ଭାରି ଭୋକ

ଡ. ଭବାନୀ ଶଙ୍କର ଦାଶ

ଭୋକ ସାର୍ବଜନୀନ ଓ ସର୍ବକାଳୀନ। ଭୋକର ଜନ୍ମ ଇତିହାସ ପ୍ରାଣିସମୂହର ଜନ୍ମ ସହ ଜଡ଼ିତ। ଭୋକ କାହାର ନାହିଁ ଏମିତି ନାହିଁ। ସଦ୍ୟଜାତ ଶିଶୁର କ୍ରନ୍ଦନ କାରଣ ତ ଭୋକ। ମାତୃଗର୍ଭରେ ଥିବାଯାଏ ମଣିଷ ଛୁଆଟା ଭୋକ କବଳିତ ହୁଏ କି ନା ଜଣାନାହିଁ। ମାତ୍ର ଜନ୍ମ ହେଲା ପରେ ମରିବାଯାଏ ଭୋକରେ ଆକ୍ରାନ୍ତ ହୁଏ। ସେ ଭୋକଟି ଥରେ ଜନ୍ମ ହୋଇ ମରେ ନାହିଁ। ଜୀବଦ୍ଦଶା ଭିତରେ ବାରମ୍ବାର ଜନ୍ମ ହୁଏ। ବାରମ୍ବାର ରୂପ ବଦଳାଏ। କେତେ ରୂପରେ ପ୍ରକଟିତ ହୁଏ ସିଏ। କିନ୍ତୁ ଜମା ମରେନି ଭୋକ। କରୋନା ଭଳି ଭୋକ ବି ବହୁବିଧ। ଭୋକର ମରଣ ନାହିଁ। ଖାଦ୍ୟ ପାଇଲେ ନୀରବିଯାଏ। ଖାଦ୍ୟ ସରିଗଲେ ଫଣାଟେକି ଗର୍ଜନ କରେ। ଅବଶ୍ୟ ଭୋକର ସ୍ବରୂପ ଅନେକ ଥିଲେ ହେଁ ପରିଭାଷା କିନ୍ତୁ ଏକ। ଏଣୁ ଏ ପୃଥିବୀଟି ଭୋକର ଭୂଗୋଳଟିଏ। ଆମେ ମୂର୍ଖ ଗଁାବାଲା ଜାଣିବାରେ ଭୋକ ସର୍ବଦା ଭୋଗବାଦ ସହ ଜଡ଼ିତ ନୁହେଁ। ପିଣ୍ଡ ପାଇଁ ମଣ୍ଡ (ଖାଦ୍ୟ) ନିହାତି ଆବଶ୍ୟକ। ସନ୍ଥ କବି ଭୀମ ଭୋଇ ଆକୁଳ ସ୍ବରରେ ସେଥିପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗାଇଥିଲେ- ‘ପିଣ୍ଡ ଦେଇ ପ୍ରଭୁ ମଣ୍ଡ ନ ଦେଉଚ ଏ ପୁଣି କେବଣ କଥା।’ ମଣିଷର ଭୋକ ପ୍ରଶମନ ପାଇଁ ଖାଦ୍ୟ ଲୋଡ଼ା। ଦେବଦେବୀଙ୍କ ଭୋକ ପ୍ରଶମନ ଉଦ୍ଦେଶ୍ୟରେ କେଉଁ ଅଜଣା କାଳରୁ ଆମେ ଭୋଗ ବ୍ୟବସ୍ଥା କରିଛୁ। ଏବେ ଏବେ ଲାଞ୍ଚର ଆଧୁନିକ ନାମ ହେଲାଣି ଭୋଗ। କେବେକେବେ ତାହା ପି.ସି, ବଟି ବା ଅନ୍ୟାନ୍ୟ ସାଂକେତିକ ନାମରେ ନାମିତ। ସ୍ବାଧୀନ ଭାରତରେ ଏଇ ଭୋଗ ପାଇଁ ଭୋକର ତୀବ୍ରତା ଓ ବ୍ୟଗ୍ରତା ଉଗ୍ର ହୋଇଉଠିଛି ସର୍ବତ୍ର। ବିଶେଷତଃ ଭାରତ ଗଣତନ୍ତ୍ରର ତନ୍ତ୍ରୀମାନେ ଅଧିକଭାବେ ଏଇ ଭୋଗ ଭୋକ କବଳିତ। ଫଳତଃ ତିଆରି ହେଲା ଥିଲା ଓ ନଥିଲାର ସୀମାରେଖା ଓ ଭେଦଭାବ, ବଡ଼ଲୋକ ହେବାର ପ୍ରତିଯୋଗିତା। ଏଇ ପ୍ରତିଯୋଗିତାମୂଳକ ଭୋକର ରାଜୁତି ଏବେ ଆମ ଓଡ଼ିଶାରେ ପ୍ରବଳ। ଅବଶ୍ୟ ଭୋକ ସମସ୍ତଙ୍କ ପାଖରେ ଅଛି, ମାତ୍ର ଏଇ ଥିଲାବାଲାଙ୍କୁ ଭାରି ଭୋକ। ତେବେ ଥିଲାବାଲା ଲୋକେ କେବଳ ପେଟର ଭୋକରେ ନୁହେଁ, ସବୁ କିସମର ଭୋକରେ ଆକ୍ତାମାକ୍ତା। ଯେତେ ଖାଇଲେ, ଯେତେ ପାଇଲେ ବି ତାଙ୍କର ସେ ଭୋକ ଜମା ମରୁନି। ଏମାନେ ହେଲେ ଖାଉ ମହାବାହୁ ନେତା। ଓଡ଼ିଶାରେ ଭୋକର ମାନଚିତ୍ର ଦେଖିଲେ ଓ ଭୋକର ବିଭାଗୀକରଣ କଲେ ଚାରି କିସମର ଭୋକ ଦେଖାଯାଏ। ଯଥା-ଭୋକ, ଭାରିଭୋକ, ଅତିଭୋକ ଓ ମହାଭୋକ। ଭୋକ କବଳିତ ଭୋକିଲା ଲୋକ ଅଧିକ ଦେଖାଯା’ନ୍ତି ବୋଧେ ଏଇ ମାଟିରେ। ସେଥିପାଇଁ ତ ଆଜିଯାଏଁ ପଛୁଆ, ଗରିବ ଏଣୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ଉଦ୍ୟମ ଜାରି ରହିଛି। ସ୍ବାଧୀନତା ପରେ ପରେ ଓଡ଼ିଶାରେ ଭୋକର ରାଜୁତି ବଢ଼ିଗଲା। ଏ ଥିଲା ପେଟର ଭୋକ। ସେଥିପାଇଁ ଭିକାରିଙ୍କ ସଂଖ୍ୟା ବଢ଼ିଯାଇଥିଲା। କ୍ରମେ ପେଟର ଭୋକ ପ୍ରଶମି ଆସିଲା ବେଳକୁ ମନର ଭୋକ ଚହଟି ଉଠିଲା ବିଦେଶୀ ଅପସଂସ୍କୃତି ପ୍ରଭାବରେ।
ମନର ଭୋକ ଅମେଣ୍ଟା। ସାହେବୀ ଚଳଣି ବା ପାଶ୍ଚାତ୍ୟ ନଗ୍ନତା ହିଁ ଆଧୁନିକତା ବୋଲି ଏକ ଧାରଣା ସୃଷ୍ଟି ହୋଇଗଲା ପରେ ଏଠି ଜୀବନଧାରା ବେଗବାନ ଓ ପରିବର୍ତ୍ତିତ ହୋଇଗଲା। ଶରୀର ଉପରେ ମନ ଓ ପେଟଙ୍କ ଔଦ୍ଧତ୍ୟ ବଢ଼ିଚାଲିଲା। ଏ ସସାଗରା ପୃଥିବୀ ମଣିଷ ପାଇଁ ନିଅଣ୍ଟ ହେଲା। ନିଜ ହିତ ପାଇଁ ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ ଭାବନା ବଦଳିଗଲା। ଦେଶସେବା ଥିଲା ଏ ମାଟିର ଆଦର୍ଶ। ଭୋକ ପାଇଁ ସେ ଆଦର୍ଶ ଅର୍ଥହୀନ ହୋଇପଡିଲା। ଭୋକ ଲାଗି ଭାରତରେ ବିଶ୍ୱାସ ଓ ଆଦର୍ଶର ଦୁର୍ବଳ ଦେବାଳୟ ଦୋହଲିଗଲା। ଦେଶ ସେବା ନାଁରେ ଚତୁରମାନେ ରାଜନେତା ବନିଗଲେ। ତା’ ପରଠୁ ସେଇମାନଙ୍କ ଦ୍ୱାରା ଅଙ୍କିତ ହେଲା ଆଧୁନିକ ଭାରତରେ ନବୀନତମ ଭୋକର ଭୂଗୋଳ।
ଦେଶସେବକ ଗତକାଲି ଦେଶ ପାଇଁ ଅକାତରେ ନିଜ ସଂଚୟ ସବୁ ଉତ୍ସର୍ଗ କରିଦେଉଥିଲା। ଦେଶସେବାର ପ୍ରତିଦାନ କାମନା କରୁ ନ ଥିଲେ। ସେମାନଙ୍କ କାମନା ଥିଲା ମିଶୁ ମୋର ଦେହ ଏ ଦେଶ ମାଟିରେ। ମାତ୍ର ଆଜି ଦେଶସେବକ ଦେଶସେବା ବିନିମୟରେ ଭତ୍ତା ଓ ଦରମା ପାଇଁ ଅଡ଼ିବସିଲେ। ଅତି ଚତୁର ଭାବେ ଦରମା ଓ ଭତ୍ତା ସହିତ ଚାକିରିଆ ଭଳି ଅବସରକାଳୀନ ପେନସନ୍‌ ବ୍ୟବସ୍ଥା ଏପରି କରିଦେଲେ ଯେ ନ କହିଲା ଲୋକ କହିବ ୟାଙ୍କୁ ଭାରିଭୋକ। ତା’ ପୁଣି ଯେତେଥର ନିର୍ବାଚିତ ହେବେ, ସେତେ ଥର ପେନ୍‌ସନ। ଅର୍ଥାତ୍‌ ଥରେ ନେତା ହୋଇଗଲେ ଫନ୍ଦିଫିକର କରି ନିଜ ସାତପୁରୁଷ ପାଇଁ ଏମାନେ ଧନ ସମ୍ପତ୍ତି ଯୋଗାଡ଼ି ନିଅନ୍ତି। ସେମାନେ ଯେତେ ଆୟ କଲେ ବି ଆୟକର ଦେବାକୁ ପଡ଼େନା। ଏଥିରେ ଏତେ ଲାଭ ଯେ ନିଜେ ନେତା ମରୁ ନ ମରୁଣୁ ନିଜ ଝିଅ ବା ପୁଅକୁ ଏଇ ନେତାଗିରି ବ୍ୟବସାୟରେ ନିଯୁକ୍ତ କରିଦିଅନ୍ତି। ସ୍ବାଧୀନତା ପ୍ରାପ୍ତି ବେଳକୁ ନେତାଙ୍କର ଦରମା କି ଭତ୍ତା କିଛି ନ ଥିଲା। ସ୍ବାଧୀନତା ପରେ ସରକାର ମୁକ୍ତି ସଂଗ୍ରାମୀମାନଙ୍କ ପାଇଁ ସ୍ବାଧୀନତା ସଂଗ୍ରାମୀ ଭତ୍ତା ବ୍ୟବସ୍ଥା କରିଦେଲେ। ସେମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ପରେ ପରେ ସ୍ବାଧୀନ ଭାରତର ନେତାଏ ଏଇଟାକୁ ଗଳିବାଟ ଭଳି ବ୍ୟବହାରକରି ନିଜ ନିଜ ଲାଭଖୋର ମନୋବୃତ୍ତିକୁ ଚରିତାର୍ଥ କରି ଚାଲିଛନ୍ତି ଆଜିଯାଏ। ତେବେ ଏମାନଙ୍କୁ ଦେଶସେବକ ନେତା ନା ଭତ୍ତାଧାରୀ କର୍ମଚାରୀ କୁହାଯିବ ତାହା ଆଗାମୀକାଲିର ଉତ୍ତର। କିନ୍ତୁ ସବୁଠୁ ସମ୍ବେଦନଶୀଳ କଥାଟି ହେଉଛି କାଳେ ତଳତଳିଆ ଅର୍ଥାତ୍‌ ପଞ୍ଚାୟତ ସ୍ତରରୁ ହୋ ହଲ୍ଲା ଶୁଭିବ, ସେଥିପାଇଁ ସେମାନଙ୍କ ପାଇଁ ବି ଭତ୍ତା ବ୍ୟବସ୍ଥା କରିଦେଲେ। ତେଣିକି କହିବାକୁ କେହି ନାହିଁ। ଏଣିକି ତୁ ତ ମୂତୁରୀ ମୁଁ ତ ମୂତୁରୀ ହେଁସ କାହିଁପାଇଁ ଧୋଇବା ନୀତି ଚାଲିଲା। ଅନ୍ୟ ଦିଗରୁ ଦେଖିଲେ ନେତାଙ୍କର ତ ପୁଣି ସଂସାର ଅଛି। ସେମାନେ ତ ଚବିଶ ଘଣ୍ଟା ଦେଶର ଉନ୍ନତି ପାଇଁ ମନମୁନ ଲଗାଇ ଖଟିଲେ। ସେପଟେ ତାଙ୍କ ପରିବାର କିପରି ଚଳିବ! ଏକଥା ବି ଚିନ୍ତାର ବିଷୟ। ଦେଶସେବା ଲାଗି ନେତାଏ ନିଜ ଭୋକକୁ ଅଣଦେଖା କରିପାରନ୍ତି। ମାତ୍ର ତାଙ୍କ ଉପରେ ନିର୍ଭରଶୀଳ ପରିବାର, ପରିଜନ ଓ ଆପଣା ଲୋକଙ୍କ ଭୋକ ତ କିଛି କମ ନୁହେଁ ନା। ସେଥିପାଇଁ ପାଉଥିବା ଭତ୍ତା ବା ଦରମାର ନଁାଟା ବଦଳେଇ ପାରିତୋଷିକ ବା ପ୍ରତିବେଦନ ବା ସମାର୍ଥବାଚକ ରାଜନୈତିକ ଶବ୍ଦ ରଖିବାକୁ ହେବ। ପେନ୍‌ସନର ନାମ ପୁରସ୍କାର କରିବାକୁ ହେବ। ନ ହେଲେ ବିଶ୍ୱ ଭାରିଭୋକ ତାଲିକାର ସର୍ବାଗ୍ରେ ଭାରତୀୟ ନେତାଙ୍କ ନାମ ରହିଯାଇପାରେ।
ଅଲାରପୁର,
ବାଲିଅନ୍ତା, ଖୋର୍ଦ୍ଧା
ମୋ: ୮୯୧୭୬୨୪୩୮୬


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri