ଗଭର୍ନର ତ ପଲିଟିକାଲ୍‌ ଏଜେଣ୍ଟ ନୁହନ୍ତି

ସହଦେବ ସାହୁ

 

ସମ୍ବଲପୁରରେ ୧୯୮୨ରେ ରେଭେନ୍ୟୁ ଡିଭିଜନାଲ୍‌ କମିଶନର୍‌ ରୂପେ ଯୋଗଦେଇ ମୁଁ ଯେଉଁ ସରକାରୀ ଘର ପାଇଲି, ତାହା ୧୯୪୭ ଅଗଷ୍ଟ ୧୫ ପୂର୍ବରୁ ବ୍ରିଟିଶ୍‌ ଇଣ୍ଡିଆ ସରକାରଙ୍କ ପଲିଟିକାଲ୍‌ ଏଜେଣ୍ଟଙ୍କ ସରକାରୀ ବାସଗୃହ ଥିଲା ଏବଂ ସେ ଛତିଶ ଗଡ଼ଜାତ ଉପରେ ଶାସନଡୋରି ସମ୍ଭାଳୁଥିଲେ (ଶେଷ ଏଜେଣ୍ଟ ଥିଲେ ଇସ୍କନ୍ଦର ମିର୍ଜା, ଯିଏ ନବଗଠିତ ପାକିସ୍ତାନର ଗଭର୍ନର ଜେନେରାଲ୍‌ ହୋଇ ଭାରତ ଛାଡ଼ିଲେ)। ଏଜେଣ୍ଟ ଏକ ପ୍ରକାରର ଗୁମାସ୍ତା । ସ୍ବାଧୀନତା ପରେ ଦେଶର ପୁନର୍ଗଠନ ହୋଇ ପ୍ରଦେଶମାନ ତିଆରି ହେଲା ଏବଂ ପ୍ରଦେଶର ଶାସନମୁଖ୍ୟଙ୍କୁ ଗଭର୍ନର (ରାଜ୍ୟପାଳ) କୁହାଗଲା, ସମ୍ବିଧାନରେ ତାଙ୍କୁ ପ୍ରଦେଶର ଏଗ୍‌ଜିକ୍ୟୁଟିଭ୍‌ ହେଡ୍‌ କୁହାଗଲା ଓ ଗଭର୍ନରଙ୍କ ନାଁରେ ରାଜ୍ୟ ସରକାର ଚାଲିଲା । ମନ୍ତ୍ରିମଣ୍ଡଳର ଏଡ୍‌ ଆଣ୍ଡ ଆଡ୍‌ଭାଇସ୍‌ରେ ଗଭର୍ନର କାମ କରିବାକୁ ବାଧ୍ୟ ହେଉଥିବାରୁ ମନ୍ତ୍ରିମଣ୍ଡଳ ହିଁ ସରକାର ଚଳାନ୍ତି । ରାଜ୍ୟ ଓ କେନ୍ଦ୍ରରେ ଭିନ୍ନ ରାଜନୈତିକ ଦଳର ଶାସନ ଥିଲେ ମନ୍ତ୍ରିମଣ୍ଡଳ ଓ ରାଜ୍ୟପାଳଙ୍କ ଭିତରେ ମତାନ୍ତର ଆସିପାରେ ଓ ସେତେବେଳେ ପ୍ରଦେଶର ଶାସକ ଦଳ ଗଭର୍ନରଙ୍କୁ କେନ୍ଦ୍ରର ପଲିଟିକାଲ୍‌ ଏଜେଣ୍ଟ ବୋଲି ସମାଲୋଚନା କରିଥା’ନ୍ତି! ଆଜିକାଲିର ପରିସ୍ଥିତିରେ ପଶ୍ଚିମବଙ୍ଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ କଳି ନିତିଦିନିଆ ହୋଇଥିଲା ବେଳେ ତାମିଲନାଡୁ, ପଞ୍ଜାବ ଓ କେରଳର ସରକାରମାନେ ଗଭର୍ନରଙ୍କୁ କେନ୍ଦ୍ରର ପଲିଟିକାଲ୍‌ ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି କହି ସୁପ୍ରିମ୍‌କୋର୍ଟରେ ଗୁହାରି କଲେଣି ଯେ ବିଧାନସଭା ପାରିତ କରିଥିବା ବିଧେୟକ(ବିଲ୍‌)ଗୁଡ଼ିକ ଉପରେ ରାଜ୍ୟପାଳ ଅଯଥା ବସି ରହୁଛନ୍ତି; ଫଳରେ ରାଜ୍ୟର ପ୍ରଶାସନ ସ୍ଥାଣୁ ହୋଇଯାଉଛି ଅନିର୍ଦ୍ଦିଷ୍ଟ କାଳ ପାଇଁ। ପାରିତ ବିଲ୍‌ର ସବୁ ଧାରା ବାହାରେ ଜଣାପଡ଼ି ଯାଉଥିବାରୁ ବିଲ୍‌ର ଉଦ୍ଦେଶ୍ୟକୁ ପଣ୍ଡ କରିବାରେ ଆଇନ-ଖିଲାପକାରୀମାନେ ଲାଗିପଡ଼ୁଛନ୍ତି। ରାଜ୍ୟ ସରକାର ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନେବାରେ ଅଯଥା ବିଳମ୍ବ ହେଉଛି । ସେମାନେ ପ୍ରଶ୍ନ କରୁଛନ୍ତି- ଗଭର୍ନର କ’ଣ ବିଧାନସଭାର ପ୍ରତିଦ୍ୱନ୍ଦ୍ୱୀ? ସେମାନେ ଅଭିଯୋଗ କରୁଛନ୍ତି- ଅଣଏନ୍‌ଡିଏ ଶାସିତ ରାଜ୍ୟମାନଙ୍କରେ ଗଭର୍ନର ଦଳୀୟ ରାଜନୀତି କରୁଛନ୍ତି, ଯାହାକୁ ଗାଁଗହଳରେ ପଲିଟିକ୍ସ କହନ୍ତି, ସମାଲୋଚକମାନେ ହୀନ ରାଜନୀତି କହନ୍ତି । ୨୦୨୩ ଅପ୍ରେଲରେ ସୁପ୍ରିମ୍‌କୋର୍ଟ ତାଙ୍କ ରାୟରେ କହିଲେ ଯେ, ରାଜ୍ୟପାଳମାନେ ସେମାନଙ୍କ ଅନୁମୋଦନ ପାଇଁ ଆସିଥିବା ବିଧେୟକ(ବିଲ୍‌)ଗୁଡ଼ିକ ଉପରେ ଯଥାସମ୍ଭବ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ । ତେଲଙ୍ଗାନା ଓ ପଞ୍ଜାବ ଯେମିତି ସୁପ୍ରିମ୍‌କୋର୍ଟକୁ ଯାଇ ଗଭର୍ନରଙ୍କୁ ବିଲ୍‌ ମଞ୍ଜୁର କରିବାକୁ ବାଧ୍ୟ କରାଇଲେ, ସବୁ ଅଣଏନ୍‌ଡିଏ ଶାସିତ ରାଜ୍ୟ କ’ଣ ସବୁବେଳେ ସେଇୟା କରିବେ?
ବିଧାନସଭାରେ ପାରିତ ହୋଇଥିବା ବିଲ୍‌ ରାଜ୍ୟପାଳଙ୍କ ମଞ୍ଜୁରି ପାଇଲେ ହିଁ ଆଇନ ହୋଇପାରିବ- ଏ ଦିଗରେ ସମ୍ବିଧାନର ଧାରା ୨୦୦ ଗଭର୍ନରକୁ ୪ଟି ବିକଳ୍ପ ଦେଇଛି ୧. ସମ୍ମତ ହୁଅ, ୨. ସମ୍ମତିକୁ ସ୍ଥଗିତ ରଖ, ୩. ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇ ଅପେକ୍ଷା କର (ବିଲ୍‌କୁ ସେ ଯାଏ ସାଇତି ରଖ) ଏବଂ ୪. ବିଲ୍‌ର ପୁନର୍ବିଚାର ପାଇଁ ବିଧାନସଭାକୁ ଫେରାଅ ଏବଂ ତାହା ପୁଣି ପାରିତ ହୋଇ ଗଭର୍ନରଙ୍କ ପାଖକୁ ଆସିଲେ ଗଭର୍ନର ହଁ କରିବାକୁ ବାଧ୍ୟ ା ଧାରା ୨୦୦ କୌଣସି କ୍ଷେତ୍ରରେ ସମୟ ସୀମା ଧାର୍ଯ୍ୟ କରିନାହିଁ ବୋଲି କ’ଣ ଗଭର୍ନର ପାରିତ ବିଲ୍‌ ଉପରେ ବସିରହିବେ ଓ ସେହି କାରଣରୁ ରାଜ୍ୟର ପ୍ରଶାସନକୁ ଅଚଳ କରିରଖିବେ? ଏ ତ ସମ୍ବିଧାନର ମର୍ମ ନୁହେଁ! ଗଭର୍ନର କେନ୍ଦ୍ରର ପ୍ରତିନିଧି, ତା’ ମାନେ ନୁହେଁ ଯେ ଗଭର୍ନର ରାଜ୍ୟ ଶାସନର ଏକ ବ୍ରେକ୍‌ ଭଳି କାମ କରିବେ? କେନ୍ଦ୍ରରେ ଯେଉଁ ନେତାମାନେ ତାଙ୍କୁ ଗଭର୍ନର କରିଛନ୍ତି, ସେମାନେ କ’ଣ ଏମିତିକା ନିର୍ଦ୍ଦେଶିକା ଦେଇଥିବେ? ରାଜ୍ୟପାଳମାନେ ଔଚିତ୍ୟ ଓ ସଂହତି ତଥା ପ୍ରାସଙ୍ଗିକତା ଓ ପରିପ୍ରେକ୍ଷୀକୁ ବିଚାରକୁ ନେଉନାହାନ୍ତି । ପୁଣି ସମ୍ବିଧାନ ସଂଶୋଧନ ହୋଇ ପ୍ରାବଧାନ ଭର୍ତ୍ତି କରାଯାଇଛି ଯେ ମନ୍ତ୍ରୀ ପରିଷଦର ସାହାଯ୍ୟ ଓ ପରାମର୍ଶ (ଏଡ୍‌ ଆଣ୍ଡ ଆଡ୍‌ଭାଇସ୍‌) କ୍ରମେ ଗଭର୍ନର କାମ କରିବାକୁ ବାଧ୍ୟ: ସେ ଖାଲି ସ୍ବାକ୍ଷର କରିବା ଓ ମୋହର ମାରିବା ଲୋକ!
ଆଳଙ୍କାରିକ ପଦବୀ ବୋଲି ଗଭର୍ନର କ’ଣ ଖାଲି ରାଜଭବନରେ ବସିରହିଥିବେ? ଗଭର୍ନର ତ ରାଜ୍ୟର ଏକ୍‌ଜିକ୍ୟୁଟିଭ୍‌ ହେଡ୍‌, ସରକାର ତାଙ୍କ ନାଁରେ ଚାଲେ! ସରକାର ଠିକ୍‌ ଚାଲୁଛି ତ? ଭୋଟ କିଣିବା ରାଜନୀତି (ପଲିଟିକ୍ସ)ର ଊଦ୍ଧର୍‌ବକୁ ଯାଇ ସେ ଦେଖିବା କଥା ରାଜ୍ୟର ଶାସକ ଦଳ ନିର୍ବାଚନ- ସର୍ବସ୍ବ ହୋଇ ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ଏକ ଗୌଣ ଉଦ୍ଦେଶ୍ୟ (ବାଇ ପ୍ରଡକ୍ଟ) ରୂପେ ଦେଖିବା ଉଚିତ୍‌ ନୁହେଁ । ତେଣୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗସ୍ତ କରି ସେ ପ୍ରଶାସନର କାମ ଓ ଫଳ ଉପରେ ତୀକ୍ଷ୍ଣ ଦୃଷ୍ଟି ପକାଇବା ଆବଶ୍ୟକ! ଆମ ରାଜ୍ୟର ନୂଆ ରାଜ୍ୟପାଳ ଡିସେମ୍ବର ୧୯ରେ ଢେଙ୍କାନାଳ ଓ ଅନୁଗୋଳ ଜିଲା ଗସ୍ତ କରି ଯେଉଁ ଜନ-ଅସନ୍ତୋଷ ଦେଖିଲେ ତାହାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ବିହିତ କାର୍ଯ୍ୟାନୁଷ୍ଠାନ ଚାହିଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସ୍ତାବକମାନେ ପ୍ରକୃତ ଚିତ୍ର ଦେଉନାହାନ୍ତି, ସେମାନେ ବିଭିନ୍ନ ସଭାସମିତିକୁ ବାହାଘରିଆ ‘ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ’ ଭଳି ସାଜସଜ୍ଜା କରିପକାଉଛନ୍ତି, ସଭାସ୍ଥଳକୁ ଏମିତି ଜନାକୀର୍ଣ୍ଣ କରିଦେଉଛନ୍ତି ଯେ, ସେ ଅଞ୍ଚଳରେ କେହି ଅସନ୍ତୁଷ୍ଟ ଥିବାର ବା ପ୍ରଶାସନିକ ଅବହେଳାର ଶିକାର ହେଉଥିବା ଜଣାପଡ଼ିବ ନାହିଁ । କେବଳ ଗଭର୍ନରଙ୍କ ବିଭିନ୍ନ ଅଞ୍ଚଳ ପରିଦର୍ଶନର ଫଳ ସରକାରଙ୍କ କାର୍ଯ୍ୟାବଳୀର ଦୋଷତ୍ରୁଟି ଉପରେ ଆଲୋକପାତ କରିପାରିବ।
ଡିସେମ୍ବର ୧୯ରେ ଲୋକ ସଭାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ୧୦ମ ଶ୍ରେଣୀ ପୂର୍ବରୁ ପଢ଼ା ଛାଡୁଥିବା ପିଲାଙ୍କ ସଂଖ୍ୟା (ଡ୍ରପ୍‌ଆଉଟ୍‌ ହାର) ଶତକଡ଼ା ହିସାବରେ ଓଡ଼ିଶା ସାରା ଦେଶରେ ପ୍ରଥମ: ୨୦୨୧-୨୨ରେ ୨୦.୬% ଡ୍ରପ୍‌ଆଉଟ୍‌ ଥିଲା, ୨୦୨୨-୨୩ରେ ୪୯.୯% ହୋଇଯାଇଛି; ପ୍ରାୟ ଅଧାଅଧି, ପ୍ରାୟ ୩୫ ଲକ୍ଷ! ସେମାନେ ଓଡ଼ିଶା ବାହାରକୁ ଯିବେ, ଦାଦନ-ଶ୍ରମିକ ହେବେ, ଓଡ଼ିଆ ଭୁଲି ଅନ୍ୟ ଭାଷା ଶିଖିବେ! ଛାଙ୍କି ହୋଇ ରହିଯିବେ ଇଂରାଜୀ ମାଧ୍ୟମର ପିଲାଏ (ଥିବାବାଲା ପିତାମାତାଙ୍କ ସନ୍ତାନ ତ!) ଓଡ଼ିଆ ଜୀବିକାର୍ଜନର ଭାଷା ହେଉନାହିଁ; ଯଦି ବର୍ଷକୁ ୩୫ ଲକ୍ଷ ପିଲା ରୋଜଗାର ପାଇଁ ଅନ୍ୟ ଭାଷା ଶିଖନ୍ତି, ଓଡ଼ିଆ ଭାଷାର ସ୍ବାତନ୍ତ୍ର୍ୟ ଓ ବିଶ୍ୱସ୍ତରୀୟତା ପ୍ରମାଣ କରିବା ପାଇଁ ରାଜଧାନୀରେ ବିଶ୍ୱସ୍ତରୀୟ ଭାଷା ଓ ସଂସ୍କୃତି ସମ୍ମିଳନୀ କରି ଲାଭ କ’ଣ? ରାଜ୍ୟପାଳ ରାଜ୍ୟସାରା ଗସ୍ତ କଲେ ଏହା ପରଖିପାରିବେ! ଡିସେମ୍ବର ୧୯ରେ ରାଜ୍ୟପାଳ ଅନୁଗୋଳ ଓ ଢେଙ୍କାନାଳ ଗସ୍ତ କରି ଲୋକମାନଙ୍କର ଯେଉଁ ଆପତ୍ତି ଓଜର ସଂଗ୍ରହ କରିଛନ୍ତି, ତାହା ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ସମାଧାନ ଚାହିଁଛନ୍ତି । ରାଜନୈତିକ ଦଳଗୁଡ଼ିକ ସଂକୀର୍ଣ୍ଣ ଭୋଟ ସଂଗ୍ରହ ରାଜନୀତିର ମଙ୍ଗ ସଳଖିବାରେ ରାଜ୍ୟପାଳଙ୍କ କ୍ଷେତ୍ର-ପରିଦର୍ଶନର ଫଳ ପ୍ରଭୂତ କାମ ଦେବ! ତାହା ହିଁ ରାଜ୍ୟପାଳଙ୍କ ଧ୍ୟେୟ ହେଉ!
-sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri