
ପ୍ଲାଷ୍ଟିକ ବର୍ଜ୍ୟ ପରିବେଶ ପ୍ରଦୂଷଣର ବଡ଼ କାରଣ ପାଲଟିଛି। ଏଣୁ ପ୍ଲାଷ୍ଟିକ ପ୍ରଦୂଷଣ ଦୂର କରିବା ଲାଗି ବିଭିନ୍ନ ବର୍ଜ୍ୟରୁ ଏହାର ବିକଳ୍ପ ସାମଗ୍ରୀ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ହାଇଦ୍ରାବାଦର ରେହା କୋଠାରି ଓ ରିଶିକା ରେଡ୍ଡୀ। ଏହି ଦୁଇ ମହିଳା କଫି, ଛତୁ, କଦଳୀ ଚୋପା, ଟମାଟୋ ବର୍ଜ୍ୟରୁ ପରିବେଶ ଉପଯୋଗୀ ପ୍ୟାକେଜିଂ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ରେହା ଓ ରିଶିକା ୨୦୨୦ରେ ‘ଦି ମେଣ୍ଡ୍ ପ୍ୟାକେଜିଂ’ କମ୍ପାନୀ ପ୍ରତିଷ୍ଠା କରି ଏଭଳି ସାମଗ୍ରୀ ତିଆରି କରୁଛନ୍ତି। ଏହିସବୁ ସାମଗ୍ରୀ ବିଘଟନ ପ୍ରକ୍ରିୟାରେ କମ୍ ସମୟରେ ମାଟିରେ ମିଶି ଯାଇପାରୁଛି। କମ୍ପାନୀ ଦ୍ୱାରା ୭୦ରୁ ଅଧିକ ପ୍ରକାର ଉତ୍ପାଦ ପ୍ରସ୍ତୁତ ହେଉଛି। କମ୍ପାନୀ ମୁମ୍ବାଇ, ଦିଲ୍ଲୀ ଓ ହାଇଦ୍ରାବାଦରେ ଏକ ମଜଭୁତ ଯୋଗାଣ ନେଟଓ୍ବର୍କ ପ୍ରତିଷ୍ଠା କରିପାରିଛି। କୋଭିଡ୍ ମହାମାରୀର ଲକ୍ଡାଉନ ସମୟରେ ପ୍ୟାକେଜିଂ ବର୍ଜ୍ୟକୁ ଲକ୍ଷ୍ୟ କରି ରେହା ଓ ରିଶିକା ଏହାର ସମାଧାନ ପାଇଁ ଉପାୟ ଖୋଜିବା ଲାଗି ଗବେଷଣା ଆରମ୍ଭ କରିଥିଲେ। ପରେ ସେମାନେ ଗବେଷଣାରେ ସଫଳ ହୋଇ ପ୍ଲାଷ୍ଟିକ୍ର ବିକଳ୍ପ ପ୍ୟାକେଜିଂ ସାମଗ୍ରୀ ତିଆରି କରିବାରେ ସଫଳ ହୋଇପାରିଛନ୍ତି।