Posted inଫୁରସତ

ସତ୍ୟର ଦର୍ପଣକୁ ରଖ ନିଜ ଆଡ଼କୁ

ଗୁରୁକୁଳରେ ପଠନରତ ଅନେକ ବ୍ରହ୍ମଚାରୀଙ୍କ ମଧ୍ୟରୁ ଜଣେ ବ୍ରହ୍ମଚାରୀଙ୍କ ସେବା ଓ ଭକ୍ତିରେ ଗୁରୁଦେବ ବହୁତ ପ୍ରସନ୍ନ ଥିଲେ l ଦିନ ଆସିଲା ଯେତେବେଳେ ବିଦ୍ୟା ଶିକ୍ଷା ଶେଷ ହୋଇଗଲା, ସେତେବେଳେ ସବୁ ବ୍ରହ୍ମଚାରୀ ନିଜ ନିଜ ଗୃହକୁ ଯିବା ପାଇଁ ପେଡି ପୁଟୁଳି ବାନ୍ଧିଲେ l ବିଦାୟ ଲଗ୍ନରେ ଗୁରୁଦେବ ଉକ୍ତ ସେବାକାରୀ ବ୍ରହ୍ମଚାରୀଙ୍କୁ ଗୋଟିଏ ଦର୍ପଣ ପ୍ରଦାନ କରି କହିଲେ – ଏ ଦର୍ପଣ ଦ୍ୱାରା ଗୋଟିଏ ବ୍ୟକ୍ତିର କେବଳ ଖରାପ ଗୁଣ ପ୍ରତିବିମ୍ବିତ ହୁଏ l ଏହାକୁ ପାଖରେ ରଖିଥିବ l ତୁମ ଜୀବନକୁ ଠିକ୍‌ ବାଟରେ ନେବା ପାଇଁ ଏ ଦର୍ପଣଟି ବହୁତ କାମରେ ଲାଗିବ l

ଶିଷ୍ୟଟି ସେ ଦର୍ପଣ ପାଇ ବହୁତ ଖୁସି ହୋଇଗଲା l ଯାହା ମୁଣ୍ଡରେ ହାତ ରଖିବ ସେ ଧ୍ବଂସ ହୋଇଯିବ ବୋଲି ମହାଦେବଙ୍କଠାରୁ ବରପ୍ରାପ୍ତ ହେବା ପରେ ଭସ୍ମାସୁର ଯେମିତି ପ୍ରଥମେ ବରଦାତା ମହାଦେବଙ୍କ ମୁଣ୍ଡ ଉପରେ ହାତ ରଖିବା ପାଇଁ ଗୋଡ଼ାଇଲା, ଠିକ୍‌ ସେମିତି ଏ ଶିଷ୍ୟ ଜଣକ ପ୍ରାପ୍ତ ଦର୍ପଣକୁ ପ୍ରଥମେ ଗୁରୁଙ୍କ ଆଡ଼କୁ ଦେଖାଇଲା l ଦର୍ପଣରେ ଗୁରୁଙ୍କ ଭିତରେ ଥିବା କ୍ରୋଧ, ମୋହ, ଲୋଭ ଆଦି କିଛି ଦୁର୍ଗୁଣ ପ୍ରତିବିମ୍ବିତ ହେଲା। ଶିଷ୍ୟଟି ଏହା ଜାଣିବାରୁ ମନରେ ଗୁରୁଙ୍କ ପ୍ରତି ପୂର୍ବ ପରି ଭାବ ଭକ୍ତି ଆଉ ରହିଲା ନାହିଁ l

ତା’ପରେ ସେ ନିଜ ବାପା, ମାଙ୍କୁ ବି ଦର୍ପଣ ଦେଖାଇ ସେମାନଙ୍କ ଦୁର୍ଗୁଣଗୁଡିକୁ ଜାଣିଲା। ନିଜ ଚିହ୍ନା ପରିଚିତ ସବୁ ସାଙ୍ଗ ସାଥୀ, ସାହି ପଡ଼ିଶା ଆଦି ସମସ୍ତଙ୍କ ପାଖକୁ ଯାଇ ଉକ୍ତ ଦର୍ପଣକୁ ଦେଖାଇ ସେମାନଙ୍କ ଭିତରେ କି କି ବଦଗୁଣ ଅଛି, ସେଗୁଡିକୁ ଜାଣିବା ପାଇଁ ଚେଷ୍ଟା କଲା l ଫଳତଃ ଧୀରେ ଧୀରେ ତା’ ମନରେ ଥିବା ସମସ୍ତଙ୍କ ପାଇଁ ଭଲ ପାଇବା, ସ୍ନେହ ପ୍ରେମ ଆଦି ଗୁଣଗୁଡିକ କମି କମି ଗଲା l ମନରେ ସବୁବେଳେ ଅଶାନ୍ତି ଲାଗିରହିଲା l

ଦର୍ପଣକୁ ଗୁରୁଦେବଙ୍କୁ ଫେରାଇ ଦେବ ବୋଲି ନିଷ୍ପତ୍ତି ନେଇ ସେ ଶେଷରେ ଗୁରୁଦେବଙ୍କ ନିକଟରେ ପହଞ୍ଚତ୍ ସବୁକଥା କହିଲା l ଗୁରୁଦେବ କହିଲେ – ଏ ଦର୍ପଣଟିକୁ ତୁମକୁ ଦିଆଯାଇଥିଲା ଅନ୍ୟମାନଙ୍କର ନୁହେଁ, ତୁମ ନିଜର ଦୋଷ ତ୍ରୁଟି ଦେଖି ତାହାକୁ ସୁଧାରିବା ପାଇଁ l ଭଲ ମଣିଷଟିଏ ହେବାକୁ ହେଲେ ପ୍ରଥମେ ନିଜ ତ୍ରୁଟି ତଥା ନିଜ ଦୋଷ ଦୁର୍ବଳତାକୁ ପ୍ରଥମେ ସଂଶୋଧନ କରିବାକୁ ପଡ଼େ l ତୁମେ ଏ ଦର୍ପଣ ଦ୍ୱାରା ପ୍ରଥମେ ନିଜ ଦୋଷକୁ ଖୋଜିବାର ଥିଲା l ତୁମେ ପ୍ରଥମେ ନିଜ ଆଡ଼କୁ ନ ଦେଖାଇ ଅନ୍ୟ ଆଡ଼କୁ ଦର୍ପଣ ଦେଖାଇବାର ଦୁର୍ବୁଦ୍ଧି କାହିଁକି କଲ ବତ୍ସ! ଶିଷ୍ୟଟି ତଳକୁ ମୁହଁ ପୋତି ନିରୁତ୍ତର ରହିଲା l ନିଜ ଭୁଲ୍‌ ବୁଝି ବହୁ ମନସ୍ତାପ କରି ସେବେଠୁଁ କେବଳ ନିଜ ଦୋଷକୁ ଖୋଜିବାରେ ହିଁ ଲାଗିଲା l l

ପାଠକେ! ଉପରୋକ୍ତ ଶିଷ୍ୟ ପରି ଆମ ସମସ୍ତଙ୍କର ବି ଊଣା ଅଧିକେ ଏଇ ଗୁଣଟି ଅଛି – ଅନ୍ୟର ଦୋଷକୁ ଆଗେ ଦେଖିବା l କିନ୍ତୁ ମଣିଷ ନିଜ ଦୋଷ ତ୍ରୁଟି ଅପେକ୍ଷା ଅନ୍ୟର ତ୍ରୁଟିକୁ ଖୋଜିବା ପାଇଁ ଯେତିକି ଆଗଭର ହୁଏ ତା’ର ଉନ୍ନତିର ପଥ ଅବରୁଦ୍ଧର ସେତିକି ଗଭୀରକୁ ଚାଲିଯାଏ l ଏହାକୁ ମଣିଷ ଠିକ୍‌ ଭାବେ ନ ବୁଝି ଅନ୍ୟର ଭୁଲ୍‌ ଭଟକା ବାହାର କରିବାକୁ ଖାଲି ହମ ହମ ହେଉଥାଏ l ଠାକୁର କେଶ ପରମହଂସ ଭଲ ବାଣୀଟିଏ ପ୍ରଦାନ କରି କହିଛନ୍ତି – ସଦାଚାରକୁ ଅଣଦେଖା କରି ଲୋକଦେଖାଣିଆ ଠାକୁର ଭକ୍ତି, ଧର୍ମ ପ୍ରୀତି, ଶାସ୍ତ୍ର ଅନୁରାଗ ଓ ଗୁରୁସେବା କଲେ କଦାପି ପ୍ରଭୁକୃପା ମିଳେନାହିଁ l

ଏ ସଦାଚାର ଆଉ କ’ଣ କି? ଲୋକଙ୍କୁ ଆଜ୍ଞା, ଆପଣ କହି ମାନ୍ୟତା ଦେବା ସଦାଚାର ହୋଇପାରେ ବା ନ ହୋଇ ପାରେ କିନ୍ତୁ ଅନ୍ୟର ନିନ୍ଦା କରିବା, କାହାର ଗୋଇ ଖୋଳିବା, କାହାକୁ ଖାଲରେ ପକାଇବା ପାଇଁ ଗୁପ୍ତ ଷଡ଼ଯନ୍ତ୍ର କରିବା, ଅନ୍ୟର ଅମଙ୍ଗଳ କାମନା କରିବା, ଉଚ୍ଚ ଅଧିକାରୀଙ୍କ ପାଖରେ କାହା ବିରୋଧରେ ନାନାଦି ଚୁଗୁଲି କରିବା – ଏସବୁ ଆଜ୍ଞା ଅତି ମାରାତ୍ମକ ଗୁଣ, ଯାହା ଏହି ମଣିଷ, ହଁ କେବଳ ମଣିଷ ପାଖରେ ହିଁ ଅଛି l ମଣିଷକୁ ବାଦ୍‌ ଦେଲେ ଅନ୍ୟ କେଉଁ ପଶୁ ପକ୍ଷୀ ବା ସଂସାରର କୋଉ ଜୀବଙ୍କ ପାଖରେ ଏ ଦୁର୍ଗୁଣଟି ନ ଥାଏ l

ଆଉ ଗୋଟିଏ କଥା ଭାବିଲେ ବି ଆଶ୍ଚର୍ଯ୍ୟ ହେବାକୁ ପଡ଼େ l ଯେଉଁ ମଣିଷମାନେ ଶାସ୍ତ୍ର ପୁରାଣ, ଧର୍ମ ଅଧର୍ମଠାରୁ ବହୁ ଦୂରରେ, ସେମାନେ ଯଦି ଏପରି ଚୁଗୁଲି କାମ କରିବସନ୍ତି ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ l କିନ୍ତୁ ଚିତା ଚଇତନ କାଟିଥିବା ମଣିଷଟିଏ, କଥା କଥାକେ ଗୀତା ଭାଗବତର ବାଣୀକୁ ଉଦାହରଣ ଦେଉଥିବା ବା ଧର୍ମ କଥା କହୁଥିବା ମଣିଷଟିଏ ଯେତେବେଳେ ଅନ୍ୟର ଦୁର୍ଗୁଣ ବଖାଣି ବସେ, ଚୁଗୁଲିକୁ ନିଜ ରୋଜଗାରର ମାଧ୍ୟମ କରିବସେ, ସେତେବେଳେ ମଣିଷର ଏହି ଦୟନୀୟ ସ୍ଥିତିକୁ ଦେଖି ଭାରି ଲଜ୍ଜା ଲାଗେ l ଧର୍ମକୁ ଆଖିଠାର ମାରୁଥିବା ଏଇ ମଣିଷମାନେ ସବୁଠି ଏବେ ହାଉ ଯାଉ ହେଉଛନ୍ତି lଆଉ କେତେଜଣ ଲୋକ ଅଛନ୍ତି ସେମାନଙ୍କ ଦ୍ୱାରା କେବେ ଭୁଲ୍‌ ହୁଏ ନାହିଁ ବୋଲି ସ୍ବପ୍ନରେ ସୁଦ୍ଧା ସେମାନେ ଭାବି ପାରନ୍ତି ନାହିଁ l

ମୁଁ ଯାହା କରୁଛି ଠିକ୍‌ ବୋଲି ଏକ ଭ୍ରମ ଭାବନାରେ ସେମାନେ ବାଟ ଚାଲି ଅନ୍ୟମାନେ କେବଳ ଭୁଲ୍‌ କରୁଛନ୍ତି ବୋଲି କହି ଚିତ୍କାର କରିବାରେ ଲାଗିଥାନ୍ତି l ଏମାନଙ୍କର ଅହଂକାର ଟିକେ ମୋଟା ବା କଠିନ ହୋଇଯାଇଥାଏ l ସେଥିପାଇଁ ସେମାନଙ୍କର ଏ ଅବସ୍ଥା ଥାଏ l ଐଶ୍ୱରିକ ସଡ଼କରେ ବାଟ ଚାଲୁଥିବା ଆଧ୍ୟାତ୍ମିକ ମଣିଷଟିଏ ହେଉ ବା ସାଧାରଣ ମଣିଷଟିଏ – କେହି ଅଯଥା ଦୋଷଦର୍ଶୀ ହୁଅନ୍ତୁ ନାହିଁ l

ଆଧ୍ୟାତ୍ମିକ ଉନ୍ନତିର ବାଟ ବନ୍ଦ ହୋଇଯିବ ଯେ! ତୁମ ଚାଲାଖିକୁ ଅନ୍ୟମାନେ ଧରି ପାରନ୍ତୁ କି ନ ପାରନ୍ତୁ, ତୁମ ଭିତରେ ଯେଉଁ ପରମାତ୍ମା ପରମ ପୁରୁଷ ଜଣକ ଅଛନ୍ତି, ତାଙ୍କ ଦୃଷ୍ଟି ଆଢୁଆଳରୁ ତୁମେ କ’ଣ ଦୂରେଇ ଯାଇ ପାରିବ? ମହାତ୍ମାମାନେ ଯଥାର୍ଥରେ କହିଛନ୍ତି ଅନ୍ୟର ନିନ୍ଦା କରିବା ଅର୍ଥ ତାଙ୍କ ରକ୍ତ ପୂଯ ଆଉ ବିଷ୍ଠାକୁ ଭକ୍ଷଣ କରିବା ସହ ସମାନ l ଅନ୍ୟକୁ ଗୋଟିଏ ଆଙ୍ଗୁଠି ଦେଖାଇବା ବେଳେ ଅବଶିଷ୍ଟ ଆଉ ଚାରୋଟି ଆଙ୍ଗୁଠି ଯେ ନିଜ ଆଡ଼କୁ ଥାଏ – ଏ ସୂତ୍ରକୁ ସଦା ମନେରଖିଲେ ଅନ୍ୟର କୁତ୍ସାରଟନା କରିବାକୁ ମନ ଆଉ ଦୌଡ଼ିବ ନାହିଁ l

-ପ୍ରିନ୍ସିପାଲ, ଆପେକ୍ସ ଆଇଟିଆଇ, ପତ୍ରକଣା, କସର୍ଦା, କଟକ
ମୋ: ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?