ବିଶ୍ୱସ୍ତରୀୟ ଶିକ୍ଷା ଅପରିହାର୍ଯ୍ୟ

ଦିବ୍ୟଜ୍ୟୋତି ପାଣି

ଭାରତରେ ପ୍ରତିଭାର ଅଭାବ ନାହିଁ। କିନ୍ତୁ ପ୍ରତିବର୍ଷ ପ୍ରତିଭା ଚାଲାଣ ହୁଏ ବିଦେଶକୁ। ଆମେରିକା, ବ୍ରିଟେନ୍‌, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ ଆଦି ରାଷ୍ଟ୍ରକୁ ପ୍ରତିବର୍ଷ ଭାରତରୁ ଲକ୍ଷାଧିକ ଶିକ୍ଷାର୍ଥୀ ଉଚ୍ଚଶିକ୍ଷା ପାଇଁ ଗସ୍ତ କରନ୍ତି। ଆମ ଦେଶରେ ଶିକ୍ଷାର ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବ କିମ୍ବା ସରକାରୀ ପ୍ରୋତ୍ସାହନର ଅଭାବ ହେଉ ଅବା ଉଚ୍ଚାକାଂକ୍ଷା ହେଉ ଶିକ୍ଷାର୍ଥୀମାନେ ନିଜ ଦେଶ ଛାଡ଼ି ବିଦେଶ ଯାଉଛନ୍ତି। ଭାରତରେ ଅଗଣିତ ପ୍ରତିଭାସଂପନ୍ନ ଶିକ୍ଷାର୍ଥୀ ଥିଲେ ହେଁ କେଉଁ ପରିସ୍ଥିତିରେ ଉଚ୍ଚଶିକ୍ଷା ପାଇଁ ନିଜ ମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ତାହା ବିଚାର୍ଯ୍ୟ। ସଂପ୍ରତି ସେହି ପ୍ରଶ୍ନ ପ୍ରାସଙ୍ଗିକ ହୋଇପଡ଼ିଛି ଯେତେବେଳେ ଆମେରିକାର ବିଶ୍ୱବିଦ୍ୟାଳୟରେ ପଢୁଥିବା ବିଦେଶୀ ଛାତ୍ରୀଛାତ୍ରମାନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ତରଫରୁ ଏକ ଜୋର୍‌ଦାର୍‌ ଝଟ୍‌କା ଲାଗିଛି। ଆମେରିକାରେ ଶିକ୍ଷାରତ ବିଦେଶୀ ଶିକ୍ଷାର୍ଥୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ବହୁ ଅଧିକ। ଚାଇନା ପରେ ଭାରତରୁ ହିଁ ସର୍ବାଧିକ ଛାତ୍ରୀଛାତ୍ର ଆମେରିକା ପଢ଼ିବା ପାଇଁ ଯାଇଥାନ୍ତି। ଆମେରିକାରେ ୨ ଲକ୍ଷରୁ ଅଧିକ ଭାରତୀୟ ଅଧ୍ୟୟନ କରୁଛନ୍ତି।
କରୋନାକୁ କାରଣ ଦର୍ଶାଇ ଆମେରିକୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନ କରୁଥିବା ବିଦେଶୀ ଶିକ୍ଷାର୍ଥୀମାନଙ୍କୁ ସ୍ବଦେଶ ଫେରିଯିବା ପାଇଁ ଆମେରିକା ସରକାର ନିଷ୍ପତ୍ତି ନେଇଛନ୍ତି। ଆମେରିକାର ଫେଡେରାଲ ଇମିଗ୍ରେଶନ୍‌ ଅଧିକାରୀ ଘୋଷଣା କରିଛନ୍ତି, ଯଦି ବିଶ୍ୱବିଦ୍ୟାଳୟ ଗୁଡ଼ିକ ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ଶିକ୍ଷାବ୍ୟବସ୍ଥାକୁ ସ୍ଥାନାନ୍ତର ହୁଅନ୍ତି ତେବେ ଏସବୁ ଶିକ୍ଷାନୁଷ୍ଠାନରେ ପଠନରତ ବିଦେଶୀ ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିବ କିମ୍ବା ଅନ୍ୟ ବିଶ୍ୱବିଦ୍ୟାଳୟକୁ ଟ୍ରାନ୍ସଫର ନେବାକୁ ହେବ। ଯେଉଁମାନେ ନିର୍ଦ୍ଦେଶ ଅବମାନନା କରିବେ ସେମାନଙ୍କୁ ଜବରଦସ୍ତ ସେମାନଙ୍କ ଦେଶକୁ ପଠାଇ ଦିଆଯିବ ବୋଲି ଆମେରିକା କହିଛି। ଆମେରିକାର ଏଭଳି ନିଷ୍ପତ୍ତି ଦ୍ୱାରା ଭାରତୀୟ ବିଦ୍ୟାର୍ଥୀମାନେ ସର୍ବାଧିକ ପ୍ରଭାବିତ ହେବେ। ତେବେ ଅଣପ୍ରବାସୀ ଏଫ୍‌-ଓାନ୍‌ ଓ ଏମ୍‌-ଓ୍ବାନ୍‌ ଛାତ୍ର ଯେଉଁମାନେ ଅନ୍‌ଲାଇନ କ୍ଲାସ କରିପାରୁ ନାହାନ୍ତି, ସେମାନେ ଆମେରିକାରେ ରହିପାରିବେ ବୋଲି କୁହାଯାଇଛି।
କରୋନା କାରଣରୁ ଆମେରିକାରେ ଏବେ ପ୍ରାୟତଃ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଅନ୍‌ଲାଇନ୍‌ ପାଠପଢ଼ା ଚାଲୁଛି। ଟ୍ରମ୍ପ ପ୍ରଶାସନର ନିଷ୍ପତ୍ତି ଯଦିଓ ଚୂଡ଼ାନ୍ତ ନୁହେଁ, କିନ୍ତୁ ଏହା ଶୁଣିବାପରେ ଲକ୍ଷାଧିକ ଭାରତୀୟ ଛାତ୍ରଙ୍କ ନିଦ ହଜିଯାଇଛି। ପ୍ରଶ୍ନ ଉଠୁଛି; ଆମ ଦେଶର ଶିକ୍ଷାର ସ୍ତର କ’ଣ ସେଭଳି ହୋଇପାରୁନି, ଯେଉଁଥିପାଇଁ କି ଏଠାରୁ ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ବିଦେଶ ଯାଉଛନ୍ତି? ଆମେ କ’ଣ ଆମ ଶିକ୍ଷା ସଂସ୍ଥାନଗୁଡ଼ିକରେ କୁଶଳୀ-ଅଭଜ୍ଞ-ଅନୁଭବୀ-ସୁଦକ୍ଷ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇପାରିବା ନାହିଁ? ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି କରିପାରିବା ନାହିଁ? ଭାରତରେ ଉପଲବ୍ଧ ତଥ୍ୟାନୁସାରେ ୨୦୧୮-୧୯ ମସିହାରେ ଭାରତରୁ ବିଦେଶକୁ ପଢ଼ିବା ପାଇଁ ୬ଲକ୍ଷ ୨୦ହଜାର ବିଦ୍ୟାର୍ଥୀ ଯାଇଛନ୍ତି। ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପ୍ରଦତ୍ତ ଏହି ତଥ୍ୟ ଅଟେ। ୨୦୧୭-୧୮ ମସିହାରେ ଆମ ଦେଶର ୭ଲକ୍ଷ ୮୬ହଜାର ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲେ। ପ୍ରତିବର୍ଷ ଏତେ ସଂଖ୍ୟକ ଛାତ୍ରୀଛାତ୍ର ପଢ଼ିବାକୁ ବିଦେଶ ଯାଉଥିବାରୁ ଭାରତକୁ ବିଦେଶୀ ମୁଦ୍ରା ଆକାରରେ ବିପୁଳ ଅର୍ଥ ଅନ୍ୟଦେଶକୁ ଜମା କରିବାକୁ ପଡୁଛି।
ଆମେରିକାରେ ପ୍ରତିଷ୍ଠିତ ଅନେକ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରର ଶିକ୍ଷାନୁଷ୍ଠାନ। ଯେଉଁଠାରେ ପର୍ଯ୍ୟାପ୍ତ ଅଧ୍ୟାପକ ଓ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ଅଛି। ବ୍ରିଟେନର ଅକ୍ସଫୋର୍ଡ ହେଉ ଅବା କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ସେହି ଶ୍ରେଣୀର ଅଟନ୍ତି। ଆମେରିକାର ହାର୍ଭାର୍ଡ, ଏମ୍‌ଆଇଇଟି କିମ୍ବା କଲୋରାଡୋ ବିଶ୍ୱବିଦ୍ୟାଳୟ ଆଦିରେ ବାସ୍ତବରେ ଯଦି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନେଇ ଛାତ୍ରୀଛାତ୍ରମାନେ ଶିକ୍ଷାଗ୍ରହଣ କରିବାକୁ ଯାଉଛନ୍ତି କିଛି ଅପ୍ରାସଙ୍ଗିକ ନ ହୋଇପାରେ। ଉପରୋକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନେକ ନୋବେଲ ପୁରସ୍କାର ବିଜେତା ଗୁଣୀ ଅଧ୍ୟାପକମାନେ ଅଧ୍ୟାପନା କରୁଛନ୍ତି। ଏହି କାରଣରୁ ସେଠାରେ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବାରେ ଅସୁବିଧା ନାହିଁ। କିନ୍ତୁ ଦେଖାଯାଉଛି ଆମ ଦେଶର ଆର୍ଥିକ ସ୍ବଚ୍ଛଳ ଥିବା ଛାତ୍ରୀଛାତ୍ରମାନେ ହୋଟେଲ ମ୍ୟାନେଜ୍‌ମେଣ୍ଟ, ଏମ୍‌ବିଏ ଏବଂ ସାମାନ୍ୟ ସ୍ନାତକ ଡିଗ୍ରୀ ହାସଲ କରିବା ପାଇଁ ଆମେରିକା, ବ୍ରିଟେନ, କାନାଡା, ୟୁକ୍ରେନ୍‌ ପ୍ରଭୃତି ଦେଶକୁ ଗସ୍ତ କରୁଛନ୍ତି।
ସାଧାରଣ ଶିକ୍ଷା ପାଇଁ ବିଦେଶ ଯାତ୍ରା କରୁଥିବା ଶିକ୍ଷାର୍ଥୀମାନଙ୍କୁ ଯଦି ପ୍ରକୃତ କାରଣ ପଚରାଯାଏ ସେମାନେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଇପାରିବେ ନାହିଁ। ଯେଉଁ ଶିକ୍ଷାର୍ଥୀମାନେ ବିଦେଶରେ ପଢ଼ୁଛନ୍ତି ସେମାନଙ୍କୁ ମଧ୍ୟ ଅନେକ ସମୟରେ ହଇରାଣ ହରକତ ହେବାକୁ ପଡୁଛି। ସେହି ମହତ୍ତ୍ୱାକାଂକ୍ଷୀ ଛାତୀଛାତ୍ରମାନଙ୍କୁ ବିଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅବଶ୍ୟ ସେମାନଙ୍କ ପାଖକୁ ନିମନ୍ତ୍ରଣ କରନ୍ତି। ଯେତେବେଳେ ଆମ ବିଦ୍ୟାର୍ଥୀମାନେ ସେଠାରେ ଅଧ୍ୟୟନରତ ଥା’ନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ନଜରକୁ ଆସେ। ବିଦ୍ୟାର୍ଥୀମାନଙ୍କର ଅଭିଭାବକମାନେ ଶିକ୍ଷା ଋଣ ନାମରେ ବହୁତ ମୋଟା ଅଙ୍କର ଅର୍ଥରାଶି ବ୍ୟାଙ୍କରୁ ନେଇଯାଇଥାନ୍ତି।
ଆମ ଦେଶର ବିଦ୍ୟାର୍ଥୀ ସେତିକିବେଳେ ବିଦେଶରେ ପଢ଼ିବାକୁ ଅନିଚ୍ଛୁକ ହେବେ, ଯେତେବେଳେ ଆମେ ସେମାନଙ୍କୁ ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଇପାରିବା। କିନ୍ତୁ ସେପରି ବ୍ୟବସ୍ଥା ଆମର ଏଠି ନାହିଁ। ଆଇଆଇଟି ଦିଲ୍ଲୀ, ମୁମ୍ବାଇ, ମାଡ୍ରାସ, କୋଲକାତା, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆଦି କତିପୟ ଶିକ୍ଷାନୁଷ୍ଠାନକୁ ଛାଡ଼ିଦେଲେ ଅଧିକାଂଶ ବିଶ୍ୱବିଦ୍ୟାଳୟର ଅବସ୍ଥା ନ କହିବା ଭଲ। କେଉଁଠି ଆବଶ୍ୟକ ଅଧ୍ୟାପକ ନାହାନ୍ତି ତ କେଉଁଠି ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ। ଆଉ କେଉଁଠି ବର୍ଷସାରା ରାଜନୀତି ହୋଇ ପରିସର ଅଶାନ୍ତ ରହୁଛି। ଏବେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଆଦି ରାଜ୍ୟର କଥା ବିଚାର କରାଯାଉ। ଏଠାକାର ହଜାର ହଜାର ବିଦ୍ୟାର୍ଥୀ ପ୍ରତିବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଶ୍ରୀରାମ କଲେଜ ଅଫ୍‌ କମର୍ସ, ଲେଡି ଶ୍ରୀରାମ, ରାମଜସ, ହଂସରାଜ, ସେଣ୍ଟ ଷ୍ଟିଫେନ୍ସ, ହିନ୍ଦୁ କଲେଜକୁ ପଢ଼ିବାକୁ ଯାଆନ୍ତି। ସେଠାରେ ଅଧ୍ୟୟନରତ ପିଲାମାନଙ୍କ ମଧ୍ୟରୁ ଅବଶ୍ୟ ଅଳ୍ପ ସଫଳତା ପ୍ରାପ୍ତ ହୁଅନ୍ତି। ସଂପୃକ୍ତ ବିଦ୍ୟାର୍ଥୀମାନେ କିନ୍ତୁ ନିଜ ରାଜ୍ୟର ମହାବିଦ୍ୟାଳୟ କିମ୍ବା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି।
ଦିଲ୍ଲୀକୁ ଆସୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମାତ୍ର ଦଶପ୍ରତିଶତଙ୍କୁ ସେଠାକାର ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଛାତ୍ରାବାସରେ ରହିବାକୁ ସୁବିଧା ମିଳିଥାଏ। ଯେଉଁମାନଙ୍କୁ ଛାତ୍ରାବାସରେ ରହିବାକୁ ସୁଯୋଗ ନ ମିଳେ ସେମାନେ ରାଜଧାନୀରେ ବିଭିନ୍ନ ଜାଗାରେ ବଡ଼ କଷ୍ଟରେ ଜୀବନ ନିର୍ବାହ କରନ୍ତି। ଯଦି ସେହି ଶିକ୍ଷାର୍ଥୀମାନଙ୍କୁ ନିଜ ରାଜ୍ୟରେ ଦିଲ୍ଲୀ ସଦୃଶ ଶିକ୍ଷାନୁଷ୍ଠାନ ମିଳେ ସେମାନେ ହୁଏତ ସେଠାକୁ ଯିବାକୁ ମନ ବଳାନ୍ତେନି। ଏପରି ଭାବନା କେବେ କୌଣସି ସରକାରଙ୍କ ପାଖରେ ଦେଖାଯାଉଛି କି ? ଯେତିକି ଅର୍ଥ ଆମେ ଆମର ପିଲାଙ୍କୁ ବିଦେଶରେ ପଢ଼ାଇବା ପାଇଁ ଖର୍ଚ୍ଚ କରୁଛେ ତାହାର ଅଧା ଯଦି ଏଠାକାର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଦିଗରେ ବିନିଯୋଗ ହୋଇପାରନ୍ତା ତେବେ ଆମର ପିଲାମାନଙ୍କୁ ବାହାରକୁ ଯିବାକୁ ପଡୁ ନ ଥାନ୍ତା। ଏହାର ଏକ ଜ୍ୱଳନ୍ତ ଉଦାହରଣ ଉଲ୍ଲେଖ କରିବା ପ୍ରାସଙ୍ଗିକ ମନେହୁଏ। ପ୍ରତିବର୍ଷ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କଲେଜଗୁଡ଼ିକରେ ର଼୍ୟାଙ୍କିଙ୍ଗ୍‌ ପ୍ରସ୍ତୁତ ହୋଇଥାଏ। ଏହି ସୂଚକାଙ୍କରେ ଦେଶର ସବୁଠାରୁ ଉନ୍ନତ କଲେଜଗୁଡ଼ିକର ସୂଚୀ ପ୍ରଦାନ କରାଯାଇଥାଏ। କିଛି ବର୍ଷ ହେବ ଦେଖାଯାଉଛି ପ୍ରଥମ ୨୦ଟି ମଧ୍ୟରେ ସେହି ନିର୍ଦ୍ଦିଷ୍ଟ କେତୋଟି କଲେଜର ନାମ ସ୍ଥାନ ପାଉଛି।
୨୦୨୦ ମସିହାରେ ପ୍ରସ୍ତୁତ ସୂଚକାଙ୍କରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିଜର ଆଧିପତ୍ୟ ବଜାୟ ରଖିଛି। ପ୍ରଥମ ୧୦ ମଧ୍ୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ୫ଟି ଓ ୨୦ ମଧ୍ୟରେ ୧୨ଟି କଲେଜର ନାମ ପ୍ରକାଶ ପାଇଛି। ଏହି ସୂଚୀରେ ମାଡ୍ରାସ ବିଶ୍ୱବିଦ୍ୟାଳୟର ପ୍ରେସିଡେନ୍ସି କଲେଜ, ଲୟୋଲା କଲେଜ, କଲିକତା ବିଶ୍ୱବିଦ୍ୟାଳୟର ସେଣ୍ଟ ଜାଭିଅର୍ସ କଲେଜ ଅନ୍ତର୍ଭୁକ୍ତ ଅଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ମାନକ ଆଧାରରେ ସର୍ବଶ୍ରେଷ୍ଠ ସରକାରୀ କଲେଜର ସୂଚୀ ପ୍ରସ୍ତୁତ ହୋଇଥାଏ। କ୍ରମାଙ୍କ ଅଦଳ ବଦଳ ହୋଇପାରେ, ମାତ୍ର ପ୍ରଥମ ୨୦ଟି କଲେଜର ନାମ ପ୍ରାୟତଃ ସୂଚୀରେ ସେପରି ରହୁଛି। ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା ମନୋଭାବକୁ ବଢ଼ାଇବା ଦରକାର, ଯାହାଫଳରେ ଅନ୍ୟ ଶିକ୍ଷାନୁଷ୍ଠାନ ବି ଆଗକୁ ଆସିବେ। ସରକାରଙ୍କ ତରଫରୁ ଏଥିପାଇଁ ସକାରାତ୍ମକ, ଯୋଜନାବଦ୍ଧ ଓ ସମୟାନୁବଦ୍ଧ ପ୍ରଚେଷ୍ଟା କରିବା ବାଞ୍ଛନୀୟ।
ହାଉସିଂବୋର୍ଡ କଲୋନୀ, ଏମ୍‌-୬, ଚାରବାଟିଆ, କଟକ
ମୋ: ୯୪୩୮୧୭୫୭୧୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri