Posted inଫୁରସତ

ବାପା ଓ ଆଈକୁ ଦେଇପାରିଲିନି ପ୍ରଥମ ଦରମା

ବାପା ସବୁବେଳେ ମୋତେ ଝିଅ ବଦଳରେ ପୁଅ ଭାବି ଆସିଥିଲେ; ତେଣୁ ମୁହଁ ଖୋଲି କିଛି ମାଗିବା ପୂର୍ବରୁ ହିଁ ଗୋଡ଼ତଳେ ଆଣି ସବୁ ସୁଖ ରଖି ଦେଉଥିଲେ। ଆଉ ଜଣେ ଥିଲା ମୋ ଆଈ। ମୋ କୃତିତ୍ୱ ଉପରେ ସେ ସବୁବେଳେ ଗର୍ବ କରି ଆଶୀର୍ବାଦ ରୂପେ ଶହେ ଟଙ୍କିଆ ନୋଟ ମୋ ହାତରେ ଗୁଞ୍ଜି ଦେଉଥିଲା। ଯେବେ ଘର ଛାଡ଼ି ଓଡ଼ିଶା ବାହାରକୁ ଚାକିରି ପାଇଁ ଗଲି ବାପା ମୋ ହାତରେ ଏଚ୍‌ଏମ୍‌ଟି ଘଡ଼ି ଆଉ ମୋବାଇଲଟେ ଦେଇଥିଲେ। ଝିଅ ପିଲା ଘରୁ ଏତେ ଦୂରେ ରହିବ କେତେବେଳେ କ’ଣ ଦରକାର ପଡ଼ିବ ସେଥିପାଇଁ! ଆଉ ଆଈ, ସେ ଏଥର ଗୋଟିଏ ଶହେ ଟଙ୍କିଆ ନୋଟ ବଦଳରେ ପାଞ୍ଚଟା ଶହେ ଟଙ୍କିଆ ଖଡ଼ ଖଡ଼ ନୂଆ ନୋଟ ହାତରେ ଧରେଇଲା ଓ ବିକଳ ହୋଇ କହିଲା, ଜଲଦି ଆଇବୁ ତୋତେ ନ ଦେଖିଲେ ମୋ ମନ ବୁଝିବନି। ଯା’ହେଉ ତାକୁ ବୁଝାଶୁଝା କରି ଗଲି। ଚାକିରି ଏକ ଷ୍ଟାର୍ଟଅପ୍‌ କମ୍ପାନୀରେ ଥିଲା। ପ୍ରଥମ ଚାରିମାସ ପ୍ରୋବେସନ୍‌ ସମୟ। ତେଣୁ ଦରମା ମିଳୁ ନ ଥିଲା। ବାପା ଟଙ୍କା ପଠାଉଥିଲେ ପ୍ରତିମାସ। ସବୁଥର ଭାବୁଥିଲି ଯେଉଁଦିନ ମୋ ଚାକିରି ସ୍ଥାୟୀ ହୋଇ ପ୍ରଥମ ଦରମା ପାଇବି; ସେଦିନ ବାପା ଓ ଆଈ ପାଇଁ ନିଶ୍ଚୟ କିଛି କିଣିବି। ହେଲେ ପ୍ରଥମ ଦରମା ମିଳିବା ପୂର୍ବରୁ ଆଈ ଆଖି ବୁଜି ଦେଲା। ଅଫିସ୍‌ରେ ଛୁଟି ନ ମିଳିବାରୁ ଶେଷଥର ପାଇଁ ତାକୁ ଦେଖି ବି ପାରିଲି ନାହିଁ। ବାପାଙ୍କୁ କହିଲି, ମୋ ପ୍ରଥମ ଦରମା ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇଦେବି ବୋଲି। କିନ୍ତୁ ବାପା ମନା କରି କହିଲେ, ‘ତୁ ବାହାରେ ରହୁଛୁ, ତୋର କେତେ କ’ଣ ଖର୍ଚ୍ଚ ରହୁଛି! ତୁ ଯେବେ ଘରକୁ ଆସିବୁ ମୋ ପାଇଁ କିଛି କିଣିଦେବୁ।’ ମୁଁ ଭାବିଲି ଠିକ୍‌ କଥା ନିଜେ ସାମ୍ନାରେ ତାଙ୍କ ହାତରେ ଦେଲେ ସେ ବେଶି ଖୁସି ହେବେ।

କିନ୍ତୁ ଭାଗ୍ୟର ବିଡ଼ମ୍ବନା ଥିଲା କିଛି ଅଲଗା। ଦରମା ପାଇବା ସପ୍ତାହେ ବି ବିତି ନ ଥିଲା; ସାନଭାଇ ଫୋନ୍‌ କରି କହିଲା, ”ନାନୀ ଏମ୍‌ବିଏ କ୍ଲାସ ପାଇଁ ବାପା ଯେଉଁ ଲାପ୍‌ଟପ୍‌ ଦେଇଥିଲେ ସାଙ୍ଗମାନଙ୍କ ସହ ଝଗଡ଼ା ଲାଗି ହାତରୁ ତାହା ଖସିଗଲା ଆଉ ତା’ର ସ୍କ୍ରିନ ଭାଙ୍ଗିଗଲା। ପ୍ଲିଜ ନାନୀ, ତୁ ଠିକ୍‌ କରିଦେ; ହେଲେ ଘରେ କାହାକୁ ଜଣେଇବୁ ନାହିଁ।“ ଏକଥା ଶୁଣି ମୁଁ ଭୀଷଣ ରାଗିଲି ଆଉ ତାକୁ ବହୁତ ଗାଳି ଦେଲି। କିନ୍ତୁ ବାପା ଜାଣିଲେ କଥା ଖରାପ ହେବ ଭାବି ନିଷ୍ପତ୍ତି ନେଲି ଲାପ୍‌ଟପ୍‌ଟିକୁ ଠିକ୍‌ କରେଇବାକୁ। ମୋ ଦରମାର ଅଧାରୁ ଅଧିକ ଭାଇର ଲାପ୍‌ଟପ୍‌ ସଜାଡ଼ିବାରେ ଖର୍ଚ୍ଚ ହୋଇଗଲା। ଆଉ ବାକି ଯାହା ଥିଲା ତାହା ମୋ ମାସିକ ଖର୍ଚ୍ଚରେ ସରିଗଲା। ତେଣୁ ବାପାଙ୍କ ହାତରେ ପ୍ରଥମ ଦରମା ଟଙ୍କା ଦେବାର ଇଚ୍ଛା ମୋର ଆଉ ପୂରଣ ହୋଇପାରିଲା ନାହିଁ। ତେଣୁ ତା’ ପରମାସ ଯେବେ ଦରମା ପାଇଲି, ଛୁଟି ନେଇ ସିଧା ଘରକୁ ଗଲି ଆଉ ବାପାଙ୍କୁ ସାଙ୍ଗରେ ଧରି ବଜାର ଯାଇ ବହୁତ କିଛି ଜିନିଷ କିଣିଥିଲି। ବାପା ସେଦିନ ଖୁବ୍‌ ଖୁସି ହୋଇଥିଲେ; ହେଲେ ମୁଁ ଖୁସି ହୋଇପାରୁ ନ ଥିଲି। କାରଣ ଜୀବନର ପ୍ରଥମ ପାରିଶ୍ରମିକ ଟଙ୍କାକୁ ବାପା ଓ ଆଈ ହାତରେ ନ ଦେଇ ପାରିବାର ଅବସୋସ ମୋ ମନ ଭିତରେ କେଉଁଠି ନା କେଉଁଠି ଉଙ୍କି ମାରୁଥିଲା। ତଥାପି ନିଜକୁ ସମ୍ଭାଳି ଆଗକୁ ବଢ଼ିବାକୁ ଚେଷ୍ଟା କଲି। ଚାକିରି ସହିତ ସାହିତ୍ୟ କ୍ଷେତ୍ରରେ ରୁଚି ଥିବାରୁ କ୍ରମେ ଗପ, ଉପନ୍ୟାସ ଆଦି ଲେଖିଲି। ୟା’ ଭିତରେ ‘ସଖି କଣ୍ଢେଇ’ ଶୀର୍ଷକ ଏକ ଉପନ୍ୟାସ ପୁସ୍ତକ ଏବଂ ‘ଆଉ ତା’ପରେ ପୁଣି ସେଇ ଦୁଇ କପ୍‌ କଫି’ ଶୀର୍ଷକ ଏକ ଗଳ୍ପ ସଂକଳନ ମୋର ପ୍ରକାଶିତ ହୋଇସାରିଛି। ତା’ସହିତ ଏବେ ମୁଁ ‘ବୈଶିଷ୍ଟ୍ୟ’ ନାମକ ଏକ ତ୍ରୟିମାସିକ ପ୍ରସଙ୍ଗ ଭିତ୍ତିକ ପତ୍ରିକାର ମୁଖ୍ୟ ସମ୍ପାଦନା ଦାୟିତ୍ୱ ମଧ୍ୟ ତୁଲାଉଅଛି। ଏବେ ଆଉ ଚାକିରି କରୁନି, ପରିବାର କଥା ବୁଝିବା ସହ ଲେଖାଲେଖିରେ ହିଁ ମୋର ସମୟ ବିତୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?