ସହାସ୍ୟ ଜୀବନ

ଇଂ. ସଚ୍ଚିଦାନନ୍ଦ ନନ୍ଦ

 

ବିରସ ବଦନ ରହିବା ବା ଦେଖିବାକୁ କେହି ପ୍ରାୟ ଭଲ ପାଆନ୍ତି ନାହିଁ। ମାତୃଗର୍ଭରୁ ଯିଏ ଯେତିକି ସୁନ୍ଦର ହୋଇ ଜନ୍ମ ହୋଇଛି ତା’ ସୌନ୍ଦର୍ଯ୍ୟ କିଛି ମାତ୍ରାରେ ବଢ଼ି ଯାଏ ସହାସ୍ୟ ଜୀବନଯାପନ କଲେ। ନିଜ ଦର୍ପଣ ନିଜ ଚେହେରାକୁ ପ୍ରଶଂସାପତ୍ର ଦେବା ସଙ୍ଗେ ସଙ୍ଗେ ସାଥୀ, ବନ୍ଧୁବାନ୍ଧବମାନେ ମଧ୍ୟ ବିନା କାରଣରେ ଖୁସି ହୁଅନ୍ତି ଗୋଟିଏ ସରସ ବଦନ ବ୍ୟକ୍ତିଙ୍କୁ ଦେଖିଲେ। ପ୍ରକୃତରେ ମଣିଷ ଖୁସି ରହିବା ହିଁ ତା ଜନ୍ମର ଧର୍ମ। ଛୋଟ ପିଲା ହୋଇ ସମସ୍ତେ ଜନ୍ମ ଲାଭ କରିଥାନ୍ତି ଏବଂ ସେହିଦିନଠାରୁ ସେ ଖୁସିରେ ହିଁ ତା’ର ଦିନ ଅତିବାହିତ କରେ। ଯଦି ସେ କାନ୍ଦେ, ଯାହା ତା’ପାଇଁ ସ୍ବାଭାବିକ ନୁହେଁ, ସମସ୍ତେ ବ୍ୟସ୍ତ ହୋଇ ଖୋଜି ବସନ୍ତି ତାହାର କାରଣ। ପିଲାକୁ ଭୋକ ହେଲାଣି ବା ପରିସ୍ରା କରି ଦେଇଥିବ ବା ଶଯ୍ୟାରେ କିଛି ବାହ୍ୟ ପଦାର୍ଥ ତା’ ଦେହକୁ କଷ୍ଟ ଦେଉଥିବ ଇତ୍ୟାଦି ଇତ୍ୟାଦି। କହିବାର ତାତ୍ପର୍ଯ୍ୟ ହେଉଛି କିଛି ଗୋଟିଏ ଅସ୍ବାଭାବିକ ପରିସ୍ଥିତି ନ ପଡ଼ିଲେ ପିଲା ତା’ ସ୍ବଭାବବଶତଃ ଖୁସିରେ ଦୋଳାରେ ଖେଳିବା କଥା। କିଛି ଗୋଟିଏ ଅଘଟଣ ନ ଘଟିଲେ କାହିଁକି ବା କାନ୍ଦନ୍ତା? ସେଇ ପିଲା ବଡ଼ ହୋଇ ଆମ୍ଭମାନଙ୍କ ପରି ହୋଇଛି। ଆମର ମଧ୍ୟ ସ୍ବଭାବ ହେଉଛି ଖୁସିରେ ରହିବା। ଦୁଃଖିତ ହେବା ପଛରେ କିଛି ଗୋଟିଏ ଅସ୍ବାଭାବିକ ଘଟଣା ଥିବ ନିଶ୍ଚିତ।
ସହାସ୍ୟ ବଦନ ଓ ସରସ ଜୀବନ ଏକ ମାନସିକତା। ଜଣେ ଇଚ୍ଛା କଲେ, ମନ କଲେ, ଯେ କୌଣସି ପରିସ୍ଥିତିରେ ବି ଖୁସି ରହିପାରିବ। ପ୍ରତିକୂଳ ପରିସ୍ଥିତିରେ ବି ତାହାର ସ୍ବଭାବ ଛାଡ଼ିବ ନାହିଁ। ଦୁଃଖ କଲେ କ’ଣ ହୋଇଯିବ, କିଏ ଆଣି ଦେଇଯିବ, ଲୋକେ ସହାନୁଭୂତିମୂଳକ କଥା କହିବେ ସିନା ଦୁଃଖୀର ଦୁଃଖ କେତେ ପରିମାଣରେ ଲାଘବ ହେବ? ହେବ କେବଳ ନିଜ ମାନସିକତା ଦ୍ୱାରା। ଖୁସି ରହିବାର ମାନସିକତାକୁ ସମର୍ଥନ ଦିଏ ଆଧ୍ୟାତ୍ମିକତା। ମଣିଷ ଭଗବାନଙ୍କୁ ପାଇବାକୁ ସାଧନା କରି ନ ପାରେ, କିନ୍ତୁ ସୁଖଶାନ୍ତି ପାଇବାକୁ ନ ଚାହିଁବା କେଉଁଠାରେ କେବେ ହେଲେ ଦେଖାଯାଇନାହିଁ। ସେହି ସୁଖ ଶାନ୍ତି ପାଇବାର କେତେକ ସୂତ୍ର ଅଛି। ତାହାକୁ ପାଇବା ଓ ପାଳିବାକୁ ପଡ଼ିବ। ଟିକିଏ ହସ ସମସ୍ତଙ୍କ ପାଇଁ ମୂଲ୍ୟବାନ। ଭାରତୀୟମାନଙ୍କ ରକ୍ତରେ ଆଧ୍ୟାତ୍ମିକତା ପ୍ରବାହିତ, ଭାରତୀୟମାନେ ପାନ କରୁଥିବା ଜଳରେ ଆଧ୍ୟାତ୍ମିକତା, ତାଙ୍କ ଶ୍ୱାସ ପ୍ରଶ୍ୱାସର ବାୟୁରେ ଆଧ୍ୟାତ୍ମିକତା, ତାଙ୍କ ଭାତ ପଖାଳରେ ଆଧ୍ୟାତ୍ମିକତା, ସେମାନଙ୍କ ମାତାପିତା ଠାକୁର ଠାକୁରାଣୀ, ସହୋଦର ସହୋଦରା ଠାକୁରଙ୍କ ପ୍ରତିରୂପ। ସେମାନଙ୍କ ବାସଗୃହ ଭଗବାନଙ୍କ ନିଳୟ। ସେଥିପାଇଁ ହସିବା ତାଙ୍କ ପାଇଁ ସହଜାତ ଓ ସହଜ। ଆଧ୍ୟାତ୍ମିକତାର ଯଦି କିଛି ମୂଲ୍ୟ ଥାଏ ହସର ମୂଲ୍ୟ ମଧ୍ୟ ସେତିକି। କାରଣ ଆଧ୍ୟାତ୍ମିକ ସାଧନା ସେତିକି ଗଭୀରତର ହେଲେ ଯାଇ ଜଣେ ମଧୁର ହସ ହସିପାରିବ। କୃତ୍ରିମ ହସ, ଅଭିନୟ ହସ, ଅଭିସନ୍ଧିମୂଳକ ହସ କ’ଣ ଆଧ୍ୟାତ୍ମିକ ହସ ସହ ତୁଳନା ହୋଇପାରିବ? କେବେହେଲେ ନୁହେଁ।
ଆଉ ଏକ ମାର୍ଗ ଅଛି ଅତି ସହଜ, ସାଧନା ସାପେକ୍ଷ ନୁହେଁ ତାହାପାଇଁ କିଛି ତ୍ୟାଗ କରିବାକୁ ପଡ଼ିବ ନାହିଁ, କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ, କୌଣସି ଡିଗ୍ରୀ ହାସଲ କରିବାକୁ ପଡ଼ିବ ନାହିଁ, ଉଚ୍ଚ କୂଳରେ ଜନ୍ମ ହେବାକୁ ପଡ଼ିବ ନାହିଁ, ଦୀକ୍ଷା ନେବାକୁ ପଡ଼ିବ ନାହିଁ, ବ୍ରତ ପିନ୍ଧିବାକୁ ପଡ଼ିବ ନାହିଁ, ତାହା ହେଉଛି ନିରୋଳା ଭଲ ପାଇବା। ନିଃସ୍ବାର୍ଥ, ନୀରଭିମାନ, ନରହଂକାର ପ୍ରେମଭାବ। କୌଣସି ପ୍ରତ୍ୟାଶା ନ ରଖି କେବଳ ଭଲ ପାଇବା, ଜୀବନ ପରିସର ଭିତରକୁ ଯିଏ ଆସିଲା ତାକୁ ଭଲ ପାଇବା, ଆମକୁ ହତାଦର କରୁଥିବା ଲୋକକୁ ମଧ୍ୟ ଭଲ ପାଇବା। ଏହି ମାର୍ଗରେ ଚାଲୁ ଚାଲୁ କୌଣସିଠାରେ ଠୋକର ଖାଇବାକୁ ପଡ଼ିପାରେ। କିନ୍ତୁ ନିଜ ପ୍ରେମଭାବ ଅତୁଟ ରଖିବାକୁ ହେବ। ଆମେ ତ କାହା ଦେହକୁ ପ୍ରେମ କରୁନେ, କାହାଧନକୁ ପ୍ରେମ କରୁନେ, ଜଣଙ୍କର ଦେହ, ମନ ବୁଦ୍ଧି, ବିଚକ୍ଷଣତା, ପାରଦର୍ଶିତା ପ୍ରଭୃତି ଯାହାଦ୍ୱାରା ଚଳତଶକ୍ତି ପ୍ରାପ୍ତ ହୋଇଛି ସେହି ଅଦୃଶ୍ୟ ଆତ୍ମାକୁ ପ୍ରେମ କରୁଛୁ। ସେହି ଆତ୍ମା ହିଁ ପ୍ରେମ୍ୟ। ଯେଉଁ ପ୍ରତିକୂଳ ପରିସ୍ଥିତିମାନ ଆସିଛି ତାହା ମଧ୍ୟ ସେହି ଈଶ୍ୱରଙ୍କ ଉପହାର ଆମ ପ୍ରତି। ପ୍ରତିକୂଳ ପରିସ୍ଥିତିରେ ଭଲ ଭଲ ଜ୍ଞାନ ଉଦୟ ହୁଏ। ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ବୁଦ୍ଧି ପ୍ରତିକୂଳ ପରିସ୍ଥିତିରୁ ମୁକୁଳିବା ପାଇଁ ପ୍ରାର୍ଥନାକୁ ବଳବତ୍ତର କରିବାର ଇଚ୍ଛା ଦୃଢ଼ରୁ ଦୃଢ଼ତର ହୋଇଥାଏ। ଭଗବାନଙ୍କ ପ୍ରିୟ ହେବା ନ ହେବା ସବୁ କିଛି ମଣିଷ ହାତରେ ହିଁ ଅଛି। ତେଣୁ ଗୀତା କହେ ‘ସନ୍ତୁଷ୍ଟ ସତତଂ ଯୋଗୀ’ ସର୍ବଦା ସନ୍ତୁଷ୍ଟ ହୋଇ ରହିବାକୁ ପଡ଼ିବ, ତେବେ ଯାଇ ଜଣେ ସର୍ବଦା ହସିପାରିବ।
ଅଲିଶା ବଜାର, କଟକ,
ମୋ :୯୪୩୭୫୧୧୨୩୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri