୬୨ବର୍ଷରେ ୪୨ ବଙ୍ଗଭାଷୀ ରାଜସ୍ବ ଗାଁ

କେନ୍ଦ୍ରାପଡ଼ା ଅଫିସ,୧୭ା୬: ବାଂଲାଦେଶର ଠିକଣା ଅନୁଯାୟୀ ବଜରହାଟ ଜିଲା ଛତଲମାରି ଥାନା ଆରୁଲିଏ ଗାଁରେ ରୁହନ୍ତି ଆଶାଲତା ଓ ବିଧାନ ରାୟଙ୍କ ପୁଅ ଅମିତ ରାୟ(୨୯)। ଢାକାର ବାଂଲାଦେଶ ଟେକ୍ନିକାଲ ଏଜୁକେଶନ ବୋର୍ଡ ଅଧୀନରେ ୨୦୦୯ରେ ସେକେଣ୍ଡାରୀ ସ୍କୁଲ ପାସ୍‌ ସହ ବରିସାଲର ପିଙ୍କି କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରରୁ ୨୦୧୧ ମସିହାରେ ସାର୍ଟିଫିକେଟ ହାସଲ କରିଛନ୍ତି। ତେବେ ତାଙ୍କର ଅନ୍ୟତମ ଠିକଣା ହେଉଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକୋଳିଖଳା। ସ୍ଥାନୀୟ ଅଞ୍ଚଳରେ ଗତ ୩ ବର୍ଷ ଧରି ସୁଭଦ୍ରା ଓ ବିକାଶ ରାୟଙ୍କ ପୁଅ ଭାବେ ପରିଚିତ ହେଉଛନ୍ତି। ସ୍ଥାନୀୟ ରାମନଗରସ୍ଥ ସରସ୍ବତୀ ଶିଶୁ ମନ୍ଦିରରୁ ୨୦୦୨ରୁ ୨୦୧୦ ପର୍ଯ୍ୟନ୍ତ ପାଠ ପଢ଼ିଥିବା ସାର୍ଟିଫିକେଟ ପାଇଛନ୍ତି। ଏପରି କି ଏହି ସାର୍ଟିଫିକେଟ ବଳରେ ଭୋଟର ପରିଚୟ ପତ୍ରଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ପ୍ରମାଣପତ୍ର ତାଙ୍କ ନାମରେ ଅଛି। ଏ ନେଇ ବରକୋଳିଖଳା ଗାଁର ସୁଭଦ୍ରାଙ୍କ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ୨୦୧୮ରେ ତାଙ୍କର ସମସ୍ତ ପ୍ରମାଣପତ୍ର ରଦ୍ଦ କରାଯାଇଥିଲା। ତେବେ ଅମିତ ଏବେ ବାଂଲାଦେଶକୁ ଯିବା ପରିବର୍ତ୍ତେ କଲିକତା ଓ କେନ୍ଦ୍ରାପଡ଼ା ଜିଲାରେ ରହୁଛନ୍ତି। କେନ୍ଦ୍ରାପଡ଼ା ଜିଲାକୁ ବାଂଲାଦେଶୀ ଅନୁପ୍ରବେଶ କ୍ଷେତ୍ରରେ ଅମିତ ଏକ ଉଦାହରଣ। ଏହା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀଙ୍କ ଚିହ୍ନଟୀକରଣ ସହ ୨୦୦୫ରେ ଦେଶାନ୍ତର ପାଇଁ ନୋଟିସ ଦେଇଛନ୍ତି। ମାତ୍ର ଜଣେ ହେଲେ ଅନୁପ୍ରବେଶକାରୀଙ୍କୁ ସ୍ଥାନାନ୍ତର କରାଯାଇପାରିନାହିଁ। ସେହିପରି ୨୦୧୯ ମସିହାରେ ୧୩୭ଜଣଙ୍କୁ ଚିହ୍ନଟ କରାଯାଇ ଭୋଟର ଲିଷ୍ଟରୁ ନାମ ହଟାଇବାକୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ ହୋଇଛି। ଅପରପକ୍ଷରେ ଉପାନ୍ତ ଅଞ୍ଚଳରେ ମାତ୍ରାଧିକ ଅନୁପ୍ରବେଶକାରୀଙ୍କୁ ଦେଖିବାକୁ ମିଳୁଛି। ଜିଲାରେ ୧୯୬୦ମସିହାରୁ ୬୨ ବର୍ଷରେ ୪୨ଟି ବଙ୍ଗଭାଷୀ ଅଧ୍ୟୁଷିତ ରାଜସ୍ବ ଗ୍ରାମ ସୃଷ୍ଟି ହେଲାଣି। ଜଙ୍ଗଲ ଜମି ଜବରଦଖଲଠାରୁ ଆରମ୍ଭ କରି ନିଶା କାରବାରରେ ଏମାନଙ୍କ ହାତ ରହୁଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିବା ସହ ତୁରନ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଉ ବୋଲି ଦାବି କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ପ୍ରଭାତ ଦାସ, ଅଶେଷ ଖଟୁଆ, ଡ. ପି.ଏନ. ଗୌରାଙ୍ଗ ପ୍ରମୁଖ କହିଛନ୍ତି, ଜିଲା ତଥା ଦେଶ ପାଇଁ ଅନୁପ୍ରବେଶକାରୀମାନେ ବିପଦ ସାଜିଛନ୍ତି। ବଙ୍ଗ ଭଙ୍ଗ ସମୟରେ ଜିଲାରେ ମାତ୍ର ୧୨୩୭ ଜଣ ଶରଣାର୍ଥୀଙ୍କୁ ଥଇଥାନ କରାଯାଇଥିଲା। ମହାକାଳପଡ଼ା ବ୍ଲକ ରାମନଗରର ସୀମିତ ଅଞ୍ଚଳରେ ଏମାନେ ରହୁଥିଲେ। ସାମ୍ପ୍ରତିକ ସମୟରେ ବାଂଲାଦେଶୀମାନେ ସମୁଦ୍ର ତଥା ବିଭିନ୍ନ ସଡ଼କ ପଥ ଦେଇ କେନ୍ଦ୍ରାପଡ଼ା ଜିଲାରେ ପହଞ୍ଚୁଛନ୍ତି। ଗତ ୨୦୨୦ ମାର୍ଚ୍ଚରେ ୬ଜଣ ବଙ୍ଗଦେଶୀଙ୍କୁ ସ୍ଥାନୀୟ ଜମ୍ବୁ ପୋଲିସ ଧରିବା ପରେ ଛାଡି ଦେଇଛି। ଏମାନେ ପ୍ରଥମେ ଏଠାରେ ସ୍ଥାନୀୟ ଅଧିବାସୀଙ୍କ ଜରିଆରେ ନିଜର ପରିଚୟ ପତ୍ର ଯୋଗାଡ଼ କରିବା ପରେ ଜଙ୍ଗଲ ଜମିକୁ ମୁଖ୍ୟ ଟାର୍ଗେଟ୍‌ କରି ବସତି ସ୍ଥାପନ କରୁଛନ୍ତି। ଏହାର ପରିଣାମ ସ୍ବରୂପ ୧୯୬୦ରୁ ଅଦ୍ୟାବଧି ଜିଲାରେ ୪୨ଟି ବଙ୍ଗଭାଷୀ ଅଧ୍ୟୁଷିତ ରାଜସ୍ବ ଗ୍ରାମ ସୃଷ୍ଟି ହୋଇସାରିଲାଣି। ଏହାଦ୍ୱାରା ଜାତୀୟ ଉଦ୍ୟାନ ଭିତରକନିକା ବିପଦରେ ପଡିଛି। ଜାତୀୟ ଉଦ୍ୟାନ ସଂରକ୍ଷିତ ଅଞ୍ଚଳ ହୋଇଥିଲେ ମଧ୍ୟ କ୍ୱାକ୍‌ ହୋଇ ନକଲି ଔଷଧ ଦେବାରୁ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଜୀବଜନ୍ତୁ ଶିକାର, ଚିଙ୍ଗୁଡି ଘେରି ନିର୍ମାଣ, ଗଛ କାଟିବା ଆଦି କାର୍ଯ୍ୟ ସହ ଚୋରା ନିଶା କାରବାରରେ ଲିପ୍ତ ରହୁଛନ୍ତି। ଏ ନେଇ ବହୁ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଜିଲାର ୩ ସାମୁଦ୍ରିକ ଥାନାର ଭିତ୍ତିଭୂମି ସୁଦୃଢ଼ ସହ ଅନୁପ୍ରବେଶକାରୀଙ୍କ ଚିହ୍ନଟୀକରଣ ଏବେ ଜରୁରୀ ହୋଇଥିବା ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଅମିତଙ୍କର ସମସ୍ତ ଭାରତୀୟ ପ୍ରମାଣପତ୍ର ରଦ୍ଦ ହୋଇଛି। ତେବେ ଅମିତ ରହୁଥିବା ନେଇ ଅନୁସନ୍ଧାନ କରାଯିବ। ଅନୁପ୍ରବେଶକୁ ନେଇ କୌଣସି ଲିଖିତ ଅଭିଯୋଗ ପତ୍ର ନ ଥିବାରୁ ସାମୂହିକ ଭାବେ ଚିହ୍ନଟ କରିବା ଏବେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।