ନୂଆଦିଲ୍ଲୀ, ୨।୧୧: ଦିଲ୍ଲୀ-NCRରେ ଲଗାତାର ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ୨ ନଭେମ୍ବର ୨୦୨୬ରୁ ତତ୍କାଳ ପ୍ରଭାବରେ GRAPର ଦ୍ୱିତୀୟ ପର୍ଯ୍ୟାୟ (Stage-II) ଅଧୀନରେ ଆବଶ୍ୟକ ସମସ୍ତ ପଦକ୍ଷେପ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜରୁରୀକାଳୀନ ସେବାକୁ ବାଦ ଦେଲେ ଡିଜେଲ ଜେନେରେଟର ବ୍ୟବହାର ଉପରେ କଟକଣା ଲାଗୁ ହେବ। ହୋଟେଲ ଓ ରେସ୍ତୋରାଁରେ କୋଇଲା ବ୍ୟବହାର ଉପରେ ମଧ୍ୟ ନିଷେଧାଦେଶ ଜାରି ହୋଇଛି। ଏହାସହ ଖୋଲା ସ୍ଥାନରେ ଆବର୍ଜନା ଜାଳିବା ଉପରେ ମଧ୍ୟ ରୋକ ଲଗାଯାଇଛି।
GRAP-2 ଅଧୀନରେ ଲୋକଙ୍କୁ ସାର୍ବଜନୀନ ପରିବହନ ବ୍ୟବହାର କରିବା ଏବଂ ବ୍ୟକ୍ତିଗତ ଗାଡ଼ିର ବ୍ୟବହାର ଯଥାସମ୍ଭବ କମାଇବାକୁ ଅପିଲ କରାଯାଇଛି। ନିଜ ଗାଡ଼ିର ଏୟାର ଫିଲ୍ଟରକୁ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ବଦଳାଇବାକୁ ପରାମର୍ଶ ଦିଆଯାଇଛି। ରୋଷେଇ ଘରର ଚିମ୍ନି ଫିଲ୍ଟରକୁ ସଫା ରଖିବାକୁ ମଧ୍ୟ କୁହାଯାଇଛି।
ଏହାସହ ଠୋସ ଆବର୍ଜନା ଓ ବାୟୋମାସ୍କୁ ଏଣେତେଣେ ନ ପକାଇ ଏକାଠି ସଂଗ୍ରହ କରିବା ଏବଂ ଖୋଲା ସ୍ଥାନରେ ନ ଜାଳିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନଙ୍କ କାମ ଘରେ ରହି କରିବା ସମ୍ଭବ, ସେମାନଙ୍କୁ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରାଯାଇଛି।
ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୦୧ରୁ ୪୦୦ ମଧ୍ୟରେ ରହିଲେ GRAP-2ର କଟକଣା ଲାଗୁ କରାଯାଏ। AQI ୩୦୦ରୁ ଅଧିକ ହେଲେ ଏହାକୁ ‘ଅତ୍ୟନ୍ତ ଖରାପ’ (Very Poor) ଶ୍ରେଣୀରେ ଗଣନା କରାଯାଏ।

