ବାଲ୍ୟ ବିବାହମୁକ୍ତ ଓଡ଼ିଶା କେତେ ସମ୍ଭବ

ଘାସିରାମ ପଣ୍ଡା

ସୁବର୍ଣ୍ଣପୁର ଜିଲାର ରୁଗୁଡ଼ିପାଲି ରାଜ୍ୟର ପ୍ରଥମ ବାଲ୍ୟ ବିବାହମୁକ୍ତ ଗ୍ରାମ ଭାବରେ ୨୦୧୯ରେ ପ୍ରଶାସନ ଦ୍ୱାରା ସ୍ବୀକୃତି ପାଇଥିଲା। ବାଲ୍ୟ ବିବାହର ନିରାକରଣ କ୍ଷେତ୍ରରେ ଏହାକୁ ଏକ ଉତ୍ତମ ପ୍ରୟାସ ଭାବରେ ଗ୍ରହଣ କରାଯାଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସମସ୍ତ ଜିଲାପାଳଙ୍କୁ ଏଭଳି କାର୍ଯ୍ୟକ୍ରମ ନିଜ ଜିଲାଗୁଡ଼ିକରେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ଜିଲା ଏ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିବା ସହିତ ବର୍ତ୍ତମାନ ସୁଦ୍ଧା ପ୍ରାୟ ଦଶ ହଜାରରୁ ଅଧିକ ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରିସାରିଛନ୍ତି। ଗ୍ରାମବାସୀଙ୍କ ଏହି ପଦକ୍ଷେପକୁ ରାଜ୍ୟ ସରକାର ପ୍ରଶଂସା କରିବା ପୂର୍ବକ ପ୍ରତ୍ୟେକ ଗ୍ରାମକୁ ତିନିହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି।
ଏହି କ୍ରମରେ ଗଞ୍ଜାମ ଜିଲା ରାଜ୍ୟର ପ୍ରଥମ ବାଲ୍ୟ ବିବାହମୁକ୍ତ ଜିଲା ହେବାର ସୌଭାଗ୍ୟ ଅର୍ଜନ କରିଛି। ଜିଲାପାଳ ପ୍ରଥମ ପର୍ଯ୍ୟାୟରେ ୨୦୨୧ ଜାନୁୟାରୀ ୧୯ରେ ୧୦୩୨ ଗ୍ରାମ ଓ ୧୪୦ ସହରାଞ୍ଚଳର ୱାର୍ଡକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର ୧୪ରେ ୧୦୧୦ ଗ୍ରାମ, ୧୨୬ ସହରାଞ୍ଚଳର ୱାର୍ଡ ଓ ୨୨୧ ଗ୍ରାମ ପଞ୍ଚାୟତକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରିଥିଲେ। ସେହିପରି ତୃତୀୟ ପର୍ଯ୍ୟାୟରେ ୨୦୨୨ ଜାନୁୟାରୀ ୩ରେ ସମ୍ପୂର୍ଣ୍ଣ ଜିଲାକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରିଥିଲେ। ଜିଲାର ଏହି ଉଦ୍ୟମକୁ ନିତି ଆୟୋଗ ସ୍କଚ୍‌ ପୁରସ୍କାରରେ ସମ୍ମାନିତ କରିଛନ୍ତି।
ଗଞ୍ଜାମ ଜିଲା ବାଲ୍ୟ ବିବାହମୁକ୍ତ ଘୋଷିତ ହେବା ପରେ ଅନେକେ ପ୍ରଶଂସା କରିଥିବା ବେଳେ ବହୁ ଲୋକ ଏଥିରେ ସଂଶୟ ପ୍ରକାଶ କରିଛନ୍ତି। ମୁକ୍ତ ଘୋଷିତ ଗ୍ରାମରେ ବାଲ୍ୟ ବିବାହ ଘଟିବ ନାହିଁ ଏହା କିପରି ସୁନିଶ୍ଚିତ କାରାଯାଉଛି? କେଉଁ ଆଧାରରେ ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରାଗଲା? ଏହା କେବଳ ଶସ୍ତା ସ୍ଲୋଗାନ୍‌ ନା ଏଥିପାଇଁ ପ୍ରଶାସନିକ ଉତ୍ତରଦାୟିତ୍ୱ ରହିଛି? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ରହିଛି। ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା ଭଳି କାର୍ଯ୍ୟକ୍ରମ ଲୋକଙ୍କୁ ଯେଉଁ ଅନୁଭୂତି ଦେଇଛି, ବାଲ୍ୟ ବିବାହମୁକ୍ତ ଗ୍ରାମ ଘୋଷଣା କଲାବେଳେ ସ୍ବାଭାବିକ ଭାବେ ସମସ୍ତଙ୍କ ମନରେ ସେଭଳି ପ୍ରଶ୍ନ ଉଠିବ।
୨୦୩୦ ସୁଦ୍ଧା ରାଜ୍ୟକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରିବାର ରାଜନୈତିକ ପ୍ରତିବଦ୍ଧତା ରଖି ସରକାର ୨୦୧୯ରୁ ବାଲ୍ୟ ବିବାହ ନିଷେଧ ରଣକୌଶଳ ପ୍ରଣୟନ କରିଛନ୍ତି। ଗ୍ରାମ, ସହରାଞ୍ଚଳ, ପଞ୍ଚାୟତ ଓ ଜିଲାଗୁଡ଼ିକ ବାଲ୍ୟ ବିବାହମୁକ୍ତ ହେଲେ ଯାଇ ରାଜ୍ୟ ବାଲ୍ୟ ବିବାହମୁକ୍ତ ହୋଇପାରିବ। ବର୍ତ୍ତମାନ ହେଉଥିବା ବାଲ୍ୟ ବିବାହମୁକ୍ତ କାର୍ଯ୍ୟକ୍ରମ ଏକ ପ୍ରଚାରଧର୍ମୀ ଓ କେବେବି ସମ୍ଭବ ନୁହେଁ ବୋଲି ଭାବିଲେ ରାଜ୍ୟ ବି ବାଲ୍ୟ ବିବାହମୁକ୍ତ ବୋଲି ଘୋଷିତ ହେବା ସମ୍ଭବ ନୁହେଁ ବୋଲି ଧରି ନେବାକୁ ହେବ। କିନ୍ତୁ କେବଳ ପୁରୁଣା ଅନୁଭୂତି ଓ କିଛି ଅବଧାରଣା ଆଧାରରେ ଏଭଳି ବିଚାର କରିବା ଉଚିତ ହେବ ନାହିଁ। ପୁରୁଣା ଅନୁଭୂତିରୁ ମିଳିଥିବା ଶିକ୍ଷାକୁ ପ୍ରୟୋଗ କରାଯାଇ ଏହି କାର୍ଯ୍ୟକ୍ରମରେ ଅନେକ ସୁଧାର ଅଣାଯାଇ ପାରିଛି।
ବାଲ୍ୟ ବିବାହମୁକ୍ତ ଘୋଷିତ ଗ୍ରାମଗୁଡ଼ିକୁ ଅନୁଧ୍ୟାନ କଲେ କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ। କୌଣସି ଗ୍ରାମକୁ ହଠାତ୍‌ ବାଲ୍ୟ ବିବାହମୁକ୍ତ ଘୋଷିତ କରାଯାଇ ନାହିଁ। ବିଗତ କିଛି ବର୍ଷର ସ୍ଥିତି ଆଧାରରେ ଗ୍ରାମବାସୀ ପ୍ରଶାସନକୁ ଜ୍ଞାତ କରେଇଲା ପରେ ଜିଲା ପ୍ରଶାସନର ଅଧିକାରୀମାନେ ପ୍ରତ୍ୟେକ ଗ୍ରାମକୁ ଗସ୍ତ କରି ଅନୁଧ୍ୟାନ କରିଛନ୍ତି। ଅତିକମ୍‌ରେ ଗତ ଦୁଇ ବର୍ଷ ଭିତରେ ଗୋଟିଏ ବି ବାଲ୍ୟ ବିବାହ ହୋଇ ନଥିବା, ଗ୍ରାମସ୍ତରରେ ଏନେଇ କମିଟି ଗଠନ କରାଯାଇ ପ୍ରତ୍ୟେକ ବିବାହକୁ ତଦାରଖ କରାଯାଉଥିବା ଭଳି ସ୍ଥିତି ଥିଲେ ଯାଇ ବାଲ୍ୟ ବିବାହମୁକ୍ତ ଘୋଷଣା କରିବା ପାଇଁ ସୁପାରିସ କରାଯାଉଛି। ଏହି କାର୍ଯ୍ୟକ୍ରମର ପରିଣାମ ସ୍ବରୂପ ଏବେ ଅନେକ ଜିଲାରେ ଗଁା ସ୍ତରରେ କିଶୋର, କିଶୋରୀଙ୍କ ତଥ୍ୟ ଓ ବିବାହର ନଥିକରଣ ସମ୍ଭବ ହୋଇପାରିଛି। ଉଦାହରଣ ସ୍ବରୂପ ଗଞ୍ଜାମ ଜିଲାରେ କେବଳ ଗତ ଦୁଇ ବର୍ଷରେ ୪୮,୩୮୬ ବିବାହକୁ ନଥିଭୁକ୍ତ କରାଯାଇ ପାରିଛି। ଏପରିକି ଏହାରି ଭିତରୁ ୨୬ଟି ବାଲ୍ୟ ବିବାହ ହୋଇଥିବା ମଧ୍ୟ ସ୍ବୀକାର କରାଯାଇଛି। ସେହିପରି ସୁବର୍ଣ୍ଣପୁର ଜିଲାରେ ପ୍ରତ୍ୟେକ ମାସରେ ପ୍ରତି ଗ୍ରାମରେ ଘଟୁଥିବା ସମସ୍ତ ବିବାହର ତଥ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଜିଲାପାଳଙ୍କ ଗୋଚରାର୍ଥେ ପଠାଯାଉଛି। ନବରଙ୍ଗପୁର ଜିଲାରେ ଜିଲାପାଳଙ୍କ ବ୍ୟକ୍ତିଗତ ତତ୍ତ୍ୱାବଧାନରେ ସମଗ୍ର ଜିଲାରେ ଗତ ଦୁଇ ବର୍ଷରେ ହୋଇଯାଇଥିବା ସମସ୍ତ ବିବାହର ତଥ୍ୟ ସଂଗ୍ରହ କରାଯାଇ ପାରିଛି। ଆହୁରି ଅନେକ ଜିଲା ଅଛନ୍ତି, ଯେଉଁମାନେ ବିବାହ ନଥିକରଣ ମାଧ୍ୟମରେ ତଦାରଖ ପ୍ରକ୍ରିୟାକୁ ସୁଦୃଢ଼ କରିପାରିଛନ୍ତି। ଏଥିସହିତ କିଶୋର, କିଶୋରୀ ସଶକ୍ତୀକରଣ, ସାମାଜିକ ଓ ବ୍ୟାବହାରିକ ପରିବର୍ତ୍ତନ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ସହ ସଚେତନତା କାର୍ଯ୍ୟକ୍ରମ, ବାଲ୍ୟ ବିବାହକୁ ନା କହୁଥିବା ଝିଅଙ୍କୁ ପ୍ରୋତ୍ସାହନ, ଶିଶୁ ଅଧିକାର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତାଲିମ ପ୍ରଭୃତି ମାଧ୍ୟମରେ ପ୍ରତିଷେଧାତ୍ମକ ବ୍ୟବସ୍ଥା ନିରନ୍ତର ଭାବରେ ଚାଲିଛି।
ବର୍ତ୍ତମାନ ସମୟରେ ବାଲ୍ୟ ବିବାହ ନିଷେଧକୁ ଯେପରି ପ୍ରାଧାନ୍ୟ ମିଳିପାରିଛି, ଏହା ଜାରି ରହିଲେ ଧାର୍ଯ୍ୟ ସମୟରେ ରାଜ୍ୟକୁ ମଧ୍ୟ ବାଲ୍ୟ ବିବାହମୁକ୍ତ ଘୋଷଣା ସମ୍ଭବ ହୋଇପାରିବ। ବାଲ୍ୟ ବିବାହମୁକ୍ତ ଅଭିଯାନ ଭଳି କାର୍ଯ୍ୟକ୍ରମ ସାମାଜିକ ଆନ୍ଦୋଳନରେ ଜନସହଭାଗିତାର ସୁଯୋଗ ସୃଷ୍ଟିକରେ ଓ ସେମାନଙ୍କ ଭିତରେ ଉଦ୍ଦୀପନା ଆଣିବାରେ ସହାୟକ ହୁଏ। ତେବେ ଅଭିଯାନକୁ ସୁଦୃଢ଼ କରିବା ପାଇଁ ଆଉ କେତୋଟି ଦିଗ ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ସମୟରେ ଏହା ସେଇଠି ସଫଳ ହୋଇଛି, ଯେଉଁଠି ଜିଲାପାଳମାନେ ସ୍ବତନ୍ତ୍ର ଆଗ୍ରହ ପ୍ରକାଶ କରିଛନ୍ତି। ଏହାକୁ ବ୍ୟକ୍ତି ସ୍ତରରୁ ବ୍ୟବସ୍ଥାର ଉତ୍ତରଦାୟିତ୍ୱରେ ପରିଣତ କରିବାକୁ ହେବ। ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳକୁ ଏ ଆନ୍ଦୋଳନ ଏତେ ମାତ୍ରାରେ ପହଞ୍ଚତ୍ ପାରିନାହିଁ। ୱାର୍ଡସ୍ତରରେ ଶିଶୁ ଅଧିକାର ସୁରକ୍ଷା କମିଟି ଗଠନ କରି ସହରାଞ୍ଚଳ ସ୍ବାୟତ୍ତ ଶାସନ ବ୍ୟବସ୍ଥାକୁ ସାମିଲ କରିବାକୁ ହେବ। ପୋଲିସ ବିଭାଗର ସହଭାଗିତା ଅଭାବରୁ ବାଲ୍ୟ ବିବାହ କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନର ମାତ୍ରା ଅତି ନଗଣ୍ୟ। ଏହା ଏକ ଦଣ୍ଡନୀୟ ଅପରାଧ ହୋଇଥିବା କାରଣରୁ ପୋଲିସ ସମପରିମାଣରେ ଉତ୍ତରଦାୟୀ ହେବା ଆବଶ୍ୟକ। ଜନସହଭାଗିତା ଓ ପ୍ରଶାସନିକ ଉତ୍ତରଦାୟିତ୍ୱର ସାହାରାରେ ବାଲ୍ୟ ବିବାହମୁକ୍ତ ଅଭିଯାନ ଭଳି ସାମାଜିକ ପ୍ରୟୋଗ ସଫଳ ହେବ ବୋଲି ଆଶା କରାଯାଏ।
– ସୁବର୍ଣ୍ଣପୁର, ମୋ: ୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

ବର୍ଷାଋତୁରେ ଶିଶୁରୋଗ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମସ୍ତେ ଯେକୌଣସି ଆକସ୍ମିକ...

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri