ଭାରି ଭୋକ

ଡ. ଭବାନୀ ଶଙ୍କର ଦାଶ

ଭୋକ ସାର୍ବଜନୀନ ଓ ସର୍ବକାଳୀନ। ଭୋକର ଜନ୍ମ ଇତିହାସ ପ୍ରାଣିସମୂହର ଜନ୍ମ ସହ ଜଡ଼ିତ। ଭୋକ କାହାର ନାହିଁ ଏମିତି ନାହିଁ। ସଦ୍ୟଜାତ ଶିଶୁର କ୍ରନ୍ଦନ କାରଣ ତ ଭୋକ। ମାତୃଗର୍ଭରେ ଥିବାଯାଏ ମଣିଷ ଛୁଆଟା ଭୋକ କବଳିତ ହୁଏ କି ନା ଜଣାନାହିଁ। ମାତ୍ର ଜନ୍ମ ହେଲା ପରେ ମରିବାଯାଏ ଭୋକରେ ଆକ୍ରାନ୍ତ ହୁଏ। ସେ ଭୋକଟି ଥରେ ଜନ୍ମ ହୋଇ ମରେ ନାହିଁ। ଜୀବଦ୍ଦଶା ଭିତରେ ବାରମ୍ବାର ଜନ୍ମ ହୁଏ। ବାରମ୍ବାର ରୂପ ବଦଳାଏ। କେତେ ରୂପରେ ପ୍ରକଟିତ ହୁଏ ସିଏ। କିନ୍ତୁ ଜମା ମରେନି ଭୋକ। କରୋନା ଭଳି ଭୋକ ବି ବହୁବିଧ। ଭୋକର ମରଣ ନାହିଁ। ଖାଦ୍ୟ ପାଇଲେ ନୀରବିଯାଏ। ଖାଦ୍ୟ ସରିଗଲେ ଫଣାଟେକି ଗର୍ଜନ କରେ। ଅବଶ୍ୟ ଭୋକର ସ୍ବରୂପ ଅନେକ ଥିଲେ ହେଁ ପରିଭାଷା କିନ୍ତୁ ଏକ। ଏଣୁ ଏ ପୃଥିବୀଟି ଭୋକର ଭୂଗୋଳଟିଏ। ଆମେ ମୂର୍ଖ ଗଁାବାଲା ଜାଣିବାରେ ଭୋକ ସର୍ବଦା ଭୋଗବାଦ ସହ ଜଡ଼ିତ ନୁହେଁ। ପିଣ୍ଡ ପାଇଁ ମଣ୍ଡ (ଖାଦ୍ୟ) ନିହାତି ଆବଶ୍ୟକ। ସନ୍ଥ କବି ଭୀମ ଭୋଇ ଆକୁଳ ସ୍ବରରେ ସେଥିପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗାଇଥିଲେ- ‘ପିଣ୍ଡ ଦେଇ ପ୍ରଭୁ ମଣ୍ଡ ନ ଦେଉଚ ଏ ପୁଣି କେବଣ କଥା।’ ମଣିଷର ଭୋକ ପ୍ରଶମନ ପାଇଁ ଖାଦ୍ୟ ଲୋଡ଼ା। ଦେବଦେବୀଙ୍କ ଭୋକ ପ୍ରଶମନ ଉଦ୍ଦେଶ୍ୟରେ କେଉଁ ଅଜଣା କାଳରୁ ଆମେ ଭୋଗ ବ୍ୟବସ୍ଥା କରିଛୁ। ଏବେ ଏବେ ଲାଞ୍ଚର ଆଧୁନିକ ନାମ ହେଲାଣି ଭୋଗ। କେବେକେବେ ତାହା ପି.ସି, ବଟି ବା ଅନ୍ୟାନ୍ୟ ସାଂକେତିକ ନାମରେ ନାମିତ। ସ୍ବାଧୀନ ଭାରତରେ ଏଇ ଭୋଗ ପାଇଁ ଭୋକର ତୀବ୍ରତା ଓ ବ୍ୟଗ୍ରତା ଉଗ୍ର ହୋଇଉଠିଛି ସର୍ବତ୍ର। ବିଶେଷତଃ ଭାରତ ଗଣତନ୍ତ୍ରର ତନ୍ତ୍ରୀମାନେ ଅଧିକଭାବେ ଏଇ ଭୋଗ ଭୋକ କବଳିତ। ଫଳତଃ ତିଆରି ହେଲା ଥିଲା ଓ ନଥିଲାର ସୀମାରେଖା ଓ ଭେଦଭାବ, ବଡ଼ଲୋକ ହେବାର ପ୍ରତିଯୋଗିତା। ଏଇ ପ୍ରତିଯୋଗିତାମୂଳକ ଭୋକର ରାଜୁତି ଏବେ ଆମ ଓଡ଼ିଶାରେ ପ୍ରବଳ। ଅବଶ୍ୟ ଭୋକ ସମସ୍ତଙ୍କ ପାଖରେ ଅଛି, ମାତ୍ର ଏଇ ଥିଲାବାଲାଙ୍କୁ ଭାରି ଭୋକ। ତେବେ ଥିଲାବାଲା ଲୋକେ କେବଳ ପେଟର ଭୋକରେ ନୁହେଁ, ସବୁ କିସମର ଭୋକରେ ଆକ୍ତାମାକ୍ତା। ଯେତେ ଖାଇଲେ, ଯେତେ ପାଇଲେ ବି ତାଙ୍କର ସେ ଭୋକ ଜମା ମରୁନି। ଏମାନେ ହେଲେ ଖାଉ ମହାବାହୁ ନେତା। ଓଡ଼ିଶାରେ ଭୋକର ମାନଚିତ୍ର ଦେଖିଲେ ଓ ଭୋକର ବିଭାଗୀକରଣ କଲେ ଚାରି କିସମର ଭୋକ ଦେଖାଯାଏ। ଯଥା-ଭୋକ, ଭାରିଭୋକ, ଅତିଭୋକ ଓ ମହାଭୋକ। ଭୋକ କବଳିତ ଭୋକିଲା ଲୋକ ଅଧିକ ଦେଖାଯା’ନ୍ତି ବୋଧେ ଏଇ ମାଟିରେ। ସେଥିପାଇଁ ତ ଆଜିଯାଏଁ ପଛୁଆ, ଗରିବ ଏଣୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ଉଦ୍ୟମ ଜାରି ରହିଛି। ସ୍ବାଧୀନତା ପରେ ପରେ ଓଡ଼ିଶାରେ ଭୋକର ରାଜୁତି ବଢ଼ିଗଲା। ଏ ଥିଲା ପେଟର ଭୋକ। ସେଥିପାଇଁ ଭିକାରିଙ୍କ ସଂଖ୍ୟା ବଢ଼ିଯାଇଥିଲା। କ୍ରମେ ପେଟର ଭୋକ ପ୍ରଶମି ଆସିଲା ବେଳକୁ ମନର ଭୋକ ଚହଟି ଉଠିଲା ବିଦେଶୀ ଅପସଂସ୍କୃତି ପ୍ରଭାବରେ।
ମନର ଭୋକ ଅମେଣ୍ଟା। ସାହେବୀ ଚଳଣି ବା ପାଶ୍ଚାତ୍ୟ ନଗ୍ନତା ହିଁ ଆଧୁନିକତା ବୋଲି ଏକ ଧାରଣା ସୃଷ୍ଟି ହୋଇଗଲା ପରେ ଏଠି ଜୀବନଧାରା ବେଗବାନ ଓ ପରିବର୍ତ୍ତିତ ହୋଇଗଲା। ଶରୀର ଉପରେ ମନ ଓ ପେଟଙ୍କ ଔଦ୍ଧତ୍ୟ ବଢ଼ିଚାଲିଲା। ଏ ସସାଗରା ପୃଥିବୀ ମଣିଷ ପାଇଁ ନିଅଣ୍ଟ ହେଲା। ନିଜ ହିତ ପାଇଁ ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ ଭାବନା ବଦଳିଗଲା। ଦେଶସେବା ଥିଲା ଏ ମାଟିର ଆଦର୍ଶ। ଭୋକ ପାଇଁ ସେ ଆଦର୍ଶ ଅର୍ଥହୀନ ହୋଇପଡିଲା। ଭୋକ ଲାଗି ଭାରତରେ ବିଶ୍ୱାସ ଓ ଆଦର୍ଶର ଦୁର୍ବଳ ଦେବାଳୟ ଦୋହଲିଗଲା। ଦେଶ ସେବା ନାଁରେ ଚତୁରମାନେ ରାଜନେତା ବନିଗଲେ। ତା’ ପରଠୁ ସେଇମାନଙ୍କ ଦ୍ୱାରା ଅଙ୍କିତ ହେଲା ଆଧୁନିକ ଭାରତରେ ନବୀନତମ ଭୋକର ଭୂଗୋଳ।
ଦେଶସେବକ ଗତକାଲି ଦେଶ ପାଇଁ ଅକାତରେ ନିଜ ସଂଚୟ ସବୁ ଉତ୍ସର୍ଗ କରିଦେଉଥିଲା। ଦେଶସେବାର ପ୍ରତିଦାନ କାମନା କରୁ ନ ଥିଲେ। ସେମାନଙ୍କ କାମନା ଥିଲା ମିଶୁ ମୋର ଦେହ ଏ ଦେଶ ମାଟିରେ। ମାତ୍ର ଆଜି ଦେଶସେବକ ଦେଶସେବା ବିନିମୟରେ ଭତ୍ତା ଓ ଦରମା ପାଇଁ ଅଡ଼ିବସିଲେ। ଅତି ଚତୁର ଭାବେ ଦରମା ଓ ଭତ୍ତା ସହିତ ଚାକିରିଆ ଭଳି ଅବସରକାଳୀନ ପେନସନ୍‌ ବ୍ୟବସ୍ଥା ଏପରି କରିଦେଲେ ଯେ ନ କହିଲା ଲୋକ କହିବ ୟାଙ୍କୁ ଭାରିଭୋକ। ତା’ ପୁଣି ଯେତେଥର ନିର୍ବାଚିତ ହେବେ, ସେତେ ଥର ପେନ୍‌ସନ। ଅର୍ଥାତ୍‌ ଥରେ ନେତା ହୋଇଗଲେ ଫନ୍ଦିଫିକର କରି ନିଜ ସାତପୁରୁଷ ପାଇଁ ଏମାନେ ଧନ ସମ୍ପତ୍ତି ଯୋଗାଡ଼ି ନିଅନ୍ତି। ସେମାନେ ଯେତେ ଆୟ କଲେ ବି ଆୟକର ଦେବାକୁ ପଡ଼େନା। ଏଥିରେ ଏତେ ଲାଭ ଯେ ନିଜେ ନେତା ମରୁ ନ ମରୁଣୁ ନିଜ ଝିଅ ବା ପୁଅକୁ ଏଇ ନେତାଗିରି ବ୍ୟବସାୟରେ ନିଯୁକ୍ତ କରିଦିଅନ୍ତି। ସ୍ବାଧୀନତା ପ୍ରାପ୍ତି ବେଳକୁ ନେତାଙ୍କର ଦରମା କି ଭତ୍ତା କିଛି ନ ଥିଲା। ସ୍ବାଧୀନତା ପରେ ସରକାର ମୁକ୍ତି ସଂଗ୍ରାମୀମାନଙ୍କ ପାଇଁ ସ୍ବାଧୀନତା ସଂଗ୍ରାମୀ ଭତ୍ତା ବ୍ୟବସ୍ଥା କରିଦେଲେ। ସେମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ପରେ ପରେ ସ୍ବାଧୀନ ଭାରତର ନେତାଏ ଏଇଟାକୁ ଗଳିବାଟ ଭଳି ବ୍ୟବହାରକରି ନିଜ ନିଜ ଲାଭଖୋର ମନୋବୃତ୍ତିକୁ ଚରିତାର୍ଥ କରି ଚାଲିଛନ୍ତି ଆଜିଯାଏ। ତେବେ ଏମାନଙ୍କୁ ଦେଶସେବକ ନେତା ନା ଭତ୍ତାଧାରୀ କର୍ମଚାରୀ କୁହାଯିବ ତାହା ଆଗାମୀକାଲିର ଉତ୍ତର। କିନ୍ତୁ ସବୁଠୁ ସମ୍ବେଦନଶୀଳ କଥାଟି ହେଉଛି କାଳେ ତଳତଳିଆ ଅର୍ଥାତ୍‌ ପଞ୍ଚାୟତ ସ୍ତରରୁ ହୋ ହଲ୍ଲା ଶୁଭିବ, ସେଥିପାଇଁ ସେମାନଙ୍କ ପାଇଁ ବି ଭତ୍ତା ବ୍ୟବସ୍ଥା କରିଦେଲେ। ତେଣିକି କହିବାକୁ କେହି ନାହିଁ। ଏଣିକି ତୁ ତ ମୂତୁରୀ ମୁଁ ତ ମୂତୁରୀ ହେଁସ କାହିଁପାଇଁ ଧୋଇବା ନୀତି ଚାଲିଲା। ଅନ୍ୟ ଦିଗରୁ ଦେଖିଲେ ନେତାଙ୍କର ତ ପୁଣି ସଂସାର ଅଛି। ସେମାନେ ତ ଚବିଶ ଘଣ୍ଟା ଦେଶର ଉନ୍ନତି ପାଇଁ ମନମୁନ ଲଗାଇ ଖଟିଲେ। ସେପଟେ ତାଙ୍କ ପରିବାର କିପରି ଚଳିବ! ଏକଥା ବି ଚିନ୍ତାର ବିଷୟ। ଦେଶସେବା ଲାଗି ନେତାଏ ନିଜ ଭୋକକୁ ଅଣଦେଖା କରିପାରନ୍ତି। ମାତ୍ର ତାଙ୍କ ଉପରେ ନିର୍ଭରଶୀଳ ପରିବାର, ପରିଜନ ଓ ଆପଣା ଲୋକଙ୍କ ଭୋକ ତ କିଛି କମ ନୁହେଁ ନା। ସେଥିପାଇଁ ପାଉଥିବା ଭତ୍ତା ବା ଦରମାର ନଁାଟା ବଦଳେଇ ପାରିତୋଷିକ ବା ପ୍ରତିବେଦନ ବା ସମାର୍ଥବାଚକ ରାଜନୈତିକ ଶବ୍ଦ ରଖିବାକୁ ହେବ। ପେନ୍‌ସନର ନାମ ପୁରସ୍କାର କରିବାକୁ ହେବ। ନ ହେଲେ ବିଶ୍ୱ ଭାରିଭୋକ ତାଲିକାର ସର୍ବାଗ୍ରେ ଭାରତୀୟ ନେତାଙ୍କ ନାମ ରହିଯାଇପାରେ।
ଅଲାରପୁର,
ବାଲିଅନ୍ତା, ଖୋର୍ଦ୍ଧା
ମୋ: ୮୯୧୭୬୨୪୩୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri