Posted inଫୁରସତ

ହୋଟେଲ ମ୍ୟାନେଜ୍‌ମେଣ୍ଟ

କୋଭିଡ୍‌ ମହାମାରୀ ପରେ ସମଗ୍ର ପୃଥିବୀରେ ଅନେକ ପରିବର୍ତ୍ତନ ଆସିଛି। ଏହା ଜଣାଶୁଣା ଯେ, ସବୁ ଦେଶରେ ପର୍ଯ୍ୟଟନର ବିକାଶ ନିମନ୍ତେ ସରକାରଙ୍କର ବିପୁଳ ଆଗ୍ରହ ରହିଛି। ଏହି ଶିଳ୍ପ ସମ୍ଭବତଃ ଅନ୍ୟ ସବୁ ଶିଳ୍ପ ତୁଳନାରେ ସର୍ବାଧିକ ନିଯୁକ୍ତି ଯୋଗାଇଥାଏ। ଏବେ କୋଭିଡ୍‌ ପରେ ସାଧାରଣ ମଧ୍ୟବିତ୍ତ ପର୍ଯ୍ୟଟକ ମଧ୍ୟ ଭିଡ଼ ଜାଗାକୁ ଯିବାକୁ ପସନ୍ଦ କରୁନାହାନ୍ତି। ସେଥିପାଇଁ ଛୋଟ ହୋଟେଲ କିମ୍ବା ବୁଟିକ୍‌ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକର ଚାହିଦା ବୃଦ୍ଧିପାଇଛି। ପର୍ଯ୍ୟଟକ ତଥା ଅତିଥିମାନଙ୍କୁ ଆତିଥେୟତା ପ୍ରଦାନ କରିବା ହେଉଛି ହୋଟେଲ ଶିଳ୍ପର ଉଦ୍ଦେଶ୍ୟ। ଆଧୁନିକ ଯୁଗରେ ଏହାର ପରିସୀମା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ଯୁବପିଢ଼ିଙ୍କ ପାଇଁ ରୋଜଗାରର ଏକ ମାଧ୍ୟମ ପାଲଟିଛି। ହୋଟେଲରେ କାମ କରିବା ଅର୍ଥ କେବଳ ରୋଷେଇ ନୁହେଁ, ବରଂ ଫ୍ରଣ୍ଟ ଅଫିସ ବା ରିସେପ୍‌ସନିଷ୍ଟ, ହାଉସକିପିଂ, ସିକ୍ୟୁରିଟି, ବେକରି, ବାର୍‌, ରେଷ୍ଟୁରାଣ୍ଟ ଭଳି ଏଠାରେ ବିଭିନ୍ନ କାର୍ଯ୍ୟ ରହିଛି। କହିବାକୁ ଗଲେ ଏହା ଏକ କ୍ଷୁଦ୍ର ବିଶ୍ୱ। ଅଧିକାଂଶ ଯୁବପିଢ଼ି ଏବେ ଏହି କ୍ଷେତ୍ର ପ୍ରତି ଆଗ୍ରହ ଦେଖାଉଛନ୍ତି। କେବଳ ରାଜ୍ୟ ସ୍ତରରେ ନୁହେଁ ବରଂ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଯୁବପିଢ଼ି ହୋଟେଲ ଶିଳ୍ପରେ କାମକରି ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି। ଏହି ଶିଳ୍ପ ପ୍ରମାଣ କରୁଛି ଯେ ରୋଷେଇ ନାରୀମାନଙ୍କ ପରିବର୍ତ୍ତେ ପୁରୁଷଙ୍କ କାର୍ଯ୍ୟ ପରିସରରେ ଆସୁଛି। ସେହିପରି ଅତିଥିଙ୍କୁ ଖାଦ୍ୟ ପରଷିବାଠାରୁ ଆରମ୍ଭକରି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଝିଅମାନେ ମଧ୍ୟ ଆଗ୍ରହ ଦେଖାଉଛନ୍ତି। ତେଣୁ ଛାତ୍ରୀଛାତ୍ରଙ୍କୁ ହୋଟେଲ ଶିଳ୍ପରେ ଆଗକୁ ବଢ଼ିବାକୁ ପ୍ରେରଣା ଦେବା ସହ ବିଧିବଦ୍ଧ ତାଲିମ ପ୍ରଦାନ କରିବା ପାଇଁ ରାଜ୍ୟରେ ଅନେକ ହୋଟେଲ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ ଗଢ଼ି ଉଠିଛି। ଏଠାରେ ଓଡ଼ିଶା ସମେତ ବାହାର ରାଜ୍ୟରୁ ମଧ୍ୟ ଛାତ୍ରୀଛାତ୍ରମାନେ ପାଠ ପଢ଼ିବାକୁ ଆସୁଛନ୍ତି। ଭୁବନେଶ୍ୱରରେ ୨୫ରୁ ଅଧିକ ହୋଟେଲ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ରହିଥିବାବେଳେ ସେଥିମଧ୍ୟରୁ କିଛି ଇନ୍‌ଷ୍ଟିଚ୍ୟୁଟ୍‌କୁ ନେଇ ‘ଧରିତ୍ରୀ’ ପକ୍ଷରୁ ଏକ ଉପସ୍ଥାପନା।

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲୋଜି ଆଣ୍ଡ ଆପ୍ଳାଏଡ୍‌ ନ୍ୟୁଟ୍ରିଶନ (ଆଇଏଚ୍‌ଏମ୍‌)
ଭୁବନେଶ୍ୱରେ ଥିବା ହୋଟେଲ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ଗୁଡିକ ମଧ୍ୟରେ ଟପ୍‌ଟେନ୍‌ ତାଲିକାରେ ରହିଛି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲୋଜି ଆଣ୍ଡ ଆପ୍ଳାଏଡ୍‌ ନ୍ୟୁଟ୍ରିଶନ। ଭୁବନେଶ୍ୱରେ କୌଣସି ହୋଟେଲ ଅନୁଷ୍ଠାନ ଖୋଲି ନ ଥିବାବେଳେ ଏହା ପ୍ରଥମ ଅନୁଷ୍ଠାନ ଭାବେ ଗଢ଼ି ଉଠିଥିଲା। ୧୯୭୩ରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ସ୍ଥାପନ ହୋଇଥିଲା। ପ୍ରାରମ୍ଭରେ ଏହାର ନାମ ‘ଫୁଡ୍‌ କ୍ରାଫ୍ଟ ଇନ୍‌ଷ୍ଟିଚ୍ୟୁଟ’ ରହିଥିଲା। ତେବେ ୧୯୮୧ରେ ଏହାର ନାମ ବଦଳାଇ ‘ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ’ ଏବଂ ୧୯୮୪ରେ ପୁନର୍ବାର ନାମ ବଦଳାଯାଇ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ୍‌ ନ୍ୟୁଟ୍ରିଶନ’ ରଖାଯାଇଛି। ଭିଏସ୍‌ଏସ୍‌ନଗରଠାରେ ଅବସ୍ଥାପିତ ଏହି ଇନ୍‌ଷ୍ଟିଚ୍ୟୁଟ୍‌ ଏବେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ରହିଛି। ସରକାରୀ ଅନୁଷ୍ଠାନ ହୋଇଥିବାରୁ ହୋଟେଲ ମ୍ୟାନେଜମେଣ୍ଟ କରିବା ପାଇଁ ଛାତ୍ରୀଛାତ୍ରଙ୍କର ଏହା ପ୍ରଥମ ପସନ୍ଦ ପାଲଟିଥାଏ। ଏଠାରେ ପାଠ ପଢ଼ିବା ପାଇଁ ଛାତ୍ରୀଛାତ୍ରଙ୍କୁ ଜାତୀୟ ସ୍ତରରେ ଏଣ୍ଟ୍ରାନ୍ସ ଦେବାକୁ ପଡ଼ିଥାଏ। ମାଷ୍ଟର ଡିଗ୍ରୀ, ଡିପ୍ଲୋମା ଆଦି ବିଭିନ୍ନ କୋର୍ସ ରହିଛି। ଯୁକ୍ତ୨ ପାସ୍‌ କରିଥିବା (ଯେକୌଣସି ଷ୍ଟ୍ରିମ୍‌) ପିଲା ବିଏସ୍‌ସି (ବ୍ୟାଚେଲର ଅଫ୍‌ ସାଇନ୍ସ) ଇନ୍‌ ହସ୍ପିଟାଲିଟି ଆଣ୍ଡ ହୋଟେଲ ଆଡମିନିଷ୍ଟ୍ରେଶନ କୋର୍ସ କରିପାରିବେ। ଏହା ୩ ବର୍ଷିଆ କୋର୍ସ ହୋଇଥିବାବେଳେ ଏଥିପାଇଁ ୩ଲକ୍ଷ ୨୭ହଜାର ଟଙ୍କା ଫି ଦେବାକୁ ପଡ଼ିବ। ସେହିପରି ୨ବର୍ଷିଆ ଏମ୍‌ଏସ୍‌ସି (ମାଷ୍ଟର ଅଫ୍‌ ସାଇନ୍ସ) ଇନ୍‌ ହସ୍ପିଟାଲିଟି ଆଡ୍‌ମିନିଷ୍ଟ୍ରେଶନ କୋର୍ସ କରିବା ପାଇଁ ଜଣେ ପିଲାକୁ ୧ଲକ୍ଷ ୯୯ହଜାର ଟଙ୍କା ଫି’ ଦେବାକୁ ପଡ଼ିବ। ପିଜି ଡିପ୍ଲୋମା (୧୮ ମାସ) ପାଇଁ ଯୁକ୍ତ୨ ପାସ୍‌ କରିବା ସହିତ ୩୩ରୁ ୩୫ହଜାର ଟଙ୍କା ଦେୟ ଦେବାକୁ ପଡ଼ିବ। ଏହି ଅନୁଷ୍ଠାନକୁ ୯୦ ପ୍ରତିଶତ ପିଲା ବାହାର ରାଜ୍ୟରୁ ଆସନ୍ତି। ଓଡ଼ିଶା ସମେତ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଭଳି ପ୍ରାୟ ରାଜ୍ୟରୁ ପିଲା ଆସୁଛନ୍ତି। ତେବେ ଓଡ଼ିଶା ଅପେକ୍ଷା ବାହାର ରାଜ୍ୟରୁ ଆସିଥିବା ଛାତ୍ରୀଙ୍କ ସଂଖ୍ୟା ଅଧିକ ରହୁଛି। ଏଠାରେ ପୁଅ ଝିଅଙ୍କ ଅନୁପାତ ୫୦ ପ୍ରତିଶତ ରହିଛି। ଅନୁଷ୍ଠାନରେ ଥିଓରି ସହିତ ପ୍ରାକ୍ଟିକାଲକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ। ଏଠାରେ ସମସ୍ତ ଷ୍ଟାଫ୍‌ ଏବଂ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ରୋଷେଇ କରିଥାନ୍ତି। ଏହାଦ୍ୱାରା ସେମାନଙ୍କର ପ୍ରାକ୍ଟିକାଲ ହେବା ସହ ସମସ୍ତଙ୍କ ଖାଇବା ହୋଇଯାଏ। ଇନ୍‌ଷ୍ଟିଚ୍ୟୁଟ୍‌ରେ ଏବେ ମୋଟ୍‌ ୭ଶହ ଛାତ୍ରୀଛାତ୍ର ରହିଥିବାବେଳେ ଶିକ୍ଷକ ୧୬ ଜଣ ଏବଂ ଷ୍ଟାଫ୍‌ ପ୍ରାୟ ୧୦ଜଣ ରହିଛନ୍ତି।

ଆଇଏଚ୍‌ଏମ୍‌ର ବ୍ରାଣ୍ଡ ରହିଛି-ସାରଦା ଘୋଷ, ପ୍ରିନ୍ସିପାଲ, ଆଇଏଚ୍‌ଏମ୍‌
ଆସନ୍ତା ବର୍ଷ ଆଇଏଚ୍‌ଏମ୍‌ ୫୦ବର୍ଷରେ ପହଞ୍ଚତ୍ବ। ରାଜ୍ୟ ତଥା ରାଜ୍ୟ ବାହାରୁ ପିଲାମାନେ ଏଠାକୁ ଆସନ୍ତି। ଆଇଏଚ୍‌ଏମ୍‌ର ବ୍ରାଣ୍ଡ ରହିଛି। ସବୁ ବିଷୟକୁ ଏଠାରେ ସମାନ ଫୋକସ୍‌ ଦିଆଯାଉଛି। ତେବେ ଶର୍ଟଟର୍ମ କୋର୍ସରେ ଫୁଡ୍‌ ପ୍ରଡକ୍ସନ ବା ରୋଷେଇ ଏବଂ ବେକରିକୁ ଅଧିକ ଧ୍ୟାନ ଦିଆଯାଉଛି। ଅଣ୍ଡର ଗ୍ରାଜୁଏଶନ ଛାତ୍ରୀଛାତ୍ରମାନେ ରେଷ୍ଟୁରାଣ୍ଟ ମ୍ୟାନେଜମେଣ୍ଟ (ଖାଦ୍ୟ ପରଷିବା)କୁ ବେଶି ପସନ୍ଦ କରୁଛନ୍ତି। ସେହିପରି ମାଷ୍ଟର ଡିଗ୍ରୀ କରୁଥିବା ପିଲାମାନେ ଫୁଡ୍‌ ପ୍ରଡକ୍ସନକୁ ପସନ୍ଦ କରୁଥିବାବେଳେ ଅଧିକାଂଶ ପିଲା ରେଷ୍ଟୁରାଣ୍ଟ ମ୍ୟାନେଜମେଣ୍ଟ କରିବାକୁ ଇଚ୍ଛା କରୁଛନ୍ତି। ଛାତ୍ରୀଛାତ୍ରଙ୍କ ପ୍ଲେସ୍‌ମେଣ୍ଟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ଅଧିକାଂଶ ପିଲା ପାଠ ସରିବା ପରେ ନିଜର ଷ୍ଟାର୍ଟଅପ୍‌ କରିବାକୁ ପସନ୍ଦ କରୁଛନ୍ତି। ଏହାବାଦ୍‌ ତାଜ୍‌, ମ୍ୟାରିଅନ୍‌, ଓବରାଏ, ଫୁଡ୍‌ ରିଟେଲ କମ୍ପାନୀ ଯଥା ପିଜାହଟ୍‌, ଡୋମିନୋସ୍‌, ମେକ୍‌ଡୋନସ୍‌ ଭଳି ହୋଟେଲ ସହ ଆମର ଟାଏ ଅଫ୍‌ ଅଛି। ବହୁ ହୋଟେଲ ଆମକୁ ବ୍ୟକ୍ତିଗତ ଭାବେ ଫୋନ୍‌କରି ପିଲାଙ୍କୁ ଚାକିରି ଦେବାକୁ କୁହନ୍ତି। ଦେଶ ବାହାରେ ଦୁବାଇ, ଆମେରିକାରେ ମଧ୍ୟ ସେମାନଙ୍କ ପାଇଁ ଚାକିରି ସୁଯୋଗ ରହିଛି। ଟ୍ରେନିଂ ସମୟରେ ସେମାନଙ୍କୁ ଷ୍ଟାଇପେଣ୍ଟ ଦିଆଯାଉଛି। ଟ୍ରେନିଂ ପରେ ପ୍ରାରମ୍ଭିକ ଦରମା ୧୮ରୁ ୨୦ ହଜାର ଟଙ୍କା ରହୁଛି। ଛୋଟ ହୋଟେଲ, ଗେଷ୍ଟ ହାଉସ୍‌କୁ ଆମ ପିଲା ଯାଆନ୍ତି ନାହିଁ। ବରଂ ଗେଷ୍ଟ ହାଉସ୍‌ର କର୍ମଚାରୀଙ୍କୁ ଆମ ଫ୍ୟାକଲ୍ଟିମାନେ ଟ୍ରେନିଂ ଦିଅନ୍ତିି। ଇନ୍‌ଷ୍ଟିଚ୍ୟୁଟ୍‌ରୁ ବାହାରି ବହୁତ ପିଲା ଜାହାଜରେ ସେଫ୍‌ ଭାବେ କାମ କରୁଛନ୍ତି। ସେଲିବ୍ରିଟି ସେଫ୍‌ ହର୍‌ପାଲ ସିଂ ସୁଖି ଆଇଏଚ୍‌ଏମ୍‌ର ଛାତ୍ର। ତାଙ୍କ ସଫଳତା ଆମ ଇନ୍‌ଷ୍ଟିଚ୍ୟୁଟ୍‌ ଦକ୍ଷତାର ଏକ ଉଦାହରଣ।
-ସାରଦା ଘୋଷ, ପ୍ରିନ୍ସିପାଲ, ଆଇଏଚ୍‌ଏମ୍‌

ରଞ୍ଜିତା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ କ୍ୟାଟରିଂ ଟେକ୍ନୋଲୋଜି (ଆର୍‌ଆଇଏଚ୍‌ସି)
ଟପ୍‌ଟେନ୍‌ ତାଲିକାରେ ରହିଥିବା ଅନ୍ୟ ଏକ ଅନୁଷ୍ଠାନ ହେଉଛି ରଞ୍ଜିତା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ କ୍ୟାଟରିଂ ଟେକ୍ନୋଲୋଜି (ଆର୍‌ଆଇଏଚ୍‌ସି)। ଜାଆଁଳା ଠାରେ ଅବସ୍ଥାପିତ ଏହି ଅନୁଷ୍ଠାନ ସି.ଭି. ରମଣ ବିଶ୍ୱବିଦ୍ୟାଳୟର ଏକ ଅଂଶ। ଏଠାରେ ଡିପ୍ଲୋମା, ଡିଗ୍ରୀ ସହ ଶର୍ଟଟର୍ମ ଭଳି ୮ ପ୍ରକାର କୋର୍ସ ରହିଛି। ବିଏସ୍‌ସି ଇନ୍‌ ହୋଟେଲ ଆଣ୍ଡ ହସ୍ପିଟାଲିଟି ଆଡ୍‌ମିନିଷ୍ଟ୍ରେଶନ କୋର୍ସ ଏବଂ ବିଏସ୍‌ସି ଇନ୍‌ କ୍ୟୁଲିନାରି ଆଣ୍ଡ ପେଷ୍ଟ୍ରି ଆର୍ଟସ କୋର୍ସ ପାଇଁ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ୨ ପାସ୍‌ ରହିଛି। ୩ବର୍ଷ ଅବଧିର ଏହି କୋର୍ସଗୁଡ଼ିକ ପାଇଁ ଜଣେ ପିଲାକୁ ୩ଲକ୍ଷ ୬୧ହଜାର ଟଙ୍କା ଫି’ ଦେବାକୁ ପଡ଼ିବ। ସେହିପରି ବିଏସ୍‌ସି ଇନ୍‌ ଏୟାରଲାଇନ୍ସ, ଟୁରିଜମ୍‌ ଆଣ୍ଡ ହସ୍ପିଟାଲିଟି (୩ବର୍ଷ) ପାଇଁ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ୨ ଥିବାବେଳେ ଏଥିପାଇଁ ୨ଲକ୍ଷ ୧୧ହଜାର ଟଙ୍କା ଦେବାକୁ ପଡ଼ିବ। ମାଷ୍ଟର୍ସ ପ୍ରୋଗ୍ରାମ ଅନ୍ତର୍ଗତ ଏମ୍‌ଏସ୍‌ସି ଇନ୍‌ ହୋଟେଲ ଆଡମିନିଷ୍ଟ୍ରେଶନ ଏବଂ ମାଷ୍ଟର ଇନ୍‌ ଟ୍ରାଭେଲ ମ୍ୟାନେଜମେଣ୍ଟ ଆଣ୍ଡ ଟୁରିଜମ୍‌ ମ୍ୟାନେଜମେଣ୍ଟ (ଏମ୍‌ଟିଟିଏମ୍‌) (୨ବର୍ଷ) ପାଇଁ ଗ୍ରାଜୁଏଶନ ଆବଶ୍ୟକ। ଏଥିପାଇଁ ୨ଲକ୍ଷ ୩ହଜାର ଟଙ୍କା ଫି’ ଦେବାକୁ ପଡ଼ିବ। ଅପରପକ୍ଷେ ଡକ୍ଟର୍ସ ପ୍ରୋଗ୍ରାମ ଅନ୍ତର୍ଗତ ପିଏଚ୍‌.ଡି. ଇନ୍‌ ଟୁରିଜମ୍‌ ଏବଂ ପିଏଚ୍‌.ଡି. ଇନ୍‌ ହୋଟେଲ ମ୍ୟାନେଜମେଣ୍ଟ କରିବା ପାଇଁ ଇଚ୍ଛୁକ ଛାତ୍ରୀଛାତ୍ରଙ୍କୁ ହୋଟେଲ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ କରିବାକୁ ପଡ଼ିବ। ଏହି କୋର୍ସର ଫି’ ୨ଲକ୍ଷ ଟଙ୍କା ରହିଥିବାବେଳେ ୩ରୁ ୭ ବର୍ଷର ଅବଧି ରହିଛି। ଏହାବ୍ୟତୀତ ଡିପ୍ଲୋମା ଇନ୍‌ ହୋଟେଲ ମ୍ୟାନେଜମେଣ୍ଟ (ସ୍ପେଶାଲାଇଜେଶନ କୁକିଂ/ ବେକିଂ) (୧୮ ମାସ) କରିବା ପାଇଁ ଯୁକ୍ତ ୨ ପାସ୍‌ କରିଥିବା ସହ ୫୦ ହଜାର ଟଙ୍କା ଫି’ ଦେବାକୁ ପଡ଼ିବ। ଛାତ୍ରୀଛାତ୍ରଙ୍କୁ ଥିଓରି ସହିତ ପ୍ରାକ୍ଟିକାଲ କରାଇବା ପାଇଁ ଅତ୍ୟାଧୁନିକ କିଚେନ୍‌ ଲାବ୍‌ ସହିତ ରେଷ୍ଟୁରାଣ୍ଟ, ବେକରି ଆଦି ରହିଛି। ଅନୁଷ୍ଠାନ ପକ୍ଷରୁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ସ୍ବରୂପ ‘ସଫଳ’ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ଅନାଥ ତଥା ଗରିବ ଝିଅଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢ଼ାଯାଉଛି। ଏହା ବ୍ୟତୀତ ସେମାନଙ୍କର ହଷ୍ଟେଲରେ ରହିବା, ଖାଇବା, ୟୁନିଫର୍ମ ମଧ୍ୟ ମାଗଣାରେ ଦିଆଯାଉଛି। ୨୫ଜଣ ଛାତ୍ରୀ ଏହି ଯୋଜନାରେ ପାଠ ପଢୁଛନ୍ତି। ଏବେ ଅନୁଷ୍ଠାନରେ ୫୦ରୁ ୬୦ ଜଣ ଛାତ୍ରୀଛାତ୍ର ଥିବାବେଳେ ଶିକ୍ଷକ ଏବଂ ଅନ୍ୟାନ୍ୟ ଷ୍ଟାଫ୍‌ ୧୨ଜଣ ରହିଛନ୍ତି। ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଭଳିି ବିଭିନ୍ନ ରାଜ୍ୟରୁ ପିଲା ଆସୁଛନ୍ତି। ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା କମ୍‌ ରହୁଛି।
ଶତ ପ୍ରତିଶତ ପ୍ଲେସ୍‌ମେଣ୍ଟ ଦିଆଯାଉଛି

ଅନୁଷ୍ଠାନରୁ ବାହାରିବା ପରେ ଜଣେ ପିଲା ଯେପରି ଭଲ ଚାକିରି ପାଇବ ବା ନିଜେ ସ୍ବାବଲମ୍ବୀ ହୋଇପାରିବ ସେ ନେଇ ଗୁରୁତ୍ୱ ଦିଆଯାଉଛି। ଏଠାରେ ଶତ ପ୍ରତିଶତ ପ୍ଲେସ୍‌ମେଣ୍ଟ ଦିଆଯାଉଛି। ବହୁ ବଡ଼ ବଡ଼ ହୋଟେଲ ସହିତ ଯୋଗାଯୋଗ ରହିଛି। ଏହା ବ୍ୟତୀତ ଅନେକ ନାମୀ ସଂସ୍ଥା ଏଠାକୁ ଆସି ପିଲାଙ୍କୁ ରିକ୍ରୁଟ କରୁଛନ୍ତି। ଭଲ ଛାତ୍ରୀଛାତ୍ର ପ୍ରାରମ୍ଭିକ ସମୟରେ ୧୭ରୁ ୨୨ହଜାର ଟଙ୍କା ପାଇଥାନ୍ତି। ୧୭ ହଜାର ଟଙ୍କା ତଳକୁ ଦରମା ଦେଉଥିବା ହୋଟେଲ ବା ଗେଷ୍ଟହାଉସ୍‌କୁ କ୍ୟାମ୍ପସ ଆଣିବାକୁ ଅନୁମତି ଦିଆଯାଏ ନାହିଁ। ଅଷ୍ଟ୍ରେଲିଆ, ଆମେରିକା, କାନାଡା, ନ୍ୟୁଜିଲାଣ୍ଡ, ଦୁବାଇ, କାତାର, ସିଙ୍ଗାପୁର, ଥାଇଲାଣ୍ଡ ଭଳି ବିଭିନ୍ନ ଦେଶରେ ପିଲାଙ୍କୁ ଚାକିରି ମିଳୁଛି। ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ପ୍ରାୟ ୨ହଜାର ଛାତ୍ରୀଛାତ୍ର ରହିଛନ୍ତି। ସେମାନଙ୍କ ବ୍ରେକ୍‌ଫାଷ୍ଟ ପାଇଁ ବ୍ରେଡ୍‌ଠାରୁ ଆରମ୍ଭ କରି ସିଙ୍ଗଡ଼ା, ଚକୋଲେଟ୍‌ ଆଦି ବିଭିନ୍ନ ଖାଦ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ। ଏହାଦ୍ୱାରା ସେମାନଙ୍କର ରୋଷେଇ ଦକ୍ଷତା ବୃଦ୍ଧି ପାଇଥାଏ।
-ଡ. ପି.ଆର୍‌. ସାଣ୍ଡିଲ୍ୟାନ୍‌, ପ୍ରିନ୍ସିପାଲ, ଆର୍‌ଆଇଏଚ୍‌ସି

ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ କ୍ୟାଟରିଂ (ସିଆଇଏଚ୍‌ଏମ୍‌ସି)
ହୋଟେଲ ମ୍ୟାନେଜମେଣ୍ଟର ଅନ୍ୟତମ ଅନୁଷ୍ଠାନ ଭାବେ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ କ୍ୟାଟରିଂ (ସିଆଇଏଚ୍‌ଏମ୍‌ସି) ବେଶ୍‌ ପରିଚିତ। ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ଏହି ଘରୋଇ ଅନୁଷ୍ଠାନର କାର୍ଯ୍ୟାଳୟ ଅବସ୍ଥାପିତ ଥିବାବେଳେ ଗୋଠପାଟଣାଠାରେ ନିୟମିତ କ୍ଲାସ୍‌ ହେଉଛି। ଏହି ଅନୁଷ୍ଠାନ ମାଷ୍ଟର ସେଫ୍‌ ବିଶ୍ୱଜିତ୍‌ ମହାରଥୀଙ୍କ ଭଳି ଅନେକ ସଫଳ ଛାତ୍ରୀଛାତ୍ର ସୃଷ୍ଟି କରିପାରିଛି। ଏଠାରେ ଫୁଡ୍‌ ପ୍ରଡକ୍ସନ, ଫୁଡ୍‌ ଆଣ୍ଡ ବେଭରେଜ୍‌, ଫ୍ରଣ୍ଟ ଅଫିସ ଏବଂ ହାଉସ୍‌କିପିଂ ସହ ଟୁରିଜମ୍‌ କୋର୍ସ ରହିଛି। ୧୯୯୪ରୁ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ରାଜ୍ୟ ସମେତ ସମଗ୍ର ଦେଶରେ ଥିବା ପଞ୍ଚତାରକା ଡିଲକ୍ସ ହୋଟେଲ ସହିତ ଯୋଗାଯୋଗରେ ରହିଛି। ସାଧାରଣ ବର୍ଗର ପିଲାମାନେ ନିର୍ଦ୍ଧାରିତ ଫି’ ଦେଉଥିବାବେଳେ ଏସ୍‌ସି/ଏସ୍‌ଟି ପିଲାମାନେ ମାଗଣାରେ ପାଠ ପଢୁଛନ୍ତି। ଏସ୍‌ସି ଏସ୍‌ଟି ବିଭାଗ ପକ୍ଷରୁ ସେମାନଙ୍କୁ ବର୍ଷକୁ ୫୧ ହଜାର ଟଙ୍କା ଷ୍ଟାଇପେଣ୍ଟ ପ୍ରଦାନ କରାଯାଉଛି। ହୋଟେଲ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ (୨ବର୍ଷ) କରିବା ପାଇଁ ଗ୍ରାଜୁଏଶନ କରିଥିବା ଆବଶ୍ୟକ, ଯାହାର ଫି’ ୧ଲକ୍ଷ ୧୦ହଜାର ଟଙ୍କା ରହିଛି। ସେହିଭଳି ବ୍ୟାଚେଲର ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ (ବିଏଚ୍‌ଏମ୍‌) (୪ବର୍ଷ) କରିବା ପାଇଁ ଯୁକ୍ତ ୨ ପାସ୍‌ ହେବା ସହ ୨ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଏହାବାଦ୍‌ ୧ ବର୍ଷିଆ ଶର୍ଟଟର୍ମ କୋର୍ସର ସୁବିଧା ରହିଛି। ଏଥିପାଇଁ ୪୧ହଜାର ଟଙ୍କା ଫି’ ଦେବାକୁ ପଡ଼ିବ। ଏଥିରେ ଫୁଡ୍‌ ପ୍ରଡକ୍ସନ, ଏଫ୍‌ ଆଣ୍ଡ ବି (ଫୁଡ୍‌ ଆଣ୍ଡ ବେଭରେଜ୍‌) ସର୍ଭିସ, ହାଉସ୍‌କିପିଂ ଏବଂ ଫ୍ରଣ୍ଟ ଅଫିସ ପାଠ ପଢ଼ାଯାଉଛି। ବର୍ତ୍ତମାନ ଅନୁଷ୍ଠାନରେ ପ୍ରାୟ ୩ଶହ ଛାତ୍ରୀଛାତ୍ର ଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଏବଂ ଅନ୍ୟାନ୍ୟ ଷ୍ଟାଫ୍‌ ରହିଛନ୍ତି। ଓଡ଼ିଶାର ବିଭିନ୍ନ ଜିଲା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆସାମ ଭଳି ରାଜ୍ୟରୁ ବେଶି ପିଲା ଆସୁଛନ୍ତି।

ପଞ୍ଚତାରକା ହୋଟେଲରେ ପିଲାଙ୍କୁ ଚାକିରି ମିଳୁଛି
ଅନୁଷ୍ଠାନରେ ସମସ୍ତ ବିଷୟକୁ ସମାନ ଗୁରୁତ୍ୱ ଦିଆଯାଉଛି। ତେବେ ୮୦ ପ୍ରତିଶତ ପିଲା ଫୁଡ୍‌ ପ୍ରଡକ୍ସନ ଏବଂ ଫୁଡ୍‌ ଆଣ୍ଡ ବେଭରେଜ୍‌ ସର୍ଭିସକୁ ବେଶି ପସନ୍ଦ କରୁଛନ୍ତି। ହାଉସ କିପିଂ ପ୍ରତି କମ୍‌ ପିଲା ଆଗ୍ରହୀ ହେଉଛନ୍ତି। ପଢ଼ା ସରିବା ପରେ ପିଲାମାନଙ୍କ ପ୍ଲେସ୍‌ମେଣ୍ଟ ପାଇଁ ଅଫ୍‌ କ୍ୟାମ୍ପସ ଓ ଅନ୍‌ କ୍ୟାମ୍ପସ କରାଯାଉଛି। ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ପୁଣେ, ଗୋଆ, ବାଙ୍ଗାଲୋର ଭଳି ବିଭିନ୍ନ ସ୍ଥାନର ପଞ୍ଚତାରକା ହୋଟେଲରେ ପିଲାଙ୍କୁ ଇଣ୍ଡଷ୍ଟ୍ରିଆଲ ଟେନିଂ ସହିତ ଚାକିରି ମିଳୁଛି। ଟ୍ରେନିଂ ସମୟରେ ପିଲାଙ୍କୁ ଷ୍ଟାଇପେଣ୍ଟ ସହିତ ରହିବା ଏବଂ ଖାଇବା ମାଗଣାରେ ଯୋଗାଇ ଦିଆଯାଏ। ଏହାବାଦ୍‌ ୧୦ଟି ଦେଶରେ ମଧ୍ୟ ପ୍ଲେସ୍‌ମେଣ୍ଟ ଦିଆଯାଉଛି। ହୋଟେଲ ଶିଳ୍ପରେ ପୁଅଙ୍କ ଅପେକ୍ଷା ଝିଅଙ୍କ ଅନୁପାତ କମ୍‌ ରହୁଛି। ପ୍ରାୟ ୨୫ଜଣରେ ୫ଜଣ ଝିଅ ପଢ଼ିବାକୁ ଆସୁଛନ୍ତି। ହୋଟେଲ ଇଣ୍ଡଷ୍ଟ୍ରିର ଚାକିରିକୁ ନେଇ ଅନେକଙ୍କ ମଧ୍ୟରେ ଭୁଲ୍‌ ଧାରଣା ରହିଛି। ତେଣୁ ସୁରକ୍ଷା ଏବଂ ସମ୍ମାନ ଦୃଷ୍ଟିରୁ ଝିଅମାନେ ଏ କ୍ଷେତ୍ରକୁ ଆସୁ ନ ଥିଲେ। ତେବେ ଏହି ଶିଳ୍ପରେ ରୋଜଗାର ଏବଂ ଉନ୍ନତି ଅଧିକ ରହିଛି ଜାଣିବା ପରେ ପୂର୍ବାପେକ୍ଷା ଝିଅଙ୍କ ସଂଖ୍ୟା ଧୀରେ ଧୀରେ ବଢୁଛି। ଏବେକାର ସମୟରେ ରୋଷେଇ କରି ଖାଇବା ପାଇଁ କାହା ପାଖରେ ସମୟ ନାହିଁ। ତେଣୁ ଅଧିକାଂଶ ଲୋକ ରେଷ୍ଟୁରାଣ୍ଟ ଉପରେ ନିର୍ଭର କରୁଛନ୍ତି। ଫଳରେ ହୋଟେଲ ଶିଳ୍ପର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।
-ପ୍ରଭାତ କୁମାର ରାଉତ, ଡାଇରେକ୍ଟର, ସିଆଇଏଚ୍‌ଏମ୍‌ସି

ସ୍ବସ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍‌ (ଏସ୍‌ଆଇଏମ୍‌ଏସ୍‌ଏସ୍‌) ହୋଟେଲ ଶିଳ୍ପରେ ସ୍ବସ୍ତିର ଚାହିଦା ଅଧିକ ରହିଛି। ତେଣୁ ଛାତ୍ରୀଛାତ୍ରଙ୍କୁ ହୋଟେଲ ଶିଳ୍ପରେ ତାଲିମ ପ୍ରଦାନ କରିବାରେ ସ୍ବସ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍‌ (ଏସ୍‌ଆଇଏମ୍‌ଏସ୍‌ଏସ୍‌)ର ସୁନାମ ରହିଛି। ଜଟଣୀରେ ନିଜ କ୍ୟାମ୍ପସରେ ଅନୁଷ୍ଠାନ ରହିଛି। ଦଶମ, ଦ୍ୱାଦଶ ଏବଂ ସ୍ନାତକ କରିଥିବା (ଯେକୌଣସି ଷ୍ଟ୍ରିମ୍‌) ପିଲା ଏହି କୋର୍ସ କରିପାରିବେ। ଏପରିକି ବିଟେକ୍‌ ଏବଂ ଡିପ୍ଲୋମା କରିଥିବା ପିଲା ମଧ୍ୟ ଏଠାରେ ହୋଟେଲ ମ୍ୟାନେଜମେଣ୍ଟ କରୁଛନ୍ତି। ମାଷ୍ଟର ଡିଗ୍ରୀ କୋର୍ସ (୨ବର୍ଷ) ଅନ୍ତର୍ଗତ ମାଷ୍ଟର ଡିଗ୍ରୀ ଇନ୍‌ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିବା ପାଇଁ ସର୍ବନିମ୍ନ ଯୋଗ୍ୟତା ଗ୍ରାଜୁଏଶନ୍‌ ରହିଛି। ଏହାର କୋର୍ସ ଫି’ ୧ଲକ୍ଷ ୩୫ହଜାର ଟଙ୍କା ରହିଛି। ସେହିପରି ମାଷ୍ଟର ଡିଗ୍ରୀ ଇନ୍‌ ଟ୍ରାଭେଲ ଆଣ୍ଡ ଟୁରିଜମ୍‌ ମ୍ୟାନେଜମେଣ୍ଟ ପାଇଁ ୧ଲକ୍ଷ ୧୫ ହଜାର ଟଙ୍କା ଫି’ ରହିଛି। ବ୍ୟାଚେଲର ଡିଗ୍ରୀ (୪ବର୍ଷ) ଅନ୍ତର୍ଗତ କୋର୍ସ ପାଇଁ ଯୁକ୍ତ ୨ପାସ୍‌ କରିଥିବା ଆବଶ୍ୟକ। ବ୍ୟାଚେଲର ଡିଗ୍ରୀ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ ପାଇଁ ୨ଲକ୍ଷ ୩୦ହଜାର ଏବଂ ବ୍ୟାଚେଲର ଡିଗ୍ରୀ ଅଫ୍‌ ଟ୍ରାଭେଲ ଆଣ୍ଡ ଟୁରିଜମ୍‌ ମ୍ୟାନେଜମେଣ୍ଟ ପାଇଁ ୨ଲକ୍ଷ ଟଙ୍କା ଫି’ ରହିଛି। ଏହାବାଦ୍‌ ଦଶମ ପାସ୍‌ କରିଥିବା ପିଲା ଡିପ୍ଲୋମା ଇନ୍‌ ହୋଟେଲ ମ୍ୟାନେଜମେଣ୍ଟ (୧୮ମାସ) କୋର୍ସ କରିପାରିବେ। ଏଥିପାଇଁ ସେମାନଙ୍କୁ ୬୦ହଜାର ଟଙ୍କା ଦେବାକୁ ପଡ଼ିବ। ଡିଜିଟାଲ କ୍ଲାସ୍‌ ରୁମ୍‌ ସହିତ ଅଭ୍ୟାସଭିତ୍ତିକ କ୍ଲାସ୍‌ରୁମ୍‌ ଏହି ଅନୁଷ୍ଠାନର ଅନ୍ୟ ଏକ ବିଶେଷ ଅଂଶ। ବର୍ତ୍ତମାନ ଏଠାରେ ୩ଶହ ଛାତ୍ରୀଛାତ୍ର ଥିବାବେଳେ ୪୦ଜଣ ଶିକ୍ଷକ ଏବଂ ଅନ୍ୟାନ୍ୟ ଷ୍ଟାଫ୍‌ ଅଛନ୍ତି। ସେହିପରି ପ୍ରାୟ ୪୦ ପ୍ରତିଶତ ଝିଅ ଥିବାବେଳେ ୬୦ ପ୍ରତିଶତ ପୁଅ ରହିଛନ୍ତି। ବିଶେଷକରି ଓଡ଼ିଶା ବାହାରୁ ଝାଡ଼ଖଣ୍ଡ, ରାୟପୁର, ଛତିଶଗଡ଼ ଭଳି ସ୍ଥାନରୁ ଅଧିକ ପିଲା ଆସୁଛନ୍ତି। ଅପରପକ୍ଷେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ପିଲାମାନେ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି। ଏହା ଏକ ଦକ୍ଷତା ବିକାଶ କୋର୍ସ ହୋଇଥିବାରୁ ଏଠାରେ ଚାକିରିର ପରିସୀମା ଅଧିକ। ତେଣୁ ଶତ ପ୍ରତିଶତ ପ୍ଲେସ୍‌ମେଣ୍ଟର ଗ୍ୟାରେଣ୍ଟି ରହୁଥିବା କଲେଜ ପକ୍ଷରୁ କୁହାଯାଇଛି। ଛାତ୍ରୀଛାତ୍ରଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରଥମେ କିଚେନ୍‌ ମ୍ୟାନେଜମେଣ୍ଟ ବା କୁକିଂ, ଦ୍ୱିତୀୟରେ ଫୁଡ୍‌ ଆଣ୍ଡ ବେଭରେଜ୍‌ ପ୍ରତି ଏଠାରେ ଗୁରୁତ୍ୱ ଦିଆଯାଉଛି।

ହୋଟେଲ ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଚାକିରିର ସୁବିଧା ରହିଛି
ହୋଟେଲ ମ୍ୟାନେଜମେଣ୍ଟ କରୁଥିବା ପିଲା ହୋଟେଲ ବ୍ୟତୀତ ଏୟାରଲାଇନ୍ସ, ବ୍ୟାଙ୍କିଙ୍ଗ୍‌, ରେଲଓ୍ବେ ଏପରିକି ଡିଫେନ୍ସ ଲାଇନରେ ମଧ୍ୟ ଚାକିରି କରିପାରୁଛନ୍ତି। ଡିଫେନ୍ସରେ ଏମାନଙ୍କୁ ଜୁନିୟର କମାଣ୍ଡାଣ୍ଟ ଭାବେ ନିଯୁକ୍ତି ମିଳିଥାଏ। ଏହାବାଦ୍‌ ପର୍ଯ୍ୟଟନ ବିଭାଗ, ବିଭିନ୍ନ ଇଭେଣ୍ଟ ମ୍ୟାନେଜମେଣ୍ଟରେ ମଧ୍ୟ କାମ କରିପାରିବେ। ଆମ କଲେଜ ପିଲା ବିଶେଷକରି ଜାହାଜ, ରେଷ୍ଟୁରାଣ୍ଟ ଚେନ୍‌, ଇଣ୍ଟରନ୍ୟାଶନାଲ ମଲ୍‌, ହେଲ୍‌ଥ ସ୍ପାରେ ବେଶି ଯାଉଛନ୍ତି। ପାଠ ସରିବା ପରେ ଜବ୍‌ ଟ୍ରେନି ଭାବେ ସେମାନଙ୍କୁ ୧୫ରୁ ୧୮ହଜାର ଟଙ୍କା ପ୍ରଦାନ କରାଯାଏ। ଏହାସହ ରହିବା ଏବଂ ଖାଇବା ମାଗଣା ଥାଏ। ୨ରୁ ୩ ବର୍ଷ ଅଭିଜ୍ଞତା ପରେ ପ୍ରାୟ ୪୦ହଜାର ପର୍ଯ୍ୟନ୍ତ ଦରମା ମିଳେ।
-ପ୍ରଫେସର ସୁଶାନ୍ତ କୁମାର ଜେନା, ପ୍ରିନ୍ସିପାଲ, ଏସ୍‌ଆଇଏମ୍‌ଏସ୍‌ଏସ୍‌

 


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri