ଅଭିଭାବକତ୍ୱରେ ଉତ୍ତରପିଢ଼ି

ଡ. ବାସନ୍ତୀ ମହାନ୍ତି

ସାରା ଭାରତରେ ଧର୍ମ ସଂସ୍ଥାପନା କରି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଦିନରାତି ଏକାକାର କରିଦେଇଥିବା ଶ୍ରୀକୃଷ୍ଣ ନିଜ ପରିବାରର ଯୁବପିଢ଼ିଙ୍କୁ ଆୟତ୍ତ କରିପାରି ନ ଥିଲେ। ସେମାନେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ମୁନି ଋଷିମାନେ ସୁଦ୍ଧା ସେମାନଙ୍କ ଦୌରାତ୍ମ୍ୟରୁ ମୁକ୍ତି ପାଉ ନ ଥିଲେ। ସେମାନଙ୍କୁ ଥଟ୍ଟା ପରିହାସ କରିବା ଯାଦବ ଯୁବକଙ୍କର ଥିଲା ଅନ୍ୟତମ କ୍ରୀଡ଼ା ବିଳାସ। ଏହି ବିଳାସ ଯଦୁବଂଶ ପାଇଁ କାଳ ହୋଇଥିଲା। ଯାଦବ ଯୁବକଙ୍କ ଉଶୃଙ୍ଖଳତା ପାଇଁ ଦ୍ୱାରକା ଧ୍ୱଂସ ହୋଇଥିଲା ସତ କିନ୍ତୁ ଏଥିପାଇଁ କୃଷ୍ଣ, ବଳରାମ ମୂଳତଃ ଦାୟୀ। ମହାଭାରତରେ ଶ୍ରୀକୃଷ୍ଣ ବିଶ୍ୱ କଲ୍ୟାଣ ପାଇଁ ଅହରହ ଚିନ୍ତିତ ଥିଲେ। ସେ ନିଜ ପରିବାରର ଉତ୍ତର ପିଢ଼ି ପାଇଁ ସମୟ ଦେଇ ପାରି ନ ଥିଲେ କିମ୍ବା ସେମାନଙ୍କ ପାଇଁ କୌଣସି ସୁଚିନ୍ତିତ ଯୋଜନା କରିଥିବା କେଉଁଠି ଉଲ୍ଲେଖ ନାହିଁ। ବଳରାମ କେତେବେଳେ ଆଳସ୍ୟ ବିଳାସରେ ତ ଆଉ କେତେବେଳେ ଧ୍ୟାନ ଧାରଣାରେ କାଳାତିପାତ କରୁଥିଲେ, ଫଳରେ ନୂଆ ପିଢିଙ୍କୁ ଠିକ୍‌ ଉପାୟରେ ଲାଳନପାଳନ କରାଯାଇ ନ ଥିଲା। କୌରବ ଶହେ ଭାଇଙ୍କ ଅବସ୍ଥା ମଧ୍ୟ ଠିକ୍‌ ସେୟା। ଧୃତରାଷ୍ଟ୍ର ଥିଲେ ଦୃଷ୍ଟିହୀନ। ମାତା ଗାନ୍ଧାରୀ ମଧ୍ୟ ଆଖିରେ ଅନ୍ଧପଟିକା ବାନ୍ଧି ସନ୍ତାନମାନଙ୍କର କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେଇପାରିଲେ ନାହିଁ। ଏତେ ବଡ଼ ବିଦୁଷୀ ମାଆର ସନ୍ତାନମାନେ ବିଗିଡ଼ିଗଲେ। ପାପପୁଣ୍ୟର ବିଚାର ରହିଲା ନାହିଁ। ନିଜ ବିନାଶକୁ ଆହ୍ବାନ କରି ଆଣିଲେ।
ଆମ ସମସ୍ତଙ୍କର ଅସନ୍ତୋଷ ଅଭିଯୋଗ ଆପତ୍ତି ଆଜି ଯୁବସମାଜ ଉପରେ ଲଦି ହୋଇପଡୁଛି। ସେମାନେ ଐତିହ୍ୟ ଓ ପରମ୍ପରା ଭୁଲୁଛନ୍ତି, ଗୁରୁଗୁରୁଜନ ମାନୁ ନାହାନ୍ତି। ଚୋରି, ଡକାୟତି, ହତ୍ୟା, ବ୍ୟାଙ୍କ ଲୁଟ୍‌, ପକେଟ୍‌ମାର କରୁଛନ୍ତି ତ ଆଉ କେହି ଗଣବଳାତ୍କାର ପରି ବର୍ବରୋଚିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଦୀର୍ଘସମୟବ୍ୟାପୀ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ପରେ ଯୁବପିଢ଼ି ଏବେ ବଞ୍ଚତ୍ବା ପାଇଁ ଅପରାଧ ଦୁନିଆକୁ ଖସି ଆସୁଛନ୍ତି। ଏବେ ଭୁବନେଶ୍ୱରରେ କୌଣସି ଆପରାଧିକ ଇତିହାସ ନ ଥାଇ ଦୁଇଦୁଇଟା ବ୍ୟାଙ୍କ୍‌ ଲୁଟ କରିଥିବା ଯୁବକଙ୍କ ବୟାନରୁ ଯେଉଁ ତଥ୍ୟ ମିଳିଥିଲା ସେଥିରୁ ଜଣାପଡୁଛି ସେମାନଙ୍କ ବିପଦ ସମୟରେ ଆନ୍ତରିକ ଆଶ୍ୱାସନା ଦେବା ପାଇଁ ତାଙ୍କ ପାଖରେ କେହି ନାହାନ୍ତି, ଯାହାଫଳରେ ସେମାନେ ବିଷାଦଗ୍ରସ୍ତ ହୋଇ ଯେକୌଣସି ଭୁଲ ପଦକ୍ଷେପ ନେଉଛନ୍ତି। ଯୁବକଙ୍କ ବୟାନ ଥିଲା, କରୋନା ସମୟରେ ତାଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହେବାରୁ ସେ ବ୍ୟାଙ୍କ ଋଣ ଶୁଝି ପାରି ନ ଥିଲେ, ସେଥିପାଇଁ ସେ ବ୍ୟାଙ୍କ ଲୁଣ୍ଠନ କରି ବ୍ୟାଙ୍କର ଋଣ ଶୁଝିବାକୁ ଚେଷ୍ଟା କରିଥିଲେ। ତା’ ପୂର୍ବରୁ କୌଣସି ଆପରାଧିକ ଇତିହାସ ନଥିଲା ବୋଲି ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିପାରିଥିଲା।
ଇଚ୍ଛା ଅନୁସାରେ କର୍ମନିଯୁକ୍ତି ନ ମିଳିବାରୁ ଯୁବ ସମାଜ ବିଭ୍ରାନ୍ତ ହେଉଥିବା ବେଳେ ଆଉ କାହା ପାଖରେ ଗୁଡ଼ାଏ ଶିକ୍ଷାଗତ ଯୋଗ୍ୟ୍ୟତା ଥାଇ ସୁଦ୍ଧା ଚାକିରି ପାଉନାହାନ୍ତି। ଅନେକ ସାର୍ଟିଫିକେଟ୍‌ କେବଳ ପଇସା ଦେଇ କିଣାଯାଉଥିବା ବେଳେ କପି କିମ୍ବା ଅନ୍ୟ ଅସାଧୁ ଉପାୟରେ ହାସଲ କରୁଛନ୍ତି ଯୁବପିଢ଼ି। ମାତାପିତାଙ୍କ ଇଚ୍ଛା ପୂରଣ କରି ହେଉ କିମ୍ବା ନ କରିପାରି ହେଉ ସେମାନେ ଯେଉଁ ଜୀବିକା ଗ୍ରହଣ କରିଛନ୍ତି ତାହା ମଧ୍ୟ ସେମାନଙ୍କ ପାଇଁ ଦୁର୍ବିଷହ ହୋଇପଡୁଛି। ଯନ୍ତ୍ର ପରି ବଞ୍ଚୁଛନ୍ତି। ନିଜ ଜୀବନର ବିଫଳପଣକୁ ଅନ୍ୟମାନଙ୍କ ଉପରେ ଉଦ୍‌ଗାର କରନ୍ତି। ଉପରିସ୍ଥ ଅଫିସରଙ୍କ ପ୍ରତି ବିଶ୍ୱସ୍ତ ରହନ୍ତି ନାହିଁ। ସେମାନଙ୍କ ଭିତରେ ଥିବା ସୃଜନଶୀଳତା ନଷ୍ଟ ହୋଇଯାଏ। ଆବେଗ ଧ୍ୱଂସ ହୋଇଯାଏ। କେବଳ ବେଗକୁ ନେଇ ସେମାନେ ବଞ୍ଚନ୍ତି। ଇଲେକ୍ଟ୍ରୋନିକ୍‌ ଜଗତ ତ ଆହୁରି ବିପଜ୍ଜନକ ଜଗତ ହୋଇ ରହିଛି। ଯେଉଁମାନଙ୍କୁ କୁହାଯାଉଛି ସାଇବର କୁଲି। ଆଉ ସେଇମାନେ ବେଶି ଅବସାଦଗ୍ରସ୍ତ ହେଉଛନ୍ତି। ବିବାହ ବଚ୍ଛେଦ, ଆମତ୍ହତ୍ୟା, ଡ୍ରଗ୍ସ ସେବନ ଏସବୁ ହେଉଛି ତା’ର ପାର୍ଶ୍ୱ ପ୍ରତିକ୍ରିୟା। ଗୋଟାଏ ଅର୍ଥରେ କହିଲେ ଏମାନେ ଭଲ ମଣିଷ ହୋଇ ପାରୁନାହାନ୍ତି ନା ଭଲ ପରିବାର ଗଢ଼ି ପାରୁଛନ୍ତି।
ଯୁବପିଢ଼ିଙ୍କ ମଧ୍ୟରେ ଆଉ ଏକ ମାନସିକତା ପରିଲକ୍ଷିତ ହେଉଛି, ଯେଉଁମାନଙ୍କୁ ଆମେ ଫକୀର ମୋହନ ସେନାପତିଙ୍କ ‘ଡାକମୁନ୍‌ସୀ’ ପର୍ଯ୍ୟାୟଭୁକ୍ତ କରିପାରିବା। ସେମାନଙ୍କୁ ସୁଖସ୍ବାଚ୍ଛନ୍ଦ୍ୟ ଦେବା ପାଇଁ ମାତାପିତା ନିଜ ସୁଖ ସ୍ବାଚ୍ଛନ୍ଦ୍ୟ ବଳି ଦେଇଥାନ୍ତି। ନିଜ ପେଟରୁ କାଟି ସେମାନଙ୍କୁ ମଣିଷ କରିଥାନ୍ତି, ଅଥଚ ରୋଜଗାରକ୍ଷମ ହେବା ପରେ ସେମାନେ ଭୁଲିଯାଆନ୍ତି ମାତାପିତାଙ୍କ ତ୍ୟାଗ। ମାତାପିତା ସେମାନଙ୍କ ପାଇଁ ବୋଝ ହୋଇଯାଆନ୍ତି। ସେମାନଙ୍କ ଅନାଦର ଅବହେଳାରେ ନିର୍ଯାତିତର ଜୀବନ ବଞ୍ଚନ୍ତି ଅଥବା ବୃଦ୍ଧାଶ୍ରମରେ ଆଶ୍ରୟ ନିଅନ୍ତି। ସେମାନଙ୍କ ଭିତରୁ ସବୁ କୋମଳପଣ ଓ ଭାବପ୍ରବଣତା ମରି ମରି ଆସୁଛି।
ସନ୍ତାନମାନଙ୍କୁ ଉପଯୁକ୍ତ ମଣିଷ କରିବା ପରିବର୍ତ୍ତେ ସେମାନଙ୍କ ଆର୍ଥିକ ସୁରକ୍ଷା ଯଦି ଆମର ଲକ୍ଷ୍ୟ ହୁଏ, ତେବେ ସେମାନେ ମଣିଷ ହେବେ ନାହିଁ। ସେମାନେ ଅର୍ଥରୋଜଗାରକାରୀ ଯନ୍ତ୍ର ହିଁ ହୋଇଯିବେ। ଅଭିଜାତ ପରିବାରଗୁଡ଼ିକରେ ପିଲାମାନେ ପରିଚାରକମାନଙ୍କ ଦ୍ୱାରା ପ୍ରତିପାଳିତ ହୁଅନ୍ତି। ମଧ୍ୟବିତ୍ତ ପରିବାରଗୁଡ଼ିକରେ ପିଲାମାନଙ୍କୁ ହଷ୍ଟେଲରେ ଛାଡ଼ି ଦିଆଯାଇଥାଏ। ହଷ୍ଟେଲରେ ବଢ଼ିଥିବା ପିଲାଟିଏ ତା’ ବୃଦ୍ଧ ମାତାପିତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିବାବେଳେ ଆଦୌ ଭାବପ୍ରବଣ ହୋଇ ନଥାଏ, କାରଣ ପାରିବାରିକ ଭାବବନ୍ଧନ ପ୍ରତି ସେମାନଙ୍କର ଅଭିଜ୍ଞତା କମ୍‌ ଥାଏ।
ଯୁବପିଢ଼ିଙ୍କୁ ଦୋଷଦେବା ପୂର୍ବରୁ ଆମେ ବୁଝିବା ଦରକାର ଆମେ ସେମାନଙ୍କୁ କି ପ୍ରକାର ସଂସ୍କାର ଦେଇଛୁ। ସନ୍ତାନମାନଙ୍କୁ କେତେ ସ୍ନେହ ମମତା ଦେଇଛୁ, କେତେ ସମୟ ସେମାନଙ୍କ ପାଇଁ ଆମେ ବିନିଯୋଗ କରିଛୁ? ସାମ୍ପ୍ରତିକ ପରିସ୍ଥିତିରେ କେତେ ଭରସାଯୋଗ୍ୟ ଆଦର୍ଶ ବ୍ୟକ୍ତିତ୍ୱମାନଙ୍କୁ ସେମାନଙ୍କ ଆଗରେ ଆମେ ଠିଆ କରେଇଛୁ? ଯେଉଁ ମାର୍ଗଦର୍ଶକଙ୍କୁ ଅନୁସରଣ କରି ସେମାନେ ଆଗକୁ ବଢ଼ନ୍ତେ, ଆମ ଭିତରେ କେତେଜଣ ସେମିତି ନିଷ୍ପାପ ବ୍ୟକ୍ତିତ୍ୱ ଅଛନ୍ତି? ଆଜି ଲୋକପ୍ରିୟତାର ଶୀର୍ଷରେ ଛିଡାହୋଇଥିବା ବ୍ୟକ୍ତିର ସାମ୍ରାଜ୍ୟ ରାତି ପାହିଲେ କେମିତି କେଉଁ କେଳେଙ୍କାରୀରେ ଫସି ତଳିତଳାନ୍ତ ହେଉଛି ତା’ର ସୀମା ନାହିଁ। ମହାଜନ ‘ଯେନ ଗତଃ ସ ପନ୍ଥା’- କେଉଁ ମହତ୍‌ଜନଙ୍କୁ ଅନୁସରଣ କରି ଚାଲିବା ପାଇଁ ଆମେ ସେମାନଙ୍କୁ ଉପଦେଶ ଦେବା? ତଥାପି କ’ଣ ଏଇ ଯୁବ ବିଭ୍ରାନ୍ତି ପାଇଁ ଆମେ ଯୁବପିଢ଼ିଙ୍କୁ ଦୋଷ ଦେବା?
୨୧୩ ସି-ବ୍ଲକ୍‌, ଏମେରାଲ୍ଡ ଆପାର୍ଟମେଣ୍ଟ,
ଲକ୍ଷ୍ମୀସାଗର, ଭୁବନେଶ୍ୱର,
ମୋ-୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri