ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ ଦଳ ପକ୍ଷରୁ ଜିଲାର ଜୁନାଗଡ଼, ଭବାନୀପାଟଣା, କେସିଙ୍ଗା, ଧର୍ମଗଡ଼ ଆଦି ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ(ଏନଏଚ୍)୨୬କୁ ମଧ୍ୟ ବନ୍ଦ କରିଛନ୍ତି ଆନ୍ଦୋଳନ କାରୀ। ଯଦ୍ଦ୍ବାରା ଯାତାୟାତ କରି ନ ପାରି ଶତାଧିକ ଯାନବାହନ ଅଟକି ରହିଛି। ଏହି ବନ୍ଦ ଯୋଗୁ ସହରର ବିଭିନ୍ନ ଦୋକାନବଜାର ମଧ୍ୟ ବନ୍ଦ ରହିଥିଲା
ବିକ୍ଷୋଭକାରୀମାନେ ‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ସ୍ଲୋଗାନ ଦେଇଥିଲେ। ଏଥିସହ ଏମ୍ଏମ୍ଡିଆର୍ ସଂଶୋଧିତ ଅଧିନିୟମ ବନ୍ଦ କରିବା, ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ଏସଆଇଆର୍ ପ୍ରତ୍ୟାହାର ଭଳି ବିଭିନ୍ନ ଦାବି ଉଠାଯାଇଥିଲା।
ଏହାସହ ଜିଲାର ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଚାଷୀ ଓ ସାଧାରଣ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି।
କ୍ଷତିଗ୍ରସ୍ତ ଚାଷୀ ଓ ବନ୍ୟା ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାନଗଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବରିଷ୍ଠ ସିପିଆଇ ନେତା ଦାମୋଦର ବେହେରା ଗଣମାଧ୍ୟମକୁ କହିଛନ୍ତି।

