କାହାପାଇଁ ଅମୃତ ବେଳା

ଡ. ସନ୍ତୋଷ କୁମାର ମହାପାତ୍ର

ଗତ ଅଗଷ୍ଟ ୧୫ରେ ୭୬ତମ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଅମୃତବେଳା କଥା କହିଛନ୍ତି। ଗତବର୍ଷ ମଧ୍ୟ ସ୍ବାଧୀନତା ଦିବସରେ କହିଥିଲେ। ଚଳିତ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଧ୍ୟ ଏହି କଥା ଦୋହରାଇ ଥିଲେ। ଅମୃତବେଳା କହିଲେ ଶୁଭ ମୁହୂର୍ତ୍ତ। କିନ୍ତୁ ବର୍ତ୍ତମାନ କି ପ୍ରକାର ଶୁଭ ମୁହୂର୍ତ୍ତ ଓ କାହାପାଇଁ ଆସିଛି? ଆମ ମନରେ ସ୍ବତଃ ପ୍ରଶ୍ନ ଉଠେ କୋଟି କୋଟି ଗରିବ, ବାସହୀନ, କ୍ଷୁଧିତ, ଭିକାରି, ବେକାରି, ଅର୍ଥାଭାବରୁ ଶିକ୍ଷା, ସ୍ବାସ୍ଥ୍ୟ ତଥା ମୌଳିକ ସେବାରୁ ବଞ୍ଚତ୍ତ ଲୋକମାନେ; ଦୁରାରୋଗ୍ୟ ବ୍ୟାଧିରେ ଛଟପଟ ହୋଇ ମୃତ୍ୟୁକୁ ଅପେକ୍ଷା କରିରହିଥିବା ରୋଗୀମାନେ; ବାର୍ଦ୍ଧକ୍ୟ ଅବସ୍ଥାରେ ପିଲାଙ୍କ ଦ୍ୱାରା ଉପେକ୍ଷିତ ହୋଇ ଗଭୀର ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିବା ବୃଦ୍ଧା, ବୃଦ୍ଧମାନେ; ବଳାତ୍କାରର ଶିକାର ହୋଇଥିବା ବା ଯୌତୁକ ନିର୍ଯାତନାରେ ଝଟପଟ ହେଉଥିବା ମହିଳାମାନେ, ମହାମାରୀରେ ଅନେକ କିଛି ହରାଇଥିବା ପରିବାର ଓ ସର୍ବଦା ଅସୁରକ୍ଷିତ ମଣୁଥିବା ଲୋକମାନଙ୍କ ପାଇଁ କି ପ୍ରକାର ଅମୃତ ବେଳା ଆସିଛି। ଏକଥା ସରକାର କ’ଣ କେବେ ଚିନ୍ତା କରିଛନ୍ତି? ପେଟ ପୋଡ଼ିଗଲେ ସବୁ ଅନ୍ଧାର। ମଣିଷ ଖୁସିରେ ରହିଲେ ସିନା ମହୋତ୍ସବ ପାଳନ କରେ କିନ୍ତୁ ଦୁଃଖରେ ରହିଲେ କ’ଣ ପାଳନ କରିପାରିବ?
ଦୁଃଖର ବିଷୟ ହେଉଛି ସରକାର ସ୍ବାଧୀନତା ଦିବସ ପାଳନର ମୌଳିକ ଲକ୍ଷ୍ୟରୁ ଦୂରେଇ ଯାଉଛନ୍ତି। କେବଳ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି ବରଂ ସ୍ବାଧୀନତା ସହିତ ଲୋକଙ୍କର ଯେଉଁ ଭାବାବେଗ ଜଡିତ ରହିଛି ସେଥିରୁ ରାଜନୈତିକ ଫାଇଦା ନେବାପାଇଁ ଏହିପରି ମନଭୁଲାଣିଆ କଥା କହୁଛନ୍ତି। ପ୍ରଚାର ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରି ନିଜ ବିଫଳତା ଲୁଚାଇବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ସର୍ବାଧିକ ଭୋକିଲା, ଗରିବ, ବାସହୀନ ଓ ଆଧୁନିକ କ୍ରୀତଦାସ ଭାରତରେ ଅଛନ୍ତି । ବିଶ୍ବରେ ପ୍ରାୟ ୧୩୦ କୋଟି ଜନତା ବହୁମୁଖୀ ଦାରିଦ୍ର୍ୟ ଦ୍ୱାରା କବଳିତ ହୋଇଥିଲାବେଳେ, ଭାରତରେ ସେମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୭.୯ ପ୍ରତିଶତ। ନୀତିଆୟୋଗ ଅନୁସାରେ ଏହା ୨୫.୧ପ୍ରତିଶତ।
ବିଶ୍ୱର କ୍ଷୁଧା ସୂଚକାଙ୍କରେ ୧୧୬ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୦୧, ଅର୍ଥାତ୍‌ ୧୦୦ଟି ଦେଶ ପଛରେ। କ୍ଷୁଧା ସ୍ତର ସାଙ୍ଘାତିକ। ପୁନଶ୍ଚ ସୁଷମ ଖାଦ୍ୟ ପାଇବାକୁ ଅସମର୍ଥ ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୦୧୯ରେ ୬୯.୪ପ୍ରତିଶତ ବା ୯୪.୮୬ କୋଟି ଭାରତୀୟ ସୁଷମ ଖାଦ୍ୟ ପାଇବାକୁ ଅସମର୍ଥ ଥିଲାବେଳେ ସେମାନଙ୍କ ସଂଖ୍ୟା ୨୦୨୦ରେ ୭୦.୫ପ୍ରତିଶତ ବା ୯୭.୩୩ କୋଟିକୁ ବୃଦ୍ଧି ପାଇଛି। ଭୋକିଲା ଲୋକଙ୍କ ସଂଖ୍ୟା ୨୦୧୯-୨୦ରେ ୨୨.୪ କୋଟିରେ ପହଞ୍ଚତ୍ଛି। ୨୦୧୧ଜନଗଣନା ଅନୁଯାୟୀ ଭାରତରେ ପ୍ରାୟ ୧.୭୭ ନିୟୁତ ବାସହୀନ ଅଛନ୍ତି, ସେଥିମଧ୍ୟରୁ ପ୍ରାୟ ୫୨ପ୍ରତିଶତ ଦେଶର ସହରାଞ୍ଚଳରେ ବାସ କରନ୍ତି। ଭାରତରେ ବିଶ୍ୱରେ ସର୍ବାଧିକ ଆଧୁନିକ କ୍ରୀତଦାସ ଅଛନ୍ତି, ଯାହାର ସଂଖ୍ୟା ୧.୪ କୋଟିରୁ ୧.୮ କୋଟି ହେବ। ନେଦରଲାଣ୍ଡର ଜନସଂଖ୍ୟା ଅପେକ୍ଷା ଭାରତରେ ଆଧୁନିକ କ୍ରୀତଦାସ ଅଧିକ।
ବାସ୍ତବରେ ଧନୀ, କର୍ପୋରେଟ ଓ କ୍ଷମତାଶାଳୀଙ୍କ ପାଇଁ ଅମୃତ ବେଳା ଆସିଛି ଏବଂ ଦେଶ ସ୍ବାଧୀନତାର ମୁଖ୍ୟ ଲକ୍ଷ୍ୟଠାରୁ ଦେଶ ଦୂରେଇ ଯାଉଛି । କୌଣସି ରାଷ୍ଟ୍ର ବା ଦେଶ କେବଳ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର କଥା ଚିନ୍ତା କରେନା ବରଂ ସବୁ ଶ୍ରେଣୀର ଜନତାଙ୍କ ହିତ ଚିନ୍ତାକରିବା ଉଚିତ। ଜାତିର ଜନକ ମହାତ୍ମା ଗାନ୍ଧୀ ଥରେ କହିଥିଲେ, ଜଣେ କୌଣସି ସିଦ୍ଧାନ୍ତ ବା ପଦକ୍ଷେପ ନେବା ପୂର୍ବରୁ ତାହାଦ୍ୱାରା ସମାଜର ସବୁଠାରୁ ଦୁର୍ବଳ ଶ୍ରେଣୀର ଲୋକଙ୍କର କେତେ ଉପକାର ହେବ ତାହା ଭାବିବା ଉଚିତ । କିନ୍ତୁ ସରକାର ମୁହଁରେ ଗରିବ, ଅବହେଳିତ କଥା କହିଲା ବେଳେ, କାର୍ଯ୍ୟରେ ଧନୀ, ପୁଞ୍ଜିପତି, ଶିଳ୍ପପତିଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଛନ୍ତି। ଏପରିକି ଧନିକ ଶ୍ରେଣୀ, ଶିଳ୍ପପତି ସରକାରଙ୍କ ବିଭିନ୍ନ ସିଦ୍ଧାନ୍ତରେ ହସ୍ତକ୍ଷେପ କରି ନିଜ ସପକ୍ଷରେ ଆଇନ ପ୍ରଣୟନ କରିବାରେ ସକ୍ଷମ ହେଉଛନ୍ତି। ଧନୀ ଓ ଗରିବ ମଧ୍ୟରେ ବୈଷମ୍ୟ ବୃଦ୍ଧିପାଇଲା ବେଳେ ଗରିବର ସ୍ବର ଆହୁରି କ୍ଷୀଣ, ନିଷ୍ପ୍ରଭ ହେଉଛି।
ଅକ୍ସଫାମ୍‌ ରିପୋର୍ଟ ୨୦୨୨ ଅନୁଯାୟୀ, କୋଭିଡ୍‌ -୧୯ ସଙ୍କଟ ସମୟରେ ଯେତେବେଳେ ଶବଦାହ ପାଇଁ ଲୋକେ ଧାଡ଼ି ବାନ୍ଧିଥିଲେ, ଶ୍ମଶାନ ଧୂଆଁ ଆକାଶକୁ ଆଚ୍ଛାଦିତ କରିଥିଲା, ୮୪ପ୍ରତିଶତ ପରିବାରଙ୍କ ଆୟ ହ୍ରାସ ପାଇଥିଲା ଏବଂ ୪.୬ କୋଟି ଲୋକ ଦାରିଦ୍ର୍ୟର ଗହ୍ବରକୁ ଠେଲି ହୋଇଯାଇଥିଲେ, ସେତେବେଳେ ଭାରତରେ ବିଲିୟନେୟାରଙ୍କ ସଂଖ୍ୟା ୪୦ ବୃଦ୍ଧିପାଇ ୧୪୨ରେ ପହଞ୍ଚତ୍ଛି ଏବଂ ସେମାନଙ୍କ ସମ୍ପଦ ୨୩. ୧୪ ଲକ୍ଷ କୋଟି ଟଙ୍କାରୁ ଦୁଇଗୁଣିତ ହୋଇ ୫୩. ୧୪ ଲକ୍ଷ କୋଟି ଟଙ୍କା ବା ୭୧୯ ବିଲିୟନ ଡଲାରରୁ ଅଧିକ ହୋଇଥିଲା, ଯାହା ଦେଶର ୪୦ପ୍ରତିଶତ ଜନତାଙ୍କ ସମ୍ପଦଠାରୁ ଅଧିକ। କ୍ରେଡିଟ୍‌ ସୁଇସର ୧୨ତମ ସମ୍ପଦ ରିପୋର୍ଟ ଅନୁସାରେ ଦେଶର ୧ପ୍ରତିଶତ ଧନିକ ଶ୍ରେଣୀଙ୍କ ହାତରେ ଦେଶର ମୋଟ ସମ୍ପଦର ୩୩ ପ୍ରତିଶତ ଥିବା ବେଳେ ୧୦ ପ୍ରତିଶତଙ୍କ ହାତରେ ଦେଶର ମୋଟ ସମ୍ପଦର ୬୪.୬ ପ୍ରତିଶତ ଥିବା ଜଣାପଡ଼ିଛି। ଅନ୍ୟପଟେ ଦେଶର ଅର୍ଦ୍ଧେକ ବ୍ୟକ୍ତିଙ୍କ ହାତରେ ମୋଟ ଜାତୀୟ ସମ୍ପଦର ମାତ୍ର ୫.୯ପ୍ରତିଶତ ରହିଥିବା ଜଣାପଡ଼ିଛି।
ଏସବୁ ସମ୍ଭବ କାରଣ ହେଲା ଧନିକ ଶ୍ରେଣୀଙ୍କ ସ୍ବାର୍ଥ କିପରି ସାଧନ ହେବ ସେହି ଅନୁସାରେ ଦେଶର ଓ ବିଶ୍ୱର ଆର୍ଥିକ ବ୍ୟବସ୍ଥା ହୋଇଛି ଏବଂ ନୀତି କାର୍ଯ୍ୟକାରୀ କରାଯାଉଛି। ଧନିକ ଶ୍ରେଣୀ ତାଙ୍କର କଳାଟଙ୍କା ବିଦେଶରେ ଟିକସ ଭୂସ୍ବର୍ଗରେ ରଖି ଟିକସ ଫାଙ୍କୁଛନ୍ତି। ବ୍ୟାଙ୍କ ଜାଲିଆତି, ଋଣ ରାଇଟ ଅଫ, ଟିକସ ରିହାତି ମାଧ୍ୟମରେ କୋଟି କୋଟି ଟଙ୍କା ହରିଲୁଟ କରି ନିଜ ସମ୍ପଦରେ ଯୋଗ କରୁଛନ୍ତି। ସୁଧ ହାର ହ୍ରାସ, କର୍ପୋରେଟ ଟିକସ ହାର ହ୍ରାସ ବା ଅତ୍ୟଧିକ କମ୍‌ ରହିବା ଯୋଗୁ ସେମାନେ ସମ୍ପଦ ଠୁଳ କରି ଚାଲିଛନ୍ତି। ୨୦୨୧-୨୨ରେ ଭାରତରେ କର୍ପୋରେଟମାନଙ୍କ ଲାଭ ବୃଦ୍ଧିପାଇ ଜିଡିପିର ୪.୩ପ୍ରତିଶତ ହୋଇଛି, ଯାହା ଗତ ୧୧ ବର୍ଷରେ ସର୍ବାଧିକ। ଅପରପକ୍ଷରେ ଗରିବଙ୍କୁ ବାଧୁଥିବା ଖାଦ୍ୟସାମଗ୍ରୀ, ବୀମା ପ୍ରିମିୟମ, ତୈଳ ଦ୍ରବ୍ୟ ଉପରେ ଅହେତୁକ ଟିକସ ଧାର୍ଯ୍ୟ କରୁଛନ୍ତି। ଦରଦାମ ଆଜି ନିୟନ୍ତ୍ରଣ ବାହାରେ।
ପୁନଶ୍ଚ ପ୍ରଧାନମନ୍ତ୍ରୀ ଯେତେବେଳେ ନାରୀଶକ୍ତି କଥା କହୁଛନ୍ତି, ସେତେବେଳେ ଗଣବଳାତ୍କାର ଓ ହତ୍ୟା ଦୋଷରେ ଅଭିଯୁକ୍ତ ୧୧ ଜଣଙ୍କୁ ଗୁଜରାଟ ସରକାର ମୁକ୍ତ କରିଦେଇଛନ୍ତି। ଅର୍ଥାତ୍‌ ଦୁର୍ନୀତିଗ୍ରସ୍ତ ଓ ଅପରାଧୀଙ୍କ ପାଇଁ କ’ଣ ଅମୃତ ବେଳ ଆସିଛି ବୋଲି ଭାବିବାକୁ ପଡ଼ିବ। ବର୍ତ୍ତମାନ ଭାରତୀୟ ଗଣତନ୍ତ୍ରକୁ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର କୁହାଯାଉଛି ଏବଂ ଗଣମାଧ୍ୟମର ସ୍ବାଧୀନତା ବିପନ୍ନ ହେଉଛି, ଯାହା ଶୁଭ ସୂଚନା ପ୍ରଦାନ କରୁନି। ବାସ୍ତବରେ ବର୍ତ୍ତମାନ ଯେଉଁ ଅମୃତବେଳା କଥା କୁହାଯାଉଛି ତାହା ଏକ ଭ୍ରମ।
ମୋ:୯୪୩୭୨୦୮୭୬୨
skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri