ବାଲ୍ୟ ବିବାହମୁକ୍ତ ଓଡ଼ିଶା କେତେ ସମ୍ଭବ

ଘାସିରାମ ପଣ୍ଡା

ସୁବର୍ଣ୍ଣପୁର ଜିଲାର ରୁଗୁଡ଼ିପାଲି ରାଜ୍ୟର ପ୍ରଥମ ବାଲ୍ୟ ବିବାହମୁକ୍ତ ଗ୍ରାମ ଭାବରେ ୨୦୧୯ରେ ପ୍ରଶାସନ ଦ୍ୱାରା ସ୍ବୀକୃତି ପାଇଥିଲା। ବାଲ୍ୟ ବିବାହର ନିରାକରଣ କ୍ଷେତ୍ରରେ ଏହାକୁ ଏକ ଉତ୍ତମ ପ୍ରୟାସ ଭାବରେ ଗ୍ରହଣ କରାଯାଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସମସ୍ତ ଜିଲାପାଳଙ୍କୁ ଏଭଳି କାର୍ଯ୍ୟକ୍ରମ ନିଜ ଜିଲାଗୁଡ଼ିକରେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ଜିଲା ଏ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିବା ସହିତ ବର୍ତ୍ତମାନ ସୁଦ୍ଧା ପ୍ରାୟ ଦଶ ହଜାରରୁ ଅଧିକ ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରିସାରିଛନ୍ତି। ଗ୍ରାମବାସୀଙ୍କ ଏହି ପଦକ୍ଷେପକୁ ରାଜ୍ୟ ସରକାର ପ୍ରଶଂସା କରିବା ପୂର୍ବକ ପ୍ରତ୍ୟେକ ଗ୍ରାମକୁ ତିନିହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି।
ଏହି କ୍ରମରେ ଗଞ୍ଜାମ ଜିଲା ରାଜ୍ୟର ପ୍ରଥମ ବାଲ୍ୟ ବିବାହମୁକ୍ତ ଜିଲା ହେବାର ସୌଭାଗ୍ୟ ଅର୍ଜନ କରିଛି। ଜିଲାପାଳ ପ୍ରଥମ ପର୍ଯ୍ୟାୟରେ ୨୦୨୧ ଜାନୁୟାରୀ ୧୯ରେ ୧୦୩୨ ଗ୍ରାମ ଓ ୧୪୦ ସହରାଞ୍ଚଳର ୱାର୍ଡକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର ୧୪ରେ ୧୦୧୦ ଗ୍ରାମ, ୧୨୬ ସହରାଞ୍ଚଳର ୱାର୍ଡ ଓ ୨୨୧ ଗ୍ରାମ ପଞ୍ଚାୟତକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରିଥିଲେ। ସେହିପରି ତୃତୀୟ ପର୍ଯ୍ୟାୟରେ ୨୦୨୨ ଜାନୁୟାରୀ ୩ରେ ସମ୍ପୂର୍ଣ୍ଣ ଜିଲାକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରିଥିଲେ। ଜିଲାର ଏହି ଉଦ୍ୟମକୁ ନିତି ଆୟୋଗ ସ୍କଚ୍‌ ପୁରସ୍କାରରେ ସମ୍ମାନିତ କରିଛନ୍ତି।
ଗଞ୍ଜାମ ଜିଲା ବାଲ୍ୟ ବିବାହମୁକ୍ତ ଘୋଷିତ ହେବା ପରେ ଅନେକେ ପ୍ରଶଂସା କରିଥିବା ବେଳେ ବହୁ ଲୋକ ଏଥିରେ ସଂଶୟ ପ୍ରକାଶ କରିଛନ୍ତି। ମୁକ୍ତ ଘୋଷିତ ଗ୍ରାମରେ ବାଲ୍ୟ ବିବାହ ଘଟିବ ନାହିଁ ଏହା କିପରି ସୁନିଶ୍ଚିତ କାରାଯାଉଛି? କେଉଁ ଆଧାରରେ ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରାଗଲା? ଏହା କେବଳ ଶସ୍ତା ସ୍ଲୋଗାନ୍‌ ନା ଏଥିପାଇଁ ପ୍ରଶାସନିକ ଉତ୍ତରଦାୟିତ୍ୱ ରହିଛି? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ରହିଛି। ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା ଭଳି କାର୍ଯ୍ୟକ୍ରମ ଲୋକଙ୍କୁ ଯେଉଁ ଅନୁଭୂତି ଦେଇଛି, ବାଲ୍ୟ ବିବାହମୁକ୍ତ ଗ୍ରାମ ଘୋଷଣା କଲାବେଳେ ସ୍ବାଭାବିକ ଭାବେ ସମସ୍ତଙ୍କ ମନରେ ସେଭଳି ପ୍ରଶ୍ନ ଉଠିବ।
୨୦୩୦ ସୁଦ୍ଧା ରାଜ୍ୟକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରିବାର ରାଜନୈତିକ ପ୍ରତିବଦ୍ଧତା ରଖି ସରକାର ୨୦୧୯ରୁ ବାଲ୍ୟ ବିବାହ ନିଷେଧ ରଣକୌଶଳ ପ୍ରଣୟନ କରିଛନ୍ତି। ଗ୍ରାମ, ସହରାଞ୍ଚଳ, ପଞ୍ଚାୟତ ଓ ଜିଲାଗୁଡ଼ିକ ବାଲ୍ୟ ବିବାହମୁକ୍ତ ହେଲେ ଯାଇ ରାଜ୍ୟ ବାଲ୍ୟ ବିବାହମୁକ୍ତ ହୋଇପାରିବ। ବର୍ତ୍ତମାନ ହେଉଥିବା ବାଲ୍ୟ ବିବାହମୁକ୍ତ କାର୍ଯ୍ୟକ୍ରମ ଏକ ପ୍ରଚାରଧର୍ମୀ ଓ କେବେବି ସମ୍ଭବ ନୁହେଁ ବୋଲି ଭାବିଲେ ରାଜ୍ୟ ବି ବାଲ୍ୟ ବିବାହମୁକ୍ତ ବୋଲି ଘୋଷିତ ହେବା ସମ୍ଭବ ନୁହେଁ ବୋଲି ଧରି ନେବାକୁ ହେବ। କିନ୍ତୁ କେବଳ ପୁରୁଣା ଅନୁଭୂତି ଓ କିଛି ଅବଧାରଣା ଆଧାରରେ ଏଭଳି ବିଚାର କରିବା ଉଚିତ ହେବ ନାହିଁ। ପୁରୁଣା ଅନୁଭୂତିରୁ ମିଳିଥିବା ଶିକ୍ଷାକୁ ପ୍ରୟୋଗ କରାଯାଇ ଏହି କାର୍ଯ୍ୟକ୍ରମରେ ଅନେକ ସୁଧାର ଅଣାଯାଇ ପାରିଛି।
ବାଲ୍ୟ ବିବାହମୁକ୍ତ ଘୋଷିତ ଗ୍ରାମଗୁଡ଼ିକୁ ଅନୁଧ୍ୟାନ କଲେ କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ। କୌଣସି ଗ୍ରାମକୁ ହଠାତ୍‌ ବାଲ୍ୟ ବିବାହମୁକ୍ତ ଘୋଷିତ କରାଯାଇ ନାହିଁ। ବିଗତ କିଛି ବର୍ଷର ସ୍ଥିତି ଆଧାରରେ ଗ୍ରାମବାସୀ ପ୍ରଶାସନକୁ ଜ୍ଞାତ କରେଇଲା ପରେ ଜିଲା ପ୍ରଶାସନର ଅଧିକାରୀମାନେ ପ୍ରତ୍ୟେକ ଗ୍ରାମକୁ ଗସ୍ତ କରି ଅନୁଧ୍ୟାନ କରିଛନ୍ତି। ଅତିକମ୍‌ରେ ଗତ ଦୁଇ ବର୍ଷ ଭିତରେ ଗୋଟିଏ ବି ବାଲ୍ୟ ବିବାହ ହୋଇ ନଥିବା, ଗ୍ରାମସ୍ତରରେ ଏନେଇ କମିଟି ଗଠନ କରାଯାଇ ପ୍ରତ୍ୟେକ ବିବାହକୁ ତଦାରଖ କରାଯାଉଥିବା ଭଳି ସ୍ଥିତି ଥିଲେ ଯାଇ ବାଲ୍ୟ ବିବାହମୁକ୍ତ ଘୋଷଣା କରିବା ପାଇଁ ସୁପାରିସ କରାଯାଉଛି। ଏହି କାର୍ଯ୍ୟକ୍ରମର ପରିଣାମ ସ୍ବରୂପ ଏବେ ଅନେକ ଜିଲାରେ ଗଁା ସ୍ତରରେ କିଶୋର, କିଶୋରୀଙ୍କ ତଥ୍ୟ ଓ ବିବାହର ନଥିକରଣ ସମ୍ଭବ ହୋଇପାରିଛି। ଉଦାହରଣ ସ୍ବରୂପ ଗଞ୍ଜାମ ଜିଲାରେ କେବଳ ଗତ ଦୁଇ ବର୍ଷରେ ୪୮,୩୮୬ ବିବାହକୁ ନଥିଭୁକ୍ତ କରାଯାଇ ପାରିଛି। ଏପରିକି ଏହାରି ଭିତରୁ ୨୬ଟି ବାଲ୍ୟ ବିବାହ ହୋଇଥିବା ମଧ୍ୟ ସ୍ବୀକାର କରାଯାଇଛି। ସେହିପରି ସୁବର୍ଣ୍ଣପୁର ଜିଲାରେ ପ୍ରତ୍ୟେକ ମାସରେ ପ୍ରତି ଗ୍ରାମରେ ଘଟୁଥିବା ସମସ୍ତ ବିବାହର ତଥ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଜିଲାପାଳଙ୍କ ଗୋଚରାର୍ଥେ ପଠାଯାଉଛି। ନବରଙ୍ଗପୁର ଜିଲାରେ ଜିଲାପାଳଙ୍କ ବ୍ୟକ୍ତିଗତ ତତ୍ତ୍ୱାବଧାନରେ ସମଗ୍ର ଜିଲାରେ ଗତ ଦୁଇ ବର୍ଷରେ ହୋଇଯାଇଥିବା ସମସ୍ତ ବିବାହର ତଥ୍ୟ ସଂଗ୍ରହ କରାଯାଇ ପାରିଛି। ଆହୁରି ଅନେକ ଜିଲା ଅଛନ୍ତି, ଯେଉଁମାନେ ବିବାହ ନଥିକରଣ ମାଧ୍ୟମରେ ତଦାରଖ ପ୍ରକ୍ରିୟାକୁ ସୁଦୃଢ଼ କରିପାରିଛନ୍ତି। ଏଥିସହିତ କିଶୋର, କିଶୋରୀ ସଶକ୍ତୀକରଣ, ସାମାଜିକ ଓ ବ୍ୟାବହାରିକ ପରିବର୍ତ୍ତନ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ସହ ସଚେତନତା କାର୍ଯ୍ୟକ୍ରମ, ବାଲ୍ୟ ବିବାହକୁ ନା କହୁଥିବା ଝିଅଙ୍କୁ ପ୍ରୋତ୍ସାହନ, ଶିଶୁ ଅଧିକାର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତାଲିମ ପ୍ରଭୃତି ମାଧ୍ୟମରେ ପ୍ରତିଷେଧାତ୍ମକ ବ୍ୟବସ୍ଥା ନିରନ୍ତର ଭାବରେ ଚାଲିଛି।
ବର୍ତ୍ତମାନ ସମୟରେ ବାଲ୍ୟ ବିବାହ ନିଷେଧକୁ ଯେପରି ପ୍ରାଧାନ୍ୟ ମିଳିପାରିଛି, ଏହା ଜାରି ରହିଲେ ଧାର୍ଯ୍ୟ ସମୟରେ ରାଜ୍ୟକୁ ମଧ୍ୟ ବାଲ୍ୟ ବିବାହମୁକ୍ତ ଘୋଷଣା ସମ୍ଭବ ହୋଇପାରିବ। ବାଲ୍ୟ ବିବାହମୁକ୍ତ ଅଭିଯାନ ଭଳି କାର୍ଯ୍ୟକ୍ରମ ସାମାଜିକ ଆନ୍ଦୋଳନରେ ଜନସହଭାଗିତାର ସୁଯୋଗ ସୃଷ୍ଟିକରେ ଓ ସେମାନଙ୍କ ଭିତରେ ଉଦ୍ଦୀପନା ଆଣିବାରେ ସହାୟକ ହୁଏ। ତେବେ ଅଭିଯାନକୁ ସୁଦୃଢ଼ କରିବା ପାଇଁ ଆଉ କେତୋଟି ଦିଗ ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ସମୟରେ ଏହା ସେଇଠି ସଫଳ ହୋଇଛି, ଯେଉଁଠି ଜିଲାପାଳମାନେ ସ୍ବତନ୍ତ୍ର ଆଗ୍ରହ ପ୍ରକାଶ କରିଛନ୍ତି। ଏହାକୁ ବ୍ୟକ୍ତି ସ୍ତରରୁ ବ୍ୟବସ୍ଥାର ଉତ୍ତରଦାୟିତ୍ୱରେ ପରିଣତ କରିବାକୁ ହେବ। ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳକୁ ଏ ଆନ୍ଦୋଳନ ଏତେ ମାତ୍ରାରେ ପହଞ୍ଚତ୍ ପାରିନାହିଁ। ୱାର୍ଡସ୍ତରରେ ଶିଶୁ ଅଧିକାର ସୁରକ୍ଷା କମିଟି ଗଠନ କରି ସହରାଞ୍ଚଳ ସ୍ବାୟତ୍ତ ଶାସନ ବ୍ୟବସ୍ଥାକୁ ସାମିଲ କରିବାକୁ ହେବ। ପୋଲିସ ବିଭାଗର ସହଭାଗିତା ଅଭାବରୁ ବାଲ୍ୟ ବିବାହ କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନର ମାତ୍ରା ଅତି ନଗଣ୍ୟ। ଏହା ଏକ ଦଣ୍ଡନୀୟ ଅପରାଧ ହୋଇଥିବା କାରଣରୁ ପୋଲିସ ସମପରିମାଣରେ ଉତ୍ତରଦାୟୀ ହେବା ଆବଶ୍ୟକ। ଜନସହଭାଗିତା ଓ ପ୍ରଶାସନିକ ଉତ୍ତରଦାୟିତ୍ୱର ସାହାରାରେ ବାଲ୍ୟ ବିବାହମୁକ୍ତ ଅଭିଯାନ ଭଳି ସାମାଜିକ ପ୍ରୟୋଗ ସଫଳ ହେବ ବୋଲି ଆଶା କରାଯାଏ।
– ସୁବର୍ଣ୍ଣପୁର, ମୋ: ୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri