ନଗର ରାଷ୍ଟ୍ର ମୁଖ୍ୟ

– ଜିତେନ୍ଦ୍ର କୁମାର ନାୟକ

 

ଏସିଆ ମହାଦେଶର ଦ୍ୱୀପ ଦେଶ ତଥା ନଗର ରାଷ୍ଟ୍ର ଭାବେ ପରିଚିତ ସିଙ୍ଗାପୁର ବୈଷୟିକ ଦୃଷ୍ଟିରୁ ସମୃଦ୍ଧ ହୋଇଥିବାରୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏହାର ଏକ ସ୍ବତନ୍ତ୍ର ସ୍ଥାନ ରହିିଛି। ଜନସଂଖ୍ୟା ୫୬ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ୯ ପ୍ରତିଶତ ଭାରତୀୟ ବଂଶୋଦ୍ଭବଙ୍କ ଯୋଗଦାନ ଏହି ରାଷ୍ଟ୍ରର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ନିକଟରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ମୂଳବାସିନ୍ଦା ଥର୍ମାନ ଶନ୍ମୁଗରାତ୍‌ନାମ ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଅନ୍ତର୍ଜାତୀୟ ରାଜନୀତିରେ ଭାରତର ନାମକୁ ଅଧିକ ଉଜ୍ଜ୍ୱଳ କରିଦେଇଛନ୍ତି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ, ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ପରେ ଥର୍ମାନ ଏଭଳି ସୁଯୋଗ ପାଇଛନ୍ତି। ଆସନ୍ତା ୧୩ ତାରିଖରେ ସେ ସିଙ୍ଗାପୁର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାରୁ ତାଙ୍କ ଜୀବନଯାତ୍ରା ବିଷୟରେ ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
ଥର୍ମାନ ୨୫ ଫେବୃୟାରୀ ୧୯୫୭ରେ ତାମିଲ ପୂର୍ବପୁରୁଷଙ୍କ ଦାୟାଦ ଭାବେ ସିଙ୍ଗାପୁରରେ ଜନ୍ମଗ୍ରହଣ କରିଥିଲେ। ଏମିରଟସ୍‌ ପ୍ରଫେସର କେ. ଶନ୍ମୁଗରାତ୍‌ନାମଙ୍କ ସେ ତୃତୀୟ ପୁଅ। ପିତା ମେଡିକାଲ ସାଇଣ୍ଟିଷ୍ଟ ଭାବେ ଜଣାଶୁଣା ଓ ସିଙ୍ଗାପୁରରେ ‘ଫାଦର ଅଫ୍‌ ପାଥୋଲୋଜି’ ଆଖ୍ୟା ପାଇଥିଲେ। ସିଙ୍ଗାପୁର କ୍ୟାନସର ରେଜିଷ୍ଟ୍ରି ପ୍ରତିଷ୍ଠା କରିବାରେ ପିତାଙ୍କ ଭୂମିକା ଥିଲା ଅନନ୍ୟ। କର୍କଟ ରୋଗ ଗବେଷଣା ଓ ପାଥୋଲୋଜି ସମ୍ବନ୍ଧୀୟ ବହୁ ଅନ୍ତର୍ଜାତୀୟ ସଙ୍ଗଠନର ପିତା ନେତୃତ୍ୱ ନେଉଥିବାରୁ ପିଲାଟି ବେଳୁ ଥର୍ମାନ ଏକ ଉଚ୍ଚଶିକ୍ଷିତ ସମ୍ଭ୍ରାନ୍ତ ପରିବେଶରେ ବଢ଼ିବାର ସବୁ ସୁବିଧା ପାଇଥିଲେ। ସେ ଆଙ୍ଗ୍‌ଲୋ-ଚାଇନିଜ୍‌ ସ୍କୁଲରୁ ପଢ଼ା ଆରମ୍ଭ କରିଥିଲେ। ପରେ ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିକ୍ସ (ଏଲ୍‌ଏସ୍‌ଇ)ରୁ ଅର୍ଥନୀତିରେ ବ୍ୟାଚେଲର ଅଫ୍‌ ସାଇନ୍ସ ଡିଗ୍ରୀ ଅର୍ଜନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ୨୦୧୧ରେ ତାଙ୍କୁ ସେଠାରୁ ସମ୍ମାନଜନକ ଫେଲୋଶିପ୍‌ ମିଳିଥିଲା। ତେବେ ଏଲ୍‌ଏସ୍‌ଇରୁ ପଢ଼ା ଶେଷ କରିବା ପରେ ସେ ୟୁନିଭର୍ସିଟି ଅଫ୍‌ କ୍ୟାମ୍ବ୍ରିଜ୍‌ର ଓ୍ବଲ୍ଫସନ କଲେଜରୁ ଅର୍ଥନୀତିରେ ମାଷ୍ଟର ଅଫ୍‌ ଫିଲୋସଫି କରିଥିଲେ। ଉଚ୍ଚଶିକ୍ଷା ପାଇଁ ସେ ପୁଣି ହାର୍ଭାର୍ଡ ୟୁନିଭର୍ସିଟିର ହାର୍ଭାର୍ଡ କେନେଡି ସ୍କୁଲ ଯାଇଥିଲେ। ସେଠାରୁ ମାଷ୍ଟର ଇନ୍‌ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନ (ଏମ୍‌ପିଏ) ଡିଗ୍ରୀ ଗ୍ରହଣ କରିଥିଲେ।
ଥର୍ମାନଙ୍କ କ୍ୟାରିୟରକୁ କ୍ରୀଡ଼ା ସମୃଦ୍ଧ କରିଥିଲା। ଯୁବାବସ୍ଥାରେ ସେ ଜଣେ ଉତ୍ତମ କ୍ରୀଡ଼ାବିତ୍‌ ଥିଲେ। ସେ କହନ୍ତି, ପିଲାମାନେ ଟିମ୍‌ର ମୂଲ୍ୟବୋଧ କ୍ରୀଡ଼ାରୁ ପାଇଥାଆନ୍ତି। ବାରମ୍ବାର ଅଭ୍ୟାସ କଲା ବେଳେ ଜଣେ ପଡ଼ିଉଠି ସଫଳତା ପାଇଥାଏ। ସେତିକି ଆତ୍ମବିଶ୍ୱାସ ନେଇ ଜୀବନରେ ଗତି କରୁଥିବା ବ୍ୟକ୍ତିଙ୍କ ଭିତରେ ନମ୍ର ମନୋଭାବ ନିଶ୍ଚିତ ନିହିତ ଥାଏ ବୋଲି ସେ କହିଥାଆନ୍ତି। ବାସ୍ତବିକ ଥର୍ମାନ କ୍ରୀଡ଼ା ଭିତରୁ ଯେଉଁ ଜୀବନାଦର୍ଶ ପାଇଥିଲେ, ତାହା ଅନ୍ୟମାନଙ୍କୁ ବାଣ୍ଟିବାରେ ଖୁସି ପାଇଥିବା କହିଥାଆନ୍ତି। ଜୀବନର ପ୍ରତି ମୁହୂର୍ତ୍ତରେ ଶିଖିବାର ଥାଏ ଭାବି ସେ ୨୦୦୨ରୁ ଚାଇନିଜ୍‌ କାଲିଗ୍ରାଫି (ସୁଲିପି)ରେ ମନୋନିବେଶ ମଧ୍ୟ କରିଆସିଛନ୍ତି।
କ୍ରୀଡ଼ାବିତ୍‌, ଅର୍ଥନୀତିଜ୍ଞର ଜୀବନ ଭିତରେ ଥର୍ମାନ ସେବା ମନୋବୃତ୍ତିକୁ ଜୀବନ୍ତ କରି ରଖିଥିବାରୁ ଏବେ ତାଙ୍କୁ ରାଷ୍ଟ୍ରର ସେବା କରିବା ଲାଗି ବିଧିବଦ୍ଧ ସ୍ବୀକୃତି ମିଳିଯାଇଛି। ଜନକଲ୍ୟାଣ ଦିଗରେ ଅର୍ଥନୀତିକୁ କିଭଳି ପ୍ରୟୋଗ କରାଯାଇପାରିବ ତାହାର କଳା ତାଙ୍କୁ ଜଣାଥିଲା। ତାଙ୍କ ଗବେଷଣାତ୍ମକ କାର୍ଯ୍ୟ ବହୁ ମର୍ଯ୍ୟାଦାଜକ ସଂସ୍ଥାକୁ ପ୍ରଭାବିତ କରିଥିଲା। ସେଥିପାଇଁ ସେ ମନିଟାରି ଅଥରିଟି ଅଫ୍‌ ସିଙ୍ଗାପୁରର ଅଧ୍ୟକ୍ଷ, ଗଭର୍ନମେଣ୍ଟ ଅଫ୍‌ ସିଙ୍ଗାପୁର ଇନ୍‌ଭେଷ୍ଟମେଣ୍ଟ କର୍ପୋରେଶନର ଉପାଧ୍ୟକ୍ଷଠାରୁ ଆରମ୍ଭ କରି ବିଶ୍ୱ ଅର୍ଥନୈତିକ ମଞ୍ଚ (ଡବ୍ଲ୍ୟୁଇଏଫ୍‌)ର ବୋର୍ଡ ଅଫ୍‌ ଟ୍ରଷ୍ଟିରେ ସଦସ୍ୟ, ଜାତିସଂଘ ମହାସଚିବଙ୍କ ଉଚ୍ଚସ୍ତରୀୟ ଉପଦେଷ୍ଟା ବୋର୍ଡର ସଦସ୍ୟ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ଥର୍ମାନଙ୍କ ରାଜନୈତିକ କ୍ୟାରିୟର ୨୦୦୧ରୁ ୨୦୨୩ କାଳଖଣ୍ଡକୁ ଦେଖିଲେ ପ୍ରତିଟି ମୁହୂର୍ତ୍ତକୁ ସେ ପରୀକ୍ଷଣର ସମୟ ଧରିନେଇଥିଲେ। ସମ୍ଭବତଃ ରାଜନୈତିକ କ୍ୟାରିୟରର କମ୍‌ ବର୍ଷ ଭିତରେ ସେ ୨୦୧୧ରୁ ୨୦୧୯ ଯାଏ ଉପପ୍ରଧାନମନ୍ତ୍ରୀ ରହିଥିଲେ। ୨୦୧୯ରୁ ୨୦୨୩ କ୍ୟାବିନେଟ୍‌ର ସିନିୟର ମିନିଷ୍ଟର ହୋଇଥିଲେ। ଜୁନ୍‌ ୨୦୨୩ରେ ସେ ରାଷ୍ଟ୍ରପତି ପଦ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରି ସରକାରୀ ତଥା ସିଙ୍ଗାପୁରସ୍‌ ଗଭର୍ନିଂ ପିପୁଲ୍ସ ଆକ୍ସନ ପାର୍ଟି (ପିଏପି)ର ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ପଦବୀ ଅଣରାଜନୈତିକ କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ।
ସେପ୍ଟେମ୍ବର ୧ରେ ରାଷ୍ଟ୍ରପତି ନିର୍ବାଚନ ହେବା ପୂର୍ବରୁ ସେ କହିଥିଲେ ‘ସିଙ୍ଗାପୁରବାସୀଙ୍କ ସେବା କରିବା ପାଇଁ ସେ ବିଭିନ୍ନ କ୍ଷେତ୍ରରେ ବହୁ ଦଶନ୍ଧି ଧରି ସୁଯୋଗ ପାଇଥିଲେ ଓ ତାହା ଫଳବତୀ ହେବାକୁ ଯାଉଛି।’ ବାସ୍ତବରେ ତାହାହିଁ ହେଲା ଓ ୬୬ ବର୍ଷୀୟ ଅର୍ଥନୀତିଜ୍ଞ, କ୍ରୀଡ଼ାବିତ୍‌ ତଥା କବି ଭାବେ ପରିଚିତ ଥର୍ମାନ ଏବେ ଅନ୍ତର୍ଜାତୀୟ ସ୍ତରରେ ସିଙ୍ଗାପୁର ପତାକା ଉଚ୍ଚରେ ଉଡ଼ାଇବାକୁ ଯାଉଛନ୍ତି।
ବ୍ୟକ୍ତିଗତ ଜୀବନ କହିଲେ ଚାଇନିଜ୍‌-ଜାପାନିଜ୍‌ ମିଶ୍ରିତ ବଂଶଜ ଜାନେ ୟୁମିକୋ ଟୋଗି ହେଉଛନ୍ତି ତାଙ୍କ ଆଇନଜୀବୀ ପତ୍ନୀ। ଦମ୍ପତ୍ତିଙ୍କର ଗୋଟିଏ ଝିଅ ଓ ତିନି ପୁଅ ଅଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?