ସରକାରୀ ଆବଣ୍ଟନ କେନ୍ଦ୍ର

ଅଞ୍ଜନ ଚାନ୍ଦ

ସ୍କୁଲ୍‌ରେ ନୂଆ ଗେଟ୍‌ ତିଆରି ହୋଇଛି। ରଙ୍ଗକାମ ସରିଛି, ନାମ ଲେଖାଯାଇନାହିଁ। ଦିନେ ସକାଳେ ଦେଖିବାବେଳକୁ କିଏ ଜଣେ ଦୁର୍ବୃତ୍ତ ବଡ଼ ବଡ଼ କଳା ଅକ୍ଷରରେ ଲେଖିଦେଇଛି-‘ସରକାରୀ ଆବଣ୍ଟନ କେନ୍ଦ୍ର।’ ତଳେ ଛୋଟ ଅକ୍ଷରରେ-‘ଏଠାରେ ପାଠକୁ ଛାଡ଼ି ଆଉସବୁ ବଣ୍ଟାଯାଏ।’ସେହି ବିଷୟକୁ ନେଇ ଆଜି ସବୁଠି ଚର୍ଚ୍ଚା ଏବଂ ଆଶ୍ଚର୍ଯ୍ୟ ଯେ, ରାତି ଅନ୍ଧାରରେ ଯେଉଁ ଅଜ୍ଞାତ ଲୋକଟି ଏହା ଲେଖିଛି ବୟସ୍କମାନେ ତାହାକୁ ଠିକ୍‌ ବୋଲି କହୁଛନ୍ତି। ଆମ ସମୟରେ ଗୁରୁ ସ୍କୁଲ୍‌ରେ ଶିକ୍ଷାଦାନ କରୁଥିଲେ, ଏବେ ମାଷ୍ଟରମାନେ ଅଣ୍ଡାଦାନ କରୁଛନ୍ତି।
ଆଜକୁ ପ୍ରାୟ ପଚିଶ ବର୍ଷ ତଳେ ସରକାରୀ ସ୍କୁଲ୍‌ଗୁଡ଼ିକ ପ୍ରତି ଜନସାଧାରଣଙ୍କ ଏପରି ହେୟଭାବ ନ ଥିଲା। ସେତେବେଳେ ସେହି ସ୍କୁଲ୍‌ରୁ ହିଁ ପ୍ରତିଭାବାନ୍‌ ବିଦ୍ୟାର୍ଥୀ ସୃଷ୍ଟି ହେଉଥିଲେ। ଅଭିଭାବକମାନେ ନିଜ ପିଲାମାନଙ୍କୁ ସେଠାରେ ପଢ଼ାଇବାକୁ ଆଗ୍ରହୀ ଥିଲେ। ଏପରିକି ସହରାଞ୍ଚଳ ପିଲାମାନେ ମଧ୍ୟ ଛାତ୍ରାବାସରେ ରହି ଗ୍ରାମାଞ୍ଚଳରେ ଥିବା ସରକାରୀ ସ୍କୁଲ୍‌ରେ ପାଠ ପଢ଼ୁଥିଲେ।
ନୂଆ ଶତାବ୍ଦୀର ଆରମ୍ଭବେଳକୁ ଦେଶର ଶିକ୍ଷାନୀତି ବଦଳିଲା। ସବୁ ପିଲାଙ୍କୁ ଶିକ୍ଷାଦେବାର ଉଦ୍ଦେଶ୍ୟ ରଖି ‘ସର୍ବଶିକ୍ଷା’ ନାମରେ ଯେଉଁ ଅଭିଯାନଟି ଆରମ୍ଭ ହେଲା, ସେହିଦିନରୁ ସ୍କୁଲ୍‌ଗୁଡ଼ିକ ଧୀରେ ଧୀରେ ସରକାରୀ ଆବଣ୍ଟନ କେନ୍ଦ୍ରରେ ପରିଣତ ହେଲା। ଗରିବ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ସ୍କୁଲ୍‌ ଅଭିମୁଖୀ କରାଇବା ପାଇଁ ଗୋଟିଏ ଗୋଟିଏ ଯୋଜନା ଏଥିରେ ଅନ୍ତର୍ଭୁକ୍ତ ହେଲା। ଚାଉଳଠାରୁ ଟଙ୍କା ପର୍ଯ୍ୟନ୍ତ ହରେକ୍‌ ରକମର ଜିନିଷ ଶିକ୍ଷକମାନେ ପିଲାମାନଙ୍କୁ ବାଣ୍ଟିଲେ। ଯାହା ବାଣ୍ଟିଲେ ତାହାର ଠିକ୍‌ ହିସାବ ଲେଖି ଉପର ଅଫିସ୍‌ରେ ଦାଖଲ କଲେ। ଏହି କାଗଜପତ୍ର କାମଗୁଡ଼ିକୁ ସେମାନଙ୍କଠାରୁ ଆଦାୟ କରିବା ପାଇଁ ଉପରୁ ଯେଉଁ ତାଗିଦା ଆସିଲା, ସେମାନେ ବୁଝିଲେ ଯେ ବରଂ କ୍ଲାସ୍‌ରେ ପାଠପଢ଼ା ନ ହେଲେ ଚଳିବ କିନ୍ତୁ ହିସାବ କାଗଜ ଠିକ୍‌ ସମୟରେ ଦାଖଲ ନ କଲେ ବିପଦ।
ଦୁଇ ଦଶନ୍ଧିରୁ ଅଧିକ ସମୟ ବିତିଯାଇଛି। ସର୍ବଶିକ୍ଷା ଏବେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ସହ ମିଶି ‘ସମଗ୍ରଶିକ୍ଷା’ରେ ପରିଣତ ହୋଇଛି। ବାରମ୍ବାର ସର୍ଭେ କରାଯାଇଛି ଏବଂ ଏହାର ସଫଳତା ଓ ବିଫଳତା ବାବଦରେ ଶିକ୍ଷିତ ତଥା ସଚେତନ ଜନସାଧାରଣ ବେଶ୍‌ ଜାଣିଛନ୍ତି। ସଂଖ୍ୟାରେ କିଛି ପରିମାଣରେ ଉନ୍ନତି ହୋଇଥିବା ବେଳେ ଗୁଣାମତ୍କ ମାନ ଏପରି ହ୍ରାସ ପାଇଛି ଯେ, ଓଡ଼ିଆ ଅକ୍ଷର ସମ୍ପୂର୍ଣ୍ଣ ଶିଖି ନ ଥିବା ପିଲା ମଧ୍ୟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବସିଯାଉଛି। ସେଥିପାଇଁ ତ ସରକାରୀ ସ୍କୁଲ୍‌ରୁ ବହୁ ସାହାଯ୍ୟ ସୁବିଧା ମିଳୁଥିବା ସତ୍ତ୍ୱେ ଅଭିଭାବକମାନେ ଭାବୁଛନ୍ତି ମୋର ଯଦି ସାମର୍ଥ୍ୟ ଓ ସୁଯୋଗ ଥାଆନ୍ତା ମୁଁ ବି ମୋ ପିଲାକୁ ପ୍ରାଇଭେଟ୍‌ ସ୍କୁଲ୍‌ରେ ପଢ଼ାଇଥା’ନ୍ତି।
ଖବରକାଗଜରୁ ପଢ଼ିବାକୁ ମିଳେ ସୁପ୍ରିମ୍‌କୋର୍ଟ ଅର୍ଡର ଦେଇଛନ୍ତି ଶିକ୍ଷକମାନେ ସ୍କୁଲ୍‌ରେ କେବଳ ଶିକ୍ଷାଦାନ କରିବେ। ଏହା ବ୍ୟତୀତ ସେମାନଙ୍କୁ ଅନ୍ୟ କୌଣସି କାମରେ ବାଧ୍ୟକରି ନିଯୁକ୍ତ କରାଯାଇପାରିବ ନାହିଁ। ଖବରଟି ପଢ଼ିବାବେଳେ ମନେହୁଏ, ଏହା କ’ଣ ଏଇ ଦେଶର କଥା। ଶିକ୍ଷକମାନେ ଭାବନ୍ତି, ଯେଉଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶଟି ଦେଇଛନ୍ତି ସତରେ କ’ଣ ମୁଁ ସେହି ଦେଶର ନାଗରିକ!
ଅତଳ ପଙ୍କରେ ପଡ଼ିଥିବା ଲୋକଟି ଉପରକୁ ଉଠିବାକୁ ଯେତେ ଉଦ୍ୟମ କରେ ସେତେ ତଳକୁ ସେ ବୁଡ଼ି ବୁଡ଼ି ଯାଏ। ବର୍ତ୍ତମାନ ସରକାରୀ ଶିକ୍ଷାର ଅବସ୍ଥା ଠିକ୍‌ ସେହିପରି। ପିଲାମାନଙ୍କର ଉନ୍ନତି ପାଇଁ ଚେଷ୍ଟା ଚାଲିଛି। ଚିଠି ପରେ ଚିଠି। ନିର୍ଦ୍ଦେଶ ପରେ ନିର୍ଦ୍ଦେଶ। ଶିକ୍ଷା ବିଭାଗର କାର୍ଯ୍ୟ ବହୁତ ବଢ଼ିଯାଇଛି। କାର୍ଯ୍ୟାଳୟ ଓ ଅଧିକାରୀଙ୍କ ସଂଖ୍ୟା ମଧ୍ୟ ତଦନୁଯାୟୀ ବଢ଼ିଛି। ତଥାପି କାମ ଏତେ ବଳେଇ ପଡ଼ୁଛି ଯେ, ସିଆର୍‌ସିସିମାନେ ମଧ୍ୟ ପାଠ ପଢ଼ାଇବା କାମକୁ ଭୁଲି ସାନ ଅଫିସର ଭାବରେ ସ୍କୁଲ୍‌ରୁ ସ୍କୁଲ୍‌କୁ ଘୂରି ବୁଲୁଛନ୍ତି। ଶିକ୍ଷକମାନେ କାଗଜକଲମ ଗାରେଇ ଦିନକୁ ଦିନ କିରାଣି ହୋଇଯାଉଛନ୍ତି।
କଥାରେ ଅଛି, ଅର୍ଥରେ ଅନର୍ଥ। ଲକ୍ଷ୍ମୀ ଓ ସରସ୍ବତୀଙ୍କ ବାସ ଏକତ୍ର ସମ୍ଭବ ନୁହେଁ। ଲକ୍ଷ୍ମୀ ପ୍ରବେଶ କଲେ ସରସ୍ବତୀ ସ୍ବତଃ ବିଦାୟ ନିଅନ୍ତି। ସରକାରୀ ସ୍କୁଲ୍‌ଗୁଡ଼ିକରେ ଏହାର ଉଦାହରଣ ଯଥେଷ୍ଟ। ବର୍ତ୍ତମାନ ସମୟରେ ଅର୍ଥରେ ଏମିତି ଯାଦୁ ରହିଛି ଯେ, ମଣିଷ ଭିତରେ ଭେଦଭାବ ନ ରଖି ସମସ୍ତଙ୍କ ମନରେ ତାହା ଲୋଭ ସୃଷ୍ଟି କରୁଛି। ଯେଉଁଠି ଲୋଭ, ସେଇଠି ପାପ। ଦୁର୍ନୀତି ଅଭିଯୋଗରେ ସ୍କୁଲ୍‌ ଭିତରକୁ ଗଣ୍ଡଗୋଳ ଓ ରାଜନୀତିର ଅନୁପ୍ରବେଶ ଘଟୁଛି। ତଥାପି ଏବେ ମଧ୍ୟ ବହୁ ଶିକ୍ଷକ ଅଛନ୍ତି, ଯେଉଁମାନେ ସ୍କୁଲ୍‌ରେ କେବଳ ପିଲାମାନଙ୍କୁ ପାଠ ପଢ଼ାଇବାକୁ ଚାହାନ୍ତି। ସେମାନଙ୍କର ଦକ୍ଷତା ଅନୁସାରେ କିପରି ସହଜରେ ଶିକ୍ଷାଦାନ କରିହେବ ସେ ଉପାୟ ନିଜେ ଚିନ୍ତା କରନ୍ତି। ପାଠପଢ଼ାରେ ଅମନଯୋଗୀ ପିଲାର ମନକୁ କ୍ଲାସ୍‌ରୁମ୍‌ ଭିତରକୁ ଫେରାଇ ଆଣିବାକୁ ଅନୁଶାସନ କରନ୍ତି। ପାଠପଢ଼ା ସରିବା ପରେ ତା’ ସହ ସ୍ନେହରେ ଦୁଇପଦ କଥା ହୁଅନ୍ତି। ପଢ଼ାଇବା ଆଗରୁ ନିଜେ ପଢ଼ନ୍ତି। ଶିକ୍ଷଣୀୟ ଗପ କୁହନ୍ତି। ଶିକ୍ଷା ସହିତ ଛାତ୍ରମାନଙ୍କର ଚରିତ୍ର ନିର୍ମାଣ କରନ୍ତି। ସର୍ବୋପରି ଶିକ୍ଷାଦାନ କାର୍ଯ୍ୟକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଥିବାରୁ ମନରେ ଗର୍ବ ଅନୁଭବ କରନ୍ତି।
କିନ୍ତୁ ବର୍ତ୍ତମାନ ଏହି ଶିକ୍ଷକୀୟ ଗୁଣଗୁଡ଼ିକର ବିଶେଷ କିଛି ଗୁରୁତ୍ୱ ନାହିଁ। ଜଣେ ଶିକ୍ଷକ ସପ୍ତାହରେ ଛଅଦିନ ସ୍କୁଲ୍‌ରେ ପାଠ ପଢ଼ାଇ ନ ଥାନ୍ତୁ କେହି କିଛି କହିବେ ନାହିଁ। ଯଦି ଦିନଟିଏ କୌଣସି ପିଲାକୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯାଇନାହିଁ ତା’ ପରଦିନ ଅଭିଭାବକ ସ୍କୁଲ୍‌କୁ ଆସି ଅଭିଯୋଗ କରିବେ।
ଶିକ୍ଷାନୀତିର ଅନୁଦିନ ପରିବର୍ତ୍ତନ ସହିତ ଶିକ୍ଷକମାନେ ବି ଏବେ କ୍ରମଶଃ ଯାନ୍ତ୍ରିକ ହେଉଛନ୍ତି ଏବଂ ସେମାନଙ୍କର ସ୍ବାଭାବିକ ସୃଜନ ଶକ୍ତି ହରାଇ ବସୁଛନ୍ତି। ଏ ସମୟରେ ଜ୍ଞାନ ଆହରଣଠାରୁ ପରୀକ୍ଷାରେ ଅଧିକ ଲବ୍ଧାଙ୍କ ପାଇବାର ପ୍ରବଳ ଇଚ୍ଛା ଛାତ୍ର ଓ ଅଭିଭାବକ ସମସ୍ତଙ୍କ ମନକୁ କବଳିତ କରିଛି। ଏ ଦୁଇଟି ବିଲକ୍ଷଣ ସମାଜ ପାଇଁ କଦାଚିତ୍‌ ଶୁଭଙ୍କର ନୁହେଁ।
ଶେଷକଥାରେ ଏତିକି କୁହାଯାଇପାରେ- ସରକାରୀ ସ୍କୁଲ୍‌ରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରମାନେ ସରକାରୀ ସାହାଯ୍ୟ ପାଆନ୍ତୁ, ଏଥିରେ କାହାର କିଛି ଆପତ୍ତି ନାହିଁ କିନ୍ତୁ ସାହାଯ୍ୟର ମାଧ୍ୟମ ଶିକ୍ଷାୟତନ କିମ୍ବା ଶିକ୍ଷକମାନେ ନ ହୁଅନ୍ତୁ। ସ୍କୁଲ୍‌ରୁ ତଥ୍ୟ ସଂଗ୍ରହ କରି ଅନ୍ୟ ସଂସ୍ଥା ମାଧ୍ୟମରେ ସାହାଯ୍ୟଗୁଡ଼ିକୁ ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଉ। ସ୍କୁଲ୍‌ରେ କେବଳ ପାଠପଢ଼ା ହେଉ ଏବଂ ଶିକ୍ଷକମାନେ କେବଳ ସେହି କାର୍ଯ୍ୟରେ ନିଯୁକ୍ତ ହୁଅନ୍ତୁ। ରାଜନୈତିକ ପ୍ରଭାବରୁ ମୁକ୍ତ ହୋଇ ସରକାରୀ ସ୍କୁଲ୍‌ ତଥା ସ୍କୁଲ୍‌ର ଶିକ୍ଷକମାନେ ସେମାନଙ୍କର ପୂର୍ବ ଗୌରବ ଫେରିପାଆନ୍ତୁ।
ବିକାଶ ନଗର,
ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ: ୬୩୭୦୬୬୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri