କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।
କୁଆଁରମୁଣ୍ଡା ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ବେଲଢିପା ନିକଟରେ ଅଣ୍ଟାଏ ଉଚ୍ଚର ବର୍ଷା ଜଳ ପ୍ରବାହିତ ହୋଇଥିବାରୁ ରାଜପଥରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। କେବଳ ଭାରିଯାନକୁ ଛାଡିଦେଲେ ବାଇକ୍, ଅଟୋ, କାର ଚଳାଚଳ ବନ୍ଦ ରହିଛି। ସେହିପରି ପଦମପୁ-ସରଣ୍ଡାମାଳ ନିକଟସ୍ଥ କଲଭର୍ଟ ଉଛୁଳି ପଡ଼ିବାରୁ ଯାତାୟତରେ ଅସୁବିଧା ଦେଖାଦେଇଛି।
କୁଆଁରମୁଣ୍ଡା ଚେକଗେଟ, ମାଳିବାଗିଚା, ସିଟି ସ୍କୁଲ ରୋଡ, ଭାଲୁଡୁମେର, ତହସିଲ ରୋଡ ଜଳମଗ୍ନ ହୋଇ ଲୋକଙ୍କ ଘରେ ପାଣି ପଶିଯାଇଛି। ଫଳରେ ସାଧାରଣ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଚେକ ଗେଟ ଛକରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଦୋକାନ ଘରେ ପାଣି ପଶି ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ କୁଆଁରମୁଣ୍ଡା ଭାଲୁଡ଼ୁମେର ଅଞ୍ଚଳର ଡୋମିନିକ ହରୋଙ୍କ ଏକ ଖପର ଘର ପ୍ରବଳ ବର୍ଷାରେ ଭାଙ୍ଗିଯାଇଥିବା ଜଣାପଡ଼ିଛି। କୁଆଁରମୁଣ୍ଡା ଅଞ୍ଚଳର ବିଭିନ୍ନ ଡ୍ରେନ ଜାମ ହୋଇଯାଇଥିବା ଯୋଗୁ ବର୍ଷା ଜଳ ସଠିକ ଭାବେ ନିଷ୍କାସନ ହୋଇପାରୁ ନାହିଁ।

