ହାଟଡିହୀ/ଛେନାପଦୀ, ୯।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୁଧବାର ମଧ୍ୟାହ୍ନରେ ସ୍ପେଶାଲ ମେସେଞ୍ଜର ଜରିଆରେ ନିଲମ୍ବନ ଆଦେଶ ପାଇବା ପରେ ବିଇଓ ରାଜୀବ ଦଳେଇ ଚିଠିଟି ନେଇ କାର୍ଯ୍ୟାଳୟ ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି। ଏନେଇ ତାଙ୍କ ସହ ବାରମ୍ବାର ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ୍ ଉଠାଇ ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପୂର୍ଣ୍ଣଚନ୍ଦ୍ର ବରିହା ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି ନମ୍ବର ୨୩୨୭୦ (ତାରିଖ: ୭ ସେପ୍ଟେମ୍ବର ୨୦୨୬) ଅନୁଯାୟୀ ହାଟଡିହୀ ବିଇଓ ରାଜୀବ ଦଳେଇଙ୍କୁ ନିଲମ୍ବିତ କରାଯାଇଛି। ଏସଆଇଆର (SIR) କାର୍ଯ୍ୟରେ ଅବହେଳା ଦର୍ଶାଇ ଗଣଶିକ୍ଷା ବିଭାଗର କମିଶନର-କମ୍-ସେକ୍ରେଟାରୀ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଅପରପକ୍ଷେ, ବିଇଓ ଦଳେଇଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରକାର ଅନିୟମିତତାର ଅଭିଯୋଗ ରହିଥିବା କୁହାଯାଉଛି। ଶିକ୍ଷକମାନଙ୍କୁ ଡେପୁଟେସନ୍ ନାମରେ ମନଇଚ୍ଛା ବଦଳି କରିବା, ଏସ୍ଆଇଆର କାର୍ଯ୍ୟରେ ନିୟୋଜିତ ଶିକ୍ଷକମାନଙ୍କୁ ଇଚ୍ଛାମୁତାବକ ସ୍ଥାନାନ୍ତର କରିବା, ନିୟମିତ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ନରହିବା ଏବଂ ବିଦ୍ୟାଳୟ ତଦାରଖରେ କୋହଳ ମନୋଭାବ ପୋଷଣ କରିବା ଭଳି ସାଙ୍ଘାତିକ ଅଭିଯୋଗ ତାଙ୍କ ନାଁରେ ରହିଥିଲା।
ତେବେ ଏହି ସମସ୍ତ ଅଭିଯୋଗ ମଧ୍ୟରୁ ନିର୍ଦ୍ଦିଷ୍ଟ କେଉଁ କାରଣକୁ ଆଧାର କରି ତାଙ୍କୁ ନିଲମ୍ବିତ କରାଯାଇଛି, ସେ ନେଇ ନିଲମ୍ବନ ଚିଠି ସାର୍ବଜନୀନ ହୋଇ ନ ଥିବାରୁ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ।

