ମାନବବାଦୀ ଅର୍ଥନୀତିଜ୍ଞ

ଭାରତବର୍ଷରେ ଅନେକ ମାତାପିତା ସେମାନଙ୍କ ଈପ୍ସିତ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇ ନ ଥିଲେ ତାହାକୁ ପିଲାଙ୍କ ଜରିଆରେ ଦେଖିବାକୁ ଚେଷ୍ଟା କରିଥାଆନ୍ତି। ଅନେକ ସମୟରେ ପିଲାର ପସନ୍ଦକୁ ଗୁରୁତ୍ୱ ଦେଇ ନ ଥାଆନ୍ତି। ଫଳରେ ଅଭିଭାବକ ଓ ପିଲାଙ୍କର କ୍ଷତି ହୋଇଥାଏ। ତେବେ ଏଠାରେ ଯେଉଁ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରାଯାଉଛି, ସେ ନିଜ ପସନ୍ଦକୁ ପରିବାର ଆଗରେ ଠିକ୍‌ ଭାବେ ଉପସ୍ଥାପନ କରିପାରିଥିବାରୁ ସଫଳ ହୋଇଛନ୍ତି। ପୁଅ ପଦାର୍ଥ ବିଜ୍ଞାନ ନେଇ ପଢ଼ୁ ବୋଲି ପିତା ଚାହୁଁଥିଲେ। କିନ୍ତୁ ପୁଅଙ୍କ ଇଚ୍ଛା ଥିଲା ଭିନ୍ନ। ଶେଷରେ ଅର୍ଥନୀତି ପ୍ରତି ଆଗ୍ରହକୁ ଦେଖି ପିତା ‘ହଁ’ ମାରିଥିଲେ। ସମୟ କ୍ରମେ ପୁଅ ସଫଳତାର ଶିଖର ଛୁଇଁ ଗୋଟିଏ ପରେ ଗୋଟିଏ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇ ନିଜ ପସନ୍ଦର ପାଠକୁ ନ୍ୟାୟ ଦେବାରେ ସକ୍ଷମ ହୋଇଛନ୍ତି। ଭବିଷ୍ୟତ ପିଢ଼ି ଆଗରେ ଏକ ଆଇକନ୍‌ ପାଲଟିଯାଇଥିବା ସେହି ବ୍ୟକ୍ତି ହେଉଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ କୌଶିକ ବସୁ। ତାଙ୍କୁ ଜର୍ମାନୀର ହମ୍‌ବୋଲ୍ଡ ରିସର୍ଚ୍ଚ ସମ୍ମାନ ମିଳିବା ପରେ ତାଙ୍କ କ୍ୟାରିୟର ଉପରେ ଆଲୋକପାତ କରିବା ଲାଗି ଏହା ଅବସର ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, ଜର୍ମାନୀଭିତ୍ତିକ ଆଲେକ୍‌ଜାଣ୍ଡର ଭନ୍‌ ହମ୍‌ବୋଲ୍ଡ ଫାଉଣ୍ଡେଶନ୍‌ ଦ୍ୱାରା ଏହି ପୁରସ୍କାର ପ୍ରତିବର୍ଷ ଦିଆଯାଇ ଆସୁଛି। ପୃଥିବୀର ୧୦୦ ଅର୍ଥନୀତିଜ୍ଞ ଓ ବୈଜ୍ଞାନିକଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଦିଆଯାଉଥିବା ପୁରସ୍କାର ବାବଦକୁ ୬୦,୦୦୦ ୟୁରୋ ଦେବାର ବ୍ୟବସ୍ଥା ରହିଛି। ଏଥିସହିତ ବିଜେତା ଜର୍ମାନୀର ଯେକୌଣସି ଗବେଷଣା ପ୍ରତିଷ୍ଠାନରେ ନିଜ ପସନ୍ଦର ଗବେଷଣା ପ୍ରକଳ୍ପ କରିବାର ସୁଯୋଗ ପାଇପାରିବେ। ପୂର୍ବରୁ ଆମେରିକୀୟ ଅର୍ଥନୀତିଜ୍ଞ ଫ୍ରାନ୍ସିସ୍‌ ଡାଏବୋଲ୍ଡ, ଫ୍ରାନ୍ସ ଅର୍ଥନୀତିଜ୍ଞ ଜେରାର୍ଡ ଡେବ୍ରୁ ଏବଂ ଆମେରିକୀୟ ଅର୍ଥନୀତିଜ୍ଞ ହାଲ୍‌ ଭରିନ୍‌ଙ୍କ ଭଳି ବ୍ୟକ୍ତି ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି।
କୌଶିକ ୯ ଜାନୁୟାରୀ ୧୯୫୨ରେ କଲିକତାରେ ଜନ୍ମଗ୍ରହଣ କରିଥିଲେ। ୧୯୬୯ରେ ସେଣ୍ଟ ଜାଭିୟର କଲେଜିଏଟ୍‌ ସ୍କୁଲରୁ ପଢ଼ା ଶେଷ କରିବା ପରେ ସେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ପିତାଙ୍କ ଆଗ୍ରହର ପଦାର୍ଥ ବିଜ୍ଞାନ ବିଷୟ ନ ରଖି ଅର୍ଥନୀତି ପଢ଼ିବା ଲାଗି ଦିଲ୍ଲୀର ସେଣ୍ଟ୍‌ ଷ୍ଟିଫେନ୍ସ କଲେଜରେ ନାମ ଲେଖାଇଥିଲେ। ତା’ପରେ ଲଣ୍ଡନ ସ୍କୁଲ ଅଫ୍‌ ଇକନମିକ୍ସରୁ ୧୯୭୪ରେ ଏମ୍‌ଏସ୍‌ସି ଡିଗ୍ରୀ ଅର୍ଜନ କରିଥିଲେ। ସେହି ସମୟରେ କୌଶିକ ପିତାଙ୍କ ଆଇନ ବ୍ୟବସାୟରେ ରହିବା ଲାଗି ଲଣ୍ଡନରେ ଆଇନ ପଢ଼ିବାକୁ ଚାହିଁଥିଲେ। ହେଲେ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ଙ୍କ କାର୍ଯ୍ୟ ଦେଖି ସେ ପ୍ରଭାବିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେନ୍‌ଙ୍କ ତତ୍ତ୍ୱାବଧାନରେ ସେ ଗବେଷଣା କରି ୟୁନିଭର୍ସିଟି ଅଫ୍‌ ଲଣ୍ଡନରୁ ପିଏଚ୍‌.ଡି ଡିଗ୍ରୀ ଅର୍ଜନ କରିଥିଲେ। ଫଳରେ ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିଠାରୁ ଆରମ୍ଭ କରି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, ଦି ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଆଡଭାନ୍ସଡ୍‌ ଷ୍ଟଡି ଇନ୍‌ ପ୍ରିନ୍ସଷ୍ଟନ୍‌ ଏବଂ ଲଣ୍ଡନ ସ୍କୁଲ ଅଫ୍‌ ଇକନମିକ୍ସରେ ଅଧ୍ୟାପନା କରିଥିଲେ। ପଢ଼େଇବା ଓ ଗବେଷଣାରେ ଦୀର୍ଘ ବର୍ଷର ଅଭିଜ୍ଞତା ତାଙ୍କୁ ଅନ୍ତର୍ଜାତୀୟ ନୀତି ନିର୍ଦ୍ଧାରଣ ସଂସ୍ଥା ଓ ସରକାରରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲା। ୨୦୦୯ରୁ ୨୦୧୨ ଯାଏ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା କୌଶିକଙ୍କୁ ୨୦୧୨ରୁ ୨୦୧୬ ଯାଏ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭଳି ପଦବୀ ମିଳିଥିଲା। ଆମେରିକାର କର୍ନେଲ ବିଶ୍ୱବିଦ୍ୟାଳୟ ଅର୍ଥନୀତିର ପ୍ରଫେସର ହେବା ସହ ପଞ୍ଜାବର ପ୍ଲଖ୍ୟା ବିଶ୍ୱବିଦ୍ୟାଳୟର ଏକାଡେମିକ୍‌ ଆଡଭାଇଜରି ବୋର୍ଡର ସେ ସଦସ୍ୟ ଅଛନ୍ତି। ଶିକ୍ଷାଦାନ ସହ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରିସର୍ଚ୍ଚ ଓ ପପୁଲାର ଜର୍ନାଲରେ ପ୍ରକାଶ ପାଉଥିବା ତାଙ୍କ ଲେଖା ଗବେଷକଙ୍କ ପାଇଁ ଉପାଦେୟ ସୂତ୍ର ଓ ତଥ୍ୟ ଯୋଗାଇ ଚାଲିଛି।
କୌଶିକଙ୍କ ଅର୍ଥନୈତିକ ଓ ରାଜନୈତିକ ମନ୍ତବ୍ୟକୁ ଏକୀଭୂତ କରି ତର୍ଜମା କରାଗଲେ ସେଥିରୁ ବହୁ ବିଷୟ ଶିଖିବାକୁ ମିଳିଥାଏ। ଅର୍ଥନୀତିରେ ଅଭିବୃଦ୍ଧି ଓ ବିକାଶ ଆଣିବାକୁ ହେଲେ ଉତ୍ତମ ନୈତିକ ଗୁଣାବଳୀର ଆବଶ୍ୟକତା ରହିଥାଏ ବୋଲି ସେ ଯୁକ୍ତି ଦର୍ଶାଇଥାଆନ୍ତି। ସାଧୁତା, ବିଶ୍ୱସନୀୟତା ଓ ସଚ୍ଚୋଟତା ମାଧ୍ୟମରେ ବ୍ୟକ୍ତିଗତ ବିକାଶ ଓ ସମାଜ ଭିତରେ ଉତ୍କର୍ଷ ଆଣି ହେବ ବୋଲି ସେ କହିଥାଆନ୍ତି। ଅର୍ଥନୀତିକୁ ସାମାଜିକ କ୍ଷେତ୍ରରେ ପ୍ରୟୋଗ କରି ସେ ଏହିଭଳି ଯେଉଁ ନୂତନ ମାନବବାଦୀ ତତ୍ତ୍ୱ ଦେଇଛନ୍ତି, ସର୍ବାଦୌ ଗ୍ରହଣୀୟ ହୋଇପାରିଛି। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ସହିତ ଜୀବନବ୍ୟାପୀ ଗବେଷଣା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ରେ ଭୂଷିତ କରାଯାଇଛି। କର୍ନେଲ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗର ପ୍ରଫେସର ତଥା ସହଧର୍ମିଣୀ ଆଲ୍‌କା ମାଲ୍‌ଓ୍ବାଡେ ବସୁ ଏବଂ ଦୁଇ ସନ୍ତାନ କର୍ଣ୍ଣ ଓ ଦୀକ୍ଷାଙ୍କୁ ନେଇ କୌଶିକଙ୍କ ସଂସାର।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?