ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାପାଳ ଭି. କୀର୍ତ୍ତି ଭାସନ ଏନେଇ ଏକ ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ସଜାଗ ରହିବା ସହ ଆବଶ୍ୟକ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ଭାବ୍ୟ ପ୍ରବଳ ବର୍ଷା, ପବନ, ଜଳବନ୍ଦୀ ଓ ଭୂସ୍ଖଳନ ଭଳି ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାରକାରୀ ଯନ୍ତ୍ରପାତି, ଔଷଧ, ଆବଶ୍ୟକ ସାମଗ୍ରୀ ଓ ମାନବ ସମ୍ବଳ ପ୍ରସ୍ତୁତ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରିଆସିବା ପାଇଁ ପରାମର୍ଶ ଦିଆଯାଇଥିବାବେଳେ, ଆଗାମୀ ସେପ୍ଟେମ୍ବର ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲାସ୍ତରୀୟ ଅଧିକାରୀମାନେ ହେଡ୍କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବିଭାଗ ମଧ୍ୟରେ ନିରନ୍ତର ସମନ୍ବୟ ରଖି ପରିସ୍ଥିତି ଉପରେ ନଜର ରଖିବା ସହ ଯେକୌଣସି ଆପଦ୍କାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି।
ଏଥିସହ ବଜ୍ରପାତ ଓ ପ୍ରବଳ ବର୍ଷା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
ବୈଠକରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲା ଜରୁରୀକାଳିନ ଅଧିକାରୀ ସୁନୀଲ ସାଇ ଦେବାଶିଷଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ।

