ସାତ ପିଢ଼ି ଅପେକ୍ଷା କରିବାକୁ ପଡ଼ିବ

ଡ. ସନ୍ତୋଷ କୁମାର ମହାପାତ୍ର

 

ସମ୍ପ୍ରତି ସରକାରଙ୍କ ତରଫରୁ ଏପରି ପ୍ରଚାର କରାଯାଉଛି ଯେ ଜଣେ ଭାବିବ ଲୋକ ଘିଅ ମହୁରେ ଭାସୁଛନ୍ତି। ୧୩୦କୋଟି ଲୋକଙ୍କ ମଧ୍ୟରୁ ୧୦୦କୋଟି ଦୁର୍ବିଷହ ଜୀବନଯାପନ କଲାବେଳେ ୩୦ କୋଟି ଲୋକ ଆର୍ଥିକ ଦୃଷ୍ଟିରୁ ଭଲ ସ୍ଥିତିରେ ଅଛନ୍ତି। କିନ୍ତୁ ସରକାର ସର୍ବଦା ୩୦ କୋଟିଙ୍କ କଥା କହିଲା ବେଳେ ଅବଶିଷ୍ଟଙ୍କ କଥା ଭୁଲିଯାଉଛନ୍ତି। ସେହି ୩୦କୋଟିଙ୍କ ଗାଥା କହି ସଫଳତାର ପ୍ରଚାର କରୁଛନ୍ତି। ବର୍ତ୍ତମାନ ବଜେଟର ଆକାର ୩୪ ଲକ୍ଷ କୋଟି ଟଙ୍କାରୁ ଅଧିକ। ଯିଏ ଶାସନ କରୁନା କାହିଁକି, ଯିଏ ପ୍ରଧାନମନ୍ତ୍ରୀ ବା ଅର୍ଥମନ୍ତ୍ରୀ ହୁଅନ୍ତୁନା କାହିଁକି ବ୍ୟୟ କରିବେ, ନୂଆ ଯୋଜନା କରିବେ, ବିଭିନ୍ନ କ୍ଷେତ୍ରରେ ବ୍ୟୟବରାଦ କରିବେ। ସେହି ଶାସକ ପ୍ରଶଂସନୀୟ, ଯିଏ ଜିଡିପି କେବଳ ବୃଦ୍ଧି ନୁହେଁ, ଜିଡିପି ଅନୁସାରେ ଅଧିକ ସମ୍ବଳ ସଂଗ୍ରହ କରିବେ ଏବଂ ବ୍ୟୟବରାଦ ବୃଦ୍ଧି କରିବେ । କିନ୍ତୁ ଆମର ଟିକସ ଅର୍ଥରୁ ଟଙ୍କାଟିଏ ବ୍ୟୟ କଲାବେଳେ ନିଜେ ଘରୁ ଦେଲାଭଳି ପ୍ରଚାର କରାଯାଉଛି। ପୁନଶ୍ଚ ରାଜ୍ୟ ବେଶି ବ୍ୟୟ କରିଲାବେଳେ, ଟିକସ ଆଦାୟ କରିବାର ଉତ୍ସ ସବୁ କେନ୍ଦ୍ର ହାତରେ। ପୁନଶ୍ଚ କେନ୍ଦ୍ର ରାଜ୍ୟର ଅଧିବାସୀଙ୍କଠାରୁ ହିଁ ଟିକସ ଆଦାୟ କରିଥାଏ । ଏଣୁ ରାଜ୍ୟଗୁଡ଼ିକୁ ଦେବା, କେନ୍ଦ୍ରୀୟ ଯୋଜନା କାର୍ଯ୍ୟ କରିବା ଆମ ସଙ୍ଘୀୟ ବ୍ୟବସ୍ଥାର ଏକ ଅଂଶ। କିନ୍ତୁ ଆମ ଟିକସକୁ ବ୍ୟୟକରି କେନ୍ଦ୍ର ଦୟା କରୁଛି ବୋଲି ରାଜ୍ୟଗୁଡ଼ିକୁ କୁହାଯାଉଛି।
ବାସ୍ତବରେ ଯେତେ ପ୍ରଚାର କଲେ ମଧ୍ୟ କ୍ରୂର ବାସ୍ତବତାକୁ ଲୁଚାଯାଇପାରିବ ନାହିଁ। ଭାରତ ବର୍ତ୍ତମାନ ଦୁଇଭାଗ ହୋଇଯାଇଛି। ଗୋଟିଏ ହେଉଛି ଧନୀ, ବିଲିୟନେୟାର, କର୍ପୋରେଟ ଏବଂ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ପ୍ରତିନିଧିତ୍ୱ କରୁଥିବା ଉଜ୍ଜ୍ୱଳ ବା ଚମକୁଥିବା ଭାରତ ଏବଂ ଅନ୍ୟଟି ହେଉଛି ଗରିବ, ଅବହେଳିତ ଶ୍ରେଣୀଙ୍କୁ ପ୍ରତିନିଧିତ୍ କରୁଥିବା ଉଜୁଡା ଭାରତ । ପ୍ରତ୍ୟେକ ମୁହୂର୍ତ୍ତରେ କୋଟି କୋଟି ଲୋକ ମୁଠାଏ ଭାତ, ଖଣ୍ଡେ ବସ୍ତ୍ର, ଛୋଟିଆ ଘର ପାଇ ଁସଂଗ୍ରାମ କରୁଛନ୍ତି। ଜାନୁୟାରୀ ୨୦୨୦ରେ ପ୍ରକାଶିତ ବିଶ୍ୱ ଅର୍ଥନୈତିକ ଫୋରମର ଗ୍ଲୋବାଲ୍‌ ସୋସିଆଲ୍‌ ମୋବିଲିଟି ରିପୋର୍ଟ ଅନୁଯାୟୀ ୮୨ଟି ଦେଶ ମଧ୍ୟରୁ ଭାରତ ୭୨ ସ୍ଥାନରେ ରହିଛି। ଏହାର ଅର୍ଥ ହେଉଛି ୭୧ଟି ଦେଶ ତଳେ। ସଦ୍ୟ ପ୍ରକାଶିତ ଜାତୀୟ ନମୁନା ସର୍ବେକ୍ଷଣ ଅଫିସ୍‌(ଏନ୍‌ଏସ୍‌ଏସ୍‌ଓ) ରିପୋର୍ଟରୁ ବୈଷମ୍ୟ କେତେ ଭୟଙ୍କର ତାହା ସ୍ପଷ୍ଟ ହୋଇଛି। ଅନ୍ୟ ରିପୋର୍ଟରେ ଆର୍ଥିକ ବୈଷମ୍ୟ-ସମ୍ପଦ ଓ ଆୟବୈଷମ୍ୟ-ଜଣାପଡିଲା ବେଳେ ଏନ୍‌ଏସ୍‌ଏସ୍‌ଓ ରିପୋର୍ଟରେ ସମ୍ପତ୍ତି ବା ଆସେଟ ବୈଷମ୍ୟ ଜଣାପଡିଛି। ସମ୍ପଦ ବା ଧନ ବା ନେଟଓର୍ଥ କହିଲେ, ସମ୍ପତ୍ତି ଓ ଦେୟର ତଫାତ୍‌କୁ ବୁଝାଇଥାଏ। ସମ୍ପତ୍ତି ବା ଆସେଟ୍‌ କହିଲେ ଯାହାର କିଛି ମୂଲ୍ୟ ଅଛି ବା ରିଟର୍ନ ଅଛି । ଜମି, ପ୍ରାଣୀଧନ, କୋଠା, ସୁନା, ଗହଣା, ଗାଡ଼ି, ବ୍ୟାଙ୍କ, ଡାକଘରେ ଥିବା ଜମା ରାଶି ଓ କମ୍ପାନୀଗୁଡ଼ିକରେ ଥିବା ଶେୟାର ଆଦିକୁ ସମ୍ପତ୍ତି ଭାବେ ବିଚାର କରାଯାଉଛି। ଏନ୍‌ଏସ୍‌ଏସ୍‌ଓ ତରଫରୁ ୨୦୧୯ରେ (ଜାନୁୟାରୀ -ଡିସେମ୍ବର ୨୦୧୯) ‘ସର୍ବଭାରତୀୟ ଋଣ ଓ ନିବେଶ ସର୍ବେକ୍ଷଣ’ କରାଯାଇଥିଲା। ଏହି ରିପୋର୍ଟ ଅନୁସାରେ ଦଶ ପ୍ରତିଶତ ଧନୀ ଲୋକଙ୍କ ପାଖରେ ଦେଶର ଅଧା ସମ୍ପତ୍ତି ରହିଛି। ନିମ୍ନରେ ଥିବା ୫୦% ଲୋକଙ୍କ ପାଖରେ ଦେଶର ୧୦% ସମ୍ପତ୍ତି ମଧ୍ୟ ନାହିଁ। ପୁନଶ୍ଚ ୧୦% ଧନୀ ଭାରତୀୟଙ୍କ ପାଖରେ ସହରାଞ୍ଚଳର ୫୫.୭% ଓ ଗ୍ରାମାଞ୍ଚଳର ୫୦.୮% ସମ୍ପତ୍ତି ରହିଛି।
ଏନ୍‌ଏସ୍‌ଏସ୍‌ଓ ରିପୋର୍ଟ ଅନୁଯାୟୀ ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଖରେ ୨୭୪.୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେଥିରୁ ୧୩୯.୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ୧୦% ଧନୀ ଲୋକଙ୍କ ପାଖରେ ଅଛି। ତଳ ଆଡ଼େ ଥିବା ୫୦% ଲୋକଙ୍କ ପାଖରେ ସହରାଞ୍ଚଳର ମାତ୍ର ୬.୨% ସମ୍ପତ୍ତି ଥିଲାବେଳେ, ଗ୍ରାମାଞ୍ଚଳର ୧୦.୨% ସମ୍ପତ୍ତି ରହିଛି। ସମ୍ପତ୍ତି ମାଲିକାନା କ୍ଷେତ୍ରରେ ଧନୀ ଓ ଗରିବଙ୍କ ମଧ୍ୟରେ ଅନ୍ତର ଦିଲ୍ଲୀରେ ସର୍ବାଧିକ ରହିଛି। ଦିଲ୍ଲୀର ୧୦% ଧନୀଙ୍କ ପାଖରେ ୮୦.୮% ସମ୍ପତ୍ତି ଥିବା ବେଳେ ନିମ୍ନରେ ଥିବା ୫୦% ଲୋକଙ୍କ ପାଖରେ ମାତ୍ର ୨.୧% ସମ୍ପତ୍ତି ରହିଛି। ଏହି ତାଲିକାରେ ଦିଲ୍ଲୀ ପଛକୁ ରହିଛି ପଞ୍ଜାବ, ଯେଉଁଠାରେ ୧୦% ଧନୀଙ୍କ ପାଖରେ ୬୫% ସମ୍ପତ୍ତି ଥିବା ବେଳେ ନିମ୍ନରେ ଥିବା ୫୦% ଲୋକଙ୍କ ପାଖରେ ମାତ୍ର ୫% ସମ୍ପତ୍ତି ରହିଛି। ହରିୟାଣା, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ମଧ୍ୟ ବୈଷମ୍ୟ ଦୃଷ୍ଟିରୁ ପଛରେ ନାହାନ୍ତି। ତେବେ ଜମ୍ମୁ-କଶ୍ମୀରରେ ସର୍ବନିମ୍ନ ସମ୍ପତ୍ତିଜନିତ ବୈଷମ୍ୟ ରହିଛି। ଶୀର୍ଷ ଧନୀ ୧୦% ସମୁଦାୟ ସମ୍ପତ୍ତିର ୩୨% ମାଲିକ ହୋଇଥିବାବେଳେ ନିମ୍ନ ୫୦% ମାତ୍ର ୧୮% ସମ୍ପତ୍ତିର ମାଲିକ।
ଯେତେବେଳେ ସମ୍ପତ୍ତି ଅସମାନତା ବୃଦ୍ଧି ପାଇଛି , ସେତେବେଳେ ଘରୋଇ ବା ପାରିବାରିକ ଋଣ ମଧ୍ୟ ବୃଦ୍ଧି ଘଟିଛି । ୨୦୧୮ ବର୍ଷ ପାଇଁ ନିକଟରେ ଭାରତୀୟ ଋଣ ଏବଂ ନିବେଶ ସର୍ଭେ (AIDIS) ରିପୋର୍ଟ ପ୍ରକାଶ ପାଇଛି। ଏହା ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ପରିବାର ମଧ୍ୟରେ ହାରାହାରି ଋଣ ବୃଦ୍ଧିକୁ ପ୍ରକାଶ କରିଛି। ୨୦୧୮ରେ ଶେଷ ହୋଇଥିବା ଗତ ୬ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ପରିବାର ପାଇଁ ହାରାହାରି ଋଣ ପରିମାଣ ୮୪ % ଏବଂ ୪୨% ବୃଦ୍ଧି ପାଇଛି। କରୋନା ମହାମାରୀ ଯୋଗୁ ଜିଡିପି ଅନୁସାରେ ପାରିବାରିକ ଋଣ ମଧ୍ୟ ବୃଦ୍ଧି ଘଟିଛି। ଏସ୍‌ବିଆଇ ଆକଳନ ଅନୁଯାୟୀ, ଏହା ୨୦୧୯-୨୦ରେ ୩୨.୫% ଥିଲା ଏବଂ ୨୦୨୦-୨୧ରେ ୩୭.୩%କୁ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଘରୋଇ ଋଣ ୨୦୧୮ରୁ ୨୦୨୧ ମଧ୍ୟରେ ଦ୍ୱିଗୁଣିତ ହୋଇଥାଇପାରେ ବୋଲି ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି। ପ୍ରାୟ ୧୮ଟି ରାଜ୍ୟରେ ଗ୍ରାମାଞ୍ଚଳର ହାରାହାରି ପାରିବାରିକ ଋଣ ଦ୍ୱିଗୁଣିତ ହୋଇଥିବା ବେଳେ ୭ଟି ରାଜ୍ୟର ସହରାଞ୍ଚଳର ପାରିବାରିକ ଋଣ ଦ୍ୱିଗୁଣିତ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଆସାମ ସମେତ ୫ଟି ରାଜ୍ୟରେ ଏହି ସମୟ ମଧ୍ୟରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ହାରାହାରି ଋଣ ଦ୍ୱିଗୁଣିତ ହୋଇଛି। ପୁନଶ୍ଚ ଆମେ ଜାଣିଛୁ ପିୟୁ ସର୍ଭେ ୨୦୨୦ ଅନୁସାରେ କରୋନା ମହାମାରୀ ଯୋଗୁ ପ୍ରାୟ ୩.୨କୋଟି ଲୋକ ମଧ୍ୟ ବିତ୍ତଶ୍ରେଣୀରୁ ତଳକୁ ଖସି ଆସିଛନ୍ତି। ଗରିବ ଲୋକଙ୍କ ସଂଖ୍ୟା (ଦିନକୁ $ ୨ କିମ୍ବା ତା’ଠାରୁ କମ୍‌ ଆୟ ଅନୁସାରେ) ୭.୫କୋଟି ବୃଦ୍ଧି ପାଇଛି। ସିଏମ୍‌ଆଇଆଇ ଅନୁସାରେ ୯୭% ଭାରତୀୟଙ୍କ ଆୟ ୨୦୨୦ରେ ହ୍ରାସପାଇଛି। ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟର ଗବେଷଣା ଅନୁଯାୟୀ ସର୍ବନିମ୍ନ ମଜୁରି ଆଧାରରେ ପ୍ରାୟ ୨୩ କୋଟ ଲୋକ ଦାରିଦ୍ର୍ୟ ସୀମାରେଖା ଗହ୍ବରକୁ ଠେଲି ହୋଇଯାଇଛନ୍ତି।
କେବଳ ପାରିବାରିକ ଋଣ ନୁହେଁ, ଭାରତରେ ସରକାରୀ ଋଣ ମଧ୍ୟ ବୃଦ୍ଧି ପାଇଛି। ଏହା ୨୦୧୯-୨୦ରେ ଜିଡିପି ଅନୁସାରେ ୭୨% ଥିଲା। ବର୍ତ୍ତମାନ ବୃଦ୍ଧି ହୋଇ ୨୦୨୦-୨୧ରେ ୯୦% ଅତିକ୍ରମ କରିଛି। ଏହାର ଅର୍ଥ ଜିଡିପି ଅନୁସାରେ ଋଣ ଅଧିକ ବୃଦ୍ଧିପାଉଛି। ଋଣ ଆବଶ୍ୟକ ଜିଡିପି ସମ୍ପଦ ସୃଷ୍ଟି କରିପାରୁନାହିଁ। କିନ୍ତୁ ଯେତିକି ଜିଡିପି ଏବଂ ସମ୍ପଦ ସୃଷ୍ଟି ହେଉଛି ସେହି ବୃଦ୍ଧିର ଲାଭ, କର୍ପୋରେଟ୍‌, ଧନିକ ଶ୍ରେଣୀଙ୍କୁ ଗଲାବେଳେ, ଋଣର ବୋଝ ସରକାର ଏବଂ ଜନତାଙ୍କ ଉପରେ ପଡୁଛି। ରଣଋଣ ସୁଧ ବାବଦରେ ଅଧିକ ବ୍ୟୟ କରିବାରୁ ସାମାଜିକ କ୍ଷେତ୍ର ତଥା କଲ୍ୟାଣମୂଳକ ଖର୍ଚ୍ଚ ହ୍ରାସ ପାଇଛି। ୧% ଭାରତୀୟ ଆଜି ଦେଶର ୪୦.୫% ସମ୍ପଦର ଅଧିକାରୀ। ଏପରି ଆର୍ଥିକ ବୈଷମ୍ୟ ଓ ଦୁଃସ୍ଥିତିର କାରଣ ହେଲା ରାଷ୍ଟ୍ର ତା’ର ପୂର୍ବ ବଣ୍ଟନ ନ୍ୟାୟ ଏବଂ ବଣ୍ଟନକାରୀ ନ୍ୟାୟ ପ୍ରଦାନ କାର୍ଯ୍ୟ ଠିକ୍‌ ଭାବରେ କରୁନାହିଁ । ପୂର୍ବ-ବଣ୍ଟନ ନୀତି ଦ୍ୱାରା ସରକାର ନିଶ୍ଚିତ କରନ୍ତି ଯେ ଲୋକମାନେ କିପରି ମୌଳିକ ଜନସେବା ଏବଂ ଉତ୍ତମ କର୍ମସଂସ୍ଥାନ ପାଇପାରିବେ ଏବଂ ସମ୍ବଳର ସୁଷମ ବଣ୍ଟନ ହେଉଥିବ। ଲୋକଙ୍କ ସମସ୍ୟା ସମାଧାନ ହେଉଥିବ। ମୁଦ୍ରାସ୍ଫୀତି, ମୂଲ୍ୟ ବୃଦ୍ଧି ନିୟନ୍ତ୍ରିତ ହେଉଥିବ ଏବଂ ଆୟର ଅସମାନତା ବ୍ୟାପକ ହେଉ ନ ଥିବ। ବଣ୍ଟନକାରୀ ନ୍ୟାୟ ନୀତିରେ, ସରକାର, ଧନୀ, ପୁଞ୍ଜିପତି ବଡ଼ ଶିଳ୍ପପତିଙ୍କ ଅଧିକ ଟିକସ ବା ସମ୍ବଳ ସଂଗ୍ରହ କରି ନିଯୁକ୍ତି ସୃଷ୍ଟି କରିବା ସହିତ ସାମାଜିକ ଭିତ୍ତିଭୂମି, କଲ୍ୟାଣମୂଳକ ଯୋଜନାରେ ଖର୍ଚ୍ଚ କରି ସାଧାରଣ ଜନତାଙ୍କ ନିମ୍ନମୁଖୀ ଜୀବନ ଧାରଣର ମାନରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିବେ ଓ ଆର୍ଥିକ ବୈଷମ୍ୟ ପ୍ରତିହତ କରିବେ।
ମୁକ୍ତ ବଜାର ଅର୍ଥନୀତି କାର୍ଯ୍ୟକାରୀ ହେବାପରେ ରାଷ୍ଟ୍ର ତା’ର ଏସବୁ ଦାୟିତ୍ୱରୁ ଓହରି ଆସିଛି। କିନ୍ତୁ ଗତ ୭ ବର୍ଷ ହେବ ଏହି ପ୍ରକ୍ରିୟା ଆହୁରି ତ୍ୱରାନ୍ବିତ ହୋଇଛି । ରାଷ୍ଟ୍ର ସାଧାରଣ ଜନତାଙ୍କ ସ୍ବାର୍ଥ ପାଇଁ ହସ୍ତକ୍ଷେପ ନ କଲାବେଳେ, ଧନିକ ଶ୍ରେଣୀ, କର୍ପୋରେଟ, ନିବେଶକଙ୍କ ସ୍ବାର୍ଥ ପାଇଁ ହସ୍ତକ୍ଷେପ କରୁଛି। କର୍ପୋରେଟ ଟିକସ ହ୍ରାସ, ବ୍ୟାଙ୍କର ଅଚଳ ସମ୍ପତ୍ତି ଓ ଜାଲିଆତି କର୍ପୋରେଟମାନଙ୍କ ଯୋଗୁ ବୃଦ୍ଧି ପାଇବା, ଠକାମି କରିଥିବା ଲୋକ ବିଦେଶକୁ ସହଜରେ ପଳାଇବା ତାହାର ଉଦାହରଣ। କର୍ପୋରେଟ, ପୁଞ୍ଜିପତିମାନେ ସରକାରଙ୍କ ବିଭିନ୍ନ ସିଦ୍ଧାନ୍ତରେ ହସ୍ତକ୍ଷେପ କରି ନିଜ ସପକ୍ଷରେ ନୀତି କାର୍ଯ୍ୟକାରୀ କରୁଛନ୍ତି। ଟିକସ ଫାଙ୍କି ରୋକିବାରେ ବିଫଳ ହେବା, କର୍ପୋରେଟ ଟିକସ ହ୍ରାସ କରିବା ଯୋଗୁ ସମ୍ବଳର ଘୋର ଅଭାବ ଘଟିଛି। ଏଣୁ ରାଷ୍ଟ୍ରର ସମ୍ପତ୍ତିକୁ ଲିଜ୍‌ ଦେଇ ବା ରାଷ୍ଟ୍ରାୟତ୍ତ ସମ୍ପତ୍ତିର ଘରୋଇକରଣ କରି ସରକାର ସମ୍ବଳ ସଂଗ୍ରହ କରୁଛନ୍ତି; ଯାହା ସମ୍ପଦ ବୈଷମ୍ୟକୁ ଆହୁରି ବୃଦ୍ଧି କରିବ। ସାଧାରଣ ଜନତା ସଞ୍ଚୟର ସୁଧ, ପରିପକ୍ୱ ରାଶି, ବୀମା ପ୍ରିମିୟମ ଉପରେ ଟିକସ ଦେଲାବେଳେ ପୁଞ୍ଜିପତିମାନେ, କ୍ଷମତାଶାଳୀ, ସେଲିବ୍ରିଟିମାନେ ତାଙ୍କ କଳାଟଙ୍କା ବିଦେଶରେ ଟିକସ ଭୂସ୍ବର୍ଗରେ ରଖି ଟିକସ ଫାଙ୍କୁଛନ୍ତି। ଗରିବ ଅଧିକ ଗରିବ ହେଲାବେଳେ ଧନୀ ଅଧିକ ଧନୀ ହେଉଛି।
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri