Posted inଜାତୀୟ

ନଭଲଖାଙ୍କୁ ଗୃହବନ୍ଦୀ ଭୁଲ୍‌ ପରମ୍ପରା

ନୂଆଦିଲ୍ଲୀ,୩।୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଏଲ୍‌ଗାର ପରିଷଦ-ମାଓବାଦୀ ସମ୍ପର୍କ ମାମଲାରେ ୨୦୨୦ ଏପ୍ରିଲରେ ଗିରଫ ହୋଇ ଜେଲରେ ଥିବା ମାନବାଧିକାର କର୍ମୀ ଗୌତମ ନଭଲଖାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ମୁମ୍ବାଇର ଏକ ଲାଇବ୍ରେରିସ୍ଥିତ ରୁମ୍‌ରେ ରହିବାକୁ ଅନୁମତି ଦିଆଯାଇଥିଲା। ନଭଲଖା ନିଜ ଗୃହବନ୍ଦୀ ସ୍ଥାନ ନଭି ମୁମ୍ବାଇକୁ ପରିବର୍ତ୍ତନ କରିବା ପାଇଁ ନିକଟରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ୍‌ ଏମ୍‌.ଏମ୍‌. ସୁନ୍ଦରେଶ ଏବଂ ଜେ.ବି. ପାରଦିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ତାଙ୍କ ପିଟିଶନର ଶୁଣାଣି ବେଳେ କହିଛନ୍ତି, ନଭଲଖାଙ୍କୁ ଗୃହବନ୍ଦୀ କରି ରଖାଯିବା ‘ଭୁଲ୍‌ ପରମ୍ପରା’ ସୃଷ୍ଟି କରିପାରେ। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଓ ମାମଲା ଶୁଣାଣିର ସ୍ଥିତି ସମ୍ପର୍କରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଅଦାଲତଙ୍କୁ ଅବଗତ କରାଉ। ଏହି ମାମଲାରେ ପୂର୍ବରୁ ଏକ ବିସ୍ତୃତ ରାୟ ଦିଆଯାଇଛି, ଯାହାକୁ ନେଇ ଆମର ଆପତ୍ତି ରହିଛି। ମାମଲାର ଶୁଣାଣିଯୋଗ୍ୟତାକୁ ଗୁରୁତ୍ୱ ଦିଆ ନ ଯିବା ଦ୍ୱାରା ଏକ ଭୁଲ୍‌ ପରମ୍ପରା ସୃଷ୍ଟି ହୋଇପାରେ। ନଭଲଖାଙ୍କ ଆବେଦନରେ ୧୦୦ ପ୍ରତିଶତ ମେରିଟ୍‌ ଥାଇପାରେ। ଏହା ଉପରେ ଆମେ କିଛି କହୁନାହୁଁ। କିନ୍ତୁ ଏହାକୁ ସୁବିଧାଜନକ କରିବା ପାଇଁ ଏବଂ ଜଣେ ବ୍ୟକ୍ତିଙ୍କ ଲାଗି ଏପରି କରାଯିବା… ଠିକ୍‌ ହୋଇଥାଇପାରେ। ଆପଣ ୪ ସପ୍ତାହ ମଧ୍ୟରେ ଏକ ସତ୍ୟପାଠ ଦାଖଲ କରନ୍ତୁ, ଯହିଁରେ ଏହି ବ୍ୟକ୍ତିଙ୍କ ବର୍ତ୍ତମାନର ସ୍ବାସ୍ଥ୍ୟାବସ୍ଥା ଓ ଶୁଣାଣିର ସ୍ଥିତି ସମ୍ପର୍କରେ ଉଲ୍ଲେଖ କରିବେ ବୋଲି ଏନ୍‌ଆଇଏ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) ଏସ୍‌.ଭି. ରାଜୁଙ୍କୁ ଖଣ୍ଡପୀଠ ମୌଖିକ ଟିପ୍ପଣୀ ଦେଇଛନ୍ତି।
ଶୁଣାଣି ଆରମ୍ଭ ହେବା ମାତ୍ରେ ଖଣ୍ଡପୀଠଙ୍କୁ ରାଜୁ କହିଥିଲେ, ଜଣେ ବ୍ୟକ୍ତିଙ୍କୁ ଏକ ଅସାଧାରଣ ନିର୍ଦ୍ଦେଶନାମା ବଳରେ ଗୃହବନ୍ଦୀ ରଖିବା ନେଇ ସମ୍ଭବତଃ ଏହା ପ୍ରଥମ ରାୟ। ସେ ଅସୁସ୍ଥ ଥିବା ଦର୍ଶାଇ ବ୍ୟକ୍ତିଗତ ସ୍ବାଧୀନତାର ସୁବିଧା ହାସଲ କରିଛନ୍ତି। ତାଙ୍କ ସହ ଜଣେ ମହିଳା ରହିବେ ବୋଲି ସେ ପୂର୍ବରୁ କହିଥିଲେ। କିନ୍ତୁ ମହିଳା ଜଣକ ତାଙ୍କ ସହ ଅଧିକାଂଶ ସମୟରେ ରହୁନାହାନ୍ତି। ତେଣୁ ତାଙ୍କୁ ଗୃହବନ୍ଦୀ ରଖିବା ସମ୍ପର୍କିତ ରାୟ ଆବଶ୍ୟକ ନ ଥିଲା। ରାଜୁ ଆହୁରି କହିଥିଲେ, ନଭଲଖା ନିଜ ପୋଲିସ ସୁରକ୍ଷା ବାବଦକୁ ୧ କୋଟି ଟଙ୍କା ସରକାରଙ୍କୁ ପଇଠ କରିବାର ଅଛି। ଅନୂ୍ୟନ ୨୦ ଲକ୍ଷ ଟଙ୍କା ପଇଠ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଉ। ଅନ୍ୟପକ୍ଷେ ନଭଲଖାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ନିତ୍ୟା ରାମକ୍ରିଷ୍ଣନ୍‌ କହିଥିଲେ, ଆକ୍ଟିଭିଷ୍ଟ ଅସୁସ୍ଥ ଥିବା ବିଷୟ ଏନ୍‌ଆଇଏର ନିଜସ୍ବ ଡାକ୍ତରୀ ପରୀକ୍ଷାରୁ ସ୍ପଷ୍ଟ ହୋଇସାରିଛି। ସୁପ୍ରିମକୋର୍ଟ ଗତ ଏପ୍ରିଲରେ ଆକ୍ଟିଭିଷ୍ଟଙ୍କ ସ୍ଥାନ ପରିବର୍ତ୍ତନ ସମ୍ପର୍କିତ ଆବେଦନ ଉପରେ ଜବାବ ଦାଖଲ ପାଇଁ ଏନ୍‌ଆଇଏକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଆତଙ୍କବାଦ ନିରୋଧୀ ସଂଘୀୟ ସଂସ୍ଥା ଅଦ୍ୟାବଧି ନିଜ ଜବାବ ଦାଖଲ କରିନାହିଁ। ଖଣ୍ଡପୀଠ ୮ ସପ୍ତାହ ପାଇଁ ଶୁଣାଣି ସ୍ଥଗିତ ରଖିବାକୁ ସହମତି ପ୍ରକାଶ କରିଥିବାବେଳେ ବମ୍ବେ ହାଇକୋର୍ଟ ନଭଲଖାଙ୍କ ଜାମିନ ଆବେଦନର ବିଚାର କରୁଛନ୍ତି ବୋଲି ରାମକ୍ରିଷ୍ଣନ୍‌ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି।
ସୂଚନା ଥାଉ କି, ୨୦୨୨ ନଭେମ୍ବର ୧୦ରେ ସୁପ୍ରିମକୋର୍ଟ ସେତେବେଳେ ନଭି ମୁମ୍ବାଇର ତଲୋଜା ଜେଲରେ ଥିବା ନଭଲଖାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଗୃହବନ୍ଦୀ ରଖିବାକୁ ଅନୁମତି ଦେଇଥିଲେ। ଏଥିସହ ପୋଲିସ ସୁରକ୍ଷା ବାବଦକୁ ସରକାରଙ୍କ ନିକଟରେ ୨.୪ ଲକ୍ଷ ଟଙ୍କା ଜମା ଦେବାକୁ ନଭଲଖାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ଅଦାଲତ କହିଥିଲେ, ୨୦୨୦ ଏପ୍ରିଲ ୧୪ରୁ ହାଜତରେ ଥିବା ନଭଲଖାଙ୍କ ମେଡିକାଲ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିବାର କୌଣସି କାରଣ ନାହିଁ। ଭୀମା-କୋରେଗାଓଁ ମାମଲାକୁ ଛାଡ଼ିଦେଲେ ତାଙ୍କର କୌଣସି ଆପରାଧିକ ପୃଷ୍ଠଭୂମି ନାହିଁ। ଏପରି କି ଭାରତ ସରକାର ମଧ୍ୟ ମାଓବାଦୀଙ୍କ ସହ ଆଲୋଚନା ପାଇଁ ତାଙ୍କୁ ମଧ୍ୟସ୍ଥ ନିଯୁକ୍ତ କରିଥିଲେ। ତେଣୁ ସେ ୨.୪ ଲକ୍ଷ ଟଙ୍କା ସୁରକ୍ଷା ଖର୍ଚ୍ଚ ଜମାକଲେ ତାଙ୍କୁ ୨୪ ଘଣ୍ଟା ଭିତରେ ମୁମ୍ବାଇରେ ମାସକ ପାଇଁ ଗୃହବନ୍ଦୀ ରଖାଯାଉ ବୋଲି କହିଥିଲେ। ଏହା ପରେ ଅଦାଲତ ତାଙ୍କ ଗୃହବନ୍ଦୀ ଅବଧିକୁ ଅନେକ ଥର ବଢ଼ାଇସାରିଛନ୍ତି।

ଗୌତମ ନଭଲଖାଙ୍କ ପରିଚୟ

ମଧ୍ୟପ୍ରଦେଶର ଗ୍ବାଲିଅରରେ ଜନ୍ମିତ ଗୌତମ ନଭଲଖା ଏକାଧାରରେ ଜଣେ ଭାରତୀୟ ମାନବ ଅଧିକାର କର୍ମୀ, ସାମ୍ବାଦିକ ଓ ରାଜନୈତିକ ବନ୍ଦୀ। କଶ୍ମୀରରେ ସାମରିକ ଓ ସରକାରୀ ବର୍ବରତାର ଜଣେ ଦୃଢ଼ ସମାଲୋଚକ ଭାବେ ପରିଚିତ ଏହି ୭୦ ବର୍ଷୀୟ ବୁଦ୍ଧିଜୀବୀ ବାମପନ୍ଥୀ କଠୋରବାଦ ଉପରେ ଲେଖାଲେଖି କରନ୍ତି। ସେ ନୂଆଦିଲ୍ଲୀସ୍ଥିତ ପିପୁଲ୍ସ ୟୁନିୟନ ଫର୍‌ ଡେମୋକ୍ରାଟିକ୍‌ ରାଇଟ୍ସ (ପିୟୁଡିଆର୍‌) ସମ୍ପାଦକ ଦାୟିତ୍ୱ ତୁଲାଇଛନ୍ତି। ଏହାବାଦ୍‌ ନଭଲଖା ଦୀର୍ଘ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଇକୋନୋମିକ୍‌ ଆଣ୍ଡ୍‌ ପଲିଟିକାଲ୍‌ ଓ୍ବିକ୍‌ଲିର ଜଣେ ଏଡିଟୋରିଆଲ୍‌ କନ୍‌ସଲ୍ଟାଣ୍ଟ ଭାବେ କାର୍ଯ୍ୟ କରିଛନ୍ତି। ନୂଆଦିଲ୍ଲୀ ବାସିନ୍ଦା ନଭଲଖାଙ୍କ ପୁସ୍ତକ ‘ଡେଜ୍‌ ଆଣ୍ଡ୍‌ ନାଇଟ୍ସ ଇନ୍‌ ଦି ହାଟଲ୍ୟାଣ୍ଡ୍‌ ଅଫ୍‌ ରେବେଲିୟନ୍‌’ ବେଶ୍‌ ପାଠକୀୟ ଆଦୃତି ଲାଭ କରିଥିଲା।
ଇଣ୍ଟରନ୍ୟାଶନାଲ ପିପୁଲ୍ସ ଟ୍ରାଇବାଲ ଅନ୍‌ ହ୍ୟୁମାନ୍‌ ରାଇଟ୍ସ ଆଣ୍ଡ୍‌ ଜଷ୍ଟିସ୍‌ ଇନ୍‌ କଶ୍ମୀରର ସଂଯୋଜକ ମଧ୍ୟ ରହିଆସିଛନ୍ତି। କଶ୍ମୀରରୁ ସେନା ପ୍ରତ୍ୟାହାର ଉପରେ ଗଣଭୋଟ କରାଇବା ନେଇ ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଯୁକ୍ତିର ନଭଲଖା ଜଣେ ସମର୍ଥକ। ନିକଟ ଅତୀତରେ ସେ ଛତିଶଗଡ଼ର ମାଓବାଦୀ ପ୍ରଭାବିତ ଅଞ୍ଚଳ ଉପରେ ମନୋନିବେଶ କରିଥିଲେ। ବିରୋଧୀ ଓ ଆକ୍ଟିଭିଷ୍ଟମାନଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରାଇବା ପାଇଁ ସରକାରଙ୍କ ଦ୍ୱାରା ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ)ର ଦୁରୁପଯୋଗ କରାଯାଉଥିବାରୁ ସେ ଏହାର ନିନ୍ଦା କରିଥାଆନ୍ତି।
ନଭଲଖାଙ୍କୁ ଶ୍ରୀନଗର ଏୟାରପୋର୍ଟରେ ପ୍ରବେଶ ଅନୁମତି ଦିଆ ନ ଯିବାରୁ ସେ ବାଧ୍ୟହୋଇ ଦିଲ୍ଲୀ ଫେରିଥିଲେ। ଉପତ୍ୟକାରେ ତାଙ୍କ ଉପସ୍ଥିତି ଶାନ୍ତି ଓ ଆଇନଶୃଙ୍ଖଳା ଭଙ୍ଗ କରିପାରେ ବୋଲି ଜମ୍ମୁ-କଶ୍ମୀର ସରକାର ମନେକରି ସିଆର୍‌ପିସି ୧୪୪ ଧାରା ବଳରେ ପ୍ରବେଶ ଉପରେ କଟକଣା ଜାରି କରିଥିଲେ। ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ରାଜନୈତିକ ଦଳ, ଅଧିକାର ସଙ୍ଗଠନ ଓ ନାଗରିକ ସମାଜ ପକ୍ଷରୁ ବିରୋଧ କରାଯାଇଥିଲା।
ନଭଲଖା ସର୍ବାଧିକ ଚର୍ଚ୍ଚାକୁ ଆସିଥିଲେ ୨୦୧୮ର ଭୀମା-କୋରେଗାଓଁ ହିଂସା ପରେ। ଏଲ୍‌ଗାର ପରିଷଦ-ମାଓବାଦୀ ଲିଙ୍କ୍‌ ମାମଲାରେ ୨୦୨୦ ଏପ୍ରିଲ ୮ରେ ସୁପ୍ରିମକୋର୍ଟ ୟୁଏପିଏ ବଳରେ ନଭଲଖା ଓ ଆନନ୍ଦ ତେଲତୁମ୍ବଡେଙ୍କ ଅଗ୍ରିମ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏପ୍ରିଲ ୧୪ରେ ଉଭୟଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ନିକଟରେ ଆମତ୍ସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କାରଣ ଏହା ପୂର୍ବରୁ ନଭଲଖା ଓ ଗୁଲାମ ନବୀ ଫାଇ ସରକାରଙ୍କ ବିରୋଧରେ ବୁଦ୍ଧିଜୀବୀମାନଙ୍କୁ ଅନେକ ଥର ଏକତ୍ରିତ କରିଥିବା ଏନ୍‌ଆଇଏ ଚାର୍ଜଶିଟ୍‌ରେ ଦର୍ଶାଇଥିଲା। ପରେ ସୁପ୍ରିମକୋର୍ଟ ତାଙ୍କୁ ଗୃହବନ୍ଦୀ କରିବାକୁ ଅନୁମତି ଦେଇଥିଲେ। ଏହା ହେଉଛି ନଭଲଖାଙ୍କ ବିରୋଧରେ ପ୍ରଥମ ଆପରାଧିକ ମାମଲା।

ଏଲ୍‌ଗାର ପରିଷଦ ମାମଲା କ’ଣ

୨୦୧୭ ଡିସେମ୍ବର ୩୧ ମହାରାଷ୍ଟ୍ରର ପୁଣେ ନିକଟ ଶନିବାରଓ୍ବାଡାରେ ଭୀମା-କୋରେଗାଓଁ ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ପାଳନର ଅବ୍ୟବହିତ ପୂର୍ବରୁ ‘ଏଲ୍‌ଗାର ପରିଷଦ’ ନାମରେ ଏକ ସାନ୍ଧ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପ୍ରାୟ ୩୫,୦୦୦ ଲୋକ ସାମିଲ ହୋଇଥିଲେ। ଏହାର ଦିନକ ପରେ ଅର୍ଥାତ୍‌ ୨୦୧୮ ଜାନୁୟାରୀ ୧ରେ ଭୀମା-କୋରେଗାଓଁରେ ହିଂସା ଦେଖିବାକୁ ମିଳିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଥିଲେ। ନିଷିଦ୍ଧ ଘୋଷିତ ମାଓବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଆୟୋଜିତ ଏଲ୍‌ଗାର ପରିଷଦରେ ଯୋଗଦେଇଥିବା ବକ୍ତାମାନଙ୍କ ମନ୍ତବ୍ୟକୁ ପୋଲିସ ଏଫ୍‌ଆଇଆର୍‌ରେ ଦାୟୀ କରିଥିଲା। ଏହି ମାମଲାରେ ଗୌତମ ନଭଲଖାଙ୍କ ସମେତ କେତେଜଣ ହାଇପ୍ରୋଫାଇଲ ଆକ୍ଟିଭିଷ୍ଟ, କବି, ଲେଖକ ଓ ଆଇନଜୀବୀଙ୍କୁ ଗିରଫ କରାଯାଇଥିବାରୁ ଏହା ସର୍ବାଧିକ ଚର୍ଚ୍ଚିତ ହୋଇଥିଲା। ୟୁଏପିଏ ବଳରେ ଗିରଫ ହୋଇଥିବା ଅନ୍ୟ ୧୫ ଅଭିଯୁକ୍ତଙ୍କ ମଧ୍ୟରେ ସୁରେନ୍ଦ୍ର ଗାଡ୍‌ଲିଙ୍ଗ୍‌, ରୋନା ଓ୍ବିଲ୍‌ସନ, ମହେଶ ରାଉତ, ସୁଧୀର ଧଓ୍ବାଲେ, ଶୋମା ସେନ ଓ ଷ୍ଟାନ୍‌ ସ୍ବାମୀ ରହିଥିଲେ। ଅସୁସ୍ଥ ଥିବା ପାଦ୍ରୀ ତଥା ଆଦିବାସୀ ଅଧିକାର କର୍ମର ଷ୍ଟାନ୍‌ ସ୍ବାମୀ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଜେଲରେ ରହିବା ପରେ ମୁମ୍ବାଇର ହୋଲି ଫାମିଲି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri