ଗଭର୍ନର ତ ପଲିଟିକାଲ୍‌ ଏଜେଣ୍ଟ ନୁହନ୍ତି

ସହଦେବ ସାହୁ

 

ସମ୍ବଲପୁରରେ ୧୯୮୨ରେ ରେଭେନ୍ୟୁ ଡିଭିଜନାଲ୍‌ କମିଶନର୍‌ ରୂପେ ଯୋଗଦେଇ ମୁଁ ଯେଉଁ ସରକାରୀ ଘର ପାଇଲି, ତାହା ୧୯୪୭ ଅଗଷ୍ଟ ୧୫ ପୂର୍ବରୁ ବ୍ରିଟିଶ୍‌ ଇଣ୍ଡିଆ ସରକାରଙ୍କ ପଲିଟିକାଲ୍‌ ଏଜେଣ୍ଟଙ୍କ ସରକାରୀ ବାସଗୃହ ଥିଲା ଏବଂ ସେ ଛତିଶ ଗଡ଼ଜାତ ଉପରେ ଶାସନଡୋରି ସମ୍ଭାଳୁଥିଲେ (ଶେଷ ଏଜେଣ୍ଟ ଥିଲେ ଇସ୍କନ୍ଦର ମିର୍ଜା, ଯିଏ ନବଗଠିତ ପାକିସ୍ତାନର ଗଭର୍ନର ଜେନେରାଲ୍‌ ହୋଇ ଭାରତ ଛାଡ଼ିଲେ)। ଏଜେଣ୍ଟ ଏକ ପ୍ରକାରର ଗୁମାସ୍ତା । ସ୍ବାଧୀନତା ପରେ ଦେଶର ପୁନର୍ଗଠନ ହୋଇ ପ୍ରଦେଶମାନ ତିଆରି ହେଲା ଏବଂ ପ୍ରଦେଶର ଶାସନମୁଖ୍ୟଙ୍କୁ ଗଭର୍ନର (ରାଜ୍ୟପାଳ) କୁହାଗଲା, ସମ୍ବିଧାନରେ ତାଙ୍କୁ ପ୍ରଦେଶର ଏଗ୍‌ଜିକ୍ୟୁଟିଭ୍‌ ହେଡ୍‌ କୁହାଗଲା ଓ ଗଭର୍ନରଙ୍କ ନାଁରେ ରାଜ୍ୟ ସରକାର ଚାଲିଲା । ମନ୍ତ୍ରିମଣ୍ଡଳର ଏଡ୍‌ ଆଣ୍ଡ ଆଡ୍‌ଭାଇସ୍‌ରେ ଗଭର୍ନର କାମ କରିବାକୁ ବାଧ୍ୟ ହେଉଥିବାରୁ ମନ୍ତ୍ରିମଣ୍ଡଳ ହିଁ ସରକାର ଚଳାନ୍ତି । ରାଜ୍ୟ ଓ କେନ୍ଦ୍ରରେ ଭିନ୍ନ ରାଜନୈତିକ ଦଳର ଶାସନ ଥିଲେ ମନ୍ତ୍ରିମଣ୍ଡଳ ଓ ରାଜ୍ୟପାଳଙ୍କ ଭିତରେ ମତାନ୍ତର ଆସିପାରେ ଓ ସେତେବେଳେ ପ୍ରଦେଶର ଶାସକ ଦଳ ଗଭର୍ନରଙ୍କୁ କେନ୍ଦ୍ରର ପଲିଟିକାଲ୍‌ ଏଜେଣ୍ଟ ବୋଲି ସମାଲୋଚନା କରିଥା’ନ୍ତି! ଆଜିକାଲିର ପରିସ୍ଥିତିରେ ପଶ୍ଚିମବଙ୍ଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ କଳି ନିତିଦିନିଆ ହୋଇଥିଲା ବେଳେ ତାମିଲନାଡୁ, ପଞ୍ଜାବ ଓ କେରଳର ସରକାରମାନେ ଗଭର୍ନରଙ୍କୁ କେନ୍ଦ୍ରର ପଲିଟିକାଲ୍‌ ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି କହି ସୁପ୍ରିମ୍‌କୋର୍ଟରେ ଗୁହାରି କଲେଣି ଯେ ବିଧାନସଭା ପାରିତ କରିଥିବା ବିଧେୟକ(ବିଲ୍‌)ଗୁଡ଼ିକ ଉପରେ ରାଜ୍ୟପାଳ ଅଯଥା ବସି ରହୁଛନ୍ତି; ଫଳରେ ରାଜ୍ୟର ପ୍ରଶାସନ ସ୍ଥାଣୁ ହୋଇଯାଉଛି ଅନିର୍ଦ୍ଦିଷ୍ଟ କାଳ ପାଇଁ। ପାରିତ ବିଲ୍‌ର ସବୁ ଧାରା ବାହାରେ ଜଣାପଡ଼ି ଯାଉଥିବାରୁ ବିଲ୍‌ର ଉଦ୍ଦେଶ୍ୟକୁ ପଣ୍ଡ କରିବାରେ ଆଇନ-ଖିଲାପକାରୀମାନେ ଲାଗିପଡ଼ୁଛନ୍ତି। ରାଜ୍ୟ ସରକାର ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନେବାରେ ଅଯଥା ବିଳମ୍ବ ହେଉଛି । ସେମାନେ ପ୍ରଶ୍ନ କରୁଛନ୍ତି- ଗଭର୍ନର କ’ଣ ବିଧାନସଭାର ପ୍ରତିଦ୍ୱନ୍ଦ୍ୱୀ? ସେମାନେ ଅଭିଯୋଗ କରୁଛନ୍ତି- ଅଣଏନ୍‌ଡିଏ ଶାସିତ ରାଜ୍ୟମାନଙ୍କରେ ଗଭର୍ନର ଦଳୀୟ ରାଜନୀତି କରୁଛନ୍ତି, ଯାହାକୁ ଗାଁଗହଳରେ ପଲିଟିକ୍ସ କହନ୍ତି, ସମାଲୋଚକମାନେ ହୀନ ରାଜନୀତି କହନ୍ତି । ୨୦୨୩ ଅପ୍ରେଲରେ ସୁପ୍ରିମ୍‌କୋର୍ଟ ତାଙ୍କ ରାୟରେ କହିଲେ ଯେ, ରାଜ୍ୟପାଳମାନେ ସେମାନଙ୍କ ଅନୁମୋଦନ ପାଇଁ ଆସିଥିବା ବିଧେୟକ(ବିଲ୍‌)ଗୁଡ଼ିକ ଉପରେ ଯଥାସମ୍ଭବ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ । ତେଲଙ୍ଗାନା ଓ ପଞ୍ଜାବ ଯେମିତି ସୁପ୍ରିମ୍‌କୋର୍ଟକୁ ଯାଇ ଗଭର୍ନରଙ୍କୁ ବିଲ୍‌ ମଞ୍ଜୁର କରିବାକୁ ବାଧ୍ୟ କରାଇଲେ, ସବୁ ଅଣଏନ୍‌ଡିଏ ଶାସିତ ରାଜ୍ୟ କ’ଣ ସବୁବେଳେ ସେଇୟା କରିବେ?
ବିଧାନସଭାରେ ପାରିତ ହୋଇଥିବା ବିଲ୍‌ ରାଜ୍ୟପାଳଙ୍କ ମଞ୍ଜୁରି ପାଇଲେ ହିଁ ଆଇନ ହୋଇପାରିବ- ଏ ଦିଗରେ ସମ୍ବିଧାନର ଧାରା ୨୦୦ ଗଭର୍ନରକୁ ୪ଟି ବିକଳ୍ପ ଦେଇଛି ୧. ସମ୍ମତ ହୁଅ, ୨. ସମ୍ମତିକୁ ସ୍ଥଗିତ ରଖ, ୩. ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇ ଅପେକ୍ଷା କର (ବିଲ୍‌କୁ ସେ ଯାଏ ସାଇତି ରଖ) ଏବଂ ୪. ବିଲ୍‌ର ପୁନର୍ବିଚାର ପାଇଁ ବିଧାନସଭାକୁ ଫେରାଅ ଏବଂ ତାହା ପୁଣି ପାରିତ ହୋଇ ଗଭର୍ନରଙ୍କ ପାଖକୁ ଆସିଲେ ଗଭର୍ନର ହଁ କରିବାକୁ ବାଧ୍ୟ ା ଧାରା ୨୦୦ କୌଣସି କ୍ଷେତ୍ରରେ ସମୟ ସୀମା ଧାର୍ଯ୍ୟ କରିନାହିଁ ବୋଲି କ’ଣ ଗଭର୍ନର ପାରିତ ବିଲ୍‌ ଉପରେ ବସିରହିବେ ଓ ସେହି କାରଣରୁ ରାଜ୍ୟର ପ୍ରଶାସନକୁ ଅଚଳ କରିରଖିବେ? ଏ ତ ସମ୍ବିଧାନର ମର୍ମ ନୁହେଁ! ଗଭର୍ନର କେନ୍ଦ୍ରର ପ୍ରତିନିଧି, ତା’ ମାନେ ନୁହେଁ ଯେ ଗଭର୍ନର ରାଜ୍ୟ ଶାସନର ଏକ ବ୍ରେକ୍‌ ଭଳି କାମ କରିବେ? କେନ୍ଦ୍ରରେ ଯେଉଁ ନେତାମାନେ ତାଙ୍କୁ ଗଭର୍ନର କରିଛନ୍ତି, ସେମାନେ କ’ଣ ଏମିତିକା ନିର୍ଦ୍ଦେଶିକା ଦେଇଥିବେ? ରାଜ୍ୟପାଳମାନେ ଔଚିତ୍ୟ ଓ ସଂହତି ତଥା ପ୍ରାସଙ୍ଗିକତା ଓ ପରିପ୍ରେକ୍ଷୀକୁ ବିଚାରକୁ ନେଉନାହାନ୍ତି । ପୁଣି ସମ୍ବିଧାନ ସଂଶୋଧନ ହୋଇ ପ୍ରାବଧାନ ଭର୍ତ୍ତି କରାଯାଇଛି ଯେ ମନ୍ତ୍ରୀ ପରିଷଦର ସାହାଯ୍ୟ ଓ ପରାମର୍ଶ (ଏଡ୍‌ ଆଣ୍ଡ ଆଡ୍‌ଭାଇସ୍‌) କ୍ରମେ ଗଭର୍ନର କାମ କରିବାକୁ ବାଧ୍ୟ: ସେ ଖାଲି ସ୍ବାକ୍ଷର କରିବା ଓ ମୋହର ମାରିବା ଲୋକ!
ଆଳଙ୍କାରିକ ପଦବୀ ବୋଲି ଗଭର୍ନର କ’ଣ ଖାଲି ରାଜଭବନରେ ବସିରହିଥିବେ? ଗଭର୍ନର ତ ରାଜ୍ୟର ଏକ୍‌ଜିକ୍ୟୁଟିଭ୍‌ ହେଡ୍‌, ସରକାର ତାଙ୍କ ନାଁରେ ଚାଲେ! ସରକାର ଠିକ୍‌ ଚାଲୁଛି ତ? ଭୋଟ କିଣିବା ରାଜନୀତି (ପଲିଟିକ୍ସ)ର ଊଦ୍ଧର୍‌ବକୁ ଯାଇ ସେ ଦେଖିବା କଥା ରାଜ୍ୟର ଶାସକ ଦଳ ନିର୍ବାଚନ- ସର୍ବସ୍ବ ହୋଇ ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ଏକ ଗୌଣ ଉଦ୍ଦେଶ୍ୟ (ବାଇ ପ୍ରଡକ୍ଟ) ରୂପେ ଦେଖିବା ଉଚିତ୍‌ ନୁହେଁ । ତେଣୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗସ୍ତ କରି ସେ ପ୍ରଶାସନର କାମ ଓ ଫଳ ଉପରେ ତୀକ୍ଷ୍ଣ ଦୃଷ୍ଟି ପକାଇବା ଆବଶ୍ୟକ! ଆମ ରାଜ୍ୟର ନୂଆ ରାଜ୍ୟପାଳ ଡିସେମ୍ବର ୧୯ରେ ଢେଙ୍କାନାଳ ଓ ଅନୁଗୋଳ ଜିଲା ଗସ୍ତ କରି ଯେଉଁ ଜନ-ଅସନ୍ତୋଷ ଦେଖିଲେ ତାହାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ବିହିତ କାର୍ଯ୍ୟାନୁଷ୍ଠାନ ଚାହିଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସ୍ତାବକମାନେ ପ୍ରକୃତ ଚିତ୍ର ଦେଉନାହାନ୍ତି, ସେମାନେ ବିଭିନ୍ନ ସଭାସମିତିକୁ ବାହାଘରିଆ ‘ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ’ ଭଳି ସାଜସଜ୍ଜା କରିପକାଉଛନ୍ତି, ସଭାସ୍ଥଳକୁ ଏମିତି ଜନାକୀର୍ଣ୍ଣ କରିଦେଉଛନ୍ତି ଯେ, ସେ ଅଞ୍ଚଳରେ କେହି ଅସନ୍ତୁଷ୍ଟ ଥିବାର ବା ପ୍ରଶାସନିକ ଅବହେଳାର ଶିକାର ହେଉଥିବା ଜଣାପଡ଼ିବ ନାହିଁ । କେବଳ ଗଭର୍ନରଙ୍କ ବିଭିନ୍ନ ଅଞ୍ଚଳ ପରିଦର୍ଶନର ଫଳ ସରକାରଙ୍କ କାର୍ଯ୍ୟାବଳୀର ଦୋଷତ୍ରୁଟି ଉପରେ ଆଲୋକପାତ କରିପାରିବ।
ଡିସେମ୍ବର ୧୯ରେ ଲୋକ ସଭାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ୧୦ମ ଶ୍ରେଣୀ ପୂର୍ବରୁ ପଢ଼ା ଛାଡୁଥିବା ପିଲାଙ୍କ ସଂଖ୍ୟା (ଡ୍ରପ୍‌ଆଉଟ୍‌ ହାର) ଶତକଡ଼ା ହିସାବରେ ଓଡ଼ିଶା ସାରା ଦେଶରେ ପ୍ରଥମ: ୨୦୨୧-୨୨ରେ ୨୦.୬% ଡ୍ରପ୍‌ଆଉଟ୍‌ ଥିଲା, ୨୦୨୨-୨୩ରେ ୪୯.୯% ହୋଇଯାଇଛି; ପ୍ରାୟ ଅଧାଅଧି, ପ୍ରାୟ ୩୫ ଲକ୍ଷ! ସେମାନେ ଓଡ଼ିଶା ବାହାରକୁ ଯିବେ, ଦାଦନ-ଶ୍ରମିକ ହେବେ, ଓଡ଼ିଆ ଭୁଲି ଅନ୍ୟ ଭାଷା ଶିଖିବେ! ଛାଙ୍କି ହୋଇ ରହିଯିବେ ଇଂରାଜୀ ମାଧ୍ୟମର ପିଲାଏ (ଥିବାବାଲା ପିତାମାତାଙ୍କ ସନ୍ତାନ ତ!) ଓଡ଼ିଆ ଜୀବିକାର୍ଜନର ଭାଷା ହେଉନାହିଁ; ଯଦି ବର୍ଷକୁ ୩୫ ଲକ୍ଷ ପିଲା ରୋଜଗାର ପାଇଁ ଅନ୍ୟ ଭାଷା ଶିଖନ୍ତି, ଓଡ଼ିଆ ଭାଷାର ସ୍ବାତନ୍ତ୍ର୍ୟ ଓ ବିଶ୍ୱସ୍ତରୀୟତା ପ୍ରମାଣ କରିବା ପାଇଁ ରାଜଧାନୀରେ ବିଶ୍ୱସ୍ତରୀୟ ଭାଷା ଓ ସଂସ୍କୃତି ସମ୍ମିଳନୀ କରି ଲାଭ କ’ଣ? ରାଜ୍ୟପାଳ ରାଜ୍ୟସାରା ଗସ୍ତ କଲେ ଏହା ପରଖିପାରିବେ! ଡିସେମ୍ବର ୧୯ରେ ରାଜ୍ୟପାଳ ଅନୁଗୋଳ ଓ ଢେଙ୍କାନାଳ ଗସ୍ତ କରି ଲୋକମାନଙ୍କର ଯେଉଁ ଆପତ୍ତି ଓଜର ସଂଗ୍ରହ କରିଛନ୍ତି, ତାହା ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ସମାଧାନ ଚାହିଁଛନ୍ତି । ରାଜନୈତିକ ଦଳଗୁଡ଼ିକ ସଂକୀର୍ଣ୍ଣ ଭୋଟ ସଂଗ୍ରହ ରାଜନୀତିର ମଙ୍ଗ ସଳଖିବାରେ ରାଜ୍ୟପାଳଙ୍କ କ୍ଷେତ୍ର-ପରିଦର୍ଶନର ଫଳ ପ୍ରଭୂତ କାମ ଦେବ! ତାହା ହିଁ ରାଜ୍ୟପାଳଙ୍କ ଧ୍ୟେୟ ହେଉ!
-sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?