କ୍ଷମତାର ଗାତ

ଗଣତନ୍ତ୍ରର ମୂଳଦୁଆ ମୁକ୍ତ ଓ ଅବାଧ ନିର୍ବାଚନ ଉପରେ ପର୍ଯ୍ୟବସିତ। କିନ୍ତୁ ୫ ବର୍ଷରେ ଥରେ ହେଉଥିବା ନିର୍ବାଚନରେ ଭୋଟ ଦେଇଦେବା ପରେ ନାଗରିକର ଦାୟିତ୍ୱ ଶେଷ ହୁଏ ନାହିଁ। ଦୁର୍ଭାଗ୍ୟର ବିଷୟ, ସାଧାରଣ ଭାରତୀୟ ଭୋଟଦାତା ଦିନଟିଏ ଭୋଟ ଦେଇ ଚିନ୍ତା କରେ ଯେ ଆସନ୍ତା ୫ ବର୍ଷ କାଳ ଜିତିଥିବା ପ୍ରାର୍ଥୀ ତାଙ୍କ ସେବାରେ ଲାଗିରହିବେ। ସେଥିପାଇଁ ଅଧିକାଂଶ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ଅବାଞ୍ଛିତ ଦାବି କରାଯାଇ ସେମାନଙ୍କୁ ଲୋକଲୋଚନରେ ଘୃଣିତ କରାଯିବାର ଉଦ୍ୟମ ହୋଇଥାଏ। ତେବେ ଏହିଭଳି ମନୋଭାବ ଯୋଗୁ ନିର୍ବାଚନ କମିଶନ (ଇସି)ଙ୍କ ଭୂମିକା ସର୍ବାଧିକ ଗୁରୁତ୍ୱ ବହନ କରିଥାଏ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୁଯାୟୀ କେନ୍ଦ୍ର ସରକାରଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦେଇ ଆସୁଛନ୍ତି। ତେବେ ୨ ମାର୍ଚ୍ଚରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇ କହିଛନ୍ତି, ନିର୍ବାଚନ କମିଶନ୍‌ର ଏହି ପଦବୀ ଲାଗି ଦେଶର ରାଷ୍ଟ୍ରପତି ଏକ କମିଟିର ସୁପାରିସ ଅନୁଯାୟୀ ନିଯୁକ୍ତି ଦେବେ। ପ୍ରଧାନମନ୍ତ୍ରୀ, ଲୋକ ସଭାର ବିରୋଧୀ ଦଳ ନେତା (ଯଦି ବିରୋଧୀ ଦଳ ନେତା ନ ଥାନ୍ତି, ତେବେ ଏକକ ସର୍ବବୃହତ୍‌ ବିରୋଧୀ ଦଳ ନେତା) ଏବଂ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ନେଇ ଉକ୍ତ କମିଟି ଗଠନ କରାଯିବ। ପୂର୍ବରୁ ଯେଉଁଭଳି ଭାବେ ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କ ସହଯୋଗୀମାନେ ନିଯୁକ୍ତି ପାଇଆସୁଥିଲେ, ସେଥିରେ ସ୍ବଚ୍ଛତା ରହୁ ନ ଥିବା ନେଇ ଅଭିଯୋଗ ହୋଇଥାଏ। କେନ୍ଦ୍ରରେ ଶାସନ କରୁଥିବା ସରକାରଙ୍କ ସୁପାରିସ ଆଧାରରେ ଏସବୁ ପଦବୀ ପୂରଣ ହେଉଥିବାରୁ ଏବେ ସୁପ୍ରିମକୋର୍ଟ ଯେଉଁ ରାୟ ଶୁଣାଇଛନ୍ତି, ତାହା ଦ୍ୱାରା ଇସି ନିରପେକ୍ଷ ହେବ ବୋଲି ଆଶା କରାଯାଉଛି। କାରଣ ସିଜେଆଇ ଓ ବିରୋଧୀ ଦଳ ନେତାଙ୍କ ସମ୍ପୃକ୍ତି ଯୋଗ୍ୟ ଓ ନିରପେକ୍ଷ ବ୍ୟକ୍ତିଙ୍କୁ ବାଛିବାରେ ସକ୍ଷମ ହେବେ ବୋଲି ନିଶ୍ଚିତତା ରହୁଛି। ଏହିଭଳି ପ୍ରୟୋଜନ ଭାରତରେ ବିଶେଷକରି ସାମ୍ପ୍ରତିକ ପରିସ୍ଥିତିରୁ ଉପୁଜିଥିବା ଭଳି ମନେହେଉଛି। ପ୍ରଥମେ ସର୍ବବୃହତ୍‌ (ଜନସଂଖ୍ୟାରେ) ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ଭାରତ ଏବେ ବିଶ୍ୱବ୍ୟାପୀ ଭାବମୂର୍ତ୍ତି ସଙ୍କଟରେ ପଡ଼ିଥିଲା ଭଳି ଜଣାପଡୁଛି। ଏହି ମନ୍ତବ୍ୟକୁ ବିରୋଧ କରୁଥିବା କେତେକ ଲୋକ କହିପାରନ୍ତି ଯେ ବିଦେଶୀଙ୍କ ମତ ଉପରେ ଆମ ଦେଶର ଭାଗ୍ୟ ନିର୍ଦ୍ଧାରିତ ହେବା ଉଚିତ ନୁହେଁ। ସେମାନଙ୍କ କଥାକୁ କାଟି ହେବ ନାହିଁ। ଅନ୍ୟପଟେ ବିଶ୍ୱର ଅନ୍ୟତମ ବୃହତ୍‌ ଅର୍ଥନୈତିକ ଶକ୍ତି ଭାବେ ଆବିର୍ଭାବ ହେବାକୁ ଇଚ୍ଛୁକ ଭାରତୀୟ ବ୍ୟବସ୍ଥାକୁ ତାହାର ବିଶ୍ୱ ଭାବମୂର୍ତ୍ତି ପ୍ରତି ବାଧ୍ୟବାଧକତାମୂଳକ ସଜାଗ ରହିବାକୁ ପଡ଼ିବ। ଦୁଇ ହାତରେ ତାଳି ବାଜେ। ପ୍ରଶଂସା ନେଲା ବେଳକୁ ଗୋରା ଲୋକ ଭଲ ଲାଗନ୍ତି, ନିନ୍ଦା ସହିବାକୁ ପଡ଼ିଲେ ସେହିମାନେ ଶତ୍ରୁ ବିବେଚିତ ହେଉଛନ୍ତି। ଏଭଳି କୂପମଣ୍ଡୁକ ନୀତି ଧରିବସିଲେ ବିଶ୍ୱଶକ୍ତି ହେବା ସମ୍ଭବପର ହେବ ନାହିଁ।
ଏବେ ନିର୍ବାଚନ କମିଶନ୍‌ର ମୁଖ୍ୟ ଓ ତାଙ୍କ ସହଯୋଗୀମାନଙ୍କ ନିଯୁକ୍ତି ସଂକ୍ରାନ୍ତ ସର୍ବୋଚ୍ଚ ଅଦାଲତଙ୍କ ରାୟ ଆସିବା ପରେ ସମାଜର କେତେକ ବର୍ଗ ଏହାକୁ ସ୍ବାଗତ କରିଛନ୍ତି। ତେବେ କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି), ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଏବଂ କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଭଳି ସାମ୍ବିଧାନିକ ଓ ବୈଧାନିକ ସଂସ୍ଥାରେ ହେଉଥିବା ମୁଖ୍ୟଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ସିଏଜି, ଆର୍‌ବିଆଇ ଗଭର୍ନର ଏବଂ ୟୁପିଏସ୍‌ସି ଅଧ୍ୟକ୍ଷ ଓ ଏହାର ସଦସ୍ୟମାନେ ସରକାରୀ ସୁପାରିସ ଅନୁଯାୟୀ ନିଯୁକ୍ତି ପାଇଥାଆନ୍ତି। ତେଣୁ ଏ ଦିଗରେ ତୁରନ୍ତ ସଂସ୍କାର ଅଣାଯିବାର ଆବଶ୍ୟକତା ରହିଛି। ଏଥିସହିତ ରାଜ୍ୟପାଳମାନେ ମଧ୍ୟ ସେହି ପଦ୍ଧତିରେ ବଛାଯିବା ଦରକାର। ଦେଖାଯାଉଛି ଅବସରପ୍ରାପ୍ତ ଅମଲାତନ୍ତ୍ରୀ ଓ ବିଚାରପତି, ଯେଉଁମାନେ ଚାକିରି କାଳରେ ନିର୍ଦ୍ଦିଷ୍ଟ ଦଳ ବା ସରକାରଙ୍କ ସ୍ବାର୍ଥ ରକ୍ଷା ଦିଗରେ କାର୍ଯ୍ୟ କରିଥାଆନ୍ତି ସେମାନଙ୍କୁ ରାଜ୍ୟପାଳ, ସିଏଜି, ରିଜର୍ଭ ବ୍ୟାଙ୍କ ଗଭର୍ନର ପଦବୀରେ ବସେଇ ଦିଆଯାଉଛି। ସେମାନେ ପାଦଚଟା ହେବା ପରିବର୍ତ୍ତେ ଭିନ୍ନ କିଛି ଭାବି ପାରୁନାହାନ୍ତି। ଏଠାରେ ମନେପଡ଼େ ୨୦୧୬ ନଭେମ୍ବର ୮ର ବିମୁଦ୍ରୀକରଣ ଘଟଣା, ଯେଉଁଥିରେ ଏକ ଏକ୍‌ଜିକ୍ୟୁଟିଭ୍‌ ନିଷ୍ପତ୍ତି ବଳରେ ଭାରତର ଅର୍ଥ ବ୍ୟବସ୍ଥାକୁ ଛାରଖାର କରିଦିଆଯାଇଥିଲା। ଆର୍‌ବିଆଇ ଭଳି ଏକ ସ୍ବାଧୀନ ଆର୍ଥିକ ସଂସ୍ଥାର କାର୍ଯ୍ୟଧାରା ସେହି ସମୟରେ ସମ୍ପୂର୍ଣ୍ଣ ସ୍ଥାଣୁ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ତତ୍କାଳୀନ ଗଭର୍ନର ତାଙ୍କ ପଦବୀ ତ୍ୟାଗ କରିଥିଲେ ମଧ୍ୟ ତାହା ଭାରତୀୟ ଅର୍ଥନୀତିକୁ କ୍ଷତି ପହଞ୍ଚାଇ ସାରିଥିଲା, ଯାହାର ପରିଣାମ ଦେଶ ଆଜି ମଧ୍ୟ ଭୋଗୁଛି। ଯେହେତୁ ଏହିସବୁ ସଂସ୍ଥାର ମୁଖ୍ୟ ଓ ସଦସ୍ୟମାନେ ସରକାରଙ୍କ ସୁପାରିସ ଅନୁଯାୟୀ ନିଯୁକ୍ତ ହୋଇଥାଆନ୍ତି, ସେହିମାନେ ସରକାରୀ ନିଷ୍ପତ୍ତିକୁ ପ୍ରଶ୍ନ କରିପାରି ନ ଥାନ୍ତି। ଲୌକିକ ଦୃଷ୍ଟିରୁ ଉକ୍ତ ପଦବୀଗୁଡ଼ିକ ସାମ୍ବିଧାନିକ ହୋଇଥିବାରୁ ସ୍ବାଧୀନ ବୋଲି ବିବେଚିତ ହୋଇଥାଆନ୍ତି। ହେଲେ ଏହି ଧାରଣା ସମ୍ପୂର୍ଣ୍ଣ ଭିତ୍ତିହୀନ।
ସିିଇସି ଓ ତାଙ୍କ ସହଯୋଗୀଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ କେତେକେ ଅଦାଲତି ଭୂମିକାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ସବୁ କ୍ଷେତ୍ରରେ କୋର୍ଟ ହସ୍ତକ୍ଷେପକୁ ନାପସନ୍ଦ କରାଯାଉଛି। ଦେଖିବାକୁ ଗଲେ ଅନେକାଂଶରେ କୋର୍ଟଙ୍କ ଦ୍ୱାରା ଦିଆଯାଉଥିବା ମତ ଦେଶର ମଙ୍ଗଳରେ ଆସୁଛି। ଅନ୍ୟପକ୍ଷରେ କୋର୍ଟରେ ପଡ଼ି ରହୁଥିବା ଅସଂଖ୍ୟ ମାମଲା ପାଇଁ କେବଳ ବ୍ୟବସ୍ଥାକୁ ଦୋଷ ଦେଲେ ହେବ ନାହିଁ। ଏହା ସମସ୍ତେ ଜାଣିଛନ୍ତି ଯେ, ବହୁ ମାମଲାକୁ ଗଡ଼େଇ ନେବାରେ ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତ ମହକିଲମାନେ ନିଜ ଓକିଲଙ୍କ ଉପରେ ଚାପ ପକାଇଥାଆନ୍ତି। ସମ୍ଭବତଃ ସେଥିପାଇଁ ଦେଶର ନିମ୍ନରୁ ଶୀର୍ଷ ଅଦାଲତଗୁଡ଼ିକରେ ବକେୟା ମାମଲା ସଂଖ୍ୟା ବଢ଼ିଚାଲିଛି। ୫ ବର୍ଷ ତଳେ କୁହାଯାଉଥିଲା ଦେଶର ସମସ୍ତ କୋର୍ଟରେ ୨ କୋଟିରୁ ଅଧିକ ମାମଲା ପଡ଼ି ରହିଥିଲା। ଏବେ ଦେଶର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି, ଦେଶର ବିଭିନ୍ନ କୋର୍ଟରେ ୪ କୋଟି ୯୦ ଲକ୍ଷ ମାମଲା ପଡ଼ିରହିଛି। ତୁରନ୍ତ ମାମଲାର ସମାଧାନ ନ ହେଲେ ସଂଖ୍ୟା ୫ କୋଟି ଅତିକ୍ରମ କରିଯିବ। ଏହି ପରିପ୍ରେକ୍ଷୀରେ କୁହାଯାଇପାରିବ ଯେ, ଅଦାଲତ ବ୍ୟତୀତ ଦେଶରେ ଆହୁରି ଅନେକ ସରକାରୀ ବ୍ୟବସ୍ଥା ରହିଛି, ଯେଉଁଥିରେ ନ୍ୟାୟ ମିଳିବାର ଭିନ୍ନ ଉପାୟ ମଧ୍ୟ ସୃଷ୍ଟି କରାଯାଇଛି। ଜମିଜମା ସଂକ୍ରାନ୍ତ ରାଜସ୍ବ ବିଭାଗ, ଆଇନ ଶୃଙ୍ଖଳା ପ୍ରତି ନିୟୋଜିତ ପୋଲିସ, ଆୟକର ବିଭାଗ, ଅବକାରୀ ଭଳି ଅନେକ ସରକାରୀ ସ୍ତର ରହିଛି, ଯେଉଁଠାରେ ସାଧାରଣ ନାଗରିକଙ୍କୁ ଯଥାସମ୍ଭବ ନ୍ୟାୟ ମିଳିପାରନ୍ତା। କିନ୍ତୁ ସେହିସବୁ ସଂସ୍ଥା ସମ୍ପୂର୍ଣ୍ଣ ଅପାରଗ ଓ ଦୁର୍ନୀତିଗ୍ରସ୍ତ ହୋଇପଡ଼ିଥିବାରୁ ନ୍ୟାୟ ଦେଇପାରୁନାହାନ୍ତି। କୌତୂହଳର ବିଷୟ ହେଉଛି ଯେ, ବିରୋଧୀ ଦଳରେ ଥିବା ବେଳେ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ରାଜନେତା ଯେତେବେଳେ କ୍ଷମତାରେ ବସନ୍ତି ସେତେବେଳେ ସେମାନେ ମଧ୍ୟ ସମାନ ପ୍ରକାର ଗାତରେ ପଡ଼ନ୍ତି। ବଡ଼କଥା କହିବା ସହଜ, ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସଚ୍ଚୋଟତାର ଅଭାବ ଏମାନଙ୍କ ମଧ୍ୟରେ ଦେଖାଦିଏ। ମୋଟାମୋଟି କହିଲେ ଅଦାଲତି ବ୍ୟବସ୍ଥାକୁ ସବୁଆଡ଼ୁ ସହଯୋଗ ନ ମିଳିଲେ ସମାଧାନ ପନ୍ଥା ବାହାରିବା କଷ୍ଟକର। କେବଳ ସମାଲୋଚନା ଦ୍ୱାରା ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri