ସୁଧାର ଆବଶ୍ୟକ

ଇବ୍ରାର ଖାଁ

 

ସୁସ୍ଥ ନିରାମୟ ଜୀବନଯାପନ ପାଇଁ ସ୍ବଚ୍ଛ, ସମୃଦ୍ଧ ସମାଜର ଆବଶ୍ୟକତା ରହିଛି। ସମାଜରେ ନୀତି, ନୈତିକତାର ବିଘଟନ ଘଟିଲେ ସାମାଜିକ ଜୀବନ ବିଶୃଙ୍ଖଳିତ ହୋଇ ଯେଉଁ ଅସ୍ଥିରତା ସୃଷ୍ଟି ହୁଏ, ସେଥିରେ ମଣିଷ ପତନ ଆଡ଼କୁ ଟାଣି ହୋଇଯାଏ। ସ୍ବାର୍ଥକୈନ୍ଦ୍ରିକ ମାନସିକତାରେ ଆକ୍ରାନ୍ତ ମଣିଷ ହୀନମନ୍ୟତାର ଶିକାର ହୋଇ ସମସ୍ତ ମାନବୀୟ ଗୁଣକୁ ପରିହାର କରି ଯେଉଁ କାର୍ଯ୍ୟମାନ ସମ୍ପାଦନ କରେ, ତାହା ସମାଜର ସର୍ବାଙ୍ଗୀନ ବିକାଶରେ ବାଧକ ସାଜିଥାଏ। ଭୌତିକ ସୁଖ ପ୍ରତି ପ୍ରଲୁବ୍ଧ ମଣିଷ ଭୋଗ ବିଳାସକୁ ଜୀବନର ଉପଜୀବ୍ୟ ରୂପେ ଗ୍ରହଣ କରିନେଉଥିବାରୁ ପାପ ପୁଣ୍ୟର ବିଚାର ନ କରି ଯେପରି ଛଳନାମତ୍କ ଚରିତ୍ରର ଆବରଣ ତଳେ ରହି ସମାଜରେ ନିଜକୁ ଉପସ୍ଥାପିତ କରୁଛି, ତାହା ସବୁ ଅନର୍ଥର ମୂଳ କାରଣ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଦୃଷ୍ଟିରୁ ସାମାଜିକ ନ୍ୟାୟ ସାଙ୍ଗକୁ ଆଦର୍ଶ ମୂଲ୍ୟବୋଧ ପରାହତ ହୋଇ ସାମାଜିକ ଜୀବନରେ ଯେଉଁ ଘୃଣା, ଦ୍ୱେଷ, ସନ୍ଦେହ, ସଂଶୟ ଓ ଅବିଶ୍ୱାସର ବାତାବରଣ ସୃଷ୍ଟି ହେଉଛି; ସେଥିରେ ଶାନ୍ତି ସହାବସ୍ଥାନ ବ୍ୟାହତ ହେବା ସହ ପରସ୍ପର ପ୍ରତି ଥିବା ସ୍ନେହ, ଶ୍ରଦ୍ଧା, ସଦ୍ଭାବ, ବନ୍ଧୁତା ଆଉ ଭାଇଚାରା ଏବଂ ସମ୍ପର୍କର ନିବିଡ଼ତାରେ ସଙ୍କଟମୟ ସ୍ଥିତି ଉତ୍ପନ୍ନ ହେବାରେ ଲାଗିଛି।
ସମାଜର ଉନ୍ନତିରେ ଦେଶ ଓ ଜାତିର ବିକାଶ ସମ୍ଭବ ହୋଇଥାଏ। ସଂସ୍କୃତି ସମ୍ପନ୍ନ ସମାଜରେ ମହାନ୍‌ ପରମ୍ପରା ଏବଂ ଆଦର୍ଶ ମୂଲ୍ୟବୋଧର ଅପୂର୍ବ ସମନ୍ବୟ ସଂଘଟିତ ହୋଇ ଜନମାନସରେ ମାନବବୋଧର ଯେଉଁ ଉଦ୍‌ବେଳନ ସୃଷ୍ଟି ହୁଏ, ସେଥିରେ ଜନଗଣଙ୍କ ହୃଦୟରେ ସ୍ନେହ, ପ୍ରେମ, ଶ୍ରଦ୍ଧା, ସହନଶୀଳତା, ଶିଷ୍ଟାଚାର, ଶାଳୀନତା ସହ ଦୟା ଓ କରୁଣାଭାବ ଉଦ୍ରେକ ହୋଇ ବ୍ୟକ୍ତିକୈନ୍ଦ୍ରିକ ଜୀବନରେ ମାନବିକତାର ମହନୀୟତା ପରିସ୍ଫୁଟ ହୋଇଥାଏ। ଫଳରେ ସମାଜରେ ବିଭିନ୍ନ ଜାତି, ଧର୍ମ, ସମ୍ପ୍ରଦାୟ ଓ ବର୍ଗର ଲୋକମାନଙ୍କ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇ ଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠିତ ହୋଇଥାଏ। ଏହି କାରଣରୁ ପରିବାର ବ୍ୟତୀତ ପ୍ରତିବେଶୀ ଓ ପଡ଼ୋଶୀମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ଗଭୀର ଆସ୍ଥା ଆଉ ଅତୁଟ ବିଶ୍ୱାସ ସହ ଅନାବିଳ ଆକର୍ଷଣ ଦେଖିବାକୁ ମିଳିଥାଏ। କିନ୍ତୁ ଏହି କିଛି ଦଶନ୍ଧି ହେଲା ଘଟିଯାଉଥିବା ଘଟଣା ପ୍ରବାହକୁ ଅବଲୋକନ କଲେ ସମାଜର ଯେଉଁ ବୀଭତ୍ସ ଚିତ୍ର ସବୁ ପରିଦୃଷ୍ଟ ହୁଏ ତାହା ନିଶ୍ଚୟ ଉଦ୍‌ବେଗଜନକ। ଏହା ଯେକେହି ସ୍ବୀକାର କରିବେ। ମଣିଷପଣିଆକୁ ଭୁଲି ମଣିଷ ଯେତେସବୁ ଅପସଂସ୍କୃତିକୁ ଆପଣେଇ ଯେପରି ଅମାନବୀୟ କାର୍ଯ୍ୟମାନ ସମ୍ପାଦନ କରିଚାଲିଛି, ତାହା ସୁସ୍ଥ ସମାଜ ପାଇଁ ମୋଟେ ଶୁଭଙ୍କର ନୁହେଁ।
ଶିକ୍ଷାନୁଷ୍ଠାନମାନଙ୍କରେ ଗୁରୁ-ଛାତ୍ରୀଙ୍କ ସମ୍ପର୍କରେ ରହିଥିବା ପବିତ୍ରତା କ୍ରମେ ଅପସରି ଯାଉଥିବାରୁ କିଛି ଛାତ୍ରୀ ଆଉ ଶିକ୍ଷକଙ୍କ ମଧ୍ୟରେ ଗଢ଼ି ଉଠୁଥିବା ଅରୁଚିକର ପ୍ରେମ ବ୍ୟାପାରକୁ ନେଇ ଶୈକ୍ଷିକ ପରିବେଶ ଯେପରି କଳୁଷିତ ହେବାରେ ଲାଗିଛି ତାହା ନିଶ୍ଚୟ ନିନ୍ଦନୀୟ। ଆଉ କିଛି ଶିକ୍ଷକ କୋମଳମତି ଛାତ୍ରୀମାନଙ୍କୁ ଉତ୍ପୀଡ଼ନ ଦେଇ ଦଣ୍ଡିତ ହେବାର ବହୁ ଦୃଷ୍ଟାନ୍ତ ରହିଛି। ଗୁରୁ-ଛାତ୍ରଙ୍କ ମଧ୍ୟରେ ରହିଥିବା ସ୍ନେହ, ଶ୍ରଦ୍ଧା, ଭକ୍ତି, ଭୟ ଏବଂ ଆମତ୍ୀୟତା ଏବେ ଅବକ୍ଷୟମୁଖୀ ହୋଇ ପଡ଼ିଥିବାରୁ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ଛାତ୍ରଙ୍କୁ ପ୍ରତିରୋଧ କରିବାକୁ ଯାଇ ଅନେକ ଶିକ୍ଷକ ମରଣାନ୍ତକ ଆକ୍ରମଣର ଶିକାର ହେଉଥିବାର ଅନେକ ପ୍ରମାଣ ରହିଛି। ଏବେ ଚୋରା ମଦ ବ୍ୟବସାୟୀ ଏବଂ ବାଲି ଓ ଜମି ମାଫିଆମାନେ ପୋଲିସ କର୍ମଚାରୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ସଙ୍ଗବଦ୍ଧ ଆକ୍ରମଣ କରୁଛନ୍ତି। ମଦ ଆଉ ମାଦକ ଦ୍ରବ୍ୟର ପ୍ରାବଲ୍ୟ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଯୁବସମାଜକୁ ପଥଭ୍ରଷ୍ଟ କରିଦେଉଥିବାରୁ ସମାଜରେ ଅପରାଧ ପ୍ରବଣତା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ସମାଜରେ ନାରୀ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ନାରୀ ସୁରକ୍ଷାକୁ ନେଇ ପ୍ରଭୂତ ଆଇନଗତ ବ୍ୟବସ୍ଥା ଥିଲେ ମଧ୍ୟ ଅପରାଧୀମାନଙ୍କ ଉପରେ ତା’ର କୌଣସି ପ୍ରଭାବ ପଡ଼ୁ ନ ଥିବା ମନେହୁଏ। ଦୁର୍ନୀତିର ଚେର ସମାଜର ସବୁ ସ୍ତରକୁ ବ୍ୟାପିଯାଇଛି। ସମାଜର ଏଭଳି ଅବସ୍ଥା ଭିତରେ ରହି ଆମେ ଏକବିଂଶ ଶତାବ୍ଦୀରେ ସଫଳତା ଆଡ଼କୁ କେତେଦୂର ଅଗ୍ରସର ହୋଇପାରିବା ତାହାହିଁ ଆଜିର ପ୍ରଶ୍ନ। ତେଣୁ ଆମେ ସମସ୍ତେ ନିଜ ନିଜର ଆତ୍ମସମୀକ୍ଷା କରି ସମାଜରେ ସୁସ୍ଥ ପରିବେଶକୁ ଫେରାଇ ଆଣିବା ପାଇଁ ଉଦ୍ୟମ ନ କଲେ ମାନବ ଜମାଜ ତିଷ୍ଠି ରହିବା ଅସମ୍ଭବ ହୋଇପଡ଼ିବ।
-ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri