Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ଘରେ ଦେଇଥିଲି: ସଂଗ୍ରାମ କେଶରୀ ସାମନ୍ତରାୟ

ଖୋର୍ଦ୍ଧା ଜିଲାର ଖୋର୍ଦ୍ଧା ବ୍ଲକ୍‌ ଅନ୍ତର୍ଗତ ଓରବରସିଂହ ଗ୍ରାମପଞ୍ଚାୟତ ଅଧୀନ ରାୟପୁର ଗାଁରେ ମୋ ଜନ୍ମ। ଶିକ୍ଷାଗତ ଯୋଗ୍ୟତା ଇତିହାସରେ ଏମ୍‌.ଏ.। ଅବଶ୍ୟ ପାଠପଢ଼ା ସରିବା ପରେ ବେଶ୍‌ କିଛିଦିନ ଗାଁରେ ରହି ଜେଜେବାପା, ଦାଦାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିଥିଲି। ତା’ସହିତ କୁଟା, ପାଳ ଓ ନଡ଼ା ସାହାଯ୍ୟରେ ସୁନ୍ଦର ସୁନ୍ଦର ଗ୍ରୀଟିଙ୍ଗ୍ସ କାର୍ଡ ତିଆରି କରିବାର ଅଭ୍ୟାସ ଥିବାରୁ ତାକୁ ନେଇ ସେ ସମୟରେ ଏକ ବ୍ୟବସାୟ ବି କରିଥିଲି। ସେଥିରୁ ମୋର ପ୍ରାୟ ୫୬ ହଜାର ଟଙ୍କା ଲାଭ ହୋଇଥିଲା; ଯାହାକୁ ଘରେ ଦେଇଥିଲି। ଚାହିଁଥିଲେ ଏହି ବ୍ୟବସାୟକୁ ଆହୁରି ବ୍ୟାପକ କରି ସେଥିରେ କ୍ୟାରିୟର୍‌ କରିପାରିଥାନ୍ତି, ହେଲେ ମୋର ଲକ୍ଷ୍ୟ ଥିଲା ଭିନ୍ନ। ଅସହାୟଙ୍କୁ ସହାୟତା କରିବା, ବିଭିନ୍ନ ପ୍ରକାର ସମାଜମଙ୍ଗଳ କାର୍ଯ୍ୟ ଯେମିତିକି ଗଛ ଲଗାଇବା, ଗାଁ ରାସ୍ତାଘାଟ ଓ ପୋଖରୀ ସଫା କରିବା ଇତ୍ୟାଦି ପ୍ରତି ମୋର ପିଲାଟି ଦିନରୁ ରୁଚି ରହିଆସିଥିଲା। ତେଣୁ ସେହି ଦିଗରେ କିଛି କରିବାକୁ ଚିନ୍ତା କରି ୨୦୦୦ ମସିହାରେ ‘ଅଭିଯାନ’ ନାମରେ ମୁଁ ଏକ ସାମାଜିକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମୀଣ ଜୀବନ ଶୈଳୀର ବିକାଶ। ପାଖାପାଖି ୪ ବର୍ଷ ଏହି ଅନୁଷ୍ଠାନ ଚଲାଇ ଗାଁରେ ବହୁ ଉନ୍ନତିମୂଳକ କାମ କରିବା ପରେ ୨୦୦୪ରେ ବିଶିଷ୍ଟ ସାମାଜିକ କର୍ମୀ ଡ.ଏସ୍‌.ଏନ୍‌.ସୁବାରାଓ (ଭାଇ ଜି) (ଜାତୀୟ ଯୁବ ପ୍ରକଳ୍ପର ନିର୍ଦ୍ଦେଶକ)ଓ ରାଜଗୋପାଳ ପି.ଭି. (ଏକତା ପରିଷଦର ସଂସ୍ଥାପକ)ଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲି। ସେମାନଙ୍କ ସହ ଭେଟ ହେବାପରେ ମୋ ଭିତରେ ଏକ ବିରାଟ ପରିବର୍ତ୍ତନ ଆସିଥିଲା, ଆଉ ମୁଁ ବିଭିନ୍ନ ରାଜ୍ୟକୁ ଯାଇ ଗାନ୍ଧୀ ବିଚାରଧାରା ଉପରେ ତାଲିମ ନେଇଥିଲି। ପରେ ପରେ ଏକତା ପରିଷଦ (ଭୂମି ଅଧିକାର ଅଭିଯାନ ପାଇଁ ସାରା ଦେଶ ଓ ସାରା ବିଶ୍ୱରେ କାମ କରୁଥିବା ଏକ ଗଣ ସଂଗଠନ)ର ପଞ୍ଚାୟତ କାର୍ଯ୍ୟକର୍ତ୍ତା ଭାବେ ଖୋର୍ଦ୍ଧାରେ ୨୦୦୬ ମାର୍ଚ୍ଚରେ ଯୋଗ ଦେଇଥିଲି।

ସେତେବେଳେ ଏହି ସଂଗଠନ ତରଫରୁ ମାସକୁ ୧୮୦୦ ଟଙ୍କା ଦରମା ମିଳୁଥିଲା। ସେହି ବର୍ଷ ଶେଷ ବେଳକୁ ଷ୍ଟେଟ୍‌ ୟୁଥ୍‌ କୋ-ଅର୍ଡିନେଟର୍‌ ଭାବେ ଉକ୍ତ ସଂଗଠନ ତରଫରୁ ମୋତେ ନୂଆ ଦାୟିତ୍ୱ ଦିଆଗଲା। ତା’ପରେ ୨୦୦୮ରୁ ୨୦୧୬ ଯାଏ ମୁଁ ନ୍ୟାଶନାଲ୍‌ ୟୁଥ୍‌ କୋ-ଅର୍ଡିନେଟର୍‌ ଭାବେ ଦାୟିତ୍ୱ ସମ୍ଭାଳିଥିଲି। ଅବଶ୍ୟ ତା’ରି ଭିତରେ ମୁଁ ସେମାନଙ୍କଠାରୁ ଅନୁମତି ନେଇ ଓଡ଼ିଶାରେ ‘ରାଷ୍ଟ୍ରୀୟ ଶାନ୍ତି ଅଭିଯାନ’(ଓଡ଼ିଶାରେ ଶାନ୍ତି, ନ୍ୟାୟ ପ୍ରତିଷ୍ଠା କରିବା ଥିଲା ଯାହାର ମୁଖ୍ୟ ଲକ୍ଷ୍ୟ) ନାମରେ ଏକ କ୍ୟାମ୍ପେନ୍‌ ଆରମ୍ଭ କରିଥିଲି। ଏହି ଅଭିଯାନର ମୁଁ ଥିଲି ରାଜ୍ୟ ଆବାହକ ଆଉ ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରାୟ ୨୬୪ଟି ସହଯୋଗୀ ଅନୁଷ୍ଠାନ ଏଥିରେ ଯୋଡ଼ି ହୋଇଥିଲେ। ଉକ୍ତ ଅଭିଯାନର ଗୋଟିଏ ସ୍ଲୋଗାନ ବି ଥିଲା: ‘ଆମେ ଶାନ୍ତି ଚାହୁଁ, ସମସ୍ତେ ଚାହିଁଲେଣି, ଯଦି ଆପଣ ଚାହାନ୍ତି ଆସନ୍ତୁ ମିଳିମିଶି ଓଡ଼ିଶା ପାଇଁ କାମ କରିବା।’ ତେବେ ଏହି କ୍ୟାମ୍ପେନ୍‌କୁ ୨୦୧୮ ପର୍ଯ୍ୟନ୍ତ ମୁଁ ଓଡ଼ିଶାରେ ଚଲାଇଥିଲି। ତା’ପରେ ଏହାର ସମସ୍ତ ଦାୟିତ୍ୱ ମୋର କେତେଜଣ ତାଲିମପ୍ରାପ୍ତ ବନ୍ଧୁଙ୍କ ହସ୍ତରେ ଦେଇ ମୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ କେମିତି ସୁରୁଖୁରୁରେ ରକ୍ତଦାନ ଶିବିର ଆୟୋଜନ ହୋଇପାରିବ ସେ କଥା ବୁଝି ଚାଲିଲି। ଏଥିସହିତ ଯେହେତୁ ଆମ ପଞ୍ଚାୟତ ହେଉଛି ଏକ ବନ୍ୟାଞ୍ଚଳ,ତେଣୁ ପ୍ରତିବର୍ଷ ଏଠାରେ ବନ୍ୟା ହୋଇଥାଏ। ଲୋକମାନଙ୍କର ଘରବାଡ଼ି ସହ ଗାଈଙ୍କର ଗୁହାଳ ବି ଭାଙ୍ଗିଯାଏ। ସେତେବେଳେ ସେମାନେ ବହୁ କଷ୍ଟ ଭୋଗିଥାନ୍ତି। ତେଣୁ ଆମେ କେତେଜଣ ବନ୍ଧୁ ମିଶି ଆଲୋଚନା କଲୁ, ଏହି ଅସହାୟ ଗାଈଗୁଡ଼ିକୁ କିପରି ସୁରକ୍ଷା ଦେବା ସହ ପେଟଭରି ମୁଠେ ଖାଇବାକୁ ଦେଇପାରିବୁ।

ସେଥିପାଇଁ ଆମେ ୨୦୨୦ ସେପ୍ଟେମ୍ବର ୫ରୁ ‘ଅସ୍ଥାୟୀ ଗୋଶାଳା କେନ୍ଦ୍ର’ ନାମରେ ଏକ ଅଭିଯାନ ଆରମ୍ଭ କଲୁ। ଧୀରେ ଧୀରେ ଏହି ଅଭିଯାନକୁ ଲୋକମାନେ ପସନ୍ଦ କଲେ ଆଉ ଏହାକୁ ନିରନ୍ତର ଚଲେଇବା ପାଇଁ ସେମାନେ ପ୍ରେରଣା ଦେବାରୁ ପରବର୍ତ୍ତୀ ସମୟରେ ଏହାର ନାମକୁ ବଦଳାଇ ‘ମହାତ୍ମା ଗାନ୍ଧୀ ଗୋଶାଳା କେନ୍ଦ୍ର’ ରଖିଲୁ। ଗାଈମାନଙ୍କର ଭଲମନ୍ଦ ବୁଝିବା, ସେମାନଙ୍କୁ ପେଟଭରି ଖାଇବାକୁ ଦେବା ଏପରିକି ଗରିବ ଲୋକଟିଏ ଅଭାବ ଯୋଗୁ ଘରେ ରଖିଥବା ଗାଈଙ୍କର ଭଲରେ ଯତ୍ନ ନ ନେଇପାରିଲେ ସେମାନଙ୍କୁ ସାହାଯ୍ୟ କରିବା ତଥା ଗୋରୁ ଚାଲାଣକୁ ରୋକିବା ହେଉଛି ଏହି ଗୋଶାଳା କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ; ଯାହାର ସଂଯୋଜକ ଭାବେ ଏବେ ମୁଁ ଦାୟିତ୍ୱ ତୁଲାଉଅଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?