ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ ଜାହିର କରିବା, ସାମ୍ବିଧାନିକ ସଂସ୍ଥାର ସ୍ବାଧୀନତାକୁ କ୍ଷୁଣ୍ଣ କରି ନିଜ ଶୈଳୀରେ ତାହାକୁ ପରିଚାଳନା କରିବା, କାହାରିକୁ ଶାରୀରିକ ଶୋଷଣଠାରୁ ଆରମ୍ଭକରି ବୌଦ୍ଧିକ ସମ୍ପତ୍ତି ହରଣଚାଲ କରିବା ଯାଏ ଯେତେ ନକାରାତ୍ମକ ଚିନ୍ତାଧାରା ପ୍ରୟୋଗ କରାଯାଇ ଫାଇଦା ଉଠାଯିବା ଭଳି ଅନେକ କାର୍ଯ୍ୟ ଦୁର୍ନୀତି ପଦବାଚ୍ୟ। କଂଗ୍ରେସ ପରିଚାଳିତ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) କ୍ଷମତାରୁ ଯିବା ପଛରେ ଆର୍ଥିକ ହେରଫେର ଓ ଆତ୍ମସାତ୍ ଥିଲା ମୁଖ୍ୟ କାରଣ। ଏବେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ସରକାର ଦୀର୍ଘ ବର୍ଷ ଶାସନ କରିବାର ଆକାଂକ୍ଷା ରଖି ଅନେକ ସାମ୍ବିଧାନିକ ସଂସ୍ଥା ଉପରେ ନିୟନ୍ତ୍ରଣ ଆଣିବାକୁ କରିଆସୁଥିବା ମସୁଧା ଧୀରେ ଧୀରେ ପଦାକୁ ଆସିଲାଣି। ଏହି ଧରଣର ଦୁର୍ନୀତି ବର୍ତ୍ତମାନର ସରକାର ପାଇଁ କାଳ ହୋଇପାରେ।
ଉପକ୍ରମଣିକାରେ ଦୁର୍ନୀତିର ପ୍ରକାରଭେଦ ବଖାଣିବା ପାଇଁ ଏବର ଏକ ଖବର ଖୋରାକ ଯୋଗାଇଛି। ଗତ ସପ୍ତାହରେ ଦିଲ୍ଲୀରୁ ପ୍ରକାଶ ପାଉଥିବା ଦୈନିକ ଇଂଲିଶ୍ ଖବରକାଗଜ ‘ଇଣ୍ଡିଆନ ଏକ୍ସପ୍ରେସ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ରେ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଜ୍ଞାନେଶ କୁମାର ଅନ୍ୟ ସଦସ୍ୟଙ୍କ ପ୍ରସ୍ତାବକୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ରେ ସନ୍ନିବେଶିତ ନ କରି ନିଜ ମନଇଚ୍ଛା କାର୍ଯ୍ୟ କରିଆସୁଛନ୍ତି। ସୂଚନା ଦିଆଯାଇପାରେ ଯେ, ଜ୍ଞାନେଶଙ୍କ ସହ କାର୍ଯ୍ୟ କରୁଥିବା ଅନ୍ୟ ଦୁଇ ନିର୍ବାଚନ କମିଶନର ହେଲେ ଏସ୍.ଏସ୍. ସାନ୍ଧୁ ଓ ବିବେକ ଜୋଷୀ। ସାନ୍ଧୁ ଓ ଜୋଷୀ ଅତିକମ୍ରେ ୧୦ ମାସ ମଧ୍ୟରେ ୧୪ ଥର ଆପତ୍ତି ଉଠାଇଛନ୍ତି ଯେ, ସେମାନଙ୍କ ଅଜାଣତରେ ଇସିଆଇରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ପ୍ରାୟ ଅଭିଯୋଗ ଭୋଟରଙ୍କ ନାମ ଯୋଡ଼ିବା ଓ କାଟିବା ଏବଂ ନିର୍ବାଚନ ସମ୍ବନ୍ଧୀୟ ତଥ୍ୟାବଳୀକୁ ନିୟନ୍ତ୍ରଣକୁ ନେଇ ରହିଥିଲା। ଏହି ବିଷୟ ପ୍ରଘଟ ହେବା ପରେ ଇସିଆଇ ପକ୍ଷରୁ କୁହାଯାଇଛି ଯେ, କମିଶନଙ୍କ ମଧ୍ୟରେ ମତଭେଦ ରହିବା ସ୍ବାଭାବିକ। ଏପରି କି ସମସ୍ତ ଏସ୍ଆଇଆର୍ ନିଷ୍ପତ୍ତି ସର୍ବସମ୍ମତ ଥିଲା ବୋଲି ନିର୍ବାଚନ କମିଶନ ପକ୍ଷରୁ ୨୬ ସେପ୍ଟେମ୍ବରରେ ସ୍ପଷ୍ଟୀକରଣ ଦିଆଯାଇଛି। ଢଗ ଅଛି-‘ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି’। ଉପରୁ ଚାପ ହେଉ ବା ସଦସ୍ୟମାନେ ଇସି ଆହୁରି ବଦ୍ନାମ ନ ହେଉ ଚାହିଁ ଯଦି ସର୍ବସମ୍ମତ କଥା କହୁଥାଆନ୍ତି, ତାହା ମଧ୍ୟ ସାଂଘାତିକ ଦିଗକୁ ଦର୍ଶାଉଛି। କାରଣ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏସ୍ଆଇଆର୍ ବିଷୟ ବିତର୍କ ରହିଆସିଛି। ବିହାରରେ ଏସ୍ଆଇଆର୍ରେ ୬୫ ଲକ୍ଷ ଭୋଟରଙ୍କ ନାମ କଟିଥିବା ବେଳେ ପଶ୍ଚିମବଙ୍ଗରେ ୯୧ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ କଟାଯିବା ଅନେକ ରାଜନୈତିକ ଗୁରୁତ୍ୱ ରଖୁଛି। ଏହିସଂଖ୍ୟକ ବାଦ୍ ପଡ଼ିଗଲେ କ୍ଷମତାକୁ ଆସୁଥିବା ବ୍ୟକ୍ତି ହାରିଯାଇ ଅନ୍ୟଜଣେ ଜିତିବା ସମ୍ଭବପର ବୋଲି ଦିଶୁଛି। ଉଦାହରଣସ୍ବରୂପ, ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ଏପ୍ରିଲରେ ହୋଇଥିବା ନିର୍ବାଚନରେ ୧୫,୧୦୫ ଭୋଟରେ ହାରିଥିବା ବେଳେ ତାଙ୍କ ନିର୍ବାଚନମଣ୍ଡଳୀରେ ୪୪, ୭୮୭ ଭୋଟରଙ୍କୁ ବାଦ୍ ପକାଇ ଦିଆଯାଇଥିଲା। ଅନୁରୂପ ଭାବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ୪,୦୮୯ ଭୋଟରେ ହାରିଥିବା ବେଳେ ତାଙ୍କ ନିର୍ବାଚନମଣ୍ଡଳୀରୁ ୪୦ ହଜାର ଭୋଟରଙ୍କ ନାମ ବାଦ୍ ପଡ଼ିଥିଲା। ସେହିପରି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ୮,୭୯୫ ଭୋଟରେ ହାରିଥିବା ବେଳେ ୧ ଲକ୍ଷ ଭୋଟରଙ୍କ ନାମ ତାଙ୍କ ନିର୍ବାଚନମଣ୍ଡଳୀରୁ କଟିଛି। ଭାରତୀୟ ନାଗରିକ ହୋଇ ପୂର୍ବରୁ ଭୋଟ ଦେଇଥିବା ବ୍ୟକ୍ତିଙ୍କ ନାମ ଚୂଡ଼ାନ୍ତ ତାଲିକାରୁ ବାଦ୍ ପଡ଼ିବା ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ବିରୋଧୀ ଯେଉଁ ଅଭିଯୋଗ କରିଆସୁଥିଲେ ତାହା ଏବର ଗଣମାଧ୍ୟମ ରିପୋର୍ଟ ଦ୍ୱାରା ପ୍ରମାଣ ମିଳିବା ପରେ କୌଣସି ବିଷୟକୁ ଲୁଚାଇବା ସମ୍ଭବ ହୋଇ ନ ପାରେ। ଜ୍ଞାନେଶଙ୍କ ବିରୋଧରେ ମହାଭିଯୋଗ ବା ବହିଷ୍କାର ଦାବି ନେଇ ବିରୋଧୀ ଦଳ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ କରିଥିବା ବେଳେ ଅନ୍ୟାନ୍ୟ ରାଜନୈତିକ ଦଳ ଅନୁରୂପ ଦାବି କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନରଙ୍କୁ ବିଦା କରିବା ଲାଗି କକ୍ରୋଚ ଜନତା ପାର୍ଟି (ସିଜେପି) ଅକ୍ଟୋବର ୨ରୁ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇସାରିଲାଣି।
ନିର୍ବାଚନ କମିଶନ ଏକ ସାମ୍ବିଧାନିକ ଅନୁଷ୍ଠାନ। ଏହା କୌଣସି ଜଣେ ପଦାଧିକାରୀଙ୍କ ବ୍ୟକ୍ତିଗତ ସଂସ୍ଥା ହୋଇ ନ ଥିବାରୁ ସାଧାରଣରେ ତାହାକୁ ପ୍ରଶ୍ନ ପଚରାଯିବା ସ୍ବାଭାବିକ। ଯେତେବେଳେ ନାଗରିକଙ୍କ ମତାଧିକାର ରକ୍ଷା କରିବା ଦାୟିତ୍ୱ ପାଇଥିବା ସଂସ୍ଥାରେ ସ୍ବଚ୍ଛତା ରହିବ ନାହିଁ, ତାହା ହେଲେ ଗଣତାନ୍ତ୍ରିକ ପ୍ରକ୍ରିୟା ନିଶ୍ଚୟ ବିଗିଡ଼ିଯିବ। ତେଣୁ ଏ ସମ୍ପର୍କରେ ଅଭିଯୋଗ ହୋଇଥିବା ପ୍ରତିଟି ଦିଗରେ ତଦନ୍ତ ହେବା ଦରକାର। କିନ୍ତୁ ଯାହା ଦେଖାଯାଉଛି ସେଥିରୁ ବୁଝିବାକୁ ହେବ ଯେ, ଭାରତରେ ମନ୍ଦ ବୁଦ୍ଧି ଓ ଅସାମାଜିକ ବ୍ୟକ୍ତିଙ୍କ ସଂଖ୍ୟା ପ୍ରବଳମାତ୍ରାରେ ବଢ଼ିବାରେ ଲାଗିଛି। ଯିଏ ଯେତେ ଅଧିକ ମନ୍ଦ କାମ କରିପାରିବ ବୋଲି ପ୍ରତିଶ୍ରୁତି ଦେଉଛି, ସେହିଭଳି ବ୍ୟକ୍ତି କ୍ଷମତାର ନିକଟତର ହେବା ସମ୍ଭବପର ହେଉଛି। ସରକାର ଏବଂ ରାଜନୈତିକ ଦଳର ପ୍ରବକ୍ତାମାନେ ଯେଉଁ ବିଷୟରେ ଅଧିକ ସଫେଇ ଦେଉଛନ୍ତି, ତାହାକୁ ସାଧାରଣରେ ସେତିକି ଅଧିକ ଅବିଶ୍ୱାସ କରାଯାଉଛି।
ଏବେ ଜ୍ଞାନେଶ କୁମାରଙ୍କୁ ଗିରଫ କରିବାର ଯେଉଁ ଦାବି ଜନ୍ମ ନେଇଛି ତାହା ଯଥାର୍ଥ ବୋଲି କହିହେବ। ଜଣେ ବ୍ୟକ୍ତିବିଶେଷ ସମ୍ପୂର୍ଣ୍ଣ କ୍ଷମତା ପାଇଯାଇଥିବାରୁ ଏକ ବିରାଟକାୟ ସଂସ୍ଥାକୁ ବଦ୍ନାମ କରି ଧୂଳିସାତ କରିଦେବାର ପଦ୍ଧତି ଜ୍ଞାନେଶ ଦେଶବାସୀଙ୍କୁ ଶିଖାଇଦେଲେ। ରାଷ୍ଟ୍ରକୁ ସୁଫଳ ଦେବା ପରିବର୍ତ୍ତେ ଏହି ବ୍ୟକ୍ତିମାନେ, ଗୋଟିଏ ଜୀବନକାଳ ମଧ୍ୟରେ, ବିରାଟକାୟ କ୍ଷତି ଦେଶ ପାଇଁ କରିଦେଉଛନ୍ତି। ସେଥିପାଇଁ ଜେଲଦଣ୍ଡ ମିଳିଲେ ହୁଏତ ଆସନ୍ତାକାଲି ଯେଉଁମାନେ ଏଭଳି ପଦପଦବୀରେ ରହିବେ ସେମାନଙ୍କ ମନରେ ଭୟ ସୃଷ୍ଟି ହେବ ଏବଂ କାହାରି ଦ୍ୱାରା ପ୍ରରୋଚିତ ହେବା ପୂର୍ବରୁ ନିଜ ଜୀବନର ଶେଷ ସମୟ କଥା ଚିନ୍ତା କରିବେ।