ସୁଧାର ଆବଶ୍ୟକ

ଇବ୍ରାର ଖାଁ

 

ସୁସ୍ଥ ନିରାମୟ ଜୀବନଯାପନ ପାଇଁ ସ୍ବଚ୍ଛ, ସମୃଦ୍ଧ ସମାଜର ଆବଶ୍ୟକତା ରହିଛି। ସମାଜରେ ନୀତି, ନୈତିକତାର ବିଘଟନ ଘଟିଲେ ସାମାଜିକ ଜୀବନ ବିଶୃଙ୍ଖଳିତ ହୋଇ ଯେଉଁ ଅସ୍ଥିରତା ସୃଷ୍ଟି ହୁଏ, ସେଥିରେ ମଣିଷ ପତନ ଆଡ଼କୁ ଟାଣି ହୋଇଯାଏ। ସ୍ବାର୍ଥକୈନ୍ଦ୍ରିକ ମାନସିକତାରେ ଆକ୍ରାନ୍ତ ମଣିଷ ହୀନମନ୍ୟତାର ଶିକାର ହୋଇ ସମସ୍ତ ମାନବୀୟ ଗୁଣକୁ ପରିହାର କରି ଯେଉଁ କାର୍ଯ୍ୟମାନ ସମ୍ପାଦନ କରେ, ତାହା ସମାଜର ସର୍ବାଙ୍ଗୀନ ବିକାଶରେ ବାଧକ ସାଜିଥାଏ। ଭୌତିକ ସୁଖ ପ୍ରତି ପ୍ରଲୁବ୍ଧ ମଣିଷ ଭୋଗ ବିଳାସକୁ ଜୀବନର ଉପଜୀବ୍ୟ ରୂପେ ଗ୍ରହଣ କରିନେଉଥିବାରୁ ପାପ ପୁଣ୍ୟର ବିଚାର ନ କରି ଯେପରି ଛଳନାମତ୍କ ଚରିତ୍ରର ଆବରଣ ତଳେ ରହି ସମାଜରେ ନିଜକୁ ଉପସ୍ଥାପିତ କରୁଛି, ତାହା ସବୁ ଅନର୍ଥର ମୂଳ କାରଣ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଦୃଷ୍ଟିରୁ ସାମାଜିକ ନ୍ୟାୟ ସାଙ୍ଗକୁ ଆଦର୍ଶ ମୂଲ୍ୟବୋଧ ପରାହତ ହୋଇ ସାମାଜିକ ଜୀବନରେ ଯେଉଁ ଘୃଣା, ଦ୍ୱେଷ, ସନ୍ଦେହ, ସଂଶୟ ଓ ଅବିଶ୍ୱାସର ବାତାବରଣ ସୃଷ୍ଟି ହେଉଛି; ସେଥିରେ ଶାନ୍ତି ସହାବସ୍ଥାନ ବ୍ୟାହତ ହେବା ସହ ପରସ୍ପର ପ୍ରତି ଥିବା ସ୍ନେହ, ଶ୍ରଦ୍ଧା, ସଦ୍ଭାବ, ବନ୍ଧୁତା ଆଉ ଭାଇଚାରା ଏବଂ ସମ୍ପର୍କର ନିବିଡ଼ତାରେ ସଙ୍କଟମୟ ସ୍ଥିତି ଉତ୍ପନ୍ନ ହେବାରେ ଲାଗିଛି।
ସମାଜର ଉନ୍ନତିରେ ଦେଶ ଓ ଜାତିର ବିକାଶ ସମ୍ଭବ ହୋଇଥାଏ। ସଂସ୍କୃତି ସମ୍ପନ୍ନ ସମାଜରେ ମହାନ୍‌ ପରମ୍ପରା ଏବଂ ଆଦର୍ଶ ମୂଲ୍ୟବୋଧର ଅପୂର୍ବ ସମନ୍ବୟ ସଂଘଟିତ ହୋଇ ଜନମାନସରେ ମାନବବୋଧର ଯେଉଁ ଉଦ୍‌ବେଳନ ସୃଷ୍ଟି ହୁଏ, ସେଥିରେ ଜନଗଣଙ୍କ ହୃଦୟରେ ସ୍ନେହ, ପ୍ରେମ, ଶ୍ରଦ୍ଧା, ସହନଶୀଳତା, ଶିଷ୍ଟାଚାର, ଶାଳୀନତା ସହ ଦୟା ଓ କରୁଣାଭାବ ଉଦ୍ରେକ ହୋଇ ବ୍ୟକ୍ତିକୈନ୍ଦ୍ରିକ ଜୀବନରେ ମାନବିକତାର ମହନୀୟତା ପରିସ୍ଫୁଟ ହୋଇଥାଏ। ଫଳରେ ସମାଜରେ ବିଭିନ୍ନ ଜାତି, ଧର୍ମ, ସମ୍ପ୍ରଦାୟ ଓ ବର୍ଗର ଲୋକମାନଙ୍କ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇ ଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠିତ ହୋଇଥାଏ। ଏହି କାରଣରୁ ପରିବାର ବ୍ୟତୀତ ପ୍ରତିବେଶୀ ଓ ପଡ଼ୋଶୀମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ଗଭୀର ଆସ୍ଥା ଆଉ ଅତୁଟ ବିଶ୍ୱାସ ସହ ଅନାବିଳ ଆକର୍ଷଣ ଦେଖିବାକୁ ମିଳିଥାଏ। କିନ୍ତୁ ଏହି କିଛି ଦଶନ୍ଧି ହେଲା ଘଟିଯାଉଥିବା ଘଟଣା ପ୍ରବାହକୁ ଅବଲୋକନ କଲେ ସମାଜର ଯେଉଁ ବୀଭତ୍ସ ଚିତ୍ର ସବୁ ପରିଦୃଷ୍ଟ ହୁଏ ତାହା ନିଶ୍ଚୟ ଉଦ୍‌ବେଗଜନକ। ଏହା ଯେକେହି ସ୍ବୀକାର କରିବେ। ମଣିଷପଣିଆକୁ ଭୁଲି ମଣିଷ ଯେତେସବୁ ଅପସଂସ୍କୃତିକୁ ଆପଣେଇ ଯେପରି ଅମାନବୀୟ କାର୍ଯ୍ୟମାନ ସମ୍ପାଦନ କରିଚାଲିଛି, ତାହା ସୁସ୍ଥ ସମାଜ ପାଇଁ ମୋଟେ ଶୁଭଙ୍କର ନୁହେଁ।
ଶିକ୍ଷାନୁଷ୍ଠାନମାନଙ୍କରେ ଗୁରୁ-ଛାତ୍ରୀଙ୍କ ସମ୍ପର୍କରେ ରହିଥିବା ପବିତ୍ରତା କ୍ରମେ ଅପସରି ଯାଉଥିବାରୁ କିଛି ଛାତ୍ରୀ ଆଉ ଶିକ୍ଷକଙ୍କ ମଧ୍ୟରେ ଗଢ଼ି ଉଠୁଥିବା ଅରୁଚିକର ପ୍ରେମ ବ୍ୟାପାରକୁ ନେଇ ଶୈକ୍ଷିକ ପରିବେଶ ଯେପରି କଳୁଷିତ ହେବାରେ ଲାଗିଛି ତାହା ନିଶ୍ଚୟ ନିନ୍ଦନୀୟ। ଆଉ କିଛି ଶିକ୍ଷକ କୋମଳମତି ଛାତ୍ରୀମାନଙ୍କୁ ଉତ୍ପୀଡ଼ନ ଦେଇ ଦଣ୍ଡିତ ହେବାର ବହୁ ଦୃଷ୍ଟାନ୍ତ ରହିଛି। ଗୁରୁ-ଛାତ୍ରଙ୍କ ମଧ୍ୟରେ ରହିଥିବା ସ୍ନେହ, ଶ୍ରଦ୍ଧା, ଭକ୍ତି, ଭୟ ଏବଂ ଆମତ୍ୀୟତା ଏବେ ଅବକ୍ଷୟମୁଖୀ ହୋଇ ପଡ଼ିଥିବାରୁ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ଛାତ୍ରଙ୍କୁ ପ୍ରତିରୋଧ କରିବାକୁ ଯାଇ ଅନେକ ଶିକ୍ଷକ ମରଣାନ୍ତକ ଆକ୍ରମଣର ଶିକାର ହେଉଥିବାର ଅନେକ ପ୍ରମାଣ ରହିଛି। ଏବେ ଚୋରା ମଦ ବ୍ୟବସାୟୀ ଏବଂ ବାଲି ଓ ଜମି ମାଫିଆମାନେ ପୋଲିସ କର୍ମଚାରୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ସଙ୍ଗବଦ୍ଧ ଆକ୍ରମଣ କରୁଛନ୍ତି। ମଦ ଆଉ ମାଦକ ଦ୍ରବ୍ୟର ପ୍ରାବଲ୍ୟ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଯୁବସମାଜକୁ ପଥଭ୍ରଷ୍ଟ କରିଦେଉଥିବାରୁ ସମାଜରେ ଅପରାଧ ପ୍ରବଣତା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ସମାଜରେ ନାରୀ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ନାରୀ ସୁରକ୍ଷାକୁ ନେଇ ପ୍ରଭୂତ ଆଇନଗତ ବ୍ୟବସ୍ଥା ଥିଲେ ମଧ୍ୟ ଅପରାଧୀମାନଙ୍କ ଉପରେ ତା’ର କୌଣସି ପ୍ରଭାବ ପଡ଼ୁ ନ ଥିବା ମନେହୁଏ। ଦୁର୍ନୀତିର ଚେର ସମାଜର ସବୁ ସ୍ତରକୁ ବ୍ୟାପିଯାଇଛି। ସମାଜର ଏଭଳି ଅବସ୍ଥା ଭିତରେ ରହି ଆମେ ଏକବିଂଶ ଶତାବ୍ଦୀରେ ସଫଳତା ଆଡ଼କୁ କେତେଦୂର ଅଗ୍ରସର ହୋଇପାରିବା ତାହାହିଁ ଆଜିର ପ୍ରଶ୍ନ। ତେଣୁ ଆମେ ସମସ୍ତେ ନିଜ ନିଜର ଆତ୍ମସମୀକ୍ଷା କରି ସମାଜରେ ସୁସ୍ଥ ପରିବେଶକୁ ଫେରାଇ ଆଣିବା ପାଇଁ ଉଦ୍ୟମ ନ କଲେ ମାନବ ଜମାଜ ତିଷ୍ଠି ରହିବା ଅସମ୍ଭବ ହୋଇପଡ଼ିବ।
-ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?