ଆନ୍ଦୋଳନକୁ ଅଣଦେଖା

ଆକାର ପଟେଲ

ଚଳିତ ମାସ ଶେଷଆଡ଼କୁ, ଅର୍ଥାତ୍‌ ୨୬ ସେପ୍ଟେମ୍ବରରେ ସଂଯୁକ୍ତ କିଷାନ ମୋର୍ଚ୍ଚା କୃଷି ଆଇନଗୁଡ଼ିକ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ଡାକରା ଦେଇଛି। ଗତ ବର୍ଷ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ଏଯାବତ ଚାଲିଛି। କାହିଁକି ଏହା ଚାଲୁଛି ତାହାର ସବିଶେଷ ସମୀକ୍ଷା ବା ଅନୁଧ୍ୟାନ କରାଯିବା ଦରକାର। ଆନ୍ଦୋଳନରତ କୃଷକମାନେ କେନ୍ଦ୍ର ସରକାରଙ୍କୁ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରଥମ ଦାବି ହେଉଛି; ନିୟନ୍ତ୍ରିତ ମଣ୍ଡି ବାହାରେ କୃଷିଜାତ ଉପତ୍ାଦର ଟିକସମୁକ୍ତ କାରବାର ପ୍ରତ୍ୟାହାର, କୃଷି କ୍ଷେତ୍ରରେ କର୍ପୋରେଟଗୁଡ଼ିକର ପ୍ରବେଶ ବନ୍ଦ କରିବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଗ୍ୟାରେଣ୍ଟି ଦେବା। ଦ୍ୱିତୀୟରେ, ଆଇନରେ ଥିବା ଚୁକ୍ତିଭିତ୍ତିକ କୃଷିକୁ ବାଦ୍‌ ଦେବା। ତୃତୀୟରେ ସଂଶୋଧିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ପ୍ରତ୍ୟାହାର କରିବା, କୃଷିଜାତ ଉପତ୍ାଦର ଅତ୍ୟଧିକ ଗଚ୍ଛିିତ ପ୍ରକ୍ରିୟାକୁ ଅପରାଧମୁକ୍ତ କରିବା। ଚତୁର୍ଥ ଦାବି ହେଉଛି; ବିଦ୍ୟୁତ୍‌ ଅଧ୍ୟାଦେଶ, ୨୦୨୦ରେ ପ୍ରସ୍ତାବିତ ସଂଶୋଧନଗୁଡ଼ିକ ଦ୍ୱାରା ବିଦ୍ୟୁତ୍‌ ସବ୍‌ସିଡି ଶେଷ ହୋଇଯାଉଥିବାରୁ ଏହାକୁ ପ୍ରତ୍ୟାହାର କରିବା ଏବଂ ଏସବୁ ବଦଳରେ ନଗଦ ସବ୍‌ସିଡି ପ୍ରଦାନ କରିବା। ପଞ୍ଚମରେ, ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦରକୁ ଦୃଷ୍ଟିରେ ରଖି ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ ହଟାଇବା। ଷଷ୍ଠରେ, ନଡ଼ାପୋଡ଼ିକୁ ଅପରାଧୀକରଣ କରୁଥିବା ଷ୍ଟ୍ର ପଲ୍ୟୁଶନ ଅର୍ଡିନାନ୍ସ ବା ନଡ଼ା ପ୍ରଦୂଷଣ ଅଧ୍ୟାଦେଶ ୨୦୨୦କୁ ରଦ୍ଦ କରିବା। ସପ୍ତମ ଦାବି ଥିଲା, ରାଜ୍ୟ ଅଧିକାର କ୍ଷେତ୍ର ଉପରେ କେନ୍ଦ୍ର ବୈଧାନିକ ହସ୍ତକ୍ଷେପ ବନ୍ଦ କରୁ; କାରଣ କୃଷି ହେଉଛି ରାଜ୍ୟର ପ୍ରସଙ୍ଗ, କେନ୍ଦ୍ରର ନୁହେଁ। ଏବଂ ଶେଷରେ ଯେଉର୍ଁମାନେ ଭୀମାକୋରେଗାଁଓ ଘଟଣା ଓ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ପ୍ରତିବାଦରେ ଜେଲରେ ରହିଛନ୍ତି, ସେମାନଙ୍କୁ ନିଃସର୍ତ୍ତରେ ମୁକ୍ତ କରାଯାଉ।
ଗତ ବର୍ଷ ୩୦ ଡିସେମ୍ବରରେ ମୋଦି ସରକାର ବିଦ୍ୟୁତ୍‌ ଅଧ୍ୟାଦେଶ (ଦାବି ୪) ସଂଶୋଧନକୁ ହଟାଇ ନେବା ଏବଂ ନଡ଼ାପୋଡ଼ି ଜରିମାନା (ଦାବି ୬)ରୁ କୃଷକମାନଙ୍କୁ ମୁକ୍ତ କରିବା ଲାଗି ରାଜି ହୋଇଥିଲେ। ଚଳିତ ବର୍ଷ ଜାନୁୟାରୀ ୧୨ରେ ସୁପ୍ରିମକୋର୍ଟ କୃଷି ଆଇନଗୁଡ଼ିକର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଏହି ସ୍ଥଗିତାଦେଶ କୃଷକଙ୍କ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଦାବି ଉପରେ ବ୍ୟାଖ୍ୟା କରିଥିଲା। ପରେ କୋର୍ଟ କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା କରି ଏକ ସୁପାରିସ ସମ୍ବଳିତ ରିପୋର୍ଟ ଦାଖଲ କରିବା ଲାଗି ୪ ଜଣିଆ କମିଟି ଗଠନ କରିଥିଲେ। କମିଟିର ସଦସ୍ୟ ଭୂପିନ୍ଦର ସିଂ ମାନ୍‌ କୃଷକମାନଙ୍କ ସପକ୍ଷରେ ରହିଛନ୍ତି ବୋଲି କହି କମିଟିରୁ ଓହରିଗଲେ। ଅନ୍ୟ ତିନି ସଦସ୍ୟଙ୍କ ମଧ୍ୟରେ ଥିବା ଦୁଇ କୃଷି ଅର୍ଥନୀତିଜ୍ଞ ସରକାରଙ୍କ ସପକ୍ଷରେ ଲେଖିଥିତ୍ଲେ। କୃଷକ ସଂଗଠନଗୁଡ଼ିକ ସରକାରଙ୍କୁ ସାକ୍ଷାତ କରିବା ପାଇଁ ମନା କରିଦେଇଥିଲେ ଓ ୬ ମାସ ପୂର୍ବେ ଅର୍ଥାତ୍‌ ମାର୍ଚ୍ଚରେ ଏକ ବନ୍ଦ ଲଫାପାରେ ସେମାନଙ୍କ ସୁପାରିସଗୁଡ଼ିକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପ୍ରଦାନ କରିଥିଲେ। ଚଳିତ ବର୍ଷ ଜୁଲାଇ ୪ରେ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋଏଲ ବ୍ୟବସାୟୀମାନଙ୍କ ପାଇଁ ମୁଗ ବ୍ୟତୀତ ସମସ୍ତ ଡାଲିର ଗଚ୍ଛିତ ସୀମା ଲାଗୁ କରିଥିତ୍ଲେ। ଏଥିରେ ହୋଲ୍‌ସେଲ ପାଇଁ ୨୦୦ ଟନ୍‌ ଏବଂ ରିଟେଲ୍‌ ଲାଗି ୫ ଟନ୍‌ ସୀମା ଧାର୍ଯ୍ୟ କରାଯାଇଥିଲା। ମୂଲ୍ୟ ବୃଦ୍ଧି ହେଉଥିବାରୁ ଏହା କରାଯାଇଥିଲା ବୋଲି କୁହାଯାଇଥିଲେ ବି ଏହି ନିର୍ଦ୍ଧାରିତ ସୀମାରୁ ବୁଝାପଡ଼ୁଛି ଯେ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ହଟାଇବା ବିରୋଧରେ ଥିଲେ। ଅନ୍ୟପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଗଠିତ କମିଟିର ସଦସ୍ୟମାନେ ପ୍ରଦାନ କରିଥିବା ରିପୋର୍ଟ ଏଯାବତ ଫାଇଲ ଭିତରେ ପଡ଼ିରହିଛି, ଯାହାକୁ ନେଇ ଗତ ସପ୍ତାହରେ କମିଟିର ସଦସ୍ୟ ଅନୀଲ ଘନଓ୍ବାତ ନିଜର ନୈରାଶ୍ୟ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ରିପୋର୍ଟ ପ୍ରକାଶ କରାଗଲା ପରେ ସୃଷ୍ଟି ହେବାକୁ ଥିବା ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସରକାର ଏବଂ କୋର୍ଟଙ୍କୁ ବିଚାର କରିବାକୁ ପଡ଼ିବ। ଏଥିତ୍ରୁ ସ୍ପଷ୍ଟ ହେଉଛି ଯେ, କମିଟି ତିନି କୃଷି ଆଇନ ପ୍ରତ୍ୟାହାର ସପକ୍ଷରେ ନାହାନ୍ତି। ଘନଓ୍ବାତଙ୍କ ଅନୁଯାୟୀ ଏହି ଆଇନଗୁଡ଼ିକରେ ଅନେକ ତ୍ରୁଟି ରହିଛି, ଯେଉଁଥିରେ ସୁଧାର ଆଣିବା ଆବଶ୍ୟକ। କୃଷକମାନଙ୍କ ଦାବିଗୁଡ଼ିକର ଏହା ହଁି ଏବକାର ସ୍ଥିତି ଯେଉଁଥିପାଇଁ ସେମାନେ ଏଯାବତ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କ ଦାବିଗୁଡ଼ିକରୁ କେତେକ ପୂରଣ କରାଯାଇ ସାରିଲାଣି, କେତେକ ସ୍ଥଗିତ ରହିଛି। ଘଟଣାକ୍ରମରେ ସରକାର ଆଇନକୁ ପ୍ରତ୍ୟାହାର ନ କରି ଏକ ନିୟମ ବାଢ଼ିଥିତ୍ଲେ। ଚଳିତ ବର୍ଷ ପ୍ରାରମ୍ଭରେ ସରକାର ଆଇନଗୁଡ଼ିକୁ କାର୍ଯ୍ୟକାରୀ ନ କରି ୧୮ ମାସ ସ୍ଥଗିତ ରଖିବାକୁ ଇଚ୍ଛୁକ ଥିଲେ। ଏଣୁ କୌଣସି କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇ ନ ଥିବା ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କୁ କିଏ ଅଟକାଉଛି? ଜୁନ୍‌ରେ ଆମତ୍ନିର୍ଭର ଭାରତ ପ୍ୟାକେଜ୍‌ର ଏକ ଅଂଶ ଭାବେ ଆଇନଗୁଡ଼ିକୁ ଅଧ୍ୟାଦେଶ ଭାବେ ପାସ୍‌ କରାଗଲା। କୃଷି ଆଇନଗୁଡ଼ିକୁ ନେଇ ବିଶ୍ୱରେ ସବୁଠୁ ବଡ଼ ତଥା ଦୀର୍ଘ ଗଣ ଆନ୍ଦୋଳନ ଜାରି ରହିଥିବାବେଳେ ତାହାକୁ ସନ୍ଦେହଜନକ ଭାବେ ରାଜ୍ୟ ସଭାରେ ବିନା ପ୍ରତିରୋଧରେ ପାସ୍‌ କରାଗଲା। ଉକ୍ତ ଆନ୍ଦୋଳନରେ ପ୍ରାୟ ୬୦୦ କୃଷକଙ୍କ ମୃତ୍ୟୁ ଘଟିସାରିଲାଣି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଅନ୍ୟ କୌଣସି ଗୋଷ୍ଠୀ ମଧ୍ୟ କୃଷି ଆଇନ ଲାଗୁ କରାଯିବା ଲାଗି ଦାବି କରୁନାହାନ୍ତି। ଏହାବାଦ୍‌ ସରକାରଙ୍କ ଉପରେ ଏହି ଆଇନ କାର୍ଯ୍ୟକାରୀ କରିବା ପାଇଁ କୌଣସି ଚାପ ପଡ଼ୁନାହିଁ। ସରକାର କେବଳ ଆଇନଗୁଡ଼ିକୁ ଶୀତଳଭଣ୍ଡାରରେ ପକାଇ ଦେଇଛନ୍ତି ଓ କୃଷକ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି। ସେମାନେ ଥକିଯାଇ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଏହାକୁ ଶେଷ କରନ୍ତୁ ବୋଲି ସରକାର ଆଶା କରୁଛନ୍ତି। ଏଭଳି ଘଟିବାର କୌଣସି ସଙ୍କେତ ଦେଖାଯାଉନାହିଁ, ବରଂ ଆଗକୁ ଭାରତ ବନ୍ଦ ଆସୁଛି। ଏଣୁ ଆଇନଗୁଡ଼ିକୁ ପ୍ରତ୍ୟାହାର ନ କରି କାହିଁକି ସରକାର ଆନ୍ଦୋଳନକୁ ଲମ୍ବିବାକୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri