ଦେବୀ ପୂଜା

ଇଂ. ସଚ୍ଚିଦାନନ୍ଦ ନନ୍ଦ

ଭାରତରେ ବିଭିନ୍ନ ଅବସରରେ ମାତୃପୂଜା କରାଯାଇଥାଏ। ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ, ଭୁବନେଶ୍ୱରୀ, କାଳୀ, ଜଗଦ୍ଧାତ୍ରୀ, ଅମ୍ବିକା, ଗାୟତ୍ରୀ, ପାର୍ବତୀ ପ୍ରଭୃତିଙ୍କ ନାମରେ ବହୁ ଆଡ଼ମ୍ବରରେ ପୂଜା ଆରାଧନା କରାଯାଉଛି।
ସେଭଳି କେତେକ ଈଶ୍ୱରକୋଟୀ ମହିଳା, ଯଥା- ରାଧା, ସାବିତ୍ରୀ, ସତୀସୀତା, ଦ୍ରୌପଦୀ, କୁନ୍ତୀ, ଦମୟନ୍ତୀ, ମନ୍ଦୋଦରୀ ପ୍ରଭୃତିଙ୍କୁ ମଧ୍ୟ ପୂଜା ଓ ସମ୍ମାନ ଅର୍ପଣ କରାଯାଇଥାଏ। ଅନ୍ୟ କେତେକ ତପସ୍ବିନୀ ଯଥା ଅନସୂୟା, ମଦାଳସା, ମୈତ୍ରେୟୀ, କାତ୍ୟାୟିନୀ, ଅରୁନ୍ଧତୀ ପ୍ରଭୃତି ବହୁ ଶ୍ରଦ୍ଧାଳୁଙ୍କ ହୃଦୟରେ ସ୍ଥାନ ପାତି ବସିଛନ୍ତି।
କେତେକ ପୀଠରେ ଅଧିଶ୍ୱରୀ ଭାବେ ଭଗବତୀ, ବୈଷ୍ଣୋଦେବୀ, ବିମଳା, ତାରିଣୀ, ଚଣ୍ଡୀ, ଚର୍ଚ୍ଚିକା, ସମଲେଶ୍ୱରୀ, ମଙ୍ଗଳା, ବିରଜା, ଦକ୍ଷିଣକାଳୀ, ଶ୍ୟାମାକାଳୀ, ଭବତାରିଣୀ ମାଆ ପ୍ରଭୃତି ସ୍ବମହିମାରେ ମହିମାନ୍ବିତ ହୋଇ ପ୍ରତ୍ୟହ ପୂଜା ପାଇ ଆସୁଛନ୍ତି। ପ୍ରଚଳିତ ସମୟରେ ଶ୍ରୀମା, ଆନନ୍ଦମୟୀ ମା’, ଅମୃତମୟୀ ଦେବୀ, ଆମ୍ମା ଭଗବାନ ପ୍ରଭୃତି କୋଟି କୋଟି ଶ୍ରଦ୍ଧାଳୁଙ୍କ ପୂଜ୍ୟା ହୋଇପାରିଛନ୍ତି। ତାଙ୍କ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହୋଇ କୋଟି କୋଟି ହୃଦୟ ପରିବର୍ତ୍ତନ ଘଟିଛି ଓ ଘଟୁଛି ମଧ୍ୟ। ଅତୀତର ଲୀଳାବତୀ ଓ ଖନ୍ନା ଏବେ ମଧ୍ୟ ନମସ୍ୟ। ସମସ୍ତ ଆଧ୍ୟାତ୍ମିକ ପଥପ୍ରଦର୍ଶକମାନେ ସମାନ ସ୍ବରରେ ସେହି ଏକ କଥା କହି ଆସିଛନ୍ତି ଯେ ଭଗବାନ ଭଗବତୀ କେବଳ ତାଙ୍କ ବିଗ୍ରହ ବା ମୂର୍ତ୍ତିରେ ନାହାନ୍ତି, ସେ ପ୍ରତ୍ୟେକଙ୍କ ହୃଦୟରେ ବିଦ୍ୟମାନ ଥାଆନ୍ତି। ପ୍ରତ୍ୟେକଟି ଶିଶୁ ଜନ୍ମ ହେଲାବେଳେ ସେହି ଦିବ୍ୟ ସତ୍ତାକୁ ନିଜ ଭିତରେ ଧରି ଜନ୍ମ ହୋଇଥାଏ। ଗୀତାରେ ମଧ୍ୟ କୁହାଯାଇଛି ଯେ ଭଗବାନ ତାଙ୍କ ଅଂଶ ଆତ୍ମା ରୂପେ ସମସ୍ତ ଜୀବଙ୍କଠାରେ ବିଦ୍ୟମାନ।
ଶାସ୍ତ୍ରଗୁଡ଼ିକ ମଧ୍ୟ ସମାନ ଭାବେ କହି ଆସୁଛନ୍ତି ଯେ ମାତୃଦେବୋ ଭବ । ଯଦିଓ ମାତାପିତା ଉଭୟ ଦେବତା ସମାନ ତାଙ୍କ ମଧ୍ୟରୁ ମାତାଙ୍କ ସ୍ଥାନ ପିତାଙ୍କ ପୂର୍ବରୁ। ଏଥିରେ ତିଳେ ହେଲେ ଭୁଲ୍‌ ନାହିଁ। ଐଶ୍ୱରୀୟ କ୍ଷେତ୍ରରେ ମଧ୍ୟ ସୀତାରାମ, ରାଧାକୃଷ୍ଣ, ଉମାଶଙ୍କର, ଲକ୍ଷ୍ମୀ ନାରାୟଣ, ଗିରିଜା ଶଙ୍କର, ଭବାନୀ ଶଙ୍କର ଇତ୍ୟାଦି ମାତାଙ୍କୁ ଭଗବାନଙ୍କ ପୂର୍ବରୁ ଆବାହନ କରାଯାଇଛି। ପୁରାଣ ଉପାଖ୍ୟାନରେ ମଧ୍ୟ ବର୍ଣ୍ଣିତ ଅଛି, ସୀତାଙ୍କୁ ହରାଇ ଶ୍ରୀରାମ କି ମର୍ମ ବେଦନା ନ ପାଇଲେ, ଲକ୍ଷ୍ମୀଙ୍କୁ ହରାଇ ଜଗନ୍ନାଥ ଓ ବଳଭଦ୍ର କି ଦୁରବସ୍ଥାରେ ନ ପଡ଼ିଲେ, ସତୀଙ୍କୁ ହରାଇ ଶିବ ପାଗଳ ପ୍ରାୟ ସଂସାର ସାରା ଘୂରି ବୁଲିଥିଲେ। ଆମ ସାମାଜିକ ଜୀବନରେ ମଧ୍ୟ ଅନୁରୂପ ଅବସ୍ଥା। ଘରଣୀ ବିନା ଗୃହସ୍ଥ ମୁହୂର୍ତ୍ତେ ଚଳି ପାରନ୍ତା ନାହିଁ, ପିଲାମାନଙ୍କ ଯତ୍ନ ନେଇପାରନ୍ତା ନାହିଁ, ଧନ ଉପାର୍ଜନ କରାଯାଇପାରେ କିନ୍ତୁ ତା’ର ଉପଯୁକ୍ତ ବ୍ୟବହାର ହୋଇପାରନ୍ତା ନାହିଁ। କୁହାଯାଇଛି ‘ଗୃହିଣୀ ଗୃହମୃତ୍ୟତେ’, ଘର କହିଲେ ଗୃହିଣୀ ହିଁ ପ୍ରଥମେ ଆସିବେ। ଦେଖାଯାଉଛି, ଘରକୁ ବୋହୂଟିଏ ଆସିଗଲାପରେ, ବହୁ ବର୍ଷ ପୂର୍ବରୁ ଯେଉଁମାନଙ୍କ ସହ ସମ୍ପର୍କ ତିକ୍ତ ହୋଇଯାଇଥିଲା, ସେଥିରେ ମଧୁରତା ଧୀରେ ଧୀରେ ଫେରୁଛି ଏବଂ ବନ୍ଧୁତା ଦୃଢ଼ତର ହେଉଛି। କେଉଁଠି କେଉଁଠି କାଁ ଭାଁ ଏହାର ବ୍ୟତିକ୍ରମ ଥାଇପାରେ କିନ୍ତୁ ତାହା ଏକ ନୀତି ଭାବେ ଗଣ୍ୟ ହୁଏନାହିଁ । ବର୍ତ୍ତମାନ ସମାଜରେ ଦେଖାଯାଉଛି ଲୋକମାନେ ମୂର୍ତ୍ତି ମାଆକୁ ପୂଜୁଛନ୍ତି କିନ୍ତୁ ନିଜ ମାଆକୁ ହେଳା କରୁଛନ୍ତି । ବର୍ତ୍ତମାନର ଆବଶ୍ୟକତା, ଏହାର ନିରାକରଣ। ସାମାଜିକ ଚରିତ୍ରର ଏ ଘୋର ଅଧଃପତନ ଆମ ସମାଜ ପ୍ରତି ମହା ବିପଦର ସୂଚନା। ସମାଜରେ ଥିବା ଜ୍ଞାନୀ ଗୁଣୀ, ସାତ୍ତ୍ୱିକ ଭାବସମ୍ପନ୍ନ ବ୍ୟକ୍ତି, ଆଧ୍ୟାତ୍ମିକ ଜୀବନଯାପନ କରୁଥିବା ବ୍ୟକ୍ତି ଧର୍ମଭାବାପନ୍ନ ବ୍ୟକ୍ତିମାନଙ୍କ ପ୍ରଭାବ କିଛି କାମ ନ ଦେଲା ପରି ଜଣାଯାଉଛି। କେହି କାହାକୁ କର୍ଣ୍ଣପାତ କରୁନାହାନ୍ତି। ଗୁରୁ ସଦ୍‌ଗୁରୁମାନଙ୍କ ପ୍ରବଚନ ପାଇଁ କେତେ କେତେ ଚ୍ୟାନେଲ ଟିଭିରେ ପ୍ରସାର କରୁଛନ୍ତି । ସେଠାରେ ଲୋକ ସମାଗମ ହେଉଛନ୍ତି । କିନ୍ତୁ କାହାରି ଉପରେ କିଛି ପ୍ରଭାବ ପଡ଼ୁନାହିଁ। ଯଦି ପଡ଼ୁଛି ତେବେ ଅସାମାଜିକ ପଦକ୍ଷେପ, ବିଶେଷକରି ମହିଳାମାନଙ୍କ ପ୍ରତି ଦିନକୁ ଦିନ ବଢ଼ିବାରେ ଲାଗୁଛି କିପରି? ଅପକର୍ମର ଦଣ୍ଡ ବିଧାନ କରାଯାଇ ମଧ୍ୟ ତାହାକୁ ନିୟନ୍ତ୍ରଣ କରାଯାଇ ପାରୁନି। ଶେଷକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଲେ, କେବଳ ଭଗବାନ ଏ ଦେଶକୁ ରକ୍ଷା କଲେ କରିବେ ସିନା। ଅନ୍ୟ ଜଣେ ବିଚାରପତି କହିଲେ, ଦେଶର ପିଲାମାନେ ବାଲ୍ୟକାଳରୁ ଭାଗବତ୍‌ ଓ ଗୀତା ପ୍ରଭୃତି ପାଠ କଲେ ସୁଫଳ ମିଳିବ। ଏ କଥା ବହୁ ପୂର୍ବରୁ ଭାରତର ଉଚ୍ଚଶିକ୍ଷିତ ଧାର୍ମିକ ପଣ୍ଡିତ ତଥା ସମାଜସଂସ୍କାରକ ଗଣ ଉପଦେଶ ଦେଇଥିଲେ। ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ।
ହୋଇଥିଲେ ନିଶ୍ଚିତ ଭାବେ ସୁଫଳ ମିଳିଥାନ୍ତା। ଏ କ୍ଷେତ୍ରରେ ମାତୃଜାତି ହାତରେ ହିଁ ସମାଧାନ। ମାତୃଜାତି ଯେତେବେଳେ ଜାଗ୍ରତ ହେବ ସେତେବେଳେ ଯାଇ ସୁଫଳ ମିଳିବ। ଦ୍ରୌପଦୀ ତାତି ନ ଥିଲେ ମହାଭାରତ ଯୁଦ୍ଧର ପରିଣାମ ଭିନ୍ନ ହୋଇଥାନ୍ତା। ଦମୟନ୍ତୀ ଅଗ୍ମିଶର୍ମା ନ ହୋଇଥିଲେ ଅରଣ୍ୟର ସେ ଆସୁରିକ ଲୋକଗୁଡ଼ିକ ଧ୍ୱଂସ ହୋଇ ନ ଥାନ୍ତେ । ଦେବୀ ସତ୍ୟଭାମା ସେଭଳି ତୀବ୍ରପ୍ରତିକ୍ରିୟା ଦେଖାଇ ନ ଥିଲେ ନରକାସୁର ନିପାତ ହୋଇ ନ ଥାନ୍ତା। ଖବରକାଗଜଗୁଡ଼ିକରେ ବାହାରୁଛି ମହିଳାମାନେ ଏକତ୍ର ହୋଇ ଗାଁରୁ ମଦଭାଟି ଉଠାଇ ଦେଇପାରୁଛନ୍ତି। ଥାନା ଘେରାଉ କରି ନ୍ୟାୟ ହାସଲ କରିପାରୁଛନ୍ତି ।
ଦୁର୍ଗା ଗୋଟିଏ ମିଳିତ ଶକ୍ତିର ପ୍ରତୀକ। ମାତୃଜାତିର ମିଳିତ ହେବାର ସମୟ ଆସି ପହଞ୍ଚତ୍ ଗଲାଣି। ତାଙ୍କ ପଶ୍ଚାତ୍‌ ଭାଗରେ ପୁରୁଷମାନଙ୍କର ସମର୍ଥନ ମଧ୍ୟ ଥିବା ଆବଶ୍ୟକ। ଯଦି ପୋଥି ପୁରାଣର ଉପଦେଶ ସତ୍ତ୍ୱେ ମହିଳାମାନଙ୍କୁ ସମ୍ମାନ ମିଳି ନ ପାରିଲା ତା’ହେଲେ ସେମାନେ କ’ଣ ଚିରଦିନ ପୀଡ଼ିତ ଦଳିତ ହୋଇ ରହିଥିବେ ? ଦିନେ ନା ଦିନେ ସେମାନଙ୍କୁ ଦୁର୍ଗା, କାଳୀ, ବଗଳାମୁଖୀ, ଉଗ୍ରତାରା ସାଜି ବାହାରେ ତଥା ଭିତରେ ଥିବା ଶୁମ୍ଭ, ନିଶୁମ୍ଭ, ରକ୍ତବୀର୍ଯ୍ୟ ଓ ମହିଷାସୁରମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ପଡ଼ିବ। ସର୍ବପ୍ରଥମେ ନିଜ ସନ୍ତାନମାନଙ୍କୁ ସତ୍‌ ଉପାୟରେ ଅର୍ଜିତ ଭାତ ଖୁଆଇବାକୁ ପଡ଼ିବ। ଅନ୍ୟପକ୍ଷରେ ମାତୃଜାତିକୁ ମର୍ଯ୍ୟାଦା ଦେଇ କିଏ କେଉଁଭଳି ଉପକୃତ ହୋଇଛି ସେଗୁଡ଼ିକର ଦୃଷ୍ଟାନ୍ତ ମଧ୍ୟ ସମାଜକୁ ସୁଉଚ୍ଚ ଆଦର୍ଶ ଶିକ୍ଷା ଦେଇପାରିବ । ସେଗୁଡ଼ିକର ପ୍ରକାଶନ ନିତାନ୍ତ ଆବଶ୍ୟକ। ମାତୃଜାତି ନିଜର ଦୈବୀ ଗୁଣର ପରାକାଷ୍ଠା ପ୍ରତିପାଦିତ କରି ନିଜର ଜନ୍ମଗତ ଅଧିକାର, ପାରିବାରିକ ସମ୍ମାନ, ସାମାଜିକ ସମ୍ମାନ ହାସଲ କରିବାରେ ଯତ୍ନବାନ ହେବା ଦରକାର। ସେମାନେ ତାଙ୍କ ପଦମର୍ଯ୍ୟାଦା କ୍ଷୁଣ୍ଣ ହେବାକୁ ଆଦୌ ସହ୍ୟ କରିବା ଉଚିତ ନୁହେଁ । ଆଜି ସମୟ ଆସିଛି ବରଂ ବିଳମ୍ବ ହୋଇଗଲାଣି – ମହିଳା, ପୁରୁଷ ଉଭୟେ ଦେବୀ ମାଆଙ୍କୁ ଗଭୀର ନିଷ୍ଠାର ସହ ପ୍ରାର୍ଥନା କରନ୍ତୁ ଯେପରି ଆମ ଦ୍ୱାରା କୌଣସି ମାଆଙ୍କୁ କୌଣସି ପ୍ରକାର ଆଘାତ ନ ଲାଗୁ । ଏହି ପରିପ୍ରେକ୍ଷୀରେ ଏହା ହିଁ ହୋଇପାରେ ସର୍ବଶ୍ରେଷ୍ଠ ଦେବୀ ପୂଜା। ଏହି ଅହିଂସାଠାରୁ ବଡ଼ ଧର୍ମ ଆଉ କ’ଣ ହୋଇପାରେ?
ଶାସ୍ତ୍ର ଉକ୍ତି – “ନାରୀ ଯେଉଁଠାରେ ପୂଜା ପାଏ ସେଠାରେ ସମସ୍ତ ଦେବଦେବୀ ବିଦ୍ୟମାନ ଥାଆନ୍ତି ଏବଂ ତାରି ମାଧ୍ୟମରେ ସର୍ବ ଦେବଦେବୀ ପୂଜା ପାଇଥାଆନ୍ତି।”
ଅଲିଶା ବଜାର, କଟକ, ମୋ:୯୪୩୭୫୧୧୨୩୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri