ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ ପେତପଡ଼ା ନ ମାଣିଆ ଭେଡ଼ାରେ ଗୌରାଙ୍ଗଙ୍କ ମୃତଦେହ ପଡ଼ିଥିବା ନେଇ ଜଣାପଡ଼ିବା ପରେ ପୋଲିସ ସେଠାରେ ପହଞ୍ଚି ଖପୁରୀ, ହାଡ଼, ଚୁଟି ଓ ପିନ୍ଧା ପୋଷାକ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେହିସ୍ଥାନରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରିବା ପରେ ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟାରିଆ ପହଞ୍ଚି ମୃତଦେହ ପଡ଼ିଥିବା ସ୍ଥାନରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ନିଖୋଜ ଗୌରାଙ୍ଗଙ୍କ ବାପା ଭାଇ ସେଠାରେ ପହଞ୍ଚି ତାହା ଗୌରାଙ୍ଗଙ୍କ ମୃତଦେହ ବୋଲି ଚି଼ହ୍ନଟ କରିଥିଲେ।
ଗତ ୨୮ ତାରିଖ ଦିନ ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଗ୍ରାମର ଅରୁଣ ସେଠୀଙ୍କ ପୁଅ ଗୌରାଙ୍ଗଙ୍କୁ ଏକ ଗାଡ଼ି କାଚଭଙ୍ଗା ଘଟଣାକୁ ନେଇ ୬ରୁ ଊର୍ଦ୍ଧ୍ୱ ଯୁବକ ତାଙ୍କୁ ନିସ୍ତୁକ ମାଡ଼ ମାରି ଅପହରଣ କରି ନେଇଥିଲେ। ଏ ନେଇ ଅରୁଣ ଆଳି ଥାନାରେ ୬ ଜଣକ ନାମରେ ମାମଲା ରୁଜୁ କରିଥିଲେ। ଗୌରାଙ୍ଗଙ୍କୁ ମାଡ଼ ମରାଯିବାର ଭିଡିଓ ଭାଇରାଲ ହେବା ପରେ ଗ୍ରାମବାସୀ ତୁରନ୍ତ ଗୌରାଙ୍ଗଙ୍କୁ ଖୋଜିବା ସହିତ ଅପହରଣକାରୀଙ୍କ ଗିରଫ ଦାବି କରି ଥାନା ଘେରାଉ କରିଥିଲେ। ଅପହରଣ ହେବାର ୯ ଦିନ ପରେ ଗୌରାଙ୍ଗଙ୍କ ଗଳିତ ମୃତଦେହ ମିଳିବା ପରେ ପରିବାର ଲୋକ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ।

