକେ ସଂଘବଦ୍ଧ ଭାବେ ମାଡ଼ ମାରିବା ସହ ପ୍ଲାସ୍‌ରେ ଦାନ୍ତ ଓପାଡ଼ି ଦେବା ସହ ବିଷ୍ଠା ବି ଖୁଆଇଲେ। ଏଥିରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ଲୋକଙ୍କ ମୂର୍ଖାମି ହେଉ ବା ପାରମ୍ପରିକ ବିଶ୍ୱାସ, ଅନ୍ଧବିଶ୍ୱାସ ଅନ୍ଧଗଳିରୁ ମୁକୁଳିପାରିନି ମଣିଷ। ଏସବୁ ମାମଲାର ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡ ବିଧାନ ଲାଗି ୨୦୧୩ରେ ରାଜ୍ୟ ସରକାର କଡ଼ା ଆଇନ ମଧ୍ୟ ଆଣିଛନ୍ତି। ତେବେ ଏହାର କୌଣସି ଆଖିଦୃଶିଆ ସୁଫଳ ମିଳିଲାପରି ମନେହେଉନି।
ରାଜ୍ୟରେ ଊଣା ଅଧିକେ ସବୁ ଜିଲାରେ ଏହିପରି ଘଟଣା ଘଟୁଥିଲେ ହେଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ। ତେବେ ୨୦୧୭ରେ ଅନ୍ଧବିଶ୍ୱାସକୁ ପ୍ରତିହତ କରିବା ପାଇଁ କମ୍‌ପୋଜ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ଆକ୍ସନ ପ୍ଲାନ୍‌ ମୁତାବକ କାର୍ଯ୍ୟ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଏ ଦିଗରେ ବିଭାଗଗୁଡ଼ିକ କାର୍ଯ୍ୟ କରିବାର ନଜିର ନାହିଁ। ଅନ୍ୟପଟେ ଏନ୍‌ସିଆରବିର ଏକ ରିପୋର୍ଟରେ ଦର୍ଶାଯାଇଛି ଝାଡ଼ଖଣ୍ଡ ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ ଯେଉଁଠି ଡାହାଣୀ ସନ୍ଦେହରେ ସର୍ବାଧିକ ହତ୍ୟାକାଣ୍ଡ ଘଟେ। ଅନ୍ଧବିଶ୍ୱାସରେ ଜଣେ ବଶବର୍ତ୍ତୀ ହେଲେ ଖାଲି ଯେ ନିଜକୁ କୁପଥଗାମୀ କରାଏ ତାହା ନୁହଁ, ବରଂ ସମାଜର ବିକାଶର ଧାରାକୁ ମଧ୍ୟ ଅବରୁଦ୍ଧ କରିଥାଏ। ତେଣୁ ଅନ୍ଧବିଶ୍ୱାସ ପ୍ରବଣ ଅଞ୍ଚଳରେ ପୋଷ୍ଟର, ବ୍ୟାନର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶିକ୍ଷା ମାଧ୍ୟମରେ ଏ ଦିଗରେ ସଚେତନତାକୁ ବ୍ୟାପକ କରାଇବାକୁ ହେବ। ଆଇନ ଓ ପୀଡ଼ିତଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରାଯାଇ ପାରିଲେ ଏହି ସମସ୍ୟା ଅନେକାଂଶରେ ଦୂର ହୋଇପାରିବ, ଏହା ନିଃସନ୍ଦେହ।
ନାୟକାଣୀଡିହି, ଭଦ୍ରକ
ମୋ: ୭୮୦୯୦୩୭୬୦୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?