
ଭୁବନେଶ୍ୱର, ୩।୨: ଓଡ଼ିଶା ହକି ପ୍ରେମୀଙ୍କ ପାଇଁ ଭଲ ଖବର। କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଆସନ୍ତା ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଦର୍ଶକମାନେ ମାଗଣାରେ ସେମାନଙ୍କ ପ୍ରିୟ ହକି ତାରକାଙ୍କ ଆକ୍ସନକୁ ଉପଭୋଗ କରିପାରିବେ। ହକି ଇଣ୍ଡିଆ ପକ୍ଷରୁ ସୋମବାର ଏହା ଘୋଷଣା କରାଯାଇଛି।
କଳିଙ୍ଗରେ ଉଭୟ ମହିଳା ଓ ପୁରୁଷ ବିଭାଗରେ ଲିଗ୍ ଚଳିତ ମାସ ୧୫ରୁ ଆରମ୍ଭ ହୋଇ ୨୫ ପର୍ଯ୍ୟନ୍ତ ଚାଲିବ। ଷ୍ଟାଡିୟମରେ ଏକ ଫ୍ୟାନ-ଫ୍ରେଣ୍ଡଲୀ ପରିବେଶ ସୃଷ୍ଟି କରିବାକୁ ହକି ଇଣ୍ଡିଆ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଦର୍ଶକମାନେ www.ticketgenie.inରେ ନିଜ ସମ୍ପର୍କରେ ସବିଶେଷ ବିବରଣୀ ଦେଇ ଅତି ସହଜରେ ସହଜରେ ଭର୍ଚୁଆଲ ଟିକେଟ ହାସଲ କରିପାରିବେ। ଟିକେଟ ପାଇଁ କୌଣସି ଦାମ୍ ଦେବାକୁ ପଡ଼ୁ ନ ଥିବାରୁ ରିଡେମ୍ପଶନର ଆବଶ୍ୟକତା ନାହିଁ। ନିଜ ଭର୍ଚୁଆଲ ଟିକେଟ ଦେଖାଇ ଦର୍ଶକମାନେ ସହଜରେ ଷ୍ଟାଡିୟମରେ ପ୍ରବେଶ କରିପାରିବେ।
ଏଫ୍ଆଇଏଚ୍ ପ୍ରୋ ଲିଗ୍ର ଭୁବନେଶ୍ୱର ଚରଣରେ ଭାରତ ପୁରୁଷ ବର୍ଗରେ ଇଂଲଣ୍ଡ, ସ୍ପେନ, ଜର୍ମାନୀ, ଆୟର୍ଲାଣ୍ଡ ସହିତ ମୁକାବିଲା କରିବ। ସେହିପରି ଭାରତୀୟ ମହିଳା ଦଳ ଜର୍ମାନୀ, ଇଂଲଣ୍ଡ, ନେଦରଲାଣ୍ଡ୍ସ ଓ ସ୍ପେନ୍ ସହିତ ଖେଳିବ। ପ୍ରତ୍ୟେକ ଦଳ ପରସ୍ପରକୁ ୨ଟି ଲେଖାଏ ମ୍ୟାଚରେ ଭେଟିବେ। ୧୫ ତାରିଖରେ ଭାରତୀୟ ମହିଳା ଦଳ ଇଂଲଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ସେହିଦିନ ସ୍ପେନ୍ ବିପକ୍ଷରେ ଖେଳିବ ଭାରତୀୟ ପୁରୁଷ ଦଳ।