ହାଇକମାଣ୍ଡ ମାନସିକତା

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ୧୮ ସେପ୍ଟେମ୍ବରରେ ଇସ୍ତଫା ଦେବା ପରେ ସେଠାକାର କଂଗ୍ରେସ ଭିତରେ ଥିବା ଫାଟ ପଦାକୁ ସମ୍ପୂର୍ଣ୍ଣ ଦିଶିଛି। ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜୋତ୍‌ ସିଂ ସିଦ୍ଧୁଙ୍କ ସହ ମତଭେଦ ଯୋଗୁ ଅମରିନ୍ଦରଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। କ୍ୟାପ୍‌ଟେନ୍‌ ଦର୍ଶାଇଛନ୍ତି ଯେ, ସିନ୍ଧୁଙ୍କ ବନ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ସେଠାକାର ସେନା ମୁଖ୍ୟ ଜେନେରାଲ କମାର ଜାଭେଦ ବାଜ୍‌ଓ୍ବାଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି। ଭାରତର ମଙ୍ଗଳ ଦୃଷ୍ଟିରୁ ସିନ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ଅନୁଚିତ ବୋଲି ଅମରିନ୍ଦର କହିଥିଲେ। ଅନ୍ୟପକ୍ଷରେ ଇସ୍ତଫା ଦେବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଥିବା ସେ କହିଥିଲେ। କିନ୍ତୁ ସୋନିଆ ଏଥିପାଇଁ କେବଳ ଦୁଃଖପ୍ରକାଶ କରି ରହିଯାଇଥିଲେ। ୧୯ ସେପ୍ଟେମ୍ବରରେ କ୍ୟାପ୍‌ଟେନ୍‌ଙ୍କ ମନ୍ତ୍ରିମଣ୍ଡଳରେ ବୈଷୟିକ ଶିକ୍ଷା ଓ ଶିଳ୍ପ ପ୍ରଶିକ୍ଷଣ ମନ୍ତ୍ରୀ ଥିବା ଚରଣଜିତ୍‌ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ଚନ୍ନି ଦଳିତ ନେତା ଭାବେ ପରିଚିତ।
ପଞ୍ଜାବରେ ଅମରିନ୍ଦର ଓ ସିନ୍ଧୁଙ୍କ ମଧ୍ୟରେ ବିବାଦ ଦୀର୍ଘଦିନ ଧରି ଲାଗିଆସିଛି। ତେବେ ସିନ୍ଧୁଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି କରିଦିଆଯିବା ପରେ ଉଭୟଙ୍କ ମଧ୍ୟରେ ଅପଡ଼ ବଢ଼ିଯାଇଥିଲା। କଂଗ୍ରେସ ନେତୃତ୍ୱ ଏବେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଏହି ଦିଗକୁ ଅଧିକ ଧ୍ୟାନ ଦେବାର ଥିଲା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାରୁ ପଞ୍ଜାବ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି ହୋଇଯାଇଥିବା କୁହାଯାଉଛି। ଯଦି ଅମରିନ୍ଦରଙ୍କ ସମର୍ଥକମାନେ ଦଳ ବିରୋଧୀ ନିଷ୍ପତ୍ତି ନିଅନ୍ତି, ଆଗକୁ ସ୍ଥିତି ବିଗିଡ଼ିଯିବା ସ୍ବାଭାବିକ। ଏମିତି ଦେଖିଲେ ଦେଶରେ କଂଗ୍ରେସର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ପଞ୍ଜାବ ପରେ ରାଜସ୍ଥାନ ଓ ଛତିଶଗଡ଼ ଉପରେ ଏବେ ସମସ୍ତଙ୍କ ଲକ୍ଷ୍ୟ। ରାଜସ୍ଥାନରେ ଅଶୋକ ଗେହଲଟଙ୍କ ପାଇଁ ସଚିନ ପାଇଲଟ ବିପଦ ଭାବେ ଉଭା ହୋଇଥିଲେ। କିନ୍ତୁ ରାଜନୈତିକ ଗଣିତ ଭୁଲ ହୋଇଯିବାରୁ ସେ ଅଚଳ ହୋଇଗଲେ। ତେବେ ଅନ୍ୟ ଏକ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ଼ର ଉଦାହରଣ ଦେଖାଯାଇପାରେ। ସେଠାରେ ଭୂପେଶ ବାଘେଲ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ତ୍ରିଭୁବନେଶ୍ୱର ସରଣ ସିଂଦେଓ ରାଜ୍ୟ ନେତୃତ୍ୱ ବଦଳାଇବା ପାଇଁ ଏକାଧିକ ଅଭିଯୋଗ କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ କରିଛନ୍ତି। ତାଙ୍କ ପ୍ରସ୍ତାବ ରହିଛି ମୁଖ୍ୟମନ୍ତ୍ରୀ ସିଟ୍‌ ରୋଟେଶନ୍‌ ବା ପାଳିକରି କରାଯାଉ। ଏଥିରୁ ବୁଝିବାକୁ ହେବ ଯେ, କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ଦଳୀୟ କନ୍ଦଳ ପାର୍ଟିକୁ ଦୁର୍ବଳ କରିଦେଉଛି। ହାଇକମାଣ୍ଡଙ୍କ ନେତୃତ୍ୱର ଅଭାବ ଯୋଗୁ ଆଜି ଏହି ପୁରୁଣା ଜାତୀୟ ଦଳ ସମ୍ପୂର୍ଣ୍ଣ ସଙ୍କଟ ମଧ୍ୟକୁ ଠେଲି ହୋଇଯାଉଛି। ଯେତେବେଳେ ଦଳ ଭିତରେ ନେତାମାନଙ୍କ ମଧ୍ୟରେ ସମନ୍ବୟର ଅଭାବ ଦେଖାଦେବ ସେତେବେଳେ କର୍ମୀ ଓ ସମର୍ଥକମାନେ ହତୋତ୍ସାହିତ ହୋଇପଡ଼ିବେ। ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ କଂଗ୍ରେସ ନେତାମାନେ ଗାଦି ପାଇବା ପାଇଁ ପରସ୍ପର ମଧ୍ୟରେ ଯେଭଳି ଭିଡ଼ାଓଟରା ଚାଲିଛି, ତାହା ଦ୍ୱାରା ଦଳ ବିଶୃଙ୍ଖଳିତ ହୋଇପଡ଼ୁଛି। ପଞ୍ଜାବ ସମେତ କେତେକ ରାଜ୍ୟରେ ଆସନ୍ତା ୬ ମାସ ପରେ ବିଧାନସଭା ନିର୍ବାଚନ ଥିବାରୁ ପ୍ରତ୍ୟେକ ଦଳ ନିଜର ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଗତ ୬ ମାସ ମଧ୍ୟରେ ଭାରତୀୟ ଜନତା ପାର୍ଟି (ଭାଜପା) ୪ ଜଣ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ସାରିଲାଣି। ଉତ୍ତରାଖଣ୍ଡରେ ଦୁଇ ଥର ଓ କର୍ନାଟକ ପରେ ନିକଟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବିଜୟ ରୂପାନୀଙ୍କୁ ବଦଳାଯାଇ ତାଙ୍କ ସ୍ଥାନରେ ଭୂପେନ୍ଦ୍ର ପଟେଲଙ୍କୁ ଅବସ୍ଥାପିତ କରାଯାଇଛି। ଆଗାମୀ ନିର୍ବାଚନରେ ଭୋଟରଙ୍କ ଆଗରେ ନୂଆ ମୁହଁ ଦେଖାଇବା ଲକ୍ଷ୍ୟ ରଖି ଭାଜପା ଏପରି ରଣନୀତି ଆପଣାଉଛି। ହେଲେ କଂଗ୍ରେସ ନେତୃତ୍ୱ ନିଷ୍ପତ୍ତି ନେବାରେ ବିଳମ୍ବ କରିବା ଏବଂ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି କେନ୍ଦ୍ରୀୟ ସ୍ତରରେ ଏଭଳି କୌଣସି କଂଗ୍ରେସ ନେତା ନାହାନ୍ତି, ଯାହାଙ୍କ ମୁହଁ ଦେଖିଲେ ସାଧାରଣ ନାଗରିକ ତାଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଚାହିଁବେ। ସେଥିପାଇଁ କଂଗ୍ରେସ ଏବେ ନିଜ ରଣନୀତି ବଦଳାଇ ଆଞ୍ଚଳିକ ନେତୃତ୍ୱକୁ ଶକ୍ତିଶାଳୀ କରିବାରେ ଅଧିକ ଗୁରୁତ୍ୱ ଦେବା କଥା। ଏବକାର ଜନପ୍ରତିକ୍ରିୟା ଦେଖିଲେ ହୁଏତ ମୋଦିଙ୍କ ପରେ ଆଉ କୌଣସି ଦଳ ବା ନେତାଙ୍କୁ ବହୁମତ ଦେଇ ଜିତେଇବାର ଇଚ୍ଛା ରହି ନ ପାରେ। ପୁନର୍ବାର ଭାରତରେ ଆଞ୍ଚଳିକ ରାଜନୀତି ମୁଣ୍ଡ ଟେକିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ସତ୍ୟ ଯେ, କିଛି ସମୟ ହିନ୍ଦୁଧର୍ମ ନାମରେ ଓ ଆଉ କିଛି ସମୟ ଉଗ୍ରବାଦ ଓ ପାକିସ୍ତାନ ବିରୋଧୀ ମନୋଭାବ ସୃଷ୍ଟିକରି ଭାଜପା ବିପୁଳ ସଫଳତା ଦେଖିଲା। ଏବେ ମନେହେଉଛି ଯେ, ପେଟର ଜ୍ୱଳନ ଭାରତୀୟମାନଙ୍କୁ କେତେକାଂଶରେ ସଜାଗ କଲାଣି। ଜୀବନ ଓ ଜୀବିକା ସମ୍ପର୍କିତ ପ୍ରସଙ୍ଗ ଆଗାମୀ ଦିନଗୁଡ଼ିକରେ ଅଧିକ ଗୁରୁତ୍ୱ ଧାରଣ କରିପାରେ। କଂଗ୍ରେସ ଚରିତ୍ରରେ ଉପରୁ ଥୋପିବାର ଅଭ୍ୟାସ ପୂର୍ବରୁ ସଫଳ ହୋଇଥାଇପାରେ, ଏବେ ସେହି ପଦ୍ଧତି ଉଭୟ କଂଗ୍ରେସ ଓ ଭାଜପା ପାଇଁ ଚଳିଲା ଭଳି ଲାଗୁ ନାହିଁ। ଭାଜପା କଥା ଏଇଥିପାଇଁ କୁହାଯାଉଛି, କଂଗ୍ରେସର ପୁରୁଣା ହାଇକମାଣ୍ଡ ମାନସିକତା ଏବେ ଭାଜପା ବ୍ୟବହାରରେ ଦେଖିବାକୁ ମିଳୁଛି। ପୂର୍ବରୁ କଂଗ୍ରେସ ଶକ୍ତିଶାଳୀ ଥିବା ବେଳେ ଏଭଳି କାର୍ଯ୍ୟକୁ କେହି ସାଧାରଣରେ ପ୍ରଶ୍ନ କରୁ ନ ଥିଲେ। ବର୍ତ୍ତମାନ ଭାଜପା ଶକ୍ତିଶାଳୀ ଅଛି ବୋଲି ଅନୁରୂପ ଭାବେ କେହି ପ୍ରଶ୍ନ କରୁନାହାନ୍ତି। ଭାରତୀୟଙ୍କ ପ୍ରଶ୍ନବାଚୀ କେବଳ ଭୋଟ୍‌ବାକ୍ସ ସମ୍ମୁଖୀନରେ ଓ ନାଲିକନା ଘେରରେ ବାହାରିଥାଏ। ବର୍ତ୍ତମାନ ଦେଖିବା ବିଭିନ୍ନ ରାଜ୍ୟରେ ଆଗକୁ ହେବାକୁ ଥିବା ନିର୍ବାଚନରେ କାହାର ରଙ୍ଗ କେତେରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri