ବୃହତ୍‌ ସ୍ବାସ୍ଥ୍ୟଗତ ବିପଦ

୧୯୮୪ରୁ ପ୍ରତି ବର୍ଷ ମାର୍ଚ୍ଚ ଦ୍ୱିତୀୟ ବୁଧବାର ଦିନ ବିଶ୍ୱସ୍ତରରେ ପାଳିତ ହେଉଛି ଧୂମପାନ ନିଷେଧ ଦିବସ। ଧୂମପାନର ଭୟାବହତା ସମ୍ପର୍କରେ ସବୁ ସ୍ତରରେ ଜନସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ। ଏଠାରେ ଧୂମପାନ କହିଲେ ମୁଖ୍ୟତଃ ବିଡ଼ି, ସିଗାରେଟ ସେବନକୁ ବୁଝାଏ। ମଣିଷର ଧୂମପାନ ବଦଭ୍ୟାସ ବେଶ୍‌ ପୁରୁଣା। ଖ୍ରୀଷ୍ଟପୂର୍ବ ୫୦୦୦ରେ ମଣିଷ ଧୂମପାନ କରୁଥିବାର ପ୍ରମାଣ ମିଳେ। ତେବେ ଏକଦା ଏହା ଧାର୍ମିକ ଉତ୍ସବ ଅନୁଷ୍ଠାନ ସହ ସଂପୃକ୍ତ ଥିଲା। ୟୁରୋପୀୟମାନେ ଆମେରିକା ଭୂଖଣ୍ଡରେ ପାଦ ଦେବା ପରେ ତଥା ଧୂଅଁାପତ୍ରର ବ୍ୟାପକ ଉପତ୍ାଦନ ସହ ଏକା କ୍ରମଶଃ ଏକ ସାମାଜିକ ବ୍ୟାଧିରେ ପରିଣତ ହୋଇଥିଲା। ଧୂମପାନ ଏକାଧିକ ପ୍ରକାରର କର୍କଟ, ହୃଦ୍‌ରୋଗ, ନପୁଂସକତା, ଜନ୍ମଗତ ତ୍ରୁଟି ଆଦିର ମୁଖ୍ୟ କାରଣ।
ଧୂମପାୟୀମାନଙ୍କୁ ସେମାନଙ୍କ ଏ ଅଭ୍ୟାସରୁ ବିରତ ରଖିବା ଲାଗି ଇତିମଧ୍ୟରେ କେନ୍ଦ୍ର ସରକାର ଯେଉଁ ନୂତନ ନିୟମଟିର ପ୍ରଚଳନ କରିଛନ୍ତି ତାହା ସିଗାରେଟ ତିଆରି କରୁଥିବା କମ୍ପାନୀମାନଙ୍କ ଲାଗି ଗ୍ରହଣଯୋଗ୍ୟ ହୋଇପାରିନାହିଁ। ସରକାରଙ୍କ ନୂଆ ନିୟମ ଅନୁସାରେ ଏକ ସିଗାରେଟ ପ୍ୟାକେଟର ୮୫ ପ୍ରତିଶତ ସ୍ଥାନରେ ଧୂମପାନର ବିପଦକୁ ସୂଚାଉ ଥିବା ଚିତ୍ର ରହିବା ବାଧ୍ୟତାମୂଳକ। ଏଭଳି ହେଲେ ସିଗାରେଟ ଟାଣୁଥିବା ଲୋକଙ୍କ ଭିତରେ ଅନେକେ ଧୂମପାନରୁ ବିରତ ରହିପାରନ୍ତି ବୋଲି ଆଶା କରାଯାଉଛି। କିନ୍ତୁ ସିଗାରେଟ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକର କହିବା କଥା ହେଲା ଏ ମାମଲା ଅଦାଲତରେ ଥିବାରୁ ଏବଂ ଏକ ସଂସଦୀୟ କମିଟିରେ ବିଚାରାଧୀନ ଥିବାରୁ ଏ ନିୟମ ନେଇ ସ୍ପଷ୍ଟତା ନାହିଁ। ତେଣୁ ସେମାନେ ଏହାକୁ ଗ୍ରହଣ କରିବାକୁ ଅସମର୍ଥ। ଗଲା ବର୍ଷ ସେପ୍ଟେମ୍ବର ୨୪ରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏପ୍ରିଲ ୧, ୨୦୧୬ରୁ ଏ ନୂଆ ନିୟମ କଡ଼ାକଡ଼ି ଲାଗୁହୋଇଛି। କିନ୍ତୁ ଏହାକୁ ଆପାତତଃ ଗ୍ରହଣ ନକରି ଭାରତର ଅନ୍ୟତମ ସର୍ବବୃହତ୍‌ ସିଗାରେଟ ପ୍ରସ୍ତୁତକାରୀ କମ୍ପାନୀର କାରଖାନା ଇତିମଧ୍ୟରେ ବନ୍ଦ ହୋଇଯାଇଛି। ସିଗାରେଟ କମ୍ପାନୀଗୁଡ଼ିକର ଏଭଳି ଆଭିମୁଖ୍ୟ ପଛରେ ଥିବା କାରଣ ସଂପର୍କରେ ସେମାନେ ଯାହା ସଫେଇ ଦିଅନ୍ତୁ ନା କାହିଁକି, ଏହା ସ୍ପଷ୍ଟ ଭାବେ ବୁଝାପଡ଼େ ଯେ ଏ ନୂଆ ନିୟମକୁ ମାନିଲେ ସେମାନେ ଗ୍ରାହକମାନଙ୍କୁ ହରାଇବାର ଯଥେଷ୍ଟ ଆଶଙ୍କା ନେଇ ସଂତ୍ରସ୍ତ। ଏବେ ଦେଖାଗଲାଣି ଯେ ଧୂମପାନର କ୍ଷତି ବାବଦରେ ସଚେତନତାର ପ୍ରସାର ହେତୁ ଏବଂ ଲୋକେ ଆପଣା ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହେଉଥିବା କାରଣରୁ ଦେଶରେ ଧୂମପାନ କରୁଥିବା ଲୋକଙ୍କ ସଂଖ୍ୟାରେ ହ୍ରାସର ସୂଚନା ମିଳିଲାଣି। ଏକ ଅନୁଶୀଳନରୁ ଜଣାପଡ଼ିଛି ଯେ କିଶୋର ଏବଂ ତରୁଣ ବୟସରେ ଧୂମପାନ ପ୍ରତି ଆକର୍ଷିତ ହୋଇ ଏ ଅଭ୍ୟାସ ଆରମ୍ଭ କରିବା ହାରରେ ଯଦିଓ ହ୍ରାସ ଘଟି ନାହିଁ, କିନ୍ତୁ ବୟସ ବଢ଼ିବା ସହିତ ଏହାକୁ ଏକ ବଦ୍ଧମୂଳ ଅଭ୍ୟାସରେ ପରିଣତ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ଘଟି ଚାଲିଛି।
ଧୂମପାନ ସେବନରେ ମୁଖଗହ୍ବର, ହୃତ୍‌ପିଣ୍ଡ, ଯକୃତ, ଫୁସ୍‌ଫୁସ୍‌, ଅଗ୍ନ୍ୟାଶୟ ଓ ଖାଦ୍ୟନଳୀ ଇତ୍ୟାଦି ଶରୀରର ଅଂଶଗୁଡ଼ିକ ରୋଗାକ୍ରାନ୍ତ ହୁଅନ୍ତି। ଉଚ୍ଚରକ୍ତଚାପ, ହୃଦ୍‌ଘାତ, ପକ୍ଷାଘାତ, ଫୁସ୍‌ଫୁସ୍‌ କ୍ୟାନ୍‌ସର, ବୃକକ୍‌ କ୍ୟାନ୍‌ସର, ଖାଦ୍ୟନଳୀ କ୍ୟାନ୍‌ସର, ସ୍ବରନଳୀର କ୍ୟାନ୍‌ସର ଓ ଅଗ୍ନ୍ୟାଶୟର କ୍ୟାନ୍‌ସର ଇତ୍ୟାଦି ଧୂମପାନ ସେବନ ଯୋଗୁ ହୋଇଥାଏ। ବେଶି ସଂଖ୍ୟାରେ ଅଧିକ ବର୍ଷ ଧୂମପାନ କଲେ ଏହି ରୋଗ ସବୁ ଦେଖାଯାଏ। ଯେଉଁମାନେ ଧୂମପାନ କରୁନାହାନ୍ତି କିନ୍ତୁ ପରିବେଶରେ ଧୂମପାନ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି, ଯାହାକୁ କି ଦ୍ୱିତୀୟ ସ୍ତରର ଧୂମପାନ କୁହନ୍ତି ତାହା ମଧ୍ୟ ଶରୀର ପକ୍ଷେ କ୍ଷତିକାରକ। ଦ୍ୱିତୀୟସ୍ତର ଧୂମପାନ ହେଉଛି ସିଗାରେଟ୍‌ର ଧୂଅଁା ଓ ମନୁଷ୍ୟର ନିଃଶ୍ୱାସରେ ଛାଡ଼ୁଥିବା ଧୂଅଁାର ମିଶ୍ରଣ। ଗର୍ଭବତୀ ମହିଳାମାନେ ଏହି ଦ୍ୱିତୀୟ ସ୍ତରର ଧୂମପାନ ଦ୍ୱାରା ବିଶେଷ ଭାବେ ଆକ୍ରାନ୍ତ ହୁଅନ୍ତି ଓ ଶିଶୁ ମୃତ୍ୟୁର ହାର ମଧ୍ୟ ତିନିଗୁଣ ବୃଦ୍ଧିପ୍ରାପ୍ତ ହୁଏ। ଧୂମପାନ ଦ୍ୱାରା ମନୁଷ୍ୟର ଆୟୁଷ ମଧ୍ୟ ଦଶ ପନ୍ଦର ବର୍ଷ କମିଯାଏ। ରକ୍ତ କ୍ୟାନ୍‌ସର, ଯକୃତ୍‌ କ୍ୟାନ୍‌ସର, ବୃହଦ୍‌ନ୍ତ୍ର କ୍ୟାନ୍‌ସର ଓ ପିତ୍ତକୋଷ କ୍ୟାନ୍‌ସରର ସଂଖ୍ୟା ଧୂମପାନ ବ୍ୟକ୍ତିଙ୍କଠାରେ ବେଶି ସଂଖ୍ୟାରେ ଦେଖାଯାଏ। ଧୂମପାନ ଦ୍ୱାରା କାର୍ବନ ମନୋକ୍ସାଇଡ, ସାଇନାଇଡ୍‌ ଓ ବେନ୍‌ଜୋପାଇରିନ୍‌ ଇତ୍ୟାଦି ରାସାୟନିକ ବସ୍ତୁ ଶରୀରକୁ ପ୍ରବେଶ କରି ବିଭିନ୍ନ ଅଙ୍ଗକୁ ଆକ୍ରାନ୍ତ କରନ୍ତି। ରକ୍ତ ଶିରା ପ୍ରଶିରା ସଙ୍କୁଚିତ ହୋଇ ବାରଜରସ୍‌ ରୋଗ ସୃଷ୍ଟି କରେ। ରକ୍ତରେ କୋଲେଷ୍ଟରଲ୍‌, ଫିବ୍ରିନୋଜେନ୍‌ ଇତ୍ୟାଦିର ଅଂଶ ବୃଦ୍ଧି ପାଇ ହୃଦ୍‌ଘାତ ହୁଏ। ହୁକା ସେବନ ମଧ୍ୟ ଧୂମପାନ ଭଳି କ୍ଷତିକାରକ। ଧୂମପାନ ଦ୍ୱାରା ଖାଦ୍ୟନଳୀ ଓ ପେଟରେ ଘାଆ ସୃଷ୍ଟି ହୁଏ।
ତେଣୁ ସିଗାରେଟ ପ୍ରସ୍ତୁତ କରୁଥିବା ଉଦ୍ୟୋଗ ଆଉ ଅଧିକ ଗ୍ରାହକ ହରାଇବା ସପକ୍ଷରେ ନାହିଁ। ସେଇ କାରଣରୁ ୨୦୧୪ର ନିୟମରେ ଅଣାଯାଇଥିବା ସଂଶୋଧନକୁ ସେମାନେ ସହଜରେ ମାନି ନେଇପାରୁନାହାନ୍ତି। କିନ୍ତୁ ଧୂମପାନ ଯେ ଏବେ ବି ଭାରତରେ ଏକ ସର୍ବବୃହତ୍‌ ସ୍ବାସ୍ଥ୍ୟଗତ ବିପଦ ଏବଂ ମାରକ ହୋଇ ରହିଛି ଏହା ଦ୍ୱିଧାହୀନ ଭାବେ କୁହାଯାଇପାରେ। ଭାରତରେ ଏବେ ପ୍ରତି ବର୍ଷ ଏକ ନିୟୁତ ଲୋକ ଧୂମପାନଜନିତ ବ୍ୟାଧିରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସାରା ପୃଥିବୀରେ ଧୂମପାନ କାରଣରୁ ମୃତ୍ୟୁମୁଖରେ ପଡ଼ୁଥିବା ଲୋକ ସଂଖ୍ୟାର ଏହାର ଏକ ଷଷ୍ଠାଂଶ। ଯଦି ଏ ହାରରେ ବିରାମ ନ ଲାଗେ ତେବେ ୨୦୩୦ବେଳକୁ ଏହି କାରଣରୁ ମୃତ୍ୟୁ ଲାଭ କରୁଥିବା ଭାରତୀୟମାନଙ୍କ ସଂଖ୍ୟାରେ ୩୦ପ୍ରତିଶତ ବୃଦ୍ଧି ଘଟିବାର ଆଶଙ୍କା ଅଛି। ଏହା ସତ ଯେ ଧୂମପାନକୁ ନେଇ ହୋଇଥିବା ନୂଆ ନିୟମକୁ ସିଗାରେଟ କମ୍ପାନୀମାନେ ଏତେ ସହଜରେ ଗ୍ରହଣ କରିବେ ନାହିଁ। ତେବେ ସରକାର ଏ କ୍ଷେତ୍ରରେ ଗୋଟିଏ କାମ କରିପାରିବେ। ସିଗାରେଟ ଟାଣିବା ଦ୍ୱାରା ହେଉଥିବା ସ୍ବାସ୍ଥ୍ୟଗତ କ୍ଷତିର ସଚିତ୍ର ସୂଚନାର ବହୁଳ ପ୍ରଚାର ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡ଼ିଆରେ କରି ଧୂମପାନ ରୋକିପାରିବେ। ବ୍ୟାପକ ଏବଂ ଲଗାତାର ପ୍ରଚାର ପ୍ରସାର ବଳରେ ପଲ୍‌ସ ପୋଲିଓ ଟିକାକରଣର ବାର୍ତ୍ତା ଯେମିତି ଜନମନ ଭିତରକୁ ଭେଦିଗଲା ସେମିତି ଧୂମପାନର କୁଫଳ ବାବଦ ସଚେତନତା ଯଦି ସାଧାରଣ ଲୋକ ମନକୁ ଭେଦିଯାଏ, ତେବେ ଅଧା ଲକ୍ଷ୍ୟ ହାସଲ ହେଲା ବୋଲି ବୁଝିବାକୁ ହେବ।

ଡା. ପ୍ରଫୁଲ୍ଲ କୁମାର ଦାସ
କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ,
ମୋ:୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri