ଶହେ ଶିବଲିଙ୍ଗର ଗାଁ

ଭଦ୍ରକ ଅଫିସ, ୮।୯-ଷ୍ଟାଦଶ ଶତାବ୍ଦୀର ଭଗ୍ନାବଶେଷର ମୂକସାକ୍ଷୀ ନରେନ୍ଦ୍ରପୁର। ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ଏହି ଗ୍ରାମ ଶହେ ଶିବଲିଙ୍ଗର ଗାଁ ଭାବେ ପରିଚିତ। ବିଭିନ୍ନ ପୌରାଣିକ କୀର୍ତ୍ତିକୁ ନେଇ ସମୃଦ୍ଧ ନରେନ୍ଦ୍ରପୁର ୨୦୧୬ରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି ସତ, କିନ୍ତୁ ବିକାଶ କିଛି ହୋଇନାହିଁ।

ଗାଁ ମୁଣ୍ଡରେ ବିରାଜମାନ ମା’ ପାଟଣମଙ୍ଗଳା। ଏହି ମନ୍ଦିର ବେଶ୍‌ ପ୍ରସିଦ୍ଧ। ତେବେ ଏହି ଗାଁର ବିଶେଷତ୍ୱ ହେଉଛି ଏକାଧିକ ଶିବଲିଙ୍ଗର ଆବିର୍ଭାବ। ମାଟି ତଳୁ ଏସବୁ ଶିବଲିଙ୍ଗ ଆବିର୍ଭାବ ହେବା ସମ୍ପର୍କରେ କାହିଁ କେଉଁ କାଳରୁ ଜନଶ୍ରୁତି ରହିଛି। କିଏ କୌଣସି କାମ ପାଇଁ ମାଟି ଖୋଳୁ ଖୋଳୁ ତ କିଏ ହଳ କରିବା ସମୟରେ ଶିବଲିଙ୍ଗ ପାଇଥିଲେ। ଆଶ୍ଚର୍ଯ୍ୟର କଥା ପୂଜିତ ଶିବଲିଙ୍ଗ ପାଖରେ ପୁରାଣକାଳରୁ ଷଣ୍ଢ ବାହନ ଭାବେ ପୂଜା ପାଇ ଆସୁଥିବା ବେଳେ ଏହି ଗଁାରେ ଏକ ଶିବଲିଙ୍ଗ ନିକଟରେ ସିଂହମୂର୍ତ୍ତି ଥିବାର ଦେଖିବାକୁ ମିଳେ। ଶିବଙ୍କ ବାହନ ରୂପେ ସିଂହ ମଧ୍ୟ ସେତେବେଳେ ପୂଜା ପାଉଥିବା ନେଇ ଅନୁମାନ କରାଯାଉଛି। ମାଟିରୁ ଉଦ୍ଧାର କରାଯାଇଥିବା ଶିବଲିଙ୍ଗଗୁଡ଼ିକୁ ଗ୍ରାମବାସୀ ଶିବଙ୍କର ବିଭିନ୍ନ ନାମରେ ନାମିତ କରି ପୂଜାର୍ଚ୍ଚନା କରିଆସୁଛନ୍ତି। ସେଥିମଧ୍ୟରୁ ଗ୍ରାମ ସମ୍ମୁଖରେ ପାଣି ମହାଦେବ, ବଟେଶ୍ୱର ମହାଦେବ ଓ କପିଳେଶ୍ୱର ମହାଦେବ ପୂଜା ପାଉଥିବା ବେଳେ ବିଭିନ୍ନ ସ୍ଥାନରେ ବେଲେଶ୍ୱର, ବାଡ଼େଶ୍ୱର, ଭୂଟେଶ୍ୱର ଓ ତ୍ରିନାଥ ମହାଦେବଙ୍କ ଦର୍ଶନ ମିଳିଥାଏ। ଛତ୍ରପଦାର ଭୂଟେଶ୍ୱରଙ୍କ ଲିଙ୍ଗର ଉଚ୍ଚତା ପ୍ରାୟ ସାଢ଼େ ପାଞ୍ଚ ଫୁଟ ହେବ। ଏଭଳି ଉଚ୍ଚତାବିଶିଷ୍ଟ ଶିବଲିଙ୍ଗ ଓଡ଼ିଶାରେ ବିରଳ ବୋଲି କୁହାଯାଏ। ସେହିଭଳି କପିଳେଶ୍ୱରଙ୍କ ନିକଟରେ ସିଂହ ପୂଜା ପାଉଛନ୍ତି।
ନରେନ୍ଦ୍ର ନାମକ ଧନୀ ସୌଦାଗରଙ୍କର ଦୀର୍ଘଦିନ ଧରି କୌଣସି ସନ୍ତାନ ସନ୍ତତି ନ ହେବାରୁ ସେ ସାଧୁଙ୍କ ଶରଣାପନ୍ନ ହୋଇଥିଲେ। ସାଧୁ ତାଙ୍କୁ ଲକ୍ଷେ ଶିବ ପୂଜିଲେ ପୁତ୍ରପ୍ରାପ୍ତ ହେବେ ବୋଲି କହିଥିଲେ। ଏଣୁ ସେ ଲକ୍ଷେ ଶିବଲିଙ୍ଗ ପୂଜା କରିବାରୁ ତାଙ୍କର ମନସ୍କାମନା ପୂରଣ ହୋଇଥିଲା। ମିଳିଥିବା ଶିବଲିଙ୍ଗଗୁଡ଼ିକ ସେହିସବୁ ପୂଜିତ ଶିବଲିଙ୍ଗ ବୋଲି ଲୋକେ କହନ୍ତି। ଏପର୍ଯ୍ୟନ୍ତ ଗ୍ରାମବାସୀ ୧୦୦ ଶିବଲିଙ୍ଗ ଉଦ୍ଧାର କରି କିଛି ପୂଜା କରୁଛନ୍ତି। ଏହାବ୍ୟତୀତ ଗ୍ରାମର ଜଗନ୍ନାଥ ନାୟକଙ୍କ ପୋଖରୀରୁ ଏକ ଜାହାଜ ଲଙ୍ଗର ଏବଂ ଅନ୍ୟ ଏକ ସ୍ଥାନରୁ ପ୍ରାଚୀନ ବୌଦ୍ଧମୂର୍ତ୍ତି ସହ ପାଲି ଭାଷାରେ ଲିଖିତ ପଥରଖଣ୍ଡ ମିଳିଛି। ପ୍ରାଚୀନ କାଳ ସହ ଏହି ଗ୍ରାମର ସାମଞ୍ଜସ୍ୟ ରହିଥିବା ଏଥିରୁ ପ୍ରମାଣ ମିଳେ। ସେହିପରି ଗଁାରେ ରହିଛି ୧୨.୪୧ ଏକର ବିଶିଷ୍ଟ ଏକ ପୋଖରୀ। ଏହି ପୋଖରୀ ପଛରେ ମଧ୍ୟ ରହିଛି ଅନେକ କାହାଣୀ। ଗଁା ନିକଟରେ ଚନ୍ଦ୍ରକଳା, ଦରିଆପାଳ, ବାଣଚଆଡିହ, ଘାଟିଆସାହି ଏଭଳି ଅନେକ ରାଜରାଜୁଡ଼ା ଶାସନ କାଳର ନାମ ରହିଥିବାରୁ ଏହା ଅଷ୍ଟାଦଶ ଶତାବ୍ଦୀର ରାଜାଙ୍କ ଦ୍ୱାରା ନାମିତ ଶବ୍ଦ ହୋଇଥିବା ଗ୍ରାମର ପୁରୁଖାବ୍ୟକ୍ତି ପ୍ରେମାନନ୍ଦ ପଣ୍ଡା କହନ୍ତି। ଗଁା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଏଠାରେ ସେଭଳି କିଛି ଉନ୍ନତିମୂଳକ କାର୍ଯ୍ୟ କରାଯାଇ ନ ଥିବା ସେ କହିଛନ୍ତି।