ଚିକ୍‌ଚିକ୍‌ କରୁ ନ ଥିବା ସୁନା

ଚିତ୍ର ଚରିତ୍ର

କେଉଁ କାଳରୁ ଆମ ଲୋକମୁଖରେ କଥାଟିଏ ଗଡ଼ିଗଡ଼ି ଆସୁଛି- ”ସବୁ ଚିକ୍‌ଚିକ୍‌ କରୁଥିବା ଚିଜ ସୁନା ନୁହନ୍ତି।“ ଉପରକୁ ଯାହା ପ୍ରତୀୟମାନ ହେଉଥାଏ, ବାସ୍ତବରେ ତାହାର ବିପରୀତ ପ୍ରମାଣିତ ହେଲେ; ଯେମିତିକି ମୁହଁରେ ମଧୁର ବଚନ କହି ପଛରେ ଦଗା ଦେଲେ ଅବା ଉପରକୁ ସଭ୍ୟ, ଶିକ୍ଷିତ ଓ ସମ୍ଭ୍ରାନ୍ତ ଜଣାପଡୁଥିବା ଲୋକ ଅସଭ୍ୟ, ଅଶିକ୍ଷିତଙ୍କ ପରି ଆଚରଣ କଲେ ଏହି ଆପ୍ତବାକ୍ୟଟିର ବ୍ୟବହାର କରାଯଏ। ତେବେ ସବୁ ଚିକ୍‌ଚିକ୍‌ କରୁଥିବା ଚିଜ ସିନା ସୁନା ନୁହନ୍ତି, ହେଲେ ଅସଲି ସୁନା ଚିକ୍‌ଚିକ୍‌ କରିବାରେ ବାଧା କ’ଣ ଯେ! ଅବଶ୍ୟ ସଂସାରର ସବୁଠୁ ଦୁର୍ମୂଲ୍ୟ ଧାତୁ ଭାବେ ବିବେଚିତ ସୁନା କେତେବେଳେ ତ କାହିଁକି ଚିକ୍‌ଚିକ୍‌ କରେ ନାହିଁ, ତାହା ଧାତୁ ବିଶାରଦ ବଣିଆମାନେ କହିବେ। ତେବେ ଆମ କଥିତ ପ୍ରସଙ୍ଗଟି ଧାତୁ ସୁନାକୁ ନେଇ ନୁହେଁ, ନିଜ ଗୁଣ ଗରିମା ବଳରେ ଅନ୍ୟ ସାଧାରଣଙ୍କଠୁ ଉଜ୍ଜ୍ୱଳ ଦିଶୁଥିବା ମଣିଷ ସୁନାକୁ ନେଇ ଆଲୋଚନା।
ଅଳ୍ପ କେଇଦିନ ତଳେ ବିହାରର ଏକ ଅଖ୍ୟାତ ଅଞ୍ଚଳର ଦଶବର୍ଷର ଝିଅଟିଏ ନିଜ ଜୀବନଚର୍ଯ୍ୟାକୁ ନେଇ ସମଗ୍ର ସାମାଜିକ ଗଣମାଧ୍ୟମକୁ ଆଲୋକିତ କରିଛି। ସୀମା ନାମ୍ନୀ ଏହି ବାଳିକା ଏକ ଅନଗ୍ରସର ପରିବାରରେ ଜନ୍ମ ନେଇ ମଧ୍ୟ ଯେମିତି ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ପାଠ ପଢ଼ିବାକୁ ତା’ ଗଁାଠାରୁ ଦେଢ଼ କିଲୋମିଟର ଦୂର ବିଦ୍ୟାଳୟକୁ ଯାଉଥିଲା, ତାହାର ଭିଡିଓ ଚିତ୍ର ଦେଖିଲେ ଯେ କେହି ଏକ ମୁଗ୍‌ଧ ଅନୁଭବରେ ଜଡ଼ସଡ଼ ହୋଇ ଉଠିବ। ସାମାଜିକ ଗଣମାଧ୍ୟମ ଜରିଆରେ ଏହା ଚର୍ଚ୍ଚିତ ହେବା ପରେ ଜାମୁଇ ଜିଲାର ଜିଲାପାଳ ଝିଅଟି ପାଇଁ ସ୍ବତନ୍ତ୍ର ସାଇକେଲ ଓ କୃତ୍ରିମ ଗୋଡ଼ର ବ୍ୟବସ୍ଥା କରିଛନ୍ତି। ମାଗଣା ପୋଷାକ ଓ ମଧ୍ୟାହ୍ନ ଭୋଜନର ଆକର୍ଷଣ ସତ୍ତ୍ୱେ ତଥାପି ଯେଉଁଠି ସ୍କୁଲରେ ପିଲା ହେଉ ନ ଥିବାରୁ କେତୋଟି ସ୍କୁଲକୁ ବନ୍ଦ କରି ଦିଆଯାଉଛି, ସେଠି ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ସ୍କୁଲକୁ ଯାଉଥିବା ଝିଅଟିକୁ ‘ସୁନାଝିଅ’ ନ କହିଲେ ଶବ୍ଦଟିର ଅପମାନ ହେବ ନିଶ୍ଚୟ।
ବାହାରକୁ ଆଦୌ ଚିକ୍‌ଚିକ୍‌ ନ କଲେ ବି ନିଆରା ଔଜ୍ଜ୍ୱଲ୍ୟରେ ଅନ୍ୟ ଜଣେ ଉଜ୍ଜ୍ୱଳ ପୁରୁଷଙ୍କୁ ଉଦ୍ଭାସିତ କରିଥିବା ଏକ ସୁନାଝିଅର କଥା ଯେତିକି ଅବିଶ୍ୱସନୀୟ, ସେତିକି ରୋମାଞ୍ଚକର। ଚେନ୍ନାଇର ପ୍ରସିଦ୍ଧ ଦେବାଳୟ କପାଳିଶ୍ୱର ମନ୍ଦିରରେ ଦିଅଁ ଦର୍ଶନ ସାରି ସହରର ସୁଖ୍ୟାତ ବହି ଦୋକାନ ‘ଗିରି ଷ୍ଟୋର’ରେ ସସ୍ତ୍ରିକ ପ୍ରବେଶ କଲେ ବିଶ୍ୱ ପ୍ରସିଦ୍ଧ ସମ୍ବାଦପତ୍ର ‘ଓ୍ବାଶିଂଟନ୍‌ ପୋଷ୍ଟ’ର ଭାରତୀୟ ପ୍ରତିନିଧି ବିଶ୍ୱନାଥ। ‘ଗିରି ଷ୍ଟୋର’ରୁ ତାଙ୍କ ଈପ୍‌ସିତ ପୁସ୍ତକ ‘ତତ୍ତ୍ୱ ବୋଧ’ ମିଳିଯିବ ବୋଲି ସେ ଆଶାବାଦୀ ଥିଲେ। ମାତ୍ର ବହୁ ସମୟ ଧରି ଖୋଜିଲେ ମଧ୍ୟ ବହିଟି ନ ପାଇ ନିରାଶ ହେଲେ। ଅତ୍ୟନ୍ତ ବିବ୍ରତ ବୋଧ କରୁଥିବା ବିଶ୍ୱନାଥଙ୍କୁ ଲକ୍ଷ୍ୟ କରୁଥିଲା କ୍ୟାଶ୍‌ କାଉଣ୍ଟର ପାଖରେ ଛିଡ଼ା ହୋଇଥିବା ସତର କି ଅଠର ବର୍ଷର ଅତ୍ୟନ୍ତ ଗାଉଁଲି ଲାଗୁଥିବା କାଳୀ ଝିଅଟିଏ। ବିଶ୍ୱନାଥଙ୍କ ପାଖକୁ ଆସି ପଚାରିଲା, ”କ’ଣ ଖୋଜୁଛନ୍ତି ସାର୍‌? ମୁଁ ଏହି ଷ୍ଟୋରର ସେଲ୍‌ସ ଗାର୍ଲ। ଆପଣଙ୍କୁ ବହି ଖୋଜିବାରେ ସାହାଯ୍ୟ କରିପାରେ କି?“
ଝିଅଟିର ଭାଷା ଥିଲା ସ୍ଥାନୀୟ ତାମିଲ ଭାଷା।
ଝିଅଟିକୁ ଚାହିଁଲେ ବିଶ୍ୱନାଥ। ତା’ ବୟସ ଓ ବେଶଭୂଷାରୁ ସେ ଯେ ‘ତତ୍ତ୍ୱ ବୋଧ’ ଭଳି ବହିଟି ସମ୍ପର୍କରେ କିଛି ଜାଣିଥିବ, ଏ ବିଶ୍ୱାସ ତାଙ୍କର ହେଲା ନାହିଁ। ତାକୁ ସେ କହିଲେ, ‘ତତ୍ତ୍ୱ ବୋଧ’ ବହିଟିଏ ଖୋଜୁଛି। ସଙ୍ଗେ ସଙ୍ଗେ ଝିଅଟି କହିଲା- ”ତାମିଲ ତତ୍ତ୍ୱ ବୋଧ ନା ଇଂଲିଶ୍‌ ତତ୍ତ୍ୱ ବୋଧ?“ ଆଶ୍ଚର୍ଯ୍ୟରେ ଫାଟି ପଡ଼ିଲେ ବିଶ୍ୱନାଥ। ଝିଅଟି ପୁଣି ପଚାରିଲା, ”କେଉଁ ପ୍ରକାଶନର ତତ୍ତ୍ୱ ବୋଧ ଚାହାନ୍ତି? ଶିବରମଣ ବିରଚିତ ଇନ୍ଦୁ ପବ୍ଲିକେଶନର ତାମିଲ ତତ୍ତ୍ୱ ବୋଧ ନା ଚିନ୍ମୟ ମିଶନ ଅବା ରାମକୃଷ୍ଣମଠ ପ୍ରକାଶନର ‘ଇଂଲିଶ୍‌ ତତ୍ତ୍ୱ ବୋଧ’?“ ବିଶ୍ୱନାଥଙ୍କ ଉତ୍ତରକୁ ଅପେକ୍ଷା ନ କରି ଝିଅଟି ବହିଥାକ ଆଡ଼କୁ ଆଗେଇଲା ଓ କେଇ ମୁହୂର୍ତ୍ତ ମଧ୍ୟରେ ତିନୋଟି ବହି ସଂଗ୍ରହ କରି ତାଙ୍କ ଆଗରେ ଥୋଇ କହିଲା- ”ମୁଁ ଏଇ ତାମିଲ ‘ତତ୍ତ୍ୱ ବୋଧ’ ପଢ଼ୁଛି ସାର୍‌। ମୂଳ ସଂସ୍କୃତ ପଦ ସହିତ ଅତି ସରଳ ଭାଷାରେ ଲିଖିତ ଶିବରମଣଙ୍କର ଏହା ଏକ ଚମତ୍କାର ସୃଷ୍ଟି।“ ବିଶ୍ୱନାଥଙ୍କ ପାଟିରେ ଆଉ ଭାଷା ନ ଥିଲା। ଗତକାଲି ଭାରତୀୟ ବିଦ୍ୟାଭବନ ପ୍ରେକ୍ଷାଳୟରେ ବିଶିଷ୍ଟ ପ୍ରବଚକ ଭେଙ୍କଟେଶ୍ୱର ଶାସ୍ତ୍ରୀଙ୍କ ପ୍ରବଚନ ଶୁଣିଲା ପରେ ହିଁ ‘ତତ୍ତ୍ୱ ବୋଧ’ ବୋଲି ପ୍ରଜ୍ଞା ବାହକ ପୁସ୍ତକଟି ପଢ଼ିବାକୁ ପ୍ରେରିତ ହେଲେ ତାଙ୍କ ଭଳି ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଜ୍ଞ ବ୍ୟକ୍ତିତ୍ୱ। ଅଥଚ ସେଇ ବହିଟିକୁ ଆମୂଳଚୂଳ ପଢ଼ି ଶେଷ କରିଦେଇଛି ମାତ୍ର ଅଷ୍ଟମ ଶ୍ରେଣୀ ଯାଏ ପଢ଼ିଥିବା ଓ ଅଳ୍ପ ବୟସରେ ନିଜ ମା’ବାପାଙ୍କୁ ହରାଇ ନିଜର ପାଞ୍ଚ ସାନ ଭଉଣୀ ବିଶିଷ୍ଟ ପରିବାରକୁ ଚଳାଇବା ପାଇଁ ମାସିକ ଅଢ଼େଇ ହଜାର ଟଙ୍କାରେ ସେଲ୍‌ସ ଗାର୍ଲ ଥିବା ଗାଉଁଲି ଝିଅଟିଏ।
‘ତତ୍ତ୍ୱ ବୋଧ’ଠାରୁ ଅଧିକ ଚମତ୍କାରୀ, ଅଧିକ ପ୍ରଜ୍ଞାଦାୟିନୀ ଲାଗୁଥିଲା ‘କଳାବାଣୀ’ ନାମ୍ନୀ ସେଇ କାଳୀ ଝିଅଟି। ବିଶ୍ୱନାଥଙ୍କ ସ୍ତ୍ରୀ ମନ୍ତବ୍ୟ ଦେଲେ, ”ତୁମ ଓ୍ବାଶିଂଟନ୍‌ ପୋଷ୍ଟରେ ଏହି ଝିଅଟିର ସାକ୍ଷାତ୍‌କାର ଛାପୁନାହଁ କାହିଁକି ? ଦେଖିବ ପ୍ୟାରିସ୍‌ ହିଲଟନ୍‌ଙ୍କ ଇଣ୍ଟରଭ୍ୟୁଠାରୁ ଏହା ହେବ ଅଧିକ ରୋଚକ ଓ ଚିତ୍ତାକର୍ଷକ।“ ପତ୍ନୀଙ୍କ ପରାମର୍ଶରେ ପ୍ରଭାବିତ ହୋଇ ବିଶ୍ୱନାଥ ଯେତେବେଳେ କଳାବାଣୀର ସାକ୍ଷାତ୍‌କାର ନେବା ପାଇଁ ଚାହିଁଲେ ଓ ସେଥିପାଇଁ ଦଶହଜାର ଟଙ୍କା ମିଳିବ ବୋଲି କହିଲେ, ଅତ୍ୟନ୍ତ ବିନମ୍ରତାର ସହ ପ୍ରସ୍ତାବଟିକୁ ପ୍ରତ୍ୟାଖ୍ୟାନ କରି ସେ କହିଲା, ”ମୋତେ ମାସକୁ ଅଢ଼େଇ ହଜାର ଟଙ୍କା ଦରମା ଦେଇ ଏଠାରେ ରଖିଥିବା ମୋ ମାଲିକଙ୍କ ସମ୍ପତ୍ତି ମୁଁ। ସେ ଅନୁମତି ନ ଦେଲେ ଆପଣଙ୍କୁ ମୁଁ ସମୟ ଦେବି କିପରି?“ କଳାବାଣୀର ଅଦ୍ଭୁତ ଜ୍ଞାନର ପରିଚୟ ପାଇଥିଲେ ବିଶ୍ୱନାଥ। ପୁଣି ଅକାଳରେ ନିଜ ମାତାପିତାଙ୍କୁ ହରାଇଥିବା ଗୋଟିଏ ପନ୍ଦର ବର୍ଷୀୟା ତରୁଣୀ ନିଜ ପଢ଼ା ଅଧାରୁ ଛାଡ଼ି ନିଜର ପାଞ୍ଚ ସାନଭଉଣୀଙ୍କୁ ଚଳାଇବା ଓ ପଢ଼ାଇବା ପାଇଁ ବହି ଦୋକାନରେ ଚାକିରି କରିବା ଭଳି ତ୍ୟାଗକୁ ପ୍ରତ୍ୟକ୍ଷ କରିଥିଲେ। ଶେଷରେ ପୁଣି ଏକ ବିଶ୍ୱବିଦିତ ସମ୍ଭ୍ରାନ୍ତ ସମ୍ବାଦପତ୍ରକୁ ସାକ୍ଷାତ୍‌କାର ଭଳି ମହର୍ଗ ସୁଯୋଗ ପାଇ ମଧ୍ୟ ନିଜ ନିଯୁକ୍ତିଦାତା ମାଲିକଙ୍କ ଅନୁମତିକୁ ଅପେକ୍ଷା କରିବା ଭଳି ସାଧୁତା ତାଙ୍କୁ ହତବାକ୍‌ କରିଦେଲା। ପରଦିନ ସେ ଯେ ତା’ର ସାକ୍ଷାତ୍‌କାର ନେଲେ ଏତିକି ନୁହେଁ, ଓ୍ବାଶିଂଟନ୍‌ ପୋଷ୍ଟ କର୍ତ୍ତୃପକ୍ଷଙ୍କ ନିକଟରେ ଏପରି ଏକ ଚମତ୍କାରୀ ଚରିତ୍ରକୁ ଉପସ୍ଥାପିତ କରି ତା’ ପାଇଁ ମାସିକ ଦଶ ହଜାର ଟଙ୍କାର ଅନୁଦାନ ବ୍ୟବସ୍ଥା କରିଦେଲେ।
ପ୍ରକୃତରେ କଳାବାଣୀଙ୍କ ପରି ଆହୁରି କିଛି ସୁନା ଏ ସଂସାରରେ ଅଛନ୍ତି, ସାମାନ୍ୟ ଚିକ୍‌ଚିକ୍‌ ନ କରି, ନିଜକୁ ପ୍ରକଟିତ କରିବାର ନିମ୍ନତମ ସୂଚନା ନ ଦେଇ। ସେମାନଙ୍କୁ ଚିହ୍ନି ଚିହ୍ନାଇବା ପାଇଁ ବାସ୍‌ କେବଳ ବିଶ୍ୱନାଥଙ୍କ ପରି ବଣିଆଙ୍କ ଆଖି ଦିଓଟି ଲୋଡ଼ା।
ପ୍ରଜ୍ଞା ନିଳୟ,ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ:୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?