କୋଲକାତା,୩୦।୫: ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ତୃଣମୂଳ କଂଗ୍ରେସ (ଟିଏମ୍ସି) ଆସନ୍ତାକାଲି ନିର୍ବାଚନ ହେଲେ ମଧ୍ୟ ଲଢିବାକୁ ପ୍ରସ୍ତୁତ।
ମମତା ବାନାର୍ଜୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଯାହା କହିଛନ୍ତି ତାହା କେବଳ ଆଶ୍ଚର୍ଯ୍ୟଜନକ ନୁହେଁ ବରଂ ଦୁର୍ଭାଗ୍ୟଜନକ ମଧ୍ୟ। ଏବେ ସମଗ୍ର ବିରୋଧୀ ବିଶ୍ୱ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି, ଏହି ସମୟରେ ସେ ଏବଂ ତାଙ୍କ ଦଳର ନେତାମାନେ ‘ଅପରେଶନ ସିନ୍ଦୂର’ ପରି ‘ଅପରେଶନ ବେଙ୍ଗଲ’ କରିବାକୁ ପରାମର୍ଶ ଦେଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ମଜୁମଦାର ୨୦୨୬ ବିଧାନସଭା ନିର୍ବାଚନରେ ରାଜନୈତିକ ପରିବର୍ତ୍ତନ ପାଇଁ ଅପରେଶନ ସିନ୍ଦୂର ଧାରାରେ ‘ଅପରେସନ ବେଙ୍ଗଲ’ ପାଇଁ ଆହ୍ବାନ ଦେଇଥିଲେ। ୍
ଦେଶ ସାରା ମହିଳାଙ୍କ ମଧ୍ୟରେ ସିନ୍ଦୁର ବାଣ୍ଟିବା ପାଇଁ ଭାଜପାର କଥିତ ଯୋଜନା ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୟାକରି ମନେରଖନ୍ତୁ ଯେ ପ୍ରତ୍ୟେକ ମହିଳାଙ୍କର ସମ୍ମାନ ଅଛି, ସେମାନେ କେବଳ ତାଙ୍କ ସ୍ବାମୀଙ୍କଠାରୁ ସିନ୍ଦୁର ଗ୍ରହଣ କରନ୍ତି। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ନିଜ ସ୍ତ୍ରୀଙ୍କୁ ସିନ୍ଦୁର କାହିଁକି ଦେଉନାହାଁନ୍ତି? ସେ ଅଭିଯୋଗ କରିଛନ୍ତି, ବିଭିନ୍ନ ରାଜ୍ୟରେ ଆଗାମୀ ନିର୍ବାଚନ ପୂର୍ବରୁ ରାଜନୈତିକ ଲାଭ ପାଇଁ କେନ୍ଦ୍ର ଏହି (ସୈନ୍ୟ ଅଭିଯାନ)କୁ ‘ଅପରେଶନ ସିନ୍ଦୂର’ ନାମ ଦେଇଛି।


