ଜ୍ଞାନକୌଶଳ ଆପଣାଇବାକୁ ହେବ

ଈପ୍ସିତା ମହାନ୍ତି

 

ଲେଖାଟି ଦେଶର ଏକ ପ୍ରମୁଖ ରାଜ୍ୟ ଗୁଜରାଟ, ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଏବଂ ଆମ କୋରାପୁଟ ଜିଲା ବୈପାରୀଗୁଡ଼ାର ଘଟଣାବଳୀକୁ ନେଇ ଆଲୋଚିତ। ଗତ ଦିନରେ ଗୁଜରାଟ କ୍ୟାଡରର ବରିଷ୍ଠ ପୋଲିସ ଅଧିକାରୀ ଗୌତମ ପାରମାର ଜଣେ ସାଧାରଣ ନାଗରିକଙ୍କ ଭଳି କିଛି ଥାନା ପରିଦର୍ଶନ କରିଥିଲେ। ସାଧାରଣ ନାଗରିକଙ୍କ ଭଳି ତାଙ୍କୁ ମଧ୍ୟ ସମାନ ଧରଣର ଅନୁଭବ ହୋଇଥିଲା। ଏହାପରେ ବିଶୃଙ୍ଖଳିତ ଆଚରଣ ପାଇଁ ଏକାଧିକ ପୋଲିସ କର୍ମଚାରୀଙ୍କୁ ଦଣ୍ଡିତ କରାଗଲା। ଗୁଜରାଟର ଏହି ପୋଲିସ ଅଧିକାରୀ ଦେଶର ପ୍ରଥମ ଅଧିକାରୀ ନୁହନ୍ତି ଯିଏ ଅକସ୍ମାତ୍‌ ଥାନା ପରିଦର୍ଶନରେ ଯାଇ ବିଶୃଙ୍ଖଳିତ କର୍ମଚାରୀଙ୍କୁ ଦଣ୍ଡିତ କରିଛନ୍ତି। ପ୍ରତ୍ୟେକ ସହର ଓ ଅଞ୍ଚଳରେ ଏପରି ଘଟଣା ଘଟୁଛି। ସାଧାରଣତଃ କୌଣସି ଅଞ୍ଚଳରେ ଜଣେ ନୂତନ ଅଧିକାରୀ ନିଯୁକ୍ତି ହେଲେ ନିଜ ଉପସ୍ଥିତି ତଥା କର୍ତ୍ତୃତ୍ୱ ଜାହିର ପାଇଁ ସେ ଏଭଳି ପଦକ୍ଷେପ ନେଇଥା’ନ୍ତି। କିନ୍ତୁ ଏହାର ପ୍ରଭାବ ଦିନ କେଇଟାରେ ମିଳେଇ ଯାଏ। ତଥାପି ଏହା ଏକ ଉତ୍ତମ ପ୍ରୟାସ। ଯଦିଓ ବାରମ୍ବାର ପୁନରାବୃତ୍ତି ଦ୍ବାରା ଏହା ପ୍ରଭାବଶାଳୀ ହୋଇଥାଏ କିନ୍ତୁ ସେପରି ହେଉନାହିଁ।
ଆଜିର ବୈଷୟିକ ଯୁଗରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସକୁ ନୂତନ ଢଙ୍ଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଉଦାହରଣ ସ୍ବରୂପ, ଦିଲ୍ଲୀ ପରି ମହାନଗରୀରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯାହା ମାଧ୍ୟମରେ ଦିଲ୍ଲୀବାସୀ ପ୍ରମୁଖ ମାର୍ଗର ଟ୍ରାଫିକ୍‌ ସମସ୍ୟା ବିଷୟରେ ଟ୍ରାଫିକ୍‌ ପୋଲିସକୁ ଅବଗତ କରାଉଛନ୍ତି। ଲୋକଙ୍କ ଅଧିକାଂଶ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଛି। ଏହି କାରଣରୁ ଦିଲ୍ଲୀର ଟ୍ରାଫିକ୍‌ ବ୍ୟବସ୍ଥାରେ ଅନେକ ସୁଧାର ଆସିଛି। ୨୦୧୦ରେ ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ନିଜ ଫେସ୍‌ବୁକ ପେଜ୍‌ରେ ଜନତାଙ୍କୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନର ଚିତ୍ର ମାଗିବା ଆରମ୍ଭ କରିଥିଲା। କାର୍ଯ୍ୟାନୁଷ୍ଠାନ ଭୟରେ ଟ୍ରାଫିକ୍‌ ନିୟମ ପାଳିବାରେ ଲୋକେ ଅଭ୍ୟସ୍ତ ହେଲେ। ପୁଣି ଜରିମାନା ନାମରେ ରାଜକୋଷକୁ ପର୍ଯ୍ୟାପ୍ତ ଅର୍ଥ ଆସିଲା।
ଧୀରେ ଧୀରେ ଦିଲ୍ଲୀ ପରି ଦେଶର ଅନ୍ୟାନ୍ୟ ସହରର ଟ୍ରାଫିକ୍‌ ପୋଲିସ ହ୍ବାଟ୍ସଆପ୍‌ ଜରିଆରେ ଅଭିଯୋଗ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ ସହରର ଟ୍ରାଫିକ୍‌ ପୋଲିସ ଅତି ସତର୍କତା ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କିନ୍ତୁ ସମୟକ୍ରମେ ସେ ମଧ୍ୟ ଢିଲା ହୋଇଗଲା। ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ନିକଟରେ ପୂର୍ବର ସେହି ତତ୍ପରତା ଆଉ ଦେଖିବାକୁ ମିଳୁନାହିଁ। କିଛିଦିନ ତଳେ ମୋର ଜଣେ ବନ୍ଧୁ ଦିଲ୍ଲୀର ଏକ ପ୍ରମୁଖ ରାସ୍ତାର ଟ୍ରାଫିକ୍‌ ଜାମ୍‌ ଖବରକୁ ନିଜ ହ୍ବାଟ୍ସଆପ୍‌ ମାଧ୍ୟମରେ ଜଣାଇବାରୁ ଟ୍ରାଫିକ୍‌ ପୋଲିସଠାରୁ ଉତ୍ତର ଆସିଥିଲା ‘ଦୟାକରି ଏଥି ସମ୍ପର୍କିତ ଭିଡିଓ ପଠାନ୍ତୁ’। ଏହି ସମୟରେ ବନ୍ଧୁ ଜଣକ ଉକ୍ତ ସ୍ଥାନ ଅତିକ୍ରମ କରି ଢେର୍‌ ଆଗକୁ ଚାଲି ଯାଇଥିଲେ। ତେଣୁ ଗୁଗଲ୍‌ ମାନଚିତ୍ର ସାହାଯ୍ୟରେ ସେ ସ୍କ୍ରିନ୍‌ସଟ୍‌ ପଠାଇ ଟେକ୍ନୋଲୋଜି (ବୈଷୟିକ କୌଶଳ)ର ସାହାଯ୍ୟ ନେବାକୁ ଟ୍ରାଫିକ୍‌ ବିଭାଗକୁ ପରାମର୍ଶ ଦେଇଥିଲେ। ସେପଟରୁ କୌଣସି ପ୍ରତିକ୍ରିୟା ନ ଆସିବାରୁ ଟ୍ରାଫିକ୍‌ ପୋଲିସ ଓ ବନ୍ଧୁଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ସ୍କ୍ରିନ୍‌ସଟ୍‌କୁ ସେ ଦିଲ୍ଲୀ ଟ୍ରାଫିକ୍‌ ପୋଲିସର ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରିଦେଲେ। ତତକ୍ଷଣାତ୍‌ ମୋ ବନ୍ଧୁଙ୍କ ନିକଟକୁ ସୂଚନା ଆସିଥିଲା ଯେ, ସେହି ଅଞ୍ଚଳର ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଖବର ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠେ ଯେ ମୋ ବନ୍ଧୁଙ୍କ ଦ୍ୱାରା ପ୍ରେରିତ ଅଭିଯୋଗକୁ ଗୁଗଲ୍‌ ମାନଚିତ୍ରର ସାହାଯ୍ୟ ନେଇ ଟ୍ରାଫିକ୍‌ ନିୟନ୍ତ୍ରଣ କକ୍ଷରେ ବସିଥିବା ଅଧିକାରୀ କ’ଣ ଯାଞ୍ଚ କରିପାରିବେ ନାହିଁ ? ପ୍ରକୃତରେ ଗୁଗଲ୍‌ ମାନଚିତ୍ର ପରି ବୈଷୟିକ ଜ୍ଞାନ କୌଶଳ ଆପଣାଇ ଟ୍ରାଫିକ୍‌ ନିୟନ୍ତ୍ରଣ କକ୍ଷରେ ବସିଥିବା ଅଧିକାରୀମାନେ ଆଞ୍ଚଳିକ ଅଧିକାରୀମାନଙ୍କୁ ଟ୍ରାଫିକ୍‌ ଜାମ୍‌ ଥିବା ଅଞ୍ଚଳର ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସୂଚିତ କରିପାରିବେ।
ଏହା ମଧ୍ୟ ଦେଖାଯାଉଛି ଯେ ଜାତୀୟ ଦିବସର ଅବ୍ୟବହିତ ପୂର୍ବରୁ ଅବା କିଛି ନିର୍ଦ୍ଦିଷ୍ଟ (ମନୋନୀତ) ଦିନଗୁଡ଼ିକରେ ପୋଲିସର ଯାଞ୍ଚ କାର୍ଯ୍ୟ ବୃଦ୍ଧିପାଏ। ଏ ଖବର ଜନତାଙ୍କୁ ଅଛପା ରହେନାହିଁ। ପୋଲିସ ଆଜି ଯାଞ୍ଚ କରିବ ! ତେଣୁ ସେହି ନିର୍ଦ୍ଦିଷ୍ଟ ଦିନଗୁଡ଼ିକରେ ନୀତିନିୟମ ଏବଂ ଆଇନକାନୁନର ଅନୁପାଳନରେ ଜନତା ବେଶ୍‌ ତତ୍ପର ହୋଇଉଠନ୍ତି। କଥା ହେଉଛି, ନିରନ୍ତର ଭାବେ ପୋଲିସ ଏଭଳି କାର୍ଯ୍ୟକ୍ରମ ଅବ୍ୟାହତ ରଖିଲେ ନୀତିନିୟମ ପ୍ରତି ଜନସାଧାରଣ କେବଳ ସଚେତନ ରହିବେ ତାହା ନୁହେଁ ବରଂ ଅପରାଧରେ ମଧ୍ୟ ରୋକ ଲାଗି ପାରିବ। ଗତ କିଛି ମାସ ହେଲା ଥାନା ନିକଟରେ ବୈପାରୀଗୁଡ଼ା ପୋଲିସ ନିୟମିତ ହେଲ୍‌ମେଟ ସହ ଗାଡିମୋଟରର କାଗଜପତ୍ର ଯାଞ୍ଚ କରୁଛି। ଅବଶ୍ୟ ବୈପାରୀଗୁଡ଼ା ପୋଲିସର ଏଭଳି କାର୍ଯ୍ୟ ସେହି ଗୋଟିଏ ପଥରେ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଯଦିଓ କିଛି ପରିମାଣରେ ସଚେତନତା (ଦଣ୍ଡ ଭୟରେ ଅବା ନିଜ ସୁରକ୍ଷା ପାଇଁ) ସୃଷ୍ଟିରେ ସହାୟକ ହୋଇଛି କିନ୍ତୁ ଅନ୍ୟାନ୍ୟ ପଥରେ ଯାତାୟାତ କରୁଥିବା ଚାଳକଙ୍କ ବେପରୁଆ ମନୋଭାବରେ ଏହା କୌଣସି ପ୍ରଭାବ ପକାଉ ନାହିଁ କିମ୍ବା ସେମାନଙ୍କ ମନରେ ସେଭଳି କୌଣସି ପରିବର୍ତ୍ତନ ଆଣିଦେଇନାହିଁ। ବାସ୍ତବରେ ସହର ଭିତରେ ଅବା ଥାନା ନିକଟରେ ସର୍ବଦା ଯାଞ୍ଚ ନ କରି ସହର ବାହାରେ ବିଭିନ୍ନ ପଥରେ ନିୟମିତ ଅନ୍ତରାଳରେ ଏଭଳି କାର୍ଯ୍ୟକ୍ରମ କରାଗଲେ ତାହାର ଲାଭ ସମାଜ ପାଇପାରନ୍ତା।
ଗୁଜରାଟର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଅକସ୍ମାତ୍‌ ସାଦା ପୋଷାକରେ ଯଦି ଥାନା ଉପରେ ଚଢ଼ାଉ କରିପାରୁଛନ୍ତି, ଦୋଷୀ କର୍ମଚାରୀଙ୍କୁ ଦଣ୍ଡିତ କରିପାରୁଛନ୍ତି; ତେବେ ରାସ୍ତା କଡ଼ରେ ଅବା ଜନଗହଳି ସ୍ଥାନରେ ଚାଲିଥିବା ଖୋଲାଖୋଲି ମଦ୍ୟପାନ ଉପରେ କାହିଁକି କଟକଣା ଲାଗୁ ହୋଇପାରିବ ନାହିଁ ? ଏଥିପାଇଁ କୌଣସି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହିବାକୁ ପଡ଼ିବ ନାହିଁ। ଅଧିକାରୀମାନଙ୍କୁ କେବଳ ବୈଷୟିକ ଜ୍ଞାନ କୌଶଳ ଆପଣାଇବାକୁ ପଡ଼ିବ। ସିସିଟିଭି ଅବା ସାମାଜିକ ଗଣମାଧ୍ୟମ ସାହାଯ୍ୟରେ ସେମାନେ ଏହାକୁ ନିୟନ୍ତ୍ରଣ କରିପାରିବେ।
ବୈପାରୀଗୁଡ଼ା, କୋରାପୁଟ
ମୋ- ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri