ଲୁଥରଙ୍କ ଦୃଷ୍ଟିରେ ଗାନ୍ଧିଜୀ

ମାର୍ଟିନ୍‌ ଲୁଥର କିଙ୍ଗ୍‌ (ଜୁନିୟର) ୧୯୫୯ ମସିହାରେ ଭାରତ ଭ୍ରମଣରେ ଆସିଥିଲେ। ଭାରତ ରହଣି କାଳରେ ସେ ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମ ପରିଦର୍ଶନ କରିଥିବାବେଳେ ମହାତ୍ମା ଗାନ୍ଧୀ ୮ ଜଣ ସାଥୀଙ୍କ ସହ ଏହିଠାରୁ ୨୧୮ ମାଇଲ ଦୂରବର୍ତ୍ତୀ ଦାଣ୍ଡିକୁ ପଦଯାତ୍ରା କରି ଲବଣ ସତ୍ୟାଗ୍ରହ କରିଥିଲେ। ସେଦିନ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଯେଉଁ ଜ୍ଞାନ ଓ ଅନୁଭବ ଲାଭ କରିଥିଲେ, ସେ ତାଙ୍କ ଆତ୍ମଜୀବନୀରେ ଲିପିବଦ୍ଧ କରିଛନ୍ତି। ସେ ତାଙ୍କର ଏକ ଟିପ୍ପଣୀରେ ଲେଖିଥିଲେ ”ଏହି ଯାତ୍ରା ତାଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ଗାନ୍ଧୀଙ୍କ ଦେଶରେ ପାଦଦେବା, ତାଙ୍କ ପରିବାର ପରିଜନବର୍ଗଙ୍କ ସହିତ କଥା ହେବା, ତାଙ୍କ ସହକର୍ମୀମାନଙ୍କ ସ୍ମୃତିଚାରଣରେ ସହଭାଗୀ ହେବା, ତାଙ୍କ ଆଶ୍ରମ ପରିଦର୍ଶନ କରିବା ଏବଂ ତାଙ୍କ ସମାଧିପୀଠରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ଅତ୍ୟନ୍ତ ଆନନ୍ଦଦାୟକ ଅନୁଭବ ଥିଲା। ଏହି ଦେଶରୁ ଆମେ ଅନେକ କିଛି ଶିକ୍ଷାକଲୁ, ତଥାପି ଭାରତବର୍ଷକୁ ଜାଣିଗଲୁ ବୋଲି କହିବା ଧୃଷ୍ଟତା ହେବ। ତା’ର ଜନଗଣ, ସିଦ୍ଧି ଓ ବୈଷମ୍ୟକୁ ନେଇ ଭାରତ ଏକ ବିରାଟ ଉପମହାଦେଶ।“ ସ୍ବାଧୀନତା ସଂଗ୍ରାମ କରିବା ପାଇଁ ନଷ୍ପେଷିତ ଜନତାଙ୍କର ଅଂହିସା ପ୍ରତିରୋଧ ହିଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଥିଲା। ଅହିଂସା ଆନ୍ଦୋଳନର ଚମକପ୍ରଦ ବିଜୟ ନିଜ ଆଖିରେ ଦେଖିବା ବିସ୍ମୟକର ଥିଲା। ହିଂସାର ପଥ ଲୋକଙ୍କର ତିକ୍ତତା ଏବଂ ଧ୍ୱଂସକାରୀଙ୍କର ନୃଶଂସତା ବୃଦ୍ଧି କରେ, କିନ୍ତୁ ଅହିଂସାର ପଥ ମୁକ୍ତି ପ୍ରଦାନ କରେ ତଥା ପ୍ରୀତିପୂର୍ଣ୍ଣ ସମାଜ ପ୍ରତିଷ୍ଠା କରେ। ମୋର ଭାରତ ଗସ୍ତ ଫଳରେ ଅହିଂସାର ବାରିଧାରା ମୋ’ ଜୀବନରେ ପ୍ରବାହିତ ହେବା ସହ ମୋର ଅଙ୍ଗୀକାର ଆହୁରି ଦୃଢ଼ୀଭୂତ ହେଲା। ସେତେବେଳେ ୪୦ କୋଟି ଜନତାଙ୍କୁ ଏକାଠି କରି ସ୍ବାଧୀନତା ପାଇଁ ଅଭିମନ୍ତ୍ରିତ କରିଥିଲେ। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ, ଯେଉଁ ଲୋକଟି ଅହିଂସାରେ ବିଶ୍ୱାସ କରୁଥିଲେ, ତାଙ୍କ ଜୀବନ ହିଂସାରେ ବିଶ୍ୱାସ କରୁଥିବା ଜଣେ ଲୋକହାତରେ ଗଲା। ମାତ୍ର ଈଶ୍ୱରଙ୍କୁ ଅଶେଷ ଧନ୍ୟବାଦ ଯେ, ଯେଉଁ ଲୋକ ଗୁଳିମାରି ଗାନ୍ଧୀଙ୍କ ହୃଦୟ ବିଦାରି ଦେଲା, ସେ ତାଙ୍କୁ ସମଗ୍ର ମାନବ ଜାତିର ହୃଦୟରେ ସ୍ଥାନିତ କରିଦେଲା। ଲକ୍ଷ୍ୟ କରିବାର କଥା ଯେ, ଆବ୍ରାହମ୍‌ ଲିଙ୍କନଙ୍କୁ ଯେଉଁଥିପାଇଁ ଗୁଳିମାଡ଼ ହୋଇଥିଲା, ଠିକ୍‌ ସେଇଥିପାଇଁ ମହାତ୍ମା ଗାନ୍ଧୀଙ୍କୁ ଗୁଳିମାଡ଼ ହୋଇଥିଲା। ଲିଙ୍କନ୍‌ଙ୍କୁ ଗୁଳିମାଡ଼ ହେଲାବେଳେ ପାଖରେ ଛିଡ଼ା ହୋଇଥିବା ତାଙ୍କର ସଚିବ ଷ୍ଟାଣ୍ଟନ୍‌ କହିଥିଲେ, ‘ଏବେ ସେ ଯୁଗପୁରୁଷ ହୋଇଗଲେ’। ବର୍ତ୍ତମାନ ମହାତ୍ମା ଗାନ୍ଧୀଙ୍କ ବିଷୟରେ ସେହିକଥା କୁହାଯାଇ ପାରିବ, ସେ ମଧ୍ୟ ଜଣେ ସତ୍ୟନିଷ୍ଠ ଯୁଗପୁରୁଷ।
ସତ୍ୟକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରି ମାଟିରେ ମିଶାଇଦେଲେ ବି ତାହା ପୁନରୁଜ୍ଜୀବିତ ହୋଇ ଉଠିବ। ଜେମ୍ସ ରସେଲ୍‌ ଲୋବେଲ୍‌ଙ୍କ ଭାଷାରେ ”ସତ୍ୟ ପଶିଛି ସଦା ଫାଶର ଫନ୍ଦାରେ/ ପ୍ରମାଦ ବସିଛି ସଦା ସିଂହାସନ ପରେ/ ଦୋହଲୁଛି ଭବିଷ୍ୟ ଫାଶୀ ଦଉଡ଼ିରେ/ ନିଷ୍ପ୍ରଭ ଅଜ୍ଞାତେ ଉଭା ଈଶ୍ୱର ଆମ ପଶ୍ଚାତ୍‌ରେ/ ନିଜଗଢ଼ା ଜଗତକୁ ଚାହିଁ ରହିଛନ୍ତି ଅନ୍ଧାର ଭିତରେ।“ ମହାତ୍ମା ଗାନ୍ଧୀ ଭାରତରେ ଯାହା କଲେ, ତାହା ସେ କିପରି କଲେ ବୋଲି ଯଦି ପ୍ରଶ୍ନ ହୁଏ, ତେବେ ଲୋକମାନେ କହିବେ ଗାନ୍ଧୀ ଥିଲେ ସମ୍ପୂର୍ଣ୍ଣ ସତ୍ୟନିଷ୍ଠ, ବିଶ୍ୱସ୍ତ ଏବଂ ବିଶେଷ ଭାବରେ ତାଙ୍କର ସମର୍ପଣଭାବ ଯୋଗୁ ଏହା ସମ୍ଭବ ହୋଇପାରିଥିଲା। ସେ ଏପରି ଏକ ବ୍ୟକ୍ତି ଥିଲେ, ଯିଏ ନିଜର ଅନୁଗାମୀମାନଙ୍କୁ କହୁଥିଲେ ସେ ଦୋଷଶୂନ୍ୟ ନୁହନ୍ତି, ସେ ଗୋଟାପଣେ ଜଣେ ମଣିଷ। ଭାରତରୁ ବିଦାୟ ନେବାବେଳେ ମାର୍ଟିନ୍‌ କହିଥିଲେ, ”ଭାରତର ଜନଗଣଙ୍କୁ ଓ ସରକାରଙ୍କୁ ମୋର ଏକ ନିବେଦନ କରିବାର ଅଛି, ଯାହା ବିନୋବା ଭାବେଙ୍କ ସହିତ ଆଲୋଚନା ସମୟରେ ମୋ ମନକୁ ଆସିଥିଲା। ପୃଥିବୀର ଶାନ୍ତିପ୍ରିୟ ଦେଶଗୁଡ଼ିକ ଭୟ ନିବାରଣ ଓ ନିରସ୍ତ୍ରୀକରଣ ପାଇଁ ମୋ ନିଜ ଦେଶ ଆମେରିକା ଏବଂ ସୋଭିଏତ ରୁଷିଆକୁ ରାଜି କରାଇବାରେ ସେ ସକ୍ଷମ ହୋଇପାରି ନାହାନ୍ତି। ଦୁର୍ଭାଗ୍ୟବଶତଃ ଏ ପର୍ଯ୍ୟନ୍ତ ଆମେରିକା ଓ ସୋଭିଏତ ରୁଷ ଏପରି କରିବା ନିମିତ୍ତ ଏପରି ସାହସ ଦେଖାଇ ନାହାନ୍ତି। ବିନୋବା ଭାବେ କହିଥିଲେ, ଭାରତ ଯେପରି ଅଗ୍ରଣୀ ଭୂମିକା ନେଇ ପୃଥିବୀକୁ ଦେଖାଇଦେଲା ଅହିଂସା ଉପାୟରେ ଜାତୀୟ ସ୍ବାଧୀନତା ହାସଲ କରାଯାଇପାରେ, ସେହିପରି ଦିନେ ଭାରତ ଅଗ୍ରଣୀ ଭୂମିକା ନେଇ ନିରସ୍ତ୍ରୀକରଣ ପାଇଁ ସମଗ୍ର ବିଶ୍ୱକୁ ଆହ୍ବାନ ଦେବ ଏବଂ ମହାମତ୍ା ଗାନ୍ଧୀଙ୍କ ଭାବଧାରାର ଏହା ଏକ ବିରାଟ ନିଦର୍ଶନ ହେବ।

  • ଉମା ଶଙ୍କର ପ୍ରସାଦ
    ମୋ: ୮୮୯୫୫୪୭୪୯୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri