
ବର୍ମିଂହାମ,୩ା୭(ପି.ଟି.): ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତର ଅଧିନାୟକ ଶୁବମନ ଗିଲ୍ ଦ୍ୱିଶତକୀୟ ମାରାଥନ ପାଳି ଖେଳିଛନ୍ତି। ଏହି ଇନିଂସ ଅବସରରେ ସେ ଭାରତୀୟ ବ୍ୟାଟର ଭାବେ ଇଂଲଣ୍ଡ ମାଟିରେ ସର୍ବାଧିକ ରନ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏଥିପୂର୍ବରୁ ଏହି ରେକର୍ଡ ଭାରତର କିମ୍ବଦନ୍ତୀ ବ୍ୟାଟର ସୁନୀଲ ଗାଭାସ୍କରଙ୍କ ନାମରେ ଥିଲା। ସେ ୧୯୭୯ରେ ଦି ଓଭାଲଠାରେ ୨୨୧ ରନର ଇନିଂସ ଖେଳିଥିଲେ। ଇଂଲଣ୍ଡ ମାଟିରେ ଦ୍ୱିଶତକ କରିଥିବା ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍ ମଧ୍ୟ ରହିଛନ୍ତି। ସେ ୨୦୦୨ରେ ଦି ଓଭାଲଠାରେ ୨୧୭ ରନର ପାଳି ଖେଳିଥିଲେ। ତେବେ ଗିଲ୍ ପଞ୍ଚମ ଭାରତୀୟ ଅଧିନାୟକ ଭାବେ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି। ଏହି ତାଲିକାରେ ମାକ ପଟୌଦି, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ରହିଛି।
ଏତଦ୍ ବ୍ୟତୀତ ଗିଲ୍ ପ୍ରଥମ ଭାରତ ତଥା ପ୍ରଥମ ଏସିଆନ ଅଧିନାୟକ ଭାବେ ଇଂଲଣ୍ଡ ମାଟିରେ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି। ଏଥିପୂର୍ବରୁ ଏସିଆନ ଅଧିନାୟକ ଭାବେ ଇଂଲଣ୍ଡରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ଶ୍ରୀଲଙ୍କାର ତିଲକରତ୍ନେ ଦିଲଶାନଙ୍କ ନାମରେ ଥିଲା। ସେ ୨୦୧୧ରେ ଲଡର୍ସଠାରେ ୧୯୩ ରନର ଇନିଂସ ଖେଳିଥିଲେ। ଭାରତୀୟ ଅଧିନାୟକଙ୍କ ମଧ୍ୟରେ ମହମ୍ମଦ ଆଝାରୁଦ୍ଦିନଙ୍କ ନାମରେ ସର୍ବାଧିକ ରନର କରିବାର ରେକର୍ଡ ଥିଲା। ସେ ୧୯୯୦ରେ ମାଞ୍ଚେଷ୍ଟର ୧୭୯ ରନର ଇନିଂସ ଖେଳିଥିଲେ।