ତ୍ୟାଗ

ସେ ଦିନ ଗୁଡୁଲ ମନରେ ଭାରି ଦୁଃଖ, କାରଣ ତା’ ମନରେ ଉଙ୍କି ମାରୁଥିବା ପ୍ରଶ୍ନର କେହି ଉତ୍ତର ଦେଉନାହାନ୍ତି। ପାଟିର ଦୁଇଟି କାମ ଅଛି ଯଥା- କଥା କହିବା ଓ ଖାଦ୍ୟ ଗ୍ରହଣ କରିବା, ନାକର ଦୁଇଟି କାମ ଅଛି ଯଥା ପ୍ରଶ୍ୱାସ ନେବା ଓ ନିଃଶ୍ୱାସ ତ୍ୟାଗ କରିବା। ଶରୀରରେ ଏପରି ବ୍ୟବସ୍ଥା କାହିଁକି କରାଯାଇଛି? ଗ୍ରହଣ କରୁଥିବା ବେଳେ ତ୍ୟାଗ କରିବା କ’ଣ ନିତାନ୍ତ ଆବଶ୍ୟକ। ଆଖି ଗ୍ରହଣ କରୁଛି କିନ୍ତୁ ସେ କିଛି ତ୍ୟାଗ କରୁନାହିଁ। କାନ ଶୁଣୁଛି କିନ୍ତୁ ସେ କିଛି ତ୍ୟାଗ କରୁନାହିଁ। ଚର୍ମ ଗ୍ରହଣ କରୁଛି ଓ ଝାଳ ତ୍ୟାଗ କରୁଛି। ମା’ଙ୍କୁ ପଚାରିବାରୁ ସେ କହିଲେ, ଏ ସବୁ ପ୍ରଶ୍ନର ଉତ୍ତର ମୁଁ ଦେଇପାରିବି ନାହିଁ, ତୁ ବାପାଙ୍କୁ ପଚାର।
ଗୁଡୁଲ ବାପାଙ୍କୁ ପଚାରିବାରେ ବାପା କହିଲେ, ଭଗବାନ ଶରୀର ପାଇଁ ନିୟମ ଓ ଶୃଙ୍ଖଳାବିଧି ରଖିଛନ୍ତି। ଶଗଡ଼ ଓ ଗାଡ଼ି ରେଳଧାରଣା ଉପରେ ଯାଇପାରିବେ ନାହିଁ। ପ୍ରତି ଯାନ ପାଇଁ ପୃଥକ୍‌ ପୃଥକ୍‌ ରାସ୍ତା ରହିଛି। ପ୍ରତିଟି ଯାନ ଆଗକୁ ଆଗକୁ ଗତି କରନ୍ତି ଓ ନିଜ ନିଜର ଗତିରେ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତି। ବାପା କହିଲେ, ଆମେ ଅମ୍ଳଜାନ ଗ୍ରହଣ କରୁ ଓ ଅଙ୍ଗାରକାମ୍ଳ ତ୍ୟାଗ କରୁ। ଆମେ ଖାଦ୍ୟ ଖାଇବା ସହିତ ମଳକୁ ତ୍ୟାଗ କରୁ। ଜିଭର ତ୍ୟାଗ କରିବା ପାଇଁ ରାସ୍ତା ନ ଥିବା ହେତୁ ବାକସଂଯମ କରିବା ପାଇଁ କୁହାଯାଇଥାଏ। ଆଖିର ତ୍ୟାଗ କରିବା ପାଇଁ ରାସ୍ତା ନ ଥିବା ହେତୁ ଆଖି, କାନକୁ ବନ୍ଦ କରି ଧ୍ୟାନ କରିବା ପାଇଁ କୁହାଯାଇଥାଏ। ଧ୍ୟାନ କଲେ ଚର୍ମପରି ସ୍ପର୍ଶନେନ୍ଦ୍ରିୟ ମଧ୍ୟ ତ୍ୟାଗ କରିବାକୁ ବାଧ୍ୟ ହୋଇଥାଏ। ଯେଉଁ ବ୍ୟକ୍ତିମାନେ କେବଳ ଗ୍ରହଣ କରନ୍ତି କିନ୍ତୁ କିଛି ତ୍ୟାଗ କରନ୍ତି ନାହିଁ ତାଙ୍କୁ କୃପଣ କୁହାଯାଏ।
ଗୁଡୁଲର ସ୍କୁଲରେ କିଛିଦିନ ପରେ ସନ୍ତରଣ ପ୍ରତିଯୋଗିତା ହେଲା। ସେଥିରେ ଅନେକ ଛାତ୍ରୀଛାତ୍ର ଭାଗ ନେଲେ। ସନ୍ତରଣ ସମୟରେ ପାଣିରେ ବୁଡ଼ି ମରିଯିବାର ସମ୍ଭାବନା ଥିବାରୁ ସ୍କୁଲରେ ଥିବା ଛୋଟ ପୁଷ୍କରିଣୀକୁ ସଫା କରାଗଲା। ସେହି ପାଣି ଭିତରେ ପିଲାମାନଙ୍କର ଗୋଡ଼ ତଳେ ଲାଗି ପାରୁଥିବା ପରି ଚଟାଣ ଥିଲା। କିନ୍ତୁ ଗୁଡୁଲ ପହଁରିବା ଜାଣି ନ ଥିବାରୁ ସେହି ଅଳ୍ପ ପାଣିରୁ ତାକୁ ଉଠାଯାଇ ବାହାରକୁ ଅଣାଗଲା। ସ୍କୁଲ ଶିକ୍ଷକ ତାକୁ କହିଲେ, ତତେ ଯଦି ପହଁରା ଜଣା ନ ଥିଲା ତୁ ଏପରି ପ୍ରତିଯୋଗିତାରେ ଭାଗ ନେଲୁ କାହିଁକି? ଗୁଡୁଲର ଭାରି ମନଦୁଃଖ ହେଲା ଓ ସେ ମା’ଙ୍କ ନିକଟରେ କିପରି ଭଲ ପହଁରାଳି ହୋଇପାରିବ ସେ କଥା ପଚାରିବାରୁ ସେ କହିଲେ, ମୁଁ ପହଁରା ଜାଣିନାହିଁ ତୁ ବାପାଙ୍କୁ ପଚାର। ବାପା କହିଲେ, ‘ପହଁରୁଥିବା ଲୋକକୁ ତୁ ଅନୁଧ୍ୟାନ କଲେ ଦେଖିପାରିବୁ ସେ ଦୁଇ ହାତରେ ପାଣିକୁ ଆଡ଼ାଇ ଆଗକୁ ଠେଲି ହୋଇ ଯିବା ପାଇଁ ଶରୀର ମାଧ୍ୟମରେ ପ୍ରୟାସ କରେ। ଗୋଡ଼କୁ ମଧ୍ୟ ଜୋରରେ ବାଡ଼ାଇ ପାଣିକୁ ଆଡ଼େଇ ଦେବାକୁ ଚେଷ୍ଟା କରେ। ତେବେ ଯାଇ ଜଣେ ସନ୍ତରଣକାରୀ ଶରୀରକୁ ଆଗକୁ ଠେଲିଥାଇପାରେ। ତେଣୁ ସନ୍ତରଣ ସମୟରେ ଜଳକୁ ତ୍ୟାଗ କରିବାକୁ ପଡ଼ିଥାଏ ବା ଆଡ଼େଇ ଦେବାକୁ ପଡ଼ିଥାଏ। ଏପରି କରି ନ ପାରିଲେ ମୃତ୍ୟୁ ଅନିବାର୍ଯ୍ୟ। ଗୁଡୁଲ ସେଦିନ ବୁଝିପାରିଥିଲା ସୀମିତ ଖାଦ୍ୟ ଗ୍ରହଣ କରିବା ସହିତ ତ୍ୟାଗ କରିବା ମଧ୍ୟ ଅନିବାର୍ଯ୍ୟ। କଥା କହିବା ସହିତ ବାକ୍‌ ସଂଯମ ଅନିବାର୍ଯ୍ୟ। ଦୃଷ୍ଟିଶକ୍ତିର ପ୍ରୟୋଗ ସହିତ ଧ୍ୟାନ ଅନିବାର୍ଯ୍ୟ। କର୍ଣ୍ଣରେ ଶୁଣିବା ସହିତ ତା’ର ସୀମିତ ପ୍ରୟୋଗ ଅନିବାର୍ଯ୍ୟ। ସେହିଦିନଠାରୁ କାନରେ କର୍ଣ୍ଣଯନ୍ତ୍ର ମାଧ୍ୟମରେ ମୋବାଇଲରୁ ଏଣୁତେଣୁ ଶୁଣିବା ବନ୍ଦ କଲା, ସିନେମା ଦେଖିବା ତ୍ୟାଗ କଲା ଓ ମୋବାଇଲ ଫୋନର ସଦୁପଯୋଗ କଲା। ଚର୍ମର ସୁରକ୍ଷା କଲା। ବିଭିନ୍ନ ପ୍ରକାର ପ୍ରସାଧନ ବନ୍ଦ କଲା। ଜିଭ ମାଧ୍ୟମରେ ଖାଦ୍ୟର ସ୍ବାଦ ଚାଖିବା ସହିତ ସ୍ବଳ୍ପ କଥା କହିବା ଓ ମଧୁର ସ୍ବରରେ ବାକ୍ୟାଳାପ ଆରମ୍ଭ କଲା। ଫାଷ୍ଟଫୁଡ୍‌ ଖାଇବାଠାରୁ ଦୂରରେ ରହିଲା। ଭୋଜିଭାତରେ ସୀମିତ ଖାଦ୍ୟ ଗ୍ରହଣ କଲା। ଶରୀରକୁ ଭୋଗଠାରୁ ଆଡ଼େଇ ସମୟର ସଦୁପଯୋଗ କରି ମା’ବାପାଙ୍କ ସହିତ ମନ୍ଦିରକୁ ଯିବା ଆରମ୍ଭ କଲା। ଭଜନ ଓ ଧ୍ୟାନ ତାକୁ ଧୀରେ ଧୀରେ ଭଲ ଲାଗିଲା ଓ ସେ ଉପଲବ୍ଧି କଲା ଯେ ଭୋଗ ଓ ତ୍ୟାଗ ଗୋଟିଏ ମୁଦ୍ରାର ଦୁଇ ପାଖ ସଦୃଶ।

  • ଅନୀତା ପଟ୍ଟନାୟକ
    ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସିଡିଏ, କଟକ
    ମୋ : ୯୬୯୨୯୮୦୦୨୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri