ସବୁରି ମୂଳରେ ‘ମୁଁ’

ଡ. ସୀତାକାନ୍ତ ତ୍ରିପାଠୀ

ଥରେ ଶ୍ରେଣୀ ଶିକ୍ଷକ ଜଣେ ଛାତ୍ରକୁ ଡାକି ଉପସ୍ଥିତ ଛାତ୍ର ସଂଖ୍ୟା ଗଣି ତାଙ୍କୁ ଜଣାଇବାକୁ କହିଲେ। ଛାତ୍ର ଜଣକ ମଧ୍ୟ ଆଗ୍ରହ ସହକାରେ ଗଣି ସାରିବା ପରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଶିକ୍ଷକଙ୍କୁ କହିଲା। କିନ୍ତୁ ଶିକ୍ଷକଙ୍କର ସନ୍ଦେହ ହେଲା କାରଣ ପ୍ରାର୍ଥନା ସଭା ସମୟରେ ଉପସ୍ଥିତ ପିଲା ସଂଖ୍ୟାଠାରୁ ତାହା ୧ କମ୍‌ ଥିଲା। ତେବେ ଶ୍ରେଣୀର ଉପସ୍ଥିତ ପିଲା ସଂଖ୍ୟା ଅଧିକ ହେବ ସିନା କମ୍‌ ହେବାର ତ କୌଣସି କାରଣ ନାହିଁ। ତା’ଛଡ଼ା ଯଦି କୌଣସି କାରଣରୁ ପିଲାଟିଏ ବିଦ୍ୟାଳୟ ବାହାରକୁ ଯିବ ତାଙ୍କୁ ତ ନିଶ୍ଚୟ ଜଣାଇବ। ସନ୍ଦେହ ମୋଚନ ପାଇଁ ନିଜେ ଆସି ଗଣିଲେ ଏବଂ ତାଙ୍କର ସନ୍ଦେହ ମଧ୍ୟ ଠିକ୍‌ ଥିଲା। ଶେଷରେ ଜଣାପଡ଼ିଲା ଉକ୍ତ ଛାତ୍ରଜଣକ ଗଣିବା ଅବସରରେ ନିଜକୁ ସେଥିରେ ସାମିଲ କରିବା ପାଇଁ ଭୁଲି ଯାଇଛି। ସତେ ଯେପରି ସିଏ ଉକ୍ତ ଶ୍ରେଣୀର ଛାତ୍ର ନୁହେଁ।
ଏହା ଏକ ଗଳ୍ପ / ଉଦାହରଣ ହୋଇପାରେ କିନ୍ତୁ ଆମେ ସମସ୍ତେ ଏପରି ଅବସ୍ଥା ଦେଇ ଗତି କରୁଛନ୍ତି। ଆମେ କେତେବେଳେ ନିଜର ଉପସ୍ଥିତିକୁ ଭୁଲିଯାଉଛନ୍ତି ତ ଆଉ କେତେବେଳେ ନିଜ ଉପସ୍ଥିତି ଜାହିର କରିବା ପାଇଁ ଅନେକ ତୁମ୍ବିତୋଫାନ ପରିସ୍ଥିତି ସୃଷ୍ଟି କରୁଛନ୍ତି। ‘ମୁଁ’ କୁ ନେଇ ମଣିଷର ଉଭୟ ସ୍ବାଭିମାନ ଓ ଅହଂକାର ଆସେ ଏବଂ ଏହି ଅହଂକାରକୁ ନେଇ ଯାବତୀୟ ପାରିବାରିକ, ସାମାଜିକ ଓ ରାଜନୈତିକ ବିଶୃଙ୍ଖଳା। ସମାଜର ରୀତି, ନୀତି, ନିୟମ ସବୁ ‘ମୁଁ’ ର ଶୃଙ୍ଖଳରେ ବନ୍ଧା। ଅନେକ ସମୟରେ ଦେଖାଯାଏ ଅଧିକାର ଜାହିର କରିବା ସମୟରେ ‘ମୁଁ’ ର ସ୍ବର ଯେମିତି ତେଜୀୟାନ ଓ ତୀକ୍ଷ୍ଣ ଥାଏ କର୍ତ୍ତବ୍ୟ ପାଳନ ବେଳକୁ ତାହା ସତେ ଯେପରି ନିଷ୍ପ୍ରଭ ହୋଇଆସେ।
ଯେଉଁମାନେ ‘ମୁଁ’ର ଚେତନାରୁ ଊର୍ଦ୍ଧ୍ୱକୁ ଯାଇଛନ୍ତି ସେମାନେ ଅମରତ୍ୱ ଲାଭ କରିଛନ୍ତି। ନିଜକୁ ତ୍ୟାଗ ଓ ତିତୀକ୍ଷାରେ ଅଭିମନ୍ତ୍ରିତ କରି ସମାଜରେ ପରମ ପୂଜ୍ୟ ହୋଇଛନ୍ତି। ରାଜା ପରିକ୍ଷିତ କ୍ଷଣିକ ଅହଂକାର ଓ କ୍ରୋଧର ବଶବର୍ତ୍ତୀ ହୋଇ ଋଷିଙ୍କ ଦେହରେ ମୃତ ସର୍ପ ପକାଇ ଦେବା ପରେ ଶାପଗ୍ରସ୍ତ ହୋଇଥିଲେ ଏବଂ ଉକ୍ତ ଶାପରୁ ମୁକ୍ତ ହେବା ପାଇଁ ତାକୁ ଅନେକ ବାଟ ବତାଇଥିବା ବେଳେ ତାଙ୍କର ଉତ୍ତର ଥିଲା ସମ୍ପୂର୍ଣ୍ଣ ଭିନ୍ନ; ‘ମୋତେ ପଛକେ ତକ୍ଷ ଖାଉ, ମୋ ବଂଶ ବ୍ରହ୍ମ ଶାପ ନୋହୁ’ ଅର୍ଥାତ୍‌ ମୁଁ ପଛେ ତକ୍ଷକ ଦଂଶନରେ ମରିଯାଏ କିନ୍ତୁ ମୋ ପାଇଁ ମୋର ବଂଶ ଅଭିଶପ୍ତ ନ ହେଉ। ଠିକ୍‌ ସେହିପରି ଆମ ସୀମାରେ ମୁତୟନ ଥିବା ବୀର ଯବାନମାନଙ୍କ ପାଖରେ ‘ମୁଁ’ ଓ ମୋର ପରିବାର ଭାବନା ଦେଶର ସୁରକ୍ଷା ଆଗରେ ତୁଚ୍ଛ। ନ ହେଲେ କ୍ଷଣିକ ମଧ୍ୟରେ ସମଗ୍ର ଦେଶର ପରିସ୍ଥିତି କ’ଣ ହେବ ତାହା ଆମ ସମସ୍ତଙ୍କୁ ଅନୁମେୟ।
‘ମଣିଷ ସ୍ବାଭିମାନକୁ ନେଇ ବଞ୍ଚେ ଆଉ ସ୍ବାଭିମାନକୁ ନେଇ ମରେ’ ନ୍ୟାୟରେ ବିଶ୍ୱ ବିଜୟୀ ଆଲେକ୍‌ଜାଣ୍ଡାରଙ୍କ ଠାରୁ ଯୁଦ୍ଧରେ ପରାଜିତ ହେବା ପରେ ମଧ୍ୟ ରାଜା ପୁରୁ ତାଙ୍କଠାରୁ ଜଣେ ରାଜାର ମର୍ଯ୍ୟାଦା ଓ ସମ୍ମାନ ଆଶା କରିଥିଲେ, ଯାହା ଇତିହାସରେ ଏକ ବିରଳ ଉଦାହରଣ। ‘ମୁଁ’ ଓ ‘ମୋର’ ଅହଂକାରକୁ ନେଇ ଅନେକ ବଂଶ, ରାଜ ପରିବାର ଧ୍ୱଂସପ୍ରାପ୍ତ ହୋଇଥିବାର ଅନେକ ଗଳ୍ପ ଓ କିମ୍ବଦନ୍ତୀ ରହିଛି। ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ସ୍ଥାପନା ପରେ ଚତୁର୍ଦ୍ଧା ମୂର୍ତ୍ତିକୁ ନୀଳକନ୍ଦରରେ ପ୍ରତିଷ୍ଠା କରି ସାରିବା ପରେ ତାଙ୍କୁ ଯେତେବେଳେ ବର ମାଗିବା ପାଇଁ କୁହାଯାଇଥିଲା ତାଙ୍କର ପ୍ରାର୍ଥନା ଥିଲା ସମ୍ପୂର୍ଣ୍ଣ ଭିନ୍ନ। ନିଜକୁ ନିର୍ବଂଶ କରିବା ପାଇଁ ସିଏ ଭଗବାନଙ୍କୁ ମାଗୁଣି କରିଥିଲେ। ତାଙ୍କର ଆଶଙ୍କା ଥିଲା ଯେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଉକ୍ତ ମନ୍ଦିରକୁ ତାଙ୍କ ବଂଶଜଙ୍କ କରାମତି କହି ଗର୍ବ କରିବାକୁ ହୁଏତ ଅବସର ମିଳିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ ସମସ୍ତେ ଚାହୁଁ ଆମର ପିଲା ଶ୍ରେଷ୍ଠ ହେଉ। ବଂଶ, ଖାନଦାନି ଓ ବୁନିୟାଦି ନାଁରେ ବିଭିନ୍ନ କ୍ଷେତ୍ରରେ ସମସ୍ତେ ନିଜ ନିଜର ଗାଦି ମାଡ଼ି ବସି ଉତ୍ତର ପିଢ଼ିକୁ ସେଥିରେ ବସାଇବାରେ ବ୍ୟସ୍ତ ଓ ସେଥିପାଇଁ ସମସ୍ତ ନୀତି, ନିୟମ, ଆଇନ କାନୁନକୁ ଜଳାଞ୍ଜଳି ଦେବାପାଇଁ ମଧ୍ୟ ସେମାନେ ପ୍ରସ୍ତୁତ। ଆଉ କଥାରେ କଥାରେ କୁହନ୍ତି ‘ଚାଟ ଘର ପିଲା ଚାଟ, ଭାଟ ଘର ପିଲା ଭାଟ’। କାହିଁକି, ଜଣେ ସାଧାରଣ ପିଲା ପାଖରେ କ’ଣ ପ୍ରତିଭା ନ ଥାଏ? ବରଂ ପୃଷ୍ଠପୋଷକତା ଅଭାବରୁ ବଣମଲ୍ଲୀଟି ବଣରେ ଫୁଟି ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ବଣରେ ଝଡ଼ିଯାଏ ସିନା ତା’ ବିଷୟରେ ଜନ ସମାଜ ପାଖରେ କୌଣସି ଖୋଜ ଖବର ନ ଥାଏ। ‘ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ’ ନ୍ୟାୟରେ ଯଦି ପ୍ରତି ମଣିଷ ମଧ୍ୟରେ ଥିବା ପ୍ରତିଭା ଖୋଜିବାର ପ୍ରୟାସ କରାଯାଇ ପାରନ୍ତା ତା’ହେଲେ ହୁଏତ ‘ମୁଁ’ର ପରିଭାଷା ବଦଳି ପାରନ୍ତା।
ଭଦ୍ରକ, ମୋ-୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri